ଫିଲ୍ମ ଆଦିପୁରୁଷକୁ ନେଇ ତେଜୁଛି ବିବାଦ

ଫିଲ୍ମ ଆଦିପୁରୁଷକୁ ନେଇ ତେଜୁଛି ବିବାଦ

Share :

ଓମ ରାଉତଙ୍କ ପିଲ୍ମ ଆଦିପୁରୁଷ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି । ରାମାୟଣ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅନେକ ପ୍ରସଙ୍ଗକୁ ବିକୃତ କରି ଉପସ୍ଥାପନ କରା ଯାଇଥିବା ଅଭିଯୋଗ ହୋଇଛି । ରାମଙ୍କ ଭୂମିକାରେ ସାଉଥ ଷ୍ଟାର ପ୍ରଭାସ ଅଭିନୟ କରିଥିବା ବେଳେ, ଲକ୍ଷ୍ମଣ ଭୂମିକାରେ ସନ୍ନି ସିଂ, ସୀତା ଭୂମିକାରେ କ୍ରିତି ସାନନ୍ ଓ ରାବଣ ଭୂମିକାରେ ସୈଫ ଅଲ୍ଲୀ ଖାନ୍ ଅଭିନୟ କରିଛନ୍ତି । ନିକଟ ଭବିଷ୍ୟତରେ ରିଲିଜ ହୋଇଥିବା ଟିଜରରେ ଲଙ୍କାପତି ରାବଣର ଚେହେରାକୁ ନେଇ ଭୀଷଣ ଜନ ଅସନ୍ତୋଷ ଦେଖା ଦେଇଛି । ରାବଣର ଚେହେରା ଇସଲାମିକ ଆକ୍ରମଣକାରୀ ତୈମୁର, ଖିଲିଜୀ କିମ୍ବା ଅଉରଙ୍ଗଜେବଙ୍କ ପରି ଦେଖା ଯାଉଛି ବୋଲି ସୋସିଆଲ ମିଡ଼ିଆରେ ମତ ପ୍ରକାଶ ପାଇଛି । ସେହିପରି ରାବଣର ପୁଷ୍ପକ ବିମାନକୁ ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଛି । ଫିଲ୍ମରେ ରାବଣ ଏକ ଡ୍ରାଗନ ପରି ଜୀବ ଉପରେ ବସିଥିବାର ନଜର ଆସୁଛି । ପୁଷ୍ପକ ବିମାନକୁ ଡ୍ରାଗନ ସହ ତୁଳନା କରାଯିବା କଥାକୁ ସମସ୍ତେ ଛି ଛାକର କରୁଛନ୍ତି । ରାବଣକୁ ସମସ୍ତେ ପ୍ରାୟ ଦଶାନନ, ବିଂଶବାହୁ ଭାବେ ଜାଣନ୍ତି । ରାମ ଚରିତ ମାନସରେ ବାଳିପୁତ୍ର ଅଙ୍ଗଦ ରାବଣକୁ ଏକ କଳା ପାହାଡ଼ ପରି ବିରାଟକାୟ ସ୍ବରୂପ ସହ ତୁଳନା କରିଛନ୍ତି । ରାମ ଚରିତ ମାନସ ଅନୁସାରେ ରାବଣ ମୁଣ୍ତରେ ସୁନାର ମୁକୁଟ ପିନ୍ଧୁଥିବା ବେଳେ, ଲମ୍ବା କେଶ ଓ ଲୋମ ବିଶିଷ୍ଟ ଥିଲା । ସେହିପରି ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ସଂସ୍କୃତ ପ୍ରଫେସର ବିଭା ଦୁବେଙ୍କ କହିବା ଅନୁଯାୟୀ, ରାବଣ ଦଶାନନ ଥିଲା । ମୁଣ୍ତରେ ସୁନାର ମୁକୁଟ ପିନ୍ଧୁଥିଲା । ସେ ବିରାଟକାୟ ଥିଲା । ବାଲ୍ମିକୀ ରାମାୟଣ ଅନୁସାରେ, ରାଜା ଥିବାରୁ ସେ ବିଭିନ୍ନ ଅଳଙ୍କାର ଧାରଣ କରୁଥିଲା । ଦାନ୍ତ ଗୁଡ଼ିକ ଧଳା ଥିଲା । ଶରୀର ସାରା ଯୁଦ୍ଧର କ୍ଷତଚିହ୍ନ ଥିଲା । ସେହିପରି ବନାରସ ବିଶ୍ବ ବିଦ୍ୟାଳୟ ଇତିହାସ ବିଭାଗ ପ୍ରଫେସର ଡକ୍ଟର ରାଜୀବ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ରାବଣ ଋଷି ବିଶ୍ରବାଙ୍କ ପୁଅ ଥିବାରୁ ମୁଣ୍ତରେ ଲମ୍ବା ଲମ୍ବା କେଶ ରଖିଥିଲା । ଶିବ ଭକ୍ତ ଥିବାରୁ କପାଳରେ ଚନ୍ଦନର ତିନିରେଖା ଅଙ୍କନ କରୁଥିଲା । ରାଜା ଥିବାରୁ ଅଳଙ୍କାର ଓ କୁଣ୍ତଳ ପିନ୍ଧୁଥିଲା । କିନ୍ତୁ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ ଅଲ୍ଲୀ ଖାନଙ୍କ ନିକଟରେ ସେସବୁ କିଛି ଦେଖା ଯାଉନି । ସୈଫ ଅଲ୍ଲୀ ଖାନ, ତୈମୁର ଓ ଚେଙ୍ଗିଜ ଖାନଙ୍କ ପରି ଦେଖା ଯାଉଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି । ତେବେ ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ ହେଉଥିବା ବେଳେ ଏତେ ବିବାଦ ଭିତରେ ଏହା କେତେ ଜନାଦୃତ ହେବ କେବଳ ତାହା ଦେଖିବାକୁ ବାକି ରହିଲା ।

Share :