କରୋନା ହିତାଧିକାରୀ!

କରୋନା ହିତାଧିକାରୀ!

Share :

ଦେବେନ୍ଦ୍ର ପୃଷ୍ଟି ଏକଥା ନିଃସନ୍ଦେହ ଯେ ସଂପ୍ରତି କରୋନା ଭୂତାଣୁ ହେଉଛି ବିଶ୍ୱ ପାଇଁ ସବୁଠୁ ବଡ଼ ବିପଦ। ଭାରତ ସରକାର ଓ ଓଡ଼ିଶା ସରକାର ଯେଉଁସବୁ ସୂଚନା ଦେଉଛନ୍ତି ତାହା ମଧ୍ୟ ଏଇ କଥା କହୁଛି। ତ୍ୱରିତ ଗତିରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପୁଥିବାରୁ ସରକାରଙ୍କ ସହିତ ସହଯୋଗ କରି ନାଗରିକ ସମାଜ ନିଜକୁ ତଥା ଦେଶକୁ ବିପଦମୁକ୍ତ ରଖିପାରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ସରକାରଙ୍କ ପଦକ୍ଷେପକୁ ମଧ୍ୟ ଦେଶର ଅଧିକାଂଶ ଜନତା ବିନା ପ୍ରତିବାଦରେ ସମର୍ଥନ କରିଛନ୍ତି। ଲୋକେ ଏବେ ଏତେ ଆତଙ୍କିତ ଯେ ସମସ୍ତେ ତ୍ରାହିତ୍ରାହି ଡାକୁଛନ୍ତି। ତେଣୁ ସରକାର ଯାହା କହୁଛନ୍ତି ତାହାକୁ ସମସ୍ତେ ବିଶ୍ୱାସ କରିଯାଉଛନ୍ତି। ସରକାର କହିଲେ ସମସ୍ତେ ବାରମ୍ବାର ହାତ ଧୁଅ। ଲୋକେ ସେଇଆ କଲେ। ସରକାର କହିଲେ ସମସ୍ତେ ନାକରେ ପଟି ବାନ୍ଧ। ଲୋକେ ସେଇଆ କଲେ। ଫଳ ହେଲା କ’ଣ ନା ବଜାରରେ ନାକବନ୍ଧା ପଟି ବା ମାସ୍କ ଓ ହାତଧୁଆ ବିଶୋଧକ ବା ସାନିଟାଇଜରର ଅଭାବ ହେଲା। ଅନେକ ବ୍ୟବସାୟୀ ଫାଇଦା ନେଲେ। ଦର ଚଢ଼ିଗଲା। ଭାରତରେ ୧୩୦ କୋଟି। ସମସ୍ତଙ୍କ ପାଇଁ ନାକପାଟି ପଟି ଓ ସାନିଟାଇଜର ବଜାରରେ ଗଚ୍ଛିତ ନଥିଲା। କରୋନା ଖବର ମିଳିବା ଦିନରୁ ସେ ଦିଗରେ ପ୍ରସ୍ତୁତି ହେବାର ଥିଲା। କିନ୍ତୁ ହୋଇନଥିଲା। ସେଥିପାଇଁ ଔଷଧ ଦୋକାନରେ ଏତେ ଭିଡ଼ ଜମିଲା। ରାସ୍ତାଘାଟରେ ମାସ୍କ ଓ ସାନିଟାଇଜର ଚଢ଼ା ଦରରେ ବିକ୍ରି ହେଲା। ସେସବୁ ଉପଯୁକ୍ତ ମାନର କି ନୁହେଁ, କେହି ସାର୍ଟିଫିକେଟ ଦେଇନାହାନ୍ତି। ଲୋକଙ୍କ ଚାହିଦା ଦେଖି ଅନେକ ଅସାଧୁ ବ୍ୟବସାୟୀ ବି ଘରେ ମାସ୍କ ଓ ସାନିଟାଇଜର ତିଆରି କରି ବିକିଦେଲେ। ଠିକ ଯେମିତି ନଈ ପାଣିକୁ ଛାଣି ବୋତଲରେ ପୂରେଇ ବା ପାଉଚ୍‌ରେ ମିନେରାଲ ପାଣି ଭାବେ ବିକି ଦିଆଯାଉଛି! ସରକାରୀ କର୍ମଚାରୀମାନେ ଏବେ ଏତେ ବ୍ୟସ୍ତ ଯେ ସତରେ ଯେଉଁସବୁ ମାସ୍କ ଓ ସାନିଟାଇଜର ବିକ୍ରି ହେଲା ତାହା କରୋନାକୁ ରୋକିବ ନା ଅନ୍ୟ କେଉଁ ଭୂତାଣୁକୁ ଡାକି ଆଣିବ! ସେହିପରି ସରକାର କହିଲେ କ୍ୱାରେଣ୍ଟାଇନ୍‌ ବା ସଙ୍ଗରୋଧ ବା ଏକାନ୍ତବାସ କର। ଲୋକେ କଲେ। ଯେଉଁମାନେ ବିଦେଶରୁ ଫେରିଥିଲେ ସମସ୍ତେ ପ୍ରାୟ ନିଜ ଘରେ ଲୁଚିଲେ। ବାହାରକୁ ବାହାରିଲେ ନାହିଁ। ସରକାର କହିଲେ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ବଜାୟ ରଖ। ଲୋକେ କଲେ। କେହି କାହାକୁ ଆଉ ଛୁଇଁଲେ ନାହିଁ। ଦୂରେଇ ଦୂରେଇ ରହିଲେ। ଫଳ କ’ଣ ହେଲା ନା, ଏବେ ଆଉ କେହି କାହାକୁ ବିଶ୍ୱାସ କରୁ ନାହାନ୍ତି। ସମସ୍ତେ ସମସ୍ତଙ୍କ ସନ୍ଦେହ ଘେରରେ। ଯିଏ ବିଦେଶରୁ ଦେଶକୁ ଆସିଲା ତାକୁ ଲୋକେ ସନ୍ଦେହ କଲେ। କରୋନା ଆଇଲା ବୋଲି ଗୁଜବ କଲେ। ଯିଏ ଦେଶରୁ ରାଜ୍ୟକୁ ଆସିଲା ତାକୁ ବି ଲୋକେ ସନ୍ଦେହ କଲେ। କରୋନା ଆଇଲା ବୋଲି ପ୍ରଚାର କଲେ। ଯିଏ ରାଜ୍ୟରୁ ଗାଁକୁ ଗଲା ସେ ବିଚରା ବି ସମଦଶା ଭୋଗିଲା। ତାକୁ ବି ଗାଁରେ ସନ୍ଦେହ। ଏମିତି ଚାରି ଆଡ଼େ ଛନକା। ଲୋକେ କରିବେ କ’ଣ? ସରକାର କହିଲେ ଜନତା କର୍ଫ୍ୟୁ ପାଳନ କରିବା। ସମସ୍ତେ ସରକାରଙ୍କୁ ସମର୍ଥନ କରି ସେଇଆ କଲେ। ଭାବିଲେ ଦିନକର କଥା ତ! ଘରେ ରହିଯିବା। କଷ୍ଟ ହେଉ ପଛେ ରହିଲେ। ଡାକ୍ତର, ନର୍ସ, ପୁଲିସ ଓ ପ୍ରେସବାଲାଙ୍କ ସେବାକୁ ତାରିଫ କରି ତାଳି ଓ ଥାଳି ବାଡ଼େଇଲେ। ତା’ପରେ ବି କରୋନା ମଲା ନାହିଁ। ସରକାର କହିଲେ ତାଲା ବନ୍ଦ, ଲକ୍‌ ଡାଉନ୍‌। ଲୋକେ ଏବେ ଚିନ୍ତାରେ। ସପ୍ତାହେ ଯାଏଁ ସବୁ ବନ୍ଦ। ଚଳିବେ କେମିତି? ପରିବାର ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମହଜୁଦ କରିବାକୁ ହେବ। ସବୁ ଲୋକ ନହେଲେ ବି କିଛି ଲୋକ ଆତଙ୍କର ସଉଦା କଲେ। ଦର କେଉଁଠି କେଉଁଠି ବଢ଼ିଲା। ଲୋକଙ୍କ ମଜବୁରିରୁ ଫାଇଦା ଉଠାଇବାକୁ ଏ ଦେଶରେ କ’ଣ ଅସାଧୁ ବେପାରୀଙ୍କ ଅଭାବ ଅଛି? ପ୍ରଥମେ ଅଳ୍ପ ଜିଲ୍ଲା ଲକ୍‌ ଡାଉନ୍‌ ହେଲା। ତା’ପରେ ଅନେକ ଜିଲ୍ଲା। ଏବେ ପ୍ରାୟ ସମଗ୍ର ଦେଶରେ ତାଲାବନ୍ଦ। ଓଡ଼ିଶା ଆଳୁ ଓ ପିଆଜ ପାଇଁ ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗ ଉପରେ ନିର୍ଭର କରେ। ସେଠି ଯଦି ସବୁ ତାଲାବନ୍ଦ ତେବେ ଆଳୁ ଓ ପିଆଜ ଓଡ଼ିଶା ବଜାରକୁ ଆସିବ କେମିତି? ସରକାର ଅବଶ୍ୟ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ହୋଇପାରିବ। କିନ୍ତୁ ହେବ କେମିତି? ପରିବହନ କର୍ମଚାରୀଙ୍କ ପାଇଁ ତାଲାବନ୍ଦ ଲାଗୁ ନୁହେଁ କି? ପରିବହନରେ ଲାଗୁଥିବା ଟ୍ରକ ଇତ୍ୟାଦି ମରାମତି ପାଇଁ ଉଦ୍ଦିଷ୍ଟ ଗ୍ୟାରେଜ୍‌ ଇତ୍ୟାଦିରେ ତାଲାବନ୍ଦ ଲାଗୁ ହୋଇନି କି? ହୋଇନଥିଲେ ବି ଅସାଧୁ ବେପାରୀମାନେ ତାହାକୁ ଏକ ଆଳ ବା ବାହାନା ଭାବେ ଗ୍ରହଣ କରିବେ ନାହିଁ କି? ଠିକ୍‌ ସେମିତି ପନିପରିବା ଓ ଫଳ ଇତ୍ୟାଦିର ପରିବହନ। ସମ୍ବଲପୁର ଅଞ୍ଚଳରୁ ଖବର ମିଳୁଛି ଆଳୁ ପିଆଜ ଦର ବଢ଼ିଗଲାଣି। ଅନ୍ୟ ସହରରେ ବଢ଼ିବାକୁ କେତେ ଦିନ ଲାଗିବ? ତାଲାବନ୍ଦ ଘୋଷଣା ଏମିତି କାର୍ଯ୍ୟକାରୀ ହେଲା ଯେ ପାଠ ପଢ଼ୁଥିବା ଓ ଚାକିରି କରୁଥିବା ଅନେକ ଯୁବକଯୁବତୀ ହଇରାଣ ହେଲେ, ଗାଁକୁ ଫେରିଯିବାକୁ ବାଧ୍ୟ ହେଲେ। କାରଣ ଏଭଳି ଅନେକ ଲୋକ ସହରାଞ୍ଚଳରେ ହଷ୍ଟେଲ ଓ ମେସ୍‌ରେ ରହନ୍ତି। ପୁଲିସ ଭୟରେ ଏବେ ସବୁ ସହରର ହଷ୍ଟେଲ ଓ ମେସ୍‌ ଆଦି ବନ୍ଦ। ହଷ୍ଟେଲ ମାଲିକମାନେ ସମସ୍ତଙ୍କୁ ଘରୁ ବାହାର କରିଦେଇଛନ୍ତି। ଏଣେ ଗାଡ଼ିମୋଟର ଚଳାଚଳ ଉପରେ କଟକଣା। ସହରରେ ରହିବାକୁ ଯାଗା ନାହିଁ। ଘରକୁ ଫେରିବା କଷ୍ଟକର। କି ଦଶା କହିଲେ! ସରକାରଙ୍କ ତାଲାବନ୍ଦ ଘୋଷଣା ଯୋଗୁଁ ଚା ଦୋକାନ ବନ୍ଦ। ରାସ୍ତାକଡ଼ ଫାଷ୍ଟ ଫୁଡ଼୍‌ ଦୋକାନ ବନ୍ଦ। ବଜାରର ସବୁ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ। କିନ୍ତୁ କାରଖାନା? ଦେଶରେ ଏତେ ଇସ୍ପାତ କାରଖାନା, ଏତେ ଆଲୁମିନା ଓ ଆଲୁମିନିୟମ କାରଖାନା, ଏତେ ପୋଷାକ ଶିଳ୍ପ, ଏତେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ...ଏମିତି ଅନେକ କ୍ଷେତ୍ରର ଅନେକ କାରଖାନା। ସବୁଠି କ’ଣ ତାଲାବନ୍ଦ? ଚା ଦୋକାନରେ ସାତରୁ ଅଧିକ ଲୋକ ଏକାଠି ବସି ଚା ପିଇଲେ କରୋନା ବ୍ୟାପିବାର ଭୟ। ମାତ୍ର, କାରଖାନାରେ ଶହଶହ ଲୋକ ଏକାଠି କାମ କରିବା ଦ୍ୱାରା କ’ଣ କରୋନା ସଂକ୍ରମଣ ହେବ ନାହିଁ? ଯଦି ସରକାର କାରଖାନାଗୁଡ଼ିକୁ ତାଲାବନ୍ଦ ଘୋଷଣା କରିବେ ତେବେ ଉତ୍ପାଦନ ବ୍ୟାହତ ହେବା ନିଶ୍ଚିତ। ଅର୍ଥନୀତି ଉପରେ ତାହାର କି ପ୍ରଭାବ ପଡ଼ିବ? କରୋନା ପୂର୍ବରୁ ଏ ଦେଶର ଅର୍ଥନୀତି ମାନ୍ଦାବସ୍ଥାରେ ପଡ଼ିସାରିଛି। କରୋନା ଯୋଗୁଁ ପରିସ୍ଥିତି ଅଧିକ ଉତ୍କଟ ହେବ ନାହିଁ କି? ସରକାର ଏ ବିଷୟରେ ଚିନ୍ତା କରି କାରଖାନା ଖୋଲା ରଖିଛନ୍ତି କି? ସରକାର କହିଲେ, ସମସ୍ତ ସନ୍ଦିଗ୍ଧଙ୍କୁ ଏକାନ୍ତବାସରେ ରଖ, ସେମାନଙ୍କ ରକ୍ତ ପରୀକ୍ଷା କର। ଯଦି କରୋନା ହୋଇଛି ତେବେ ସରକାରୀ ଖର୍ଚ୍ଚରେ ଚିକିତ୍ସା କର। ହେଲେ କେତେ ଲୋକଙ୍କର କରୋନା ପରୀକ୍ଷା ହେଉଛି? ଓଡ଼ିଶାରେ ଏଯାଏଁ ୮୫ ଜଣଙ୍କର ପରୀକ୍ଷା ହୋଇଛି, ୨ ଜଣଙ୍କୁ ଛାଡ଼ି ବାକି ସମସ୍ତେ ନେଗେଟିଭ୍‌। କିନ୍ତୁ ପଞ୍ଜିକରଣ କରିଥିବା ୩ ହଜାର ଉପରେ ସନ୍ଦିଗ୍ଧଙ୍କର ଏଯାଏଁ ପରୀକ୍ଷା ଶେଷ ହୋଇନାହିଁ। କେବେ ହେବ? ସେମାନଙ୍କ ମଧ୍ୟରୁ ଯଦି ବି କେହି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି ତାଙ୍କର ପରୀକ୍ଷା ଶେଷ ହେବାବେଳକୁ ସେ ଅନେକ ଲୋକଙ୍କୁ ସଂକ୍ରମଣର କାରଣ ହୋଇଥିବେ। ସେମାନେ ସମସ୍ତେ ଏକାନ୍ତବାସରେ ନାହାନ୍ତି। ଅନେକ ଲୋକ ତ ବିଦେଶରୁ ଫେରିଛନ୍ତି ବୋଲି ନିଜ ଆଡ଼ୁ ଘୋଷଣା କରିନଥିବେ। ସେମିତି ଅନେକ ନଜୀର ଅଛି। ଅନେକ ବିଦେଶୀ କରୋନା ସନ୍ଦିଗ୍ଧ ଭାବେ ଜନ ସାଧାରଣରେ ଚିହ୍ନଟ ହେବା ପରେ ଲୁଚିଯାଇଛନ୍ତି। ସେମାନଙ୍କୁ ସରକାର ଖୋଜିବେ କେବେ? ପୁଲିସ ତ ଏବେ ତାଲାବନ୍ଦ କରୁଛି! ସରକାର ଘୋଷଣା କଲେ ସନ୍ଦିଗ୍ଧମାନଙ୍କର ଏକାନ୍ତବାସ ପାଇଁ ସରକାର ୧୫ ହଜାର ଟଙ୍କାର ସହାୟତା ଦେବେ। ପଞ୍ଚାୟତକୁ କରୋନା ଚିହ୍ନଟ ଦାୟିତ୍ୱ ଦିଆଗଲା। ସେଥିପାଇଁ ପାଣ୍ଠି ବି ଦିଆଗଲା। ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା। ସରପଞ୍ଚ ତାଙ୍କ ଗାଁର ଥଣେ ସର୍ଦ୍ଦି ରୋଗୀଙ୍କୁ ଧରି ବିଡିଓଙ୍କ ପାଖରେ ହାଜର ହେଲେ, କହିଲେ ୟାଙ୍କୁ କରୋନା ହୋଇଥାଇପାରେ। ତାଙ୍କୁ ଏକାନ୍ତବାସରେ ରଖିବା। ବିଡିଓ କହିଲେ, ହଉ। ସେ ଲୋକଙ୍କୁ ୧୫ ହଜାର ଟଙ୍କା ଦିଆଗଲା। ସେ ଏକାନ୍ତବାସରେ ରହିଲେ। ଘରେ ମଉଜ ମନେଇଲେ। ବାସ୍‌ କରୋନା ଫୁସ୍‌! ଆଗକୁ ଏମିତି ବହୁ କରୋନା ହିତାଧିକାରୀ ବାହାରିବେ ନାହିଁ ତ? (ସୌ-ଓଡ଼ିଶା ରିପୋର୍ଟର)

Share :