ନିରିମାଖୀ ଓଡ଼ିଶାର ସ୍ମାର୍ଟ ସହର

ନିରିମାଖୀ ଓଡ଼ିଶାର ସ୍ମାର୍ଟ ସହର

Share :

ଡ. ଧନଦା କାନ୍ତ ମିଶ୍ର ଗରୀବ ରାଜ୍ୟ ଓଡ଼ିଶାର ଚକଚକିଆ ରାଜଧାନୀ ଭୁବନେଶ୍ବର ! କଥାଟା କେମିତି ଖାପଛଡ଼ା ଲାଗୁଛି ନା? ଓଡ଼ିଶାର ଇତିହାସ ଅତି କମରେ  ଦୁଇ ହଜାର ବର୍ଷରୁ ଅଧିକ ପୁରୁଣା ପୌରାଣିକ ଯୁଗରୁ । ଓଡ଼ିଶାର ପରିଚୟ କଳିଙ୍ଗ, ଉତ୍କଳ, ଉଡ୍ର ଭାବରେ ବିଭିନ୍ନ ପୁରାଣ ଓ ଐତିହାସିକ ପ୍ରସଙ୍ଗରେ ଉଲ୍ଲେଖ ରହିଛି । ଆଧୁନିକ ରାଜଧାନୀ ଭୁବନେଶ୍ବର ମାତ୍ର ଷାଠିଏ ବର୍ଷର ସହର । କିନ୍ତୁ ଏହା ଚାରିପାଖେ ରହିଛି ବହୁ ପୁରାତନ କିର୍ତ୍ତୀରାଜି, ଯଥା କଳିଙ୍ଗ ଯୁଦ୍ଧର ସ୍ବାକ୍ଷର ବହନ କରୁଥିବା ଧଉଳି ଓ ଦୟାନଦୀ, ଖାରବେଳଙ୍କ ଖଣ୍ଡଗିରି, ଉଦୟଗିରି ଜୈନ ସାଧନା ପାଇଁ ଖୋଦିତ ଗୁମ୍ଫା ସବୁ, ଶିଶୁପାଳଗଡ଼ ଓ ପୁରୁଣା ଭୁବନେଶ୍ବରର କାରୁକାର୍ଯ୍ୟଭରା ଲିଙ୍ଗରାଜ ମନ୍ଦିର ସହ ଅନେକ ଛୋଟବଡ଼ ମନ୍ଦିର ଓ ବିନ୍ଦୁସାଗର ପରି ପୌରାଣିକ ପୁଷ୍କରିଣୀ । ଏ ସବୁ ମଝିରେ ଗଢ଼ି ଉଠିଛି ରାଜ୍ୟର ରାଜଧାନୀ ନୂଆ ଭୁବନେଶ୍ବର- ଯାହାର ପରିକଳ୍ପନା କରିଥିଲେ ଜର୍ମାନ ସ୍ଥପତି ଅଟୋକୋନିସ-ବର୍ଗର । ଚଣ୍ଡୀଗଡ଼ ଓ ଜାମସେଦପୁର ସହ ଏକ ସମୟରେ ସୁଚିନ୍ତିତ ଯୋଜନାବଦ୍ଧ ଭାବରେ ନିର୍ମାଣ କରାଯାଇଥିବା ଅଳ୍ପ କେତେକ ଆଧୁନିକ ସହର ମଧ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି ଆମ ସହର ଭୁବନେଶ୍ବର । ସଦ୍ୟସମାପ୍ତ ‘ସ୍ମାର୍ଟ ସହର’ ବା ଅତ୍ୟାଧୁନିକ ସହର ପ୍ରତିଯୋଗିତାରେ ସାରା ଦେଶର ୯୮ଟି ସହର ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚାର ବିଷୟ ଭାବରେ ଦେଶସାରା ଦୃଷ୍ଟି ଆକର୍ଷଣ କରିଛି ଏହି ଚକଚକିଆ ରାଜଧାନୀ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କର ବହୁ ଚର୍ଚ୍ଚିତ ଯୋଜନା ମାଧ୍ୟମରେ ନିଜକୁ ବିଶ୍ବସ୍ତରୀୟ କରିବାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତେ ପୁଣି ସ୍ବପ୍ନ ଦେଖୁଛନ୍ତି ଭୁବନେଶ୍ବରର ନବକଳେବରର ବିଶ୍ବରେ ଏକ ବିକଶିତ ଅର୍ଥନୀତି ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପଥରେ ଅଗ୍ରସର ଦେଶ ଭାରତବର୍ଷ ପାଇଁ ଆଉ ଅର୍ଥ ପ୍ରତିବନ୍ଧକ ନୁହେଁ । ତେଣୁ ପ୍ରଥମ ପର୍ଯାୟରେ ଚିହ୍ନଟ ହୋଇଥିବା ୨୦ଟି ସହର ମଧ୍ୟରେ ପ୍ରଥମ ଭାବରେ ଭୁବନେଶ୍ବରର ସ୍ବପ୍ନ ସାର୍ଥକ ହେବା ପାଇଁ ସମ୍ବଳ ବିନିଯୋଗର ଅଭାବ ରହିବ ନାହିଁ - ଏ ଆଶ୍ବାସନା ମିଳିସାରିଛି । ଭୁବନେଶ୍ବର ବିଶ୍ବସ୍ତରୀୟ ସହର ହେବାର ପ୍ରସ୍ତୁତି କରୁଥିବା ବେଳେ ‘ଗରୀବ ଘରର ବୁଦ୍ଧିଆ ପିଲା’ ପରି ପରିବାରର ଅନ୍ୟମାନେ ସାମାନ୍ୟ ଆଶଙ୍କାର ଘେରରେ । ଯେତେବେଳେ ଗରୀବ ଘରର ବୁଦ୍ଧିଆ ପିଲାଟିଏ ନିଜର ଭବିଷ୍ୟତ ପାଇଁ ଗାଁ ଛାଡ଼ି ସହରକୁ ବା ବିଦେଶକୁ ଶିକ୍ଷା ପାଇଁ ବା ଚାକିରୀ ଉଦ୍ଦେଶ୍ୟରେ ବାହାରି ପଡ଼େ, ସେତେବେଳେ ପରିବାରର ସଦସ୍ୟମାନଙ୍କ ମନରେ ଅନେକ ଶଙ୍କା ସଂଶୟ ସୃଷ୍ଟି ହୋଇଥାଏ । ପିଲାଟି ସଫଳ ହେବ ତ? ବଡ଼ ଲୋକ ହୋଇ ଆମକୁ ଭୁଲି ଯିବନି ତ? ପାଠ ପଢ଼ି, ଚାକିରୀ କରି ଦୂର ଦେଶରେ ନିଜର ପରିବାର ସହ ସବୁଦିନ ପାଇଁ ରହିଯିବନି ତ? ଏବେ ତ କହୁଛି ବଡ଼ ହୋଇ ପରିବାର ଦୁଃଖସୁଖରେ ସାଥୀ ହେବ । କିନ୍ତୁ ବିଦେଶରେ ଚାକଚକ୍ୟ ଦେଖି ଆଉ କଣ ମଳିମୁଣ୍ଡିଆ ଘର ଓ ହୀନିମାନିଆ ଗାଁ ମନେ ପଡ଼ିବ ! ଏପରି କେତେ କଣ? ଓଡ଼ିଶା ଦିନେ ସମୃଦ୍ଧ ଥିଲା । ଇତିହାସର ଶେଷ କେଇଟି ଶତାବ୍ଦୀକୁ ଛାଡ଼ିଦେଲେ, ସାରା ବିଶ୍ବରେ ଯେପରି ଭାରତ ତା’ର ଧନସମ୍ପତ୍ତି ପାଇଁ ବିଖ୍ୟାତ ଥିଲା, ଓଡ଼ିଶା ମଧ୍ୟ ଏହାର କୃଷି, ବାଣିଜ୍ୟ, ସ୍ଥାପତ୍ୟ, କଳା ଓ ପ୍ରାକୃତିକ ସମ୍ପଦପାଇଁ ଜଣାଶୁଣା ଥିଲା । କେବଳ ଆଧୁନିକ ଇତିହାସରେ ଇଂରେଜ ଶାସନ ସମୟରୁ ଏହି ଅଞ୍ଚଳଟି କ୍ରମଶଃ ଦରିଦ୍ର ହୋଇ ଆସିଛି । ଏପରିକି ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଯେତେବେଳେ ଗାନ୍ଧିଜୀ ପ୍ରଥମେ ଓଡ଼ିଶା ଆସିବାର ସୁଯୋଗ ପାଇଲେ ସେ ଆମର ଦାରିଦ୍ର୍ୟ ଦେଖି ସ୍ତମ୍ଭୀଭୂତ ହୋଇ ପଡ଼ିଥିଲେ । ‘ଭାରତର ଦରିଦ୍ରତମ ଅଞ୍ଚଳମାନଙ୍କ ମଧ୍ୟରେ ଅନ୍ୟତମ’ ନାମକ କଳଙ୍କ ଆଜି ମଧ୍ୟ ରାଜ୍ୟର ଭାଗ୍ୟରୁ ଯାଇନି । ଏବେ କି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାଡ଼ି ଦେଲେ, ଏହାର ଆଭ୍ୟନ୍ତରୀଣ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ନଗ୍ନ ଦାରିଦ୍ର୍ୟରେ ପୃଥିବୀର ଦରିଦ୍ରତମ ଅଞ୍ଚଳମାନଙ୍କଠାରୁ କୌଣସି ପ୍ରକାରରେ କମ୍ ନୁହନ୍ତି । ମାଲକାନଗିରି ହେଉ ବା ନୂଆପଡ଼ା ହେଉ ବା ବିଶ୍ବବିଦିତ କେବିକେ ଅର୍ଥାତ୍ କଳାହାଣ୍ଡି,ବଲାଙ୍ଗୀର,କୋରାପୁଟ ଅଞ୍ଚଳ ହେଉ ସବୁଠାରେ ଏକ ଅନୁନ୍ନତ ଅଣ-ବିକଶିତ, ଅର୍ଦ୍ଧନଗ୍ନ, ଅର୍ଦ୍ଧଭୁକ୍ତ ସମାଜର ଚିତ୍ର ପରିଷ୍ପୁଟ । ଏ ସବୁ ଜିଲ୍ଲାଗୁଡ଼ିକ ଭାରତର ଛଅ ଶହରୁ ଅଧିକ ଜିଲ୍ଲାଙ୍କ ତାଲିକାରେ ବିକାଶର ଯେକୌଣସି ପରିମାପକରେ ସବା ଶେଷରେ । ପାହାଡ଼, ପର୍ବତ ଓ ଜଙ୍ଗଲ ଘେରା ଏହି ସବୁ ଅଗମ୍ୟ ଅଞ୍ଚଳରେ ଯୁଗଯୁଗରୁ ନିଜର ପ୍ରାକୃତିକ ସରଳ ଜୀବନ ଯାପନ କରୁଥିବା ଆଦିବାସୀ ଓ ସମାଜର ଶେଷ ପାହାଚରେ ବଞ୍ଚତ୍ଥିବା ଦଳିତ ଓ ପଛୁଆବର୍ଗ ସତେ ଯେପରି ଏକବିଂଶ ଶତାବ୍ଦୀର ବିକାଶର ପରିଧି ସ୍ପର୍ଶ କରିବାକୁ ଅନିଛୁକ । ବର୍ତ୍ତମାନ ଦେଖିବା ଭୁବନେଶ୍ବରର ବର୍ତ୍ତମାନ ପରିସ୍ଥିତି । ପ୍ରାୟ ୪୬୦୦୦ ଏକର ବା ୧୯୬ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଗଠିତ ଭୁବନେଶ୍ବର ମୁନିସିପାଲିଟି ଯେଉଁଠି ପ୍ରାୟ ୨୦୧୧ଜନଗଣନା ଅନୁସାରେ ରହନ୍ତି ୮.୪ ଲକ୍ଷ ଲୋକ । ଏମାନଙ୍କ ମଧ୍ୟରୁ ୩ ଲକ୍ଷ ଲୋକ ରୁହନ୍ତି ପ୍ରାୟ ୪୩୬ଟି ବସ୍ତିର ୮୧୦୦୦ ଘରେ । ପ୍ରାୟ ୭୯୦୦୦ ଘର ହୋଲଡିଂ ଟିକସ ଦେଇଥାନ୍ତି । ସହରର ୯୧୫ କିମି ରାସ୍ତାରୁ ମାତ୍ର ଅଧାରୁ ଅଳ୍ପ ଅଧିକ ପିଚୁ ରାସ୍ତା । ଏଠାରେ ମାତ୍ର ୧୧ଟି ସୁଲଭ ଶୌଚାଳୟ, ୬ଟି ସାର୍ବଜନୀନ ଶୌଚାଳୟ ଓ ୯ଟି ମୂତ୍ରାଶୟ ରହିଛି । ଏହାଛଡ଼ା ଆମ ସହରରେ ଗୋଟିଏ କର୍ମଜୀବୀ ମହିଳାଙ୍କ ହଷ୍ଟେଲ୍, ୭ଟି କଲ୍ୟାଣ ମଣ୍ଡପ, ଗୋଟିଏ ଯାତ୍ରୀନିବାସ ଓ ତିନୋଟି ରାତ୍ରୀ ଆଶ୍ରୟସ୍ଥଳୀ ଅଛି । ଆମ ମୁନିସିପାଲଟିର ୫୦୦କୋଟି ଟଙ୍କା ବଜେଟରୁ ୩୦୦ କୋଟି ଆସିଥାଏ ସରକାରୀ ଅନୁଦାନ ଆକାରରେ । ମୁମ୍ବାଇରେ ବଜେଟ୍ ପ୍ରାୟ ୪୦୦୦୦ କୋଟି ପାଖାପାଖି, ଅବଶ୍ୟ ଜନସଂଖ୍ୟା ହୁଏତ ଭୁବନେଶ୍ବରର ୨୦-୨୫ ଗୁଣ । ମାତ୍ର   ଆମର ମୋଟ ଟିକସ ଆଦାୟ ହୁଏ ୫୦ କୋଟି ପାଖାପାଖି ଓ ଅକ୍ଟ୍ରଇ ବାବଦକୁ ମିଳେ ୭୫ କୋଟି । ଏପରି ପୃଷ୍ଠଭୂମିରେ ସ୍ମାର୍ଟ ସିଟି ଯୋଜନା ମାଧ୍ୟମରେ ଭୁବନେଶ୍ବରର କେନ୍ଦ୍ରାଞ୍ଚଳର ୬୭୦ ଏକର ଅଞ୍ଚଳର (ମାତ୍ର ୧.୫ ପ୍ରତିଶତ) ବିକାଶ ହେବ । ଏହି ଅଞ୍ଚଳରେ ବସବାସ କରନ୍ତି ପ୍ରାୟ ୪୬୦୦୦ ଲୋକ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪୫୦୦ କୋଟି ଟଙ୍କା ଯାହାର ସିଂହ ଭାଗ ଆସିବ ଏସୀୟ ଉନ୍ନୟନ ବ୍ୟାଙ୍କ ଋଣ ହିସାବରେ । ଗୋଟିଏ ହିସାବରୁ ସ୍ମାର୍ଟ ଭୁବନେଶ୍ବର ଅଞ୍ଚଳର ଅଧିବାସୀଙ୍କ ଉପରେ ମୁଣ୍ଡ ପିଛା ଋଣ ଭାର ହେବ ପ୍ରାୟ ଦଶ ଲକ୍ଷ ଟଙ୍କା । ସ୍ମାର୍ଟ ସହର ଯୋଜନାରେ ରହିଛି ଅନେକ ପରିକଳ୍ପନା । ଭୁବନେଶ୍ବର ହେବ ମାଗଣା ବାଇଫାଇର ସହର । ରେଲ ଷ୍ଟେସନ୍ ପାଖରେ ହେବ ବିଭିନ୍ନ ପ୍ରକାର ଯାତୟାତର ସୁବିଧା, ମାଷ୍ଟର କାଣ୍ଟିନର ନବୀକରଣ ଜନପଥ ହେବ ଆମେରିକୀୟ ଢ଼ାଞ୍ଚାରେ ‘ମୁଖ୍ୟ ରାଜରାସ୍ତା’ ବା ହାଇଷ୍ଟ୍ରିଟ୍, ବିଭିନ୍ନ ଆୟବର୍ଗର ସହର ବାସିନ୍ଦାଙ୍କ ପାଇଁ ଅତ୍ୟାଧୁନିକ ବସତି ଇତ୍ୟାଦି କେତେ କଣ । କିନ୍ତୁ ପରିମଳ, ବସ୍ତି ଉନ୍ନୟନ, ଜଳଯୋଗାଣ, ବାୟୁ ପ୍ରଦୁଷଣ ଆଦି ବିଷୟରେ କଣ ସବୁ କରାଯିବ ଠିକ୍ ଭାବରେ ଜଣାନାହିଁ । ଯଦିଓ ନାଗରିକମାନଙ୍କ ମତାମତ ନେଇକରି ହିଁ ସବୁ ଯୋଜନା ନନିର୍ଦ୍ଧାରଣ କରିବା ଏହାର ମୂଳରେ ଅଛି ଓ ଭୁବନେଶ୍ବର ପ୍ରଥମ ସ୍ଥାନ ଦଖଲ କରିବାରେ ନାଗରିକ ମାନଙ୍କ ଭାଗିଦାରତା ଏକ ବଡ଼ କାରଣ ଥିଲା, ତଥାପି ଏହା କେତେଦୂର ସାଧାରଣ ଲୋକଙ୍କ ଦ୍ବାରା ଅନୁପ୍ରେରିତ ହେବ ତାହା କହିବା କଷ୍ଟକର । ଏହି ଯୋଜନାକୁ କାର୍ଯକାରୀ କରିବ ଏକ ସ୍ବତନ୍ତ୍ର କମ୍ପାନୀ ଯାହା ସରକାରଙ୍କ ଦ୍ବାରା ଗଠିତ ହେଲେ ମଧ୍ୟ ଏହା ସ୍ବାଧୀନ ଭାବରେ କାର୍ଯ କରିବ । ଏବେ ପ୍ରାୟ ବଡ଼ ଆକାରର ସରକାରୀ ଯୋଜନାସବୁ ଏହିପରି ଭାବରେ କାର୍ଯକାରୀ କରାଯାଉଛି ଯାହାକି ସରକାରୀ -ଘରୋଇ ଭାଗିଦାରୀତା ନାମରେ ବେଶ୍ ସୁପରିଚିତ । କିନ୍ତୁ ଆମ ଦେଶର ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଓ ଢ଼ିଲା ନିୟାମକ ଢ଼ାଞ୍ଚା ଭିତରେ ଏହି ବ୍ୟବସ୍ଥା ମଧ୍ୟ ଆଜି ସନ୍ଦେହ ଘେରରେ । ସୂଚନା ଅଧିକାର ଓ ସିଏଜିଙ୍କ ଆକ୍ରମଣାତ୍ମକ ଆଭିମୂଖ୍ୟ କାଳରେ ସରକାରୀ କଳ ମାଧ୍ୟମରେ ସିଧାସଳଖ ଅର୍ଥ ଆତ୍ମସାତ କରିବା ଯେତିକି ସହଜ ନୁହେଁ, ବେସରକାରୀ କମ୍ପାନୀ ମାଧ୍ୟମରେ କରିବା ତା ଠାରୁ ନିରାପଦ ଓ ଏହାର ଅନେକ ନଜିର ରହିଛି । ଗରୀବ ନିରିମାଖୀ ଓଡ଼ିଶା ମା’ର ସବୁଠାରୁ ବୁଦ୍ଧିଆ ଓ ଚକଚକିଆ ବଡ଼ ପୁଅ ଭୁବନେଶ୍ବର ଗୋଡ଼ ଟେକି ବାହାରିଛି ଆହୁରି ବୁଦ୍ଧିଆ ଓ ଚକଚକିଆ ହେବାପାଇଁ । ଅଗମ୍ୟ, ନକ୍ସଲ ଅଧ୍ୟୁସିତ, ପାହାଡ଼ ପର୍ବତ ଘେରା, ବଣ ଜଙ୍ଗଲ ଭିତରେ ଖଣି ଖାଦାନ ଖୋଳୁଥିବା କମ୍ପାନୀଙ୍କ ଦ୍ବାରା ପ୍ରଦୁଷିତ ଜଳଧାରା ସବୁ ଓଡ଼ିଶା ମା’ର ରକ୍ତଝରା ଚକ୍ଷୁର ଲୁହପରି ବହିଯାଉଛନ୍ତି । ଯେପରି ମା ମୁହଁ ଲୁଚାଇ କାନ୍ଦୁଛି । ଲୁହ ପୋଛିବାକୁ, ପ୍ରତିବାଦ କରିବାକୁ କେହିନାହିଁ । ଓଡ଼ିଆ ଏବେବି ଦୁର୍ବଳ, ଅସ୍ଥିସାର କଙ୍କାଳମାନଙ୍କ ପ୍ରତିକ୍ରିୟା ଶୂନ୍ୟ ଜୀବନ୍ତ ଶବ ପରି ନିସ୍ତେଜ । ତଥାପି ଆଶା ପୁଅ ଆହୁରି ପଢ଼ିବ, ବଡ଼ ଚାକିରୀ କରିବ ଆହୁରି ଧୋବ ଧାଉଳିଆ ହେବ, ବଡ଼ ଗାଡ଼ି ଚଢ଼ିବ, ବଡ଼ କୋଠା କିଣିବ ଓ ଦିନେ ନା ଦିନେ ମା’ର ଲୁହ ପୋଛିବ । ସେତେବେଳକୁ ହୁଏତ ୨୦୩୬ ଆସି ସାରିଥିବ ଓ ବିଜୁବାବୁଙ୍କ ଅଧୁରା ସ୍ବପ୍ନ ଓଡ଼ିଶା ବାସୀଙ୍କ ସ୍ବପ୍ନ ଭାବେ ସାକାର ହୋଇସାରିଥିବ ! କିନ୍ତୁ ସେଥିପାଇଁ ଦରକାର ହେବ କିଛି ଅସ୍ଥି ଦଧିଚୀଙ୍କର ଓ କିଛି ମୁଠା ଶଙ୍ଖା ଓ ଟୋପାଏ ସିନ୍ଦୁର ନିରିମାଖି ଓଡ଼ିଶା ମା’ପାଇଁ । ଦେବୀଙ୍କ ଅଷ୍ଟମ ଗର୍ଭରେ ସନ୍ତାନ କୃଷ୍ଣଙ୍କ ପରି ହୁଏତ କେହି ଶ୍ରୀକୃଷ୍ଣ ନିରିମାଖୀ ମା’ର ଲୁହ ପୋଛିବାପାଇଁ ଗୋପପୁରରେ ବଢ଼ୁଥିବ ! ମୋବାଇଲୋ :୯୪୩୭୫୧୩୦୮୦

Share :