ଦମଦାର ଦମନ

ଦମଦାର ଦମନ

Share :

ଆଜିକାଲି ପ୍ରତି ଓଡ଼ିଆଙ୍କ ମୁହଁରେ କେବଳ ଗୋଟିଏ ହିଁ ଫିଲ୍ମର ନାଁ 'ଦମନ' । ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏହି ଫିଲ୍ମ । ଦର୍ଶକଙ୍କୁ ପୁଣିଥରେ ହଲ ଭିତରକୁ ଭିଡି ନେଉଛି ଏହି ଚଳଚ୍ଚିତ୍ର । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ ଚହଳ ସୃଷ୍ଟି କରିଛି । ଫିଲ୍ମରେ କେବଳ ଦୁଇ ତିନି ଜଣ କ୍ୟାରେକ୍ଟର କେମିତି ଲୋକଙ୍କୁ ବାନ୍ଧି ରଖିଛନ୍ତି ତାହା ଏବେ ସମୀକ୍ଷାର ସମୟ । ନିଚ୍ଛକ ଓଡିଆ କାହାଣୀ ଏବଂ ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ଏହି ଘଟଣା ଓଡିଶାର କୋଟି କୋଟି ଦର୍ଶକଙ୍କୁ ଆକୃଷ୍ଟ କରିଛି । ଦେଶର ବିଭିନ୍ନ ରାଜ୍ୟରେ ଓଡ଼଼ିଆ ଫିଲ୍ମ 'ଦମନ' ରିଲିଜ୍ ହୋଇଛି । ସବୁଠୁ ଖାସ୍ କଥା ହେଲା ଏବେ ଆଇଏମ୍‌ଡିବି ରେଟିଂରେ ନାମୀଦାମୀ କଳାକାରଙ୍କ ବିଗ୍ ବଜେଟ୍ ଫିଲ୍ମକୁ ପଛରେ ପକାଇଛି ଓଡ଼ିଆ ଫିଲ୍ମ 'ଦମନ' । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏହି ଚଳଚ୍ଚିତ୍ର ଏକ ସତ୍ୟ କାହଣୀ ଉପରେ ଆଧାରିତ । ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦ୍ୱାରା ନିର୍ଦ୍ଦେଶିତ ଏବଂ ବାବୁଶାନ ଅଭିନୀତ ଏହି ଫିଲ୍ମଟି ନଭେମ୍ବର ୪ରେ ରିଲିଜ ହୋଇଥିଲା । ଆଉ ରିଲିଜର ଏତେ ଦିନ ପରେବି ମଧ୍ୟ କମ ହୋଇ ନାହିଁ 'ଦମନ'ର କ୍ରେଜ୍ । ସିନେମାଟି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର ପ୍ରେକ୍ଷାଳୟରେ ମଧ୍ୟ ହାଉସଫୁଲ ରହିଛି । ଅନେକ ପ୍ରବାସୀ ଓଡ଼ିଆ ସୋଶାଲ ମିଡିଆରେ ଫିଲ୍ମ ଦେଖୁଥିବାର ଓ ହାଉସଫୁଲ ଥିବାର ଫଟୋ ସେୟାର କରି ମେକର୍ସଙ୍କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମ ଗୁଣ ଗାନ କରୁଛନ୍ତି । ଧିରେ ଧିରେ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ରୁଚି କମିଯାଉଥିବା ବେଳେ ଏହି ସିନେମାଟି ଓଡ଼ିଆ ସିନେମା ଜଗତ ପାଇଁ ନୂଆ ଦିଶା ପାଲଟିଛି । ସେହିପରି ବାବୁସାନଙ୍କ ଫିଲ୍ମକୁ ମିଳିଛି ୧୦ ରୁ ୯.୭ ଆଇଏମ୍‌ଡିବି ରେଟିଂ । ଫଳରେ 'ଦମନ' ସବୁଠାରୁ ଅଧିକ ରେଟିଂ ହାସଲ କରିଥିବା ଭାରତୀୟ ସିନେମା ଲିଷ୍ଟରେ ସାମିଲ ହୋଇପାରିଛି । ପ୍ରାୟ ୧୫ଦିନ ହେବ ହେବା ରାଜ୍ୟର ସମସ୍ତ ଏକକ ଓ ମଲ୍ଟିପ୍ଲେକ୍ସରେ ହାଉସ ଫୁଲ ଦେଖିବାକୁ ମିଳିଛି । ଦମନର କାହଣୀ 'ଦମନ'ର କାହଣୀ ଦର୍ଶକଙ୍କ ମନକୁ ଛୁଇଁଛି । ଦମନ ସିନେମାରେ ନାୟିକା ନାହିଁ, ଖଳନାୟକ ନାହିଁ, ଆଇଟମ ଗୀତ ବି ନାହିଁ, ଦକ୍ଷିଣୀ ନାୟକ ଷ୍ଟାଇଲରେ ଧୂଳି ଉଡ଼ା ଫାଇଟ ବି ନାହିଁ । ଫିଲ୍ମର ମୁଖ୍ୟ ଚରିତ୍ର ମାତ୍ର ଦୁଇ ଜଣ କଳାକାର । ଏହା ହେଉଛି ଓଡ଼ିଆ ସିନେମା ଶିଳ୍ପର ପ୍ରଥମ ଫିଲ୍ମ ଯାହା ଅନ୍ୟ କୌଣସି ହିନ୍ଦୀ, ତେଲୁଗୁ ବା ବଙ୍ଗଳା ଫିଲ୍ମକୁ ଅନୁକରଣ କରଯାଇ ନାହିଁ । ଏହି ସିନେମାରେ ଆପଣ ଦେଖିବାକୁ ପାଇବେ ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ । ତେବେ ସିନେମାଟି ଜଣେ ଡାକ୍ତରଙ୍କ ସଂଘର୍ଷର ସତ୍ୟ କାହାଣୀ ଉପରେ ପର୍ଯ୍ୟବେସିତ । ରାଜଧାନୀ ଭୁବନେଶ୍ୱର ସହରରେ ଡାକ୍ତରୀ ପାଠ ପଢିବା ପରେ ତାଙ୍କର ପୋଷ୍ଟିଂ ହୋଇଛି ଏକଦା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ସୁଦୂର ମାଲକାନାଗିରିର ଏକ ସ୍ଥାନ । ଯେଉଁଠିକାର ସ୍ୱାସ୍ଥ୍ୟ ସେବା ତାଙ୍କୁ ଚିନ୍ତାରେ ପକାଇଛି ଏବଂ ତାକୁ ସୁଧାରିବା ପାଇଁ ଆରମ୍ଭ ହୋଇଯାଇଛି ଡାକ୍ତର ବାବୁଙ୍କ ସଂଘର୍ଷ । ବୃତ୍ତିଗତ ଜୀବନ କେଉଁଠି ନା କେଉଁଠି ବ୍ୟକ୍ତିଗତ ଜୀବନ ଉପରେ ପକାଇଛି ଛାପ ଓ ବଦଳିଯାଇଛି ଜଣେ ସହରି ବ୍ୟକ୍ତି ଓ ଡାକ୍ତରଙ୍କ ସମ୍ପୁର୍ଣ୍ଣ ଜୀବନ । ଡାକ୍ତରଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତା ବାବୁସାନ ମହାନ୍ତି । ତାଙ୍କ ନିପୁଣ ଅଭିନୟ ଫିଲ୍ମରେ ଚାରଚାନ୍ଦ ଲଗାଇଛି । ସବୁଠାରୁ ବିଶେଷ କଥା ହେଉଛି ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ "ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ" ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ ରଖାଯାଇଥିଲା । କାରଣ ମାଲକାନଗିରି ଜିଲ୍ଲା ଏକ ମାଓ ପ୍ରବଣ ସହ ମ୍ୟାଲେରିଆ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମାତ୍ ଦେବା ପାଇଁ ସରକାର ଦମନ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଜିଲ୍ଲାପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିବାବେଳେ ଜିଲ୍ଲାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏହି ଦମନ ଅଭିଯାନ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଥିଲା । ବିଚ୍ଛିନାଞ୍ଚଳରେ ବିଭିନ୍ନ ସମୟରେ ବିଭିନ୍ନ ମହାମାରୀ ବ୍ୟାପି ଚିକିତ୍ସା ଅଭାବରୁ ଶହ ଶହ ଲୋକେ ମୃତ୍ୟୁବରଣ କରୁଥିଲେ । ସେଥିରୁ ଅନ୍ୟତମ ରୋଗ ହେଉଛି ମ୍ୟାଲେରିଆ ଜ୍ବର । ମ୍ୟାଲେରିଆ ଜ୍ବରର ଚିକିତ୍ସା ନ ପାଇ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ତେବେ କିଭଳି ଭାବେ ମ୍ୟାଲେରିଆ ଜ୍ବର ସହ ଅନ୍ୟ ରୋଗକୁ ରୋକ ଲଗାଇବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଚେଷ୍ଟା କରିଥିଲେ । ତେବେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୫୧ ଖଣ୍ଡ ଗାଁ ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିବା ସହ ବିଛିନ୍ନାଞ୍ଚଳର ଆଖ୍ୟା ପାଇ ଆସୁଥିବା ବେଳେ ଏଠାକୁ ନା ପହଞ୍ଚୁଥିଲା ସରକାରୀ ସୁବିଧା ନା ପହଞ୍ଚୁଥିଲା ସ୍ୱାସ୍ଥ୍ୟସେବା । ଆଉ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଯୁଗରେ ଲୋକ ମାନେ ଯେତେ ଶିକ୍ଷିତ ହେଲେ ମଧ୍ୟ ସେଇ ପୁରୁଣା ପରମ୍ପରା ବା ଅନ୍ଧ ବିଶ୍ୱାସକୁ ହିଁ ଆପଣାଉଥିଲେ । ଏପରି ଅନେକ ଜାଗାରେ ମ୍ୟାଲେରିଆ ରୋଗ ହେଉ ବା ହଇଜା ଏହାର ଉପଯୁକ୍ତ ଚିକିତ୍ସା ନକରି ରୋଗୀକୁ କେଉଁ ଗୁଣିଗାରେଡି ବା ପୂଜାପୂଜିରେ ବସାଇ ରୋଗ ଭଲ କରିବାରେ ଲାଗିପଡନ୍ତି । ଆଜି ବି ଲୋକଙ୍କ ମନରେ ଏପରି ଅନ୍ଧ ବିଶ୍ୱାସ ଜାଗ୍ରତ ହୋଇ ରହିଛି । ଫଳରେ ଅନେକ ରୋଗୀ ଆୟୁଷ ଥାଉ ଥାଉ ଅଧା ବୟସରେ ମୃତ୍ୟୁ ବରଣ କରୁଛନ୍ତି । ଆଉ ଏସବୁକୁ ଦୃଷ୍ଟିରେ ରଖି ଏହି ସମୟରେ ବିଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗକୁ ରୋକିବା ପାଇଁ ଦମନ ଅଭିଯାନ ମାଧ୍ୟମରେ କିଛି ଡାକ୍ତର ଡଙ୍ଗାରେ ଆସି ଲୋକଙ୍କୁ ଯୋଗାଇଥିଲେ ସ୍ୱାସ୍ଥ୍ୟ ସେବା ଓ କରିଥିଲେ ସଚେତନ । ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ଯୁବ ପିଢ଼ି ବିଦେଶରେ ରହି ପାଠପଢି ଡାକ୍ତରୀ ଚାକିରି କରୁଥିବା ବେଳେ ନିଜ ଗାଁ ମାଟିକୁ ଫେରିବା ପରେ ଗରିବ ଶ୍ରେଣୀର ଲୋକ ମାନଙ୍କ ଉପରେ ନିଜର ଦୃଷ୍ଟି ନିକ୍ଷେପ କରିନଥାନ୍ତି । କେବଳ ଗାଁ କଥା ନୁହେଁ ସହରରେ ମଧ୍ୟ ସମାନ ଘଟଣା ଘଟୁଛି । ଛୋଟ ମୋଟ ରୋଗର ପରୀକ୍ଷାକରି ଡାକ୍ତର ମାନେ ସାଉଁଟୁଛନ୍ତି ବିଡା ବିଡା ପଇସା । ମାତ୍ର ଏହି ଓଡ଼ିଆ ଫିଲ୍ମ ସମାଜକୁ ଏକ ସଚେତନତାର ବାର୍ତ୍ତା ଦେଉଛି । ନଭେମ୍ବର ୪ରେ ଫିଲ୍ମଟିକୁ କେବଳ ଓଡ଼ିଆ ଭାଷାରେ ରିଲିଜ୍ କରାଯାଇଥିଲା । ଯେଉଁଥିରେ ଇଂରାଜୀ ସବଟାଇଟେଲ୍ ରହିଛି । ଦେଶର ବିଭିନ୍ନ ସହର ଯେପରି ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ, ନୋଏଡା, ଗୁରୁଗାଓଁ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତାର ବିଭିନ୍ନ ପ୍ରେକ୍ଷାଳରେ ପ୍ରଦର୍ଶିତ ହେଉଛି । ହେଲେ ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା, ସଫଳତା ଏବଂ ବଢୁଥିବା ଆୟକୁ ଦେଖି ମେକର୍ସ ଏବେ ଏହି ଦମଦାର ସିନେମାକୁ ହିନ୍ଦୀ ଭାଷାରେ ରିଲିଜ୍ କରିବାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଫିଲ୍ମ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ନିଜେ ସୂଚନା ଦେଇଛନ୍ତି । ତେବେ ଏହା କହିବା ଭୁଲ ହେବ ନାହିଁ ଯେ 'ଦମନ' ପାଇଁ ହେବାକୁ ଯାଉଛି ଓଲିଉଡ଼ ଇଣ୍ତଷ୍ଟ୍ରିର ନବକଳେବର ।

Share :