କଲର୍ସର ଅଶୋକରେ ଓଡ଼ିଶାର ସମ୍ମାନହାନୀ

କଲର୍ସର ଅଶୋକରେ ଓଡ଼ିଶାର ସମ୍ମାନହାନୀ

Share :

  ଓକିଲ ନୋଟିସ ଦେଲେ ନିରଂଜନ   ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କଲର୍ସ ଟିଭି ଚ୍ୟାନେଲକୁ ଓକିଲ ନୋଟିସ୍ ପଠାଇ ଓଡ଼ିଶାବାସୀଙ୍କ  ନିକଟରେ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି |  ନୋଟିସଟି କଲର୍ସ ଚ୍ୟାନେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ଭଟ୍ଟଙ୍କ ନିକଟକୁ ପଠାଯାଇଛି | କଲର୍ସ ଚ୍ୟାନେଲରେ ଏବେ ବିବାଦୀୟ ଟିଭି ଧାରାବାହିକ ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ ପ୍ରସାରିତ ହେଉଛି | ଏହି ଧାରବାହିକ ଓଡ଼ିଶାର ପ୍ରାଚୀନ ଇତିହାସକୁ ବିକୃତ କରି ପରିବେଶିତ କରୁଛିଏବଂ ଓଡ଼ିଶାବାସୀଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ଆଂଚ ଆଣିଛି ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ନୋଟିସରେ ଅଭିଯୋଗ କରିଛନ୍ତି |  ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସୃଜନଶୀଳତା ଭାରତୀୟ ସମ୍ବିଧାନରେ ପ୍ରଦତ୍ତ ବାକ୍ ସ୍ବାଧୀନତାର ଅଂଶ | ଏହି ସୃଜନଶୀଳତା ବିଭିନ୍ନ କଳାକୃତି, ନାଟକ ଇତ୍ୟାଦିରେ ପରିପ୍ରକାଶିତ ହୁଏ ଏବଂ ସେ ଏହାକୁ ସମର୍ଥନ କରନ୍ତି | ଏପରିକି ସମାଲୋଚନା ବା ବ୍ୟଙ୍ଗ ମଧ୍ୟ ବ୍ୟକ୍ତି ସ୍ବାଧୀନତାର ଅଂଶ | କିନ୍ତୁ ଏହାର ଅର୍ଥ  ନୁହେଁ ଯେ  କେହି ଭିତ୍ତିହୀନ, କପୋଳକଳ୍ପିତ ଏବଂ ମିଛ କଥା କହି ଅନ୍ୟକୁ ମାନସିକ କଷ୍ଟ ଦେବାକୁ ବା କାହାର ସମ୍ମାନରେ ଆଂଚ ଆଣିବାକୁ ସମ୍ବିଧାନ କୌଣସି ଅଧିକାର ଦେଇଛି | ଗଲା ଅଢ଼େଇ ଶହ ବର୍ଷ ଧରି ସମ୍ରାଟ୍ ଅଶୋକଙ୍କ ଉପରେ ଅନେକ ଗବେଷଣା କରାଯାଇଛି ଓ ପୁସ୍ତକ ରଚନା କରାଯାଇଛି | ଏ ସଂକ୍ରାନ୍ତରେ ସରକାରଙ୍କ ଦ୍ବାରା ଅନୁମୋଦିତ ପଢ଼ା ବହିରେ ମଧ୍ୟ ଉଲ୍ଲେଖ କରାଯାଇଛି, ଯାହାକୁ ପିଲାମାନେ ସ୍କୁଲରେ ପଢ଼ନ୍ତି | ତେବେ ଧାରାବାହିକରେ ପର୍ଯ୍ୟବେଶିତ ଘଟଣା ବା ଚରିତ୍ର ଗବେଷଣା ଉପରେ  ଆଧାରିତ ନୁହେଁ | ଅଯଥାରେ ଭାରତ ଇତିହାସର ଏକ ଜଣାଶୁଣା ଏବଂ ନିର୍ବିବାଦୀୟ ଅଧ୍ୟାୟକୁ ବିକୃତ କରି ଓଡ଼ିଆମାନଙ୍କୁ  ଲଜ୍ଜିତ କରାଯାଉଛି ବୋଲି ନିରଂଜନ କହିଛନ୍ତି | ମଗଧର ଶକ୍ତିଶାଳୀ ସମ୍ରାଟ ଅଶୋକଙ୍କ ସମସ୍ତ ସୈନ୍ୟସାମନ୍ତ ସତ୍ତ୍ବେ ତତ୍କାଳୀନ କଳିଙ୍ଗର ସେନା ଆତ୍ମ ସମର୍ପଣ ନ କରି ଘମାଘୋଟ ଯୁଦ୍ଧ କରିଥିଲ | ଏଥିଯୋଗୁଁ ହୋଇଥିବା ରକ୍ତପାତକୁ ଦେଖି ସମ୍ରାଟ ଅଶୋକ ବିଚଳିତ ହୋଇପଡ଼ିଥିଲ | ଏଥିପାଇଁ ସେ ବୌଦ୍ଧ ଧର୍ମ ସ୍ବୀକାର କରିଥିଲେ ଏବଂ ନିଜ ସାମ୍ରାଜ୍ୟ ତଥା ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଶାନ୍ତି ଓ ଧର୍ମର ବାର୍ତ୍ତା ପ୍ରଚାର କରିଥିଲ | ଏହା ଓଡ଼ିଶା ଇତିହାସର ଏକ ଗାରିମାମୟ ଅଧ୍ୟାୟ ଏବଂ ଏଥିଯୋଗୁଁ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରନ୍ତି | ଧାରାବାହିକର ଦୃଶ୍ୟ ଏବଂ  ଚରିତ୍ର ସଂପୂର୍ଣ୍ଣ ଭାବରେ ଭିତ୍ତିହୀନ, ଅରୁଚିକର ଏବଂ କୌଣସି ପ୍ରକାର ଗବେଷଣା ଉପରେ ଅଧାରିତ ନୁହେଁ | ବିଶେଷକରି  କଳିଙ୍ଗର ରାଜା ଗୋଡ଼ତଳେ ପଡ଼ିବା, ଘଣା ପେଲିବା ଏବଂ କାରୁବାକୀ ନଗରବଧୁ ସାଜିବା କୌଣସି ଐତିହାସିକ ତଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ | ମହାରାଜା ଅଶୋକଙ୍କ ସମୟର ଘଟଣାକ୍ରମକୁ  ଭାରତ, ଲଙ୍କା, ତିବତ୍, ଚୀନ୍, ବର୍ମା ଇତ୍ୟାଦି ବିଭିନ୍ନ ଦେଶର ଅତି ପୁରାତନ ଲେଖାମାନଙ୍କରୁ ଆକଳନ କରାଯାଇଛି | ଉନ୍ନବିଂଶ ଶତାବ୍ଦୀରେ ଇଂରେଜମାନେ ପ୍ରାଚ୍ୟ ଇତିହାସ ଉପରେ ଗୁରୁତ୍ବ ଦେଇ, ବିଶ୍ବର ବିଭିନ୍ନ ଅଞ୍ଚଳରୁ ମିଳିଥିବା ମଧ୍ୟଯୁଗୀୟ ଲେଖାମାନଙ୍କୁ  ନେଇ  ଅଶୋକଙ୍କ ସମୟର ଇତିହାସ ଲେଖିଲେ | ଏହାଛଡ଼ା ପ୍ରତ୍ନତତ୍ତ୍ବବିତମାନେ ବ୍ରାହ୍ମୀରେ ଲେଖାଯାଇଥିବା ଅଶୋକଙ୍କ ଶିଳାଲିପି ଅନୁଧ୍ୟାନ କରି କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଶାସନ ସଂପର୍କରେ ଜାଣିଛନ୍ତି | ସେହିଭଳି ଶିଳାଲିପି ଆମ ଧଉଳୀ ଏବଂ ଗଞ୍ଜାମର ଜଉଗଡ଼ରୁ ମିଳିଛି | ଧାରାବାହିକ ନିର୍ମାଣ ପୂର୍ବରୁ ଅତିକମରେ ନିର୍ମାତାମାନେ ରୋମିଲା ଥାପର୍  ଓ ଚାର୍ଲସ ଆଲେନଙ୍କ ଭଳି ଅତି ଜଣାଶୁଣା ଏବଂ ପ୍ରତିଷ୍ଠିତ ଲେଖକମାନଙ୍କୁ ପଢ଼ିବା ଉଚିତ ଥିଲା | ଲୋକେ ଯେଉଁ ଇତିହାସ ପଢ଼ିଛନ୍ତି ବା ଜାଣିଛନ୍ତି ତାକୁ ଗ୍ରହଣ ନ କରି ବ୍ୟାବସାୟିକ ଦୃଷ୍ଟିକୋଣରୁ ନିର୍ମାଣ କରାଯାଇଥିବା ଏକ ଧାରାବାହିକ  ନୂଆ ପ୍ରକାରର ଇତିହାସ ଲେଖିବାକୁ ଚେଷ୍ଟା କରିବା ସଂପୂର୍ଣ୍ଣ ଅବାଞ୍ଚିତ | ଧାରାବାହିକ ନିର୍ମାତାମାନେ ଐତିହାସିକ ନୁହନ୍ତି ଏବଂ ଇତିହାସ ଲେଖିବା ପାଇଁ ସେମାନଙ୍କର କୌଣସି ଯୋଗ୍ୟତା ନାହିଁ | କୌଣସି ଐତିହାସିକ ବିଷୟରେ ଧାରାବାହିକ ନିର୍ମାଣ କରିବା ପାଇଁ ଅନେକ ଯତ୍ନ, ପରିଶ୍ରମ ଏବଂ ଗବେଷଣାର ଅବଶ୍ୟକତା ରହିଛି | ପୃଥିବୀର କୌଣସି ସଭ୍ୟ ରାଷ୍ଟ୍ର ଐତିହାସିକ ତଥ୍ୟକୁ ଏଭଳି ବିକୃତ କରିବା ପାଇଁ ଦିଏ ନାହିଁ | ଯାହା କରାଯାଇଛି, ତାହା ଅତ୍ୟନ୍ତ ଦାୟିତ୍ବହୀନ, ଶସ୍ତା ଓ ଅକ୍ଷମଣୀୟ କକାର୍ଯ୍ୟ ଏବଂ ଏହାଦ୍ବାରା ଓଡ଼ିଶାବାସୀଙ୍କ ସମ୍ମାନ କ୍ଷୁର୍ଣ୍ଣ ହୋଇଛି | ଶ୍ରୀ ପଟ୍ଟନାୟକଙ୍କ ତରଫରୁ ଏହି ଓକିଲ ନୋଟିସ୍ଟି ଦିଲ୍ଲୀର ଏକ ଆଇନ ଫାର୍ମ ଦ୍ବାରା ପଠାଯାଇଛି ଏବଂ ୭  ଦିନ ମଧ୍ୟରେ ଏଥିପାଇଁ ସ୍କ୍ରୋଲ୍ ଦ୍ବାରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାକୁ ଦାବି କରାଯାଇଛି | ଯଦି ଏପରି କରା ନଯାଏ ତାହା ହେଲେ ଆବଶ୍ୟକ ଅଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବେ ବୋଲି ଶ୍ରୀ ପଟ୍ଟନାୟକ କଲର୍ସକୁ ସତର୍କ କରାଇ ଦେଇଛନ୍ତି | ଏହାଛଡ଼ା ରାଜ୍ୟ ସରକାର ଏଭଳି ଓଡ଼ିଆଙ୍କ ସମ୍ମାନହାନୀ କଲାଭଳି ପ୍ରସଙ୍ଗକୁ ଗୁରୁତ୍ବ ନ ଦେବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି |

Share :