ଯନ୍ତ୍ରଣା ଯୋଜନାବଦ୍ଧ!

ଯନ୍ତ୍ରଣା ଯୋଜନାବଦ୍ଧ!

ଦେବେନ୍ଦ୍ର ପୃଷ୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଲାବନ୍ଦ ବା ଗୃହବନ୍ଦୀ ଆଦେଶକୁ ଆଜି ଚତୁର୍ଥ ଦିନ। ମାର୍ଚ୍ଚ ୨୫ ତାରିଖରୁ ଏହା କାର୍ଯ୍ୟକାରୀ ହେଉଛି। ଏହା ପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ସେ ଦିନିକିଆ ଜନତା କର୍ଫ୍ୟୁ ଆଦେଶ ଦେଇଥିଲେ। ମହାରାଷ୍ଟ୍ର ସରକାରଙ୍କ ତାଲାବନ୍ଦ ଆଦେଶ ଆଜି ସପ୍ତମ ଦିନରେ ପହଞ୍ଚିଛି। ମାର୍ଚ୍ଚ ୨୨ ତାରିଖରୁ ୫ ଜିଲ୍ଲାରେ କାର୍ଯ୍ୟକାରୀ ହେଲା ଓଡ଼ିଶା ସରକାରଙ୍କ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ। ପରେ ପରେ ଏଥିରେ ମିଶିଲା ଆଉ ୯ ଜିଲ୍ଲା ଏବଂ ଶେଷରେ ସର୍ବଭାରତୀୟ ତାଲାବନ୍ଦ। ଏ ସମୟ ମଧ୍ୟରେ ଅନେକ ସ୍ଥାନରେ ଅନେକ ବର୍ଗର ଲୋକ ଭୋଗିଲେଣି ଅନେକ ଯନ୍ତ୍ରଣା-କେତେକ କ୍ଷେତ୍ରରେ କରୋନା ଭୂତାଣୁ ସଂକ୍ରମଣ ଯନ୍ତ୍ରଣାଠାରୁ ବି ଅଧିକ ଦୁଃଖ ଓ କଷ୍ଟଦାୟକ। ତାଲାବନ୍ଦ ଯୋଗୁଁ ଦେଶାନ୍ତରୀ ଶ୍ରମିକମାନେ ନିଯୁକ୍ତି ଓ ରୋଜଗାର ହରେଇ, ଖାଇବାକୁ ନପାଇ ଶହଶହ କିଲୋମିଟର ଦୂର ଗାଁକୁ ଚାଲିଚାଲି ଫେରୁଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। କେତେ କିଲୋମିଟର ଚାଲିବା ପରେ ଝିଅ ଆଉ ଚାଲିପାରୁନାହିଁ, ମା’ ଗୋଡ଼ ତଳେ ମୁଣ୍ଡମାଡ଼ି ପଡ଼ି କହୁଛି, ମା’ ଆଉ ଚାଲିପାରିବି ନାହିଁ, ଘର ଆଉ କେତେ ବାଟ? ଛୋଟ ପୁଅକୁ କାନ୍ଧରେ କାନ୍ଧେଇ ଅନେକ ବାଟ ଚାଲିବା ପରେ ବାପା ଗୋଡ଼ ବି ଠିକରେ ଆଉ ତଳେ ପଡ଼ୁନାହିଁ, ପୁଅ ପଡ଼ିଯିବାର ଭୟ- ଆଖିରେ ଅବସାଦ, ଅବସନ୍ନତା ଓ ଆଶଙ୍କାର ଆକ୍ରମଣ। ରାସ୍ତାଘାଟ ଶୂନଶାନ। ବଜାରରେ ଶ୍ମଶାନର ନୀରବତା। ଅର୍ଥ ନାହିଁ। ଖାଦ୍ୟ ନାହିଁ। ଗାଡ଼ି ନାହିଁ। ଦେହରେ ଶକ୍ତି ନାହିଁ। ମନରେ ସାହସ ନାହିଁ। ତଥାପି ଚାଲିବାକୁ ହେବ, ଗାଁରେ ପହଞ୍ଚିବାକୁ ହେବ। ଜୀବନ ଚାଲିବ, ଯନ୍ତ୍ରଣା ଯେତେ ଦୁର୍ବିସହ ହେଲେ ବି। କେଉଁଠି ପୁଣି ଗାଁକୁ ଫେରିଥିବା ଦେଶାନ୍ତରୀ ଶ୍ରମିକ ହୋଇଯାଇଛି ବାସନ୍ଦ। ଗାଁ ମୁଣ୍ଡରେ ଛକି ବସିଛନ୍ତି ଅନେକ ଟୋକା। ତା’କୁ ଗାଁରେ ପୂରେଇ ଦେଉନାହାନ୍ତି। ସେମାନଙ୍କ ସନ୍ଦେହ, ତା’ ଦେହରେ ଥାଇପାରେ କରୋନା ଭୂତାଣୁ। ଘରକୁ ଗଲେ ଅଧିକ ଚିନ୍ତା, ଅଧିକ ଦୁଃଖ- ଖାଇବେ କ’ଣ, ଚଳିବେ କେମିତି? ଭାରତର ଅନେକ ରାଜ୍ୟରେ, ଅନେକ ସହରରେ, ଅନେକ ଗାଁରେ ଏବେ ଏଇ ଦୃଶ୍ୟ। କେବଳ ଦେଶାନ୍ତରୀ ଶ୍ରମିକ ନୁହନ୍ତି, ନିଜ ଗାଁରେ ରହି ଦିନ ମଜୁରିଆ ଭାବେ ଚଳୁଥିବା ଶ୍ରମିକ, ପାଖ ସହରରେ ରାସ୍ତାକଡ଼ରେ ଜଳଖିଆ ବିକି ଗୁଜୁରାଣ ମେଣ୍ଟାଉଥିବା ଲୋକ, ଛୋଟ ଦୋକାନୀ, ନିର୍ମାଣ ଶ୍ରମିକ, ପରିବହନ ଶ୍ରମିକ, ହୋଟେଲ ଶ୍ରମିକ, ସେଲୁନବାଲା, ଦର୍ଜିବାଲା, ଚା’ବାଲା, ପକୁଡ଼ିବାଲା- ଏମିତି କେତେ ବର୍ଗର ଗରୀବ ଶ୍ରେଣୀର ଲୋକମାନେ ଏବେ ବିନା ସଂକ୍ରମଣରେ ଭୋଗୁଛନ୍ତି କରୋନା ଯନ୍ତ୍ରଣା। ଭାରତବର୍ଷରେ ଏଯାଏଁ ଚିହ୍ନଟ ହୋଇଛନ୍ତି ସାତ ଶହ ସରିକି କରୋନା ରୋଗୀ। କିନ୍ତୁ ଜୀବନ ଯନ୍ତ୍ରଣାରେ ଘାରି ହେଉଛନ୍ତି ଶହେ ତିରିଶ କୋଟି ଲୋକ। ଧନିକ ଓ ମଧ୍ୟବିତ୍ତ ବର୍ଗ ପାଇଁ ତାଲାବନ୍ଦ ଆମୋଦଦାୟକ ହୋଇଥିବାବେଳେ ଏଭଳି ଗରୀବ ଲୋକମାନଙ୍କ ପାଇଁ ଏହା ଆଣିଦେଇଛି ସରକାରୀ-କୃତ ବିପର୍ଯ୍ୟୟ। ଏ ବିପର୍ଯ୍ୟୟରୁ କେବେ ମୁକ୍ତି ମିଳିବ ଜଣାନାହିଁ। ସରକାରଙ୍କ ଆକଳନ ଅନୁସାରେ ବିଦେଶରୁ ଆସି ଦେଶ ଭିତରେ ବୁଲୁଛନ୍ତି ପ୍ରାୟ ୧୦ ଲକ୍ଷ କରୋନା-ସନ୍ଦିଗ୍ଧ। ସେମାନଙ୍କ ମଧ୍ୟରୁ କିଏ କରୋନା ସଂକ୍ରମିତ, କାହାଠାରୁ ଅନ୍ୟ ଲୋକଙ୍କୁ ହୋଇଛି ଭୂତାଣୁ ସଂକ୍ରମଣ ତାହା ଏଯାଏଁ ଜଣାପଡ଼ିନି, ଜାଣିବାକୁ ଉଦ୍ୟମ ବି ଆରମ୍ଭ କରିନାହାନ୍ତି ସରକାର। ଏଇଭଳି ଅଜଣା ସମୟର ନଦୀଗର୍ଭରେ ବୁଡ଼ ପକାଉଥିବା ସରକାର ତାଲାବନ୍ଦ ଅବଧି ବଢ଼ାଇବାର ଆଶଙ୍କା ଓ ଚର୍ଚ୍ଚା ଏହି ଗରୀବମାନଙ୍କୁ କରିଛି ଅଧିକ ଅସହାୟ, ଅଧିକ ବିବ୍ରତ ଓ ଚିନ୍ତାଗ୍ରସ୍ତ। କ’ଣ ହେବ ସେମାନଙ୍କର ଭବିଷ୍ୟତ? ପିଲାଙ୍କ ପାଠପଢ଼ାର ଚିନ୍ତା, ଝିଅ ବାହାଘର ବୋଝ, ପତ୍ନୀ ବା ପତିର ଚିକିତ୍ସା- ଖର୍ଚ୍ଚ ତୁଲେଇବେ କେମିତି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲାବନ୍ଦ ଘୋଷଣା କଲାବେଳେ କ୍ଷତିପୂରଣ କଥା କହିନଥିଲେ। ପରେ ଏଭଳି ଜୀବନ ଯନ୍ତ୍ରଣା ବିଷୟରେ ଗଣମାଧ୍ୟମରୁ ଖବର ପାଇଲା ପରେ ଉଭୟ ସ୍ତରର ସରକାର ଘୋଷଣା କରିଛନ୍ତି ସହାୟତା ପ୍ୟାକେଜ। ଓଡ଼ିଶା ମୁଖ୍ୟମନ୍ତ୍ରୀ ପର୍ଯ୍ୟାୟ ପରେ ପର୍ଯ୍ୟାୟ ସହାୟତା ପ୍ୟାକେଜ ଘୋଷଣା କରୁଛନ୍ତି, କାରଣ କେତେ ବର୍ଗର ଲୋକ କ୍ଷତିଗ୍ରସ୍ତ ହେବେ ତାହା ସେ ଏକାଥରକେ ଆକଳନ ପାରିନଥିଲେ ବୋଧହୁଏ। କେନ୍ଦ୍ର ସରକାର ମଧ୍ୟ ଏକାଧିକ ଥର ସହାୟତା ପ୍ୟାକେଜ ଘୋଷଣା କଲେଣି। ଏଥିରୁ ଜଣାପଡ଼ୁଛି ତାଲାବନ୍ଦ ଘୋଷଣା କରିବା ସମୟରେ ଉଭୟ ସ୍ତରର ସରକାର ଲୋକମାନଙ୍କର ଏ ଦୁର୍ଦ୍ଦଶା ଘଟିବ ବୋଲି ଅନୁମାନ କରିନଥିଲେ। କେଉଁ ସ୍ୱାସ୍ଥ୍ୟ ବିଶେଷଜ୍ଞଠାରୁ ଶୁଣି ସାମାଜିକ ଦୂରତା ପାଇଁ ତାଲାବନ୍ଦ ପ୍ରକୃଷ୍ଟ ଉପାୟ ଭାବି ସେଇଆ କଲେ। ପରେ ଲୋକଙ୍କ ଯନ୍ତ୍ରଣା ବଢ଼ିବାରୁ କର୍ତ୍ତବ୍ୟ ପାଳନ କରିବାକୁ ଯାଇଁ ସହାୟତା ଘୋଷଣା କରାଯାଉଛି। ନହେଲେ ଯେତେବେଳେ ତାଲାବନ୍ଦ ଘୋଷଣା ହେଲା ସେହି ଏକା ଘୋଷଣାରେ ସହାୟତା ପ୍ୟାକେଜ ବିଷୟରେ ମଧ୍ୟ ଘୋଷଣା ହୋଇଥାନ୍ତା। ଏହି ଦୃଷ୍ଟିରୁ ଏହାକୁ ସରକାରଙ୍କର ଏକ ଯୋଜନାହୀନ ତାଲାବନ୍ଦ ଭାବେ ସମାଲୋଚନା କରାଯାଉଛି। ତେବେ ଏଭଳି ସମାଲୋଚନା ଓ ଜନଯନ୍ତ୍ରଣା ବଢ଼ିବା ପରେ ସରକାରଙ୍କ ତରଫରୁ କୁହାଯାଉଛି, ଏ ତାଲାବନ୍ଦ ନିଷ୍ପତ୍ତି ଯୋଜନାବଦ୍ଧ ଥିଲା। କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଜାନୁଆରୀ ୩୦ ତାରିଖରେ ଦେଶରେ ପ୍ରଥମ କରୋନାକ୍ରାନ୍ତ ଚିହ୍ନଟ ହେବାର ଯଥେଷ୍ଟ ପୂର୍ବରୁ ଜାନୁଆରୀ ୧୮ ତାରିଖରୁ ବିମାନ ବନ୍ଦରରେ ଥର୍ମାଲ୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୩୦ ବିମାନ ବନ୍ଦର, ୧୨ ବୃହତ୍‌ ଓ ୬୫ କ୍ଷୁଦ୍ର ବନ୍ଦର ସମେତ ପ୍ରାୟ ସମସ୍ତ ସୀମାନ୍ତ ଗେଟ୍‌ରେ ମୋଟ ୩୬ ଲକ୍ଷ ଲୋକଙ୍କର ଯାଞ୍ଚ ହୋଇଛି। ତେଣୁ ଭାରତ ସରକାର ଯଥେଷ୍ଟ ପୂର୍ବରୁ ସତର୍କତା ଅବଲମ୍ବନ କରିଛନ୍ତି। କିନ୍ତୁ ଏହି ୩୬ ଲକ୍ଷ ଲୋକଙ୍କ ଭିତରକୁ କେତେ ଜଣଙ୍କୁ ସରକାର ସାମାଜିକ ଏକାନ୍ତବାସ ବା କ୍ୱାରେଣ୍ଟାଇନରେ ରଖିଛନ୍ତି ତାହାର କିଛି ତଥ୍ୟ ନାହିଁ। ଯିଏ ବିମାନରୁ ଅବତରଣ କରିଛି ସେ ଯେ କରୋନା ଭୂତାଣୁ ସହିତ ସାଙ୍ଗରେ ଜ୍ୱର ଓ ଥଣ୍ଡା ନେଇ ଆସିଛି ତାହାର କିଛି ଗ୍ୟାରେଣ୍ଟି ନାହିଁ। ସରକାର ଏହା ମୂଳରୁ ବୁଝିବା ଉଚିତ ଥିଲା। କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ୮-୧୦ ଦିନ ଜ୍ୱରାଦି ଲକ୍ଷଣ ପ୍ରକାଶ ନପାଇପାରେ। ତେଣୁ ବିଦେଶରୁ ଫେରିଥିବା ଲୋକଙ୍କର ଥର୍ମାଲ ଯାଞ୍ଚ ସମୟରେ ଦେହ ଉତ୍ତାପ ଅଧିକ ନଦେଖାଇବାରୁ ସେମାନଙ୍କୁ ଛାଡ଼ିଦିଆଗଲା। ଏବେ ସରକାର ଭାଳି ହେଉଛନ୍ତି। ଅନ୍ଧାରରେ ବାଡ଼ି ବୁଲଉ ବୁଲଉ ଯାହା ଦେହରେ ବାଜିବା କଥା ନବାଜି ଅନ୍ୟମାନଙ୍କ ଦେହମୁଣ୍ଡ ଖଣ୍ଡିଆଖାବରା ହେଉଛି। କରୋନା ସଂକ୍ରମଣ ବିରୋଧରେ ସନ୍ଦିଗ୍ଧ ଲୋକଙ୍କଠାରୁ ସହସ୍ର ଗୁଣ ଅଧିକ ଜନସମୁଦାୟକୁ ଦୁଃଖଦେବା କ’ଣ ସରକାରଙ୍କର ଏକ ଯୋଜନାବନ୍ଧ ଉଦ୍ୟମ ହୋଇପାରେ? କଦାଚିତ ସରକାର ଏଭଳି କରିନଥିବେ। ବରଂ କରୋନା ସଂକ୍ରମଣକୁ ଡରି ସରକାର ହୁଡ଼ୁମୁଶୁଳିଆ ବା ତରବାର ଭାବରେ ଏପରି ତାଲାବନ୍ଦ ଘୋଷଣା କରି ମାନବିକ ଯନ୍ତ୍ରଣାର ସଂକ୍ରମଣ କରିଛନ୍ତି। ତାଲାବନ୍ଦ ଯୋଗୁଁ ଅଧିକ ଲୋକ କ୍ଷତି ଓ ଯନ୍ତ୍ରଣାଗ୍ରସ୍ତ ହୋଇଥିବା ବୁଝିବା ପରେ ସରକାର ଏକାଧିକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଶ୍ରମିକ, କୃଷକ, ରାସ୍ତକଡ଼ ଭେଣ୍ଡରମାନଙ୍କଠାରୁ ଆରମ୍ଭ କରି ବହୁ ବର୍ଗର ଲୋକଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ଘୋଷଣା କରାଯାଇଛି। ନିୟମିତ ପ୍ରେସ୍‌ କନ୍‌ଫରେନ୍ସରେ ସେସବୁ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଉଛି। କିନ୍ତୁ କୌଣସି ସରକାର ଏଯାଏଁ କରୋନା ଭୂତାଣୁ ନିରାକରଣ ପାଇଁ କେତେ ମାସ୍କ ଓ ସାନିଟାଇଜର ବଣ୍ଟାଗଲା, ମେଡିକାଲକୁ କେତେ ଟେଷ୍ଟ ଓ ଡାକ୍ତରୀ କର୍ମଚାରୀଙ୍କ ପାଇଁ ପିପିଇ ବା ପର୍ସନାଲ ପ୍ରୋଟେକ୍ସନ ଇକ୍ୱିପମେଣ୍ଟ ଦିଆଗଲା, କେତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌, ଲିପୋନାଭିର ଓ ରେଟିନୋଭିର ପରି ଔଷଧ ହସ୍ପିଟାଲଗୁଡ଼ିକୁ ଦିଆଗଲା ସେ ବାବଦରେ ତଥ୍ୟ ପ୍ରକାଶ କରିନାହାନ୍ତି। କରୋନା ଭୂତାଣୁ ନୂଆ ହୋଇପାରେ, କିନ୍ତୁ ଏସବୁ ଜିନିଷ ବହୁ ପୂର୍ବରୁ କାରଖାନା ଓ ବଜାରରେ ଉପଲବ୍ଧ। ସରକାର ଯଥାସମୟରେ ଏସବୁ ଜିନିଷର ଶୃଙ୍ଖଳିତ ବିତରଣ ଉପରେ ଗୁରୁତ୍ୱ ନଦେବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଲା। ଏବେ କରୋନା ଭାଇରସ ସଂକ୍ରମଣର ତିନି ମାସ ପରେ ମାସ୍କ ଓ ସାନିଟାଇଜର ଆସୁଛି। ଏହା ଚୋର ପଳେଇଲା ପରେ ବୁଦ୍ଧି ପଶିଲା ପରି କଥା ହେଉନି କି? (ସୌ-ଓଡ଼ିଶା ରିପୋର୍ଟର)

Share :