ବିଜେଡିରେ କେତେ ପର୍ସେଣ୍ଟ ବିଜୁ?

ବିଜେଡିରେ କେତେ ପର୍ସେଣ୍ଟ ବିଜୁ?

ଦେବେନ୍ଦ୍ର ପୃଷ୍ଟି ବିଜୁବାବୁ ତାଙ୍କ ଜୀବଦ୍ଦଶାରେ ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଗୋଟେ ଘର କରିଥିଲେ। ତାହାର ନାମ ତାଙ୍କର ସାନ ପୁଅ ନବୀନ ପଟ୍ଟନାୟକଙ୍କ ନାମାନୁସାରେ ନବୀନ ନିବାସ ଦେଇଥିଲେ। ଏଥିରୁ ସେ ସେହି ସମୟରେ ନବୀନ ପଟ୍ଟନାୟକଙ୍କୁ କେତେ ଭଲ ପାଉଥିଲେ ତାହା ବୁଝାପଡ଼େ। ସେ ଚାହିଁଥିଲେ ଘରଟିକୁ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ନାମରେ ନାମିତ କରିପାରିଥାନ୍ତେ। କାରଣ ଯେଉଁ ଜମି ଉପରେ ନବୀନ ନିବାସ ଠିଆ ହୋଇଛି ତାହାର ମାଲିକାଣୀ ଥିଲେ ଜ୍ଞାନ ପଟ୍ଟନାୟକ। କିନ୍ତୁ ସେ ଜ୍ଞାନ ନିବାସ ପରିବର୍ତ୍ତେ ଘରର ନାଁ ନବୀନ ନିବାସ ଦେଇଥିଲେ। ବିଜୁବାବୁଙ୍କ ଦେହାବସନା ପରେ ନବୀନବାବୁ ବହୁ ଅନୁରୋଧ ଓ ବୁଝାଶୁଝା ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କଲେ ଓ ତୁରନ୍ତ ବାପାଙ୍କ ପୁରୁଣା ଜନତା ଦଳକୁ ଭାଙ୍ଗି ନୂଆ ଦଳ ଗଠନ କଲେ। ଦଳର ନାଁ ଦେଲେ ବିଜୁ ଜନତା ଦଳ। ଦଳଟି ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଉପରେ ପ୍ରତିଷ୍ଠିତ ବୋଲି ନବୀନବାବୁଙ୍କଠାରୁ ଆରମ୍ଭ କରି ତାଙ୍କ ଦଳର ବହୁ ନେତା ବହୁବାର କହିଛନ୍ତି ଓ କହି ଚାଲିଛନ୍ତି। ଏହି ଦଳର ସର୍ବମୟ କର୍ତ୍ତା ହେଉଛନ୍ତି ନବୀନବାବୁ। ଦଳ ଗଠନ ପରଠାରୁ ସେ ଏହି ପଦରେ ରହିଛନ୍ତି। କ୍ରମାଗତ ଅଷ୍ଟମ ଥର ପାଇଁ ନବୀନବାବୁ ଏହି ପଦଲାଭ କରିଛନ୍ତି ଓ ସେଥିପାଇଁ ସେ ରାଜ୍ୟବାସୀଙ୍କ ପ୍ରତି ଜ୍ଞାପନ କରିଛନ୍ତି ଓ କହିଛନ୍ତି ବିଜୁବାବୁ କହୁଥିଲେ ଲୋକଙ୍କ ଉପରେ ଶାସନ କରନାହିଁ, ସେମାନଙ୍କର ସେବକ ହୁଅ। ବିଜୁବାବୁ କହୁଥିଲେ, ନିର୍ବାଚନରେ ହାରଜିତ ଲାଗିଥାଏ। ନିର୍ବାଚନ ଜିତିବା ଅପେକ୍ଷା ଲୋକଙ୍କ ଭଲ ପାଇବା ଜିତ। ତାଙ୍କର ଆଞ୍ଚଳିକ ଦଳଟି ଏହି ଆଦର୍ଶରେ ଅନୁପ୍ରାଣୀତ ବୋଲି ସେ ସୂଚାଇଥିଲେ। ତେବେ ବିଜୁବାବୁଙ୍କର କେଉଁ ନୀତି ଓ ଆଦର୍ଶ ଅନୁସାରେ ଏଯାଏଁ ନବୀନବାବୁ ଦଳ ଓ ସରକାର ପରିଚାଳନା କରିଛନ୍ତି ତାହା ସବୁବେଳେ ସନ୍ଦେହ ସୃଷ୍ଟି କରିଆସିଛି। ବିଭିନ୍ନ ସମୟରେ ତାଙ୍କରି ଦଳର କେତେକ ନେତା ଏଭଳି ପ୍ରଶ୍ନ ଉଠାଇଛନ୍ତି। ବିପକ୍ଷର କେତେକ ନେତା ମଧ୍ୟ ନବୀନବାବୁ ବିଜୁବାବୁଙ୍କର କେଉଁ ନୀତି ଓ ଆଦର୍ଶ ଅନୁସାରେ କାମ କରୁଛନ୍ତି ସେ ପ୍ରଶ୍ନ ପଚାରିଛନ୍ତି। ନବୀନବାବୁ କ୍ରମାଗତ ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳ ବା ବିଜେଡି ସଭାପତି ଦାୟିତ୍ୱ ନେବା ପରେ ବିଜୁ ଓ ନବୀନଙ୍କ ମଧ୍ୟରେ ରହିଥିବା ନୀତି ଓ ଆଦର୍ଶଗତ ପାର୍ଥକ୍ୟର କେତେକ ବିନ୍ଦୁ ଏଠାରେ ଉଲ୍ଲେଖ କରାଯାଇପାରେ। ୧. ବିଜୁବାବୁ ରାଜନୀତିରେ ‘ଏକ ବ୍ୟକ୍ତି ଏକ ପଦବୀ’ ନୀତିରେ ବିଶ୍ୱାସ କରୁଥିଲେ। ଜଣେ ଲୋକ ହାତରେ ଦଳ ଓ ସରକାରର ସବୁ କ୍ଷମତା ଠୁଳ ହେଉ, ଏହା ସେ ଚାହୁଁ ନଥିଲେ। ସେଥିପାଇଁ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଥିଲାବେଳେ କାମରାଜ ଯୋଜନାକୁ ଆଗେ କାର୍ଯ୍ୟକାରୀ କରିଥିଲେ ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୧୯୬୦ ଦଶକରେ ସେ ମାତ୍ର ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହି ଏହି ପଦତ୍ୟାଗ କରିଥିଲେ ଓ ଅନୁଗତ ବୀରେନ ମିତ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ନିଜେ ଦଳ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ୧୯୯୦ରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ପରେ ନିଜେ ଜନତା ଦଳର ରାଜ୍ୟ ସଭାପତି ପଦ ତ୍ୟାଗ କରି ଅନୁଗତ ଅଶୋକ ଦାସଙ୍କୁ ସେହି ପଦରେ ବସାଇଥିଲେ। ୧୯୯୫ ନିର୍ବାଚନରେ ପରାସ୍ତ ହେବା ପରେ ବିଜୁବାବୁ ବିଧାୟକ ପଦରୁ ଇସ୍ତଫା ଦେଇ ସାଂସଦ ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ମଧ୍ୟ ଅଶୋକବାବୁ ରାଜ୍ୟ ଜନତା ଦଳର ସଭାପତି ପଦରେ ଥିଲେ। ଏପରିକି ବିଜୁବାବୁଙ୍କ ଦେହାନ୍ତ ପରେ ନବୀନବାବୁ ରାଜ୍ୟ ଜନତା ଦଳର ବିଧାୟକ ଦଳରେ ବିଭାଜନ ଘଟାଇ ନୂଆ ଦଳ ଗଠନ କରିବା ସମୟରେ ମଧ୍ୟ ଅଶୋକବାବୁ ଜନତା ଦଳର ସଭାପତି ଥିଲେ। ଅଥଚ ନବୀନବାବୁ ବିଜୁ ଜନତା ଦଳ ଗଠନ ଦିନରୁ ଏଯାବତ ଏହି ଦଳର ସଭାପତି ଓ ୨୦୦୦ ମସିହାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହିପରି ଦୁଇଟି ପଦରେ ରହି ଆସିଛନ୍ତି। ୨୦୦୦ ପୂର୍ବରୁ ମଧ୍ୟ ସେ ଦଳର ସଭାପତି ଥାଇ କେନ୍ଦ୍ରରେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ୨. ପ୍ରଥମେ ଭାରତୀୟ ଜନସଂଘରେ ଥିବା ଓ ପରେ ଭାରତୀୟ ଜନତା ପାର୍ଟି ଗଠନ କରିଥିବା ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ବିଜୁବାବୁଙ୍କର ବ୍ୟକ୍ତିଗତ ବନ୍ଧୁତା ଥିଲା। ବିଜୁବାବୁ ଉଭୟ ବାଜପେୟୀ ଓ ଆଡ଼ଭାନୀଙ୍କୁ ଭଲ ପାଇବା ସହିତ ସମ୍ମାନ କରୁଥିଲେ। ସେ ଦୁହେଁ ମଧ୍ୟ ବିଜୁବାବୁଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ସମ୍ମାନ ପ୍ରଦର୍ଶନ କରୁଥିଲେ। ହେଲେ, ଆଦର୍ଶଗତ ଦୃଷ୍ଟିକୋଣରୁ ବିଜୁବାବୁ କେବେ ବି ଭାରତୀୟ ଜନସଂଘ ଏବଂ ଭାରତୀୟ ଜନତା ପାର୍ଟି ସହିତ ରାଜନୀତିକ ସଂପର୍କ ରଖିବାକୁ ଭଲ ପାଉ ନଥିଲେ। ବରଂ ସେ ଏହାକୁ ତୀବ୍ର ବିରୋଧ କରୁଥିଲେ। ସେ ସବୁବେଳେ କହୁଥିଲେ ସେମାନେ ହେଉଛନ୍ତି ଗାନ୍ଧୀ ମହାତ୍ମାଙ୍କ ହତ୍ୟାକାରୀ। ବିଜୁବାବୁ ବ୍ୟକ୍ତିଗତ ଭାବେ ଟିକେ ଉଗ୍ର ସ୍ୱଭାବର ହୋଇଥିଲେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ରାଜନୀତିକ ଚିନ୍ତାଧାରା ଓ ଆଦର୍ଶ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା। ସେଥିପାଇଁ ସେ ୧୯୬୯ରୁ ୧୯୭୭ ଏବଂ ପରେ ୧୯୮୦ରୁ ୧୯୯୦ ଯାଏଁ ଘଟଣାବହୁଳ ରାଜନୀତିକ ଜୀବନ ଭିତରେ ଅନେକ ଝଡ଼ଝଞ୍ଜା ଓ ଘାତପ୍ରତିଘାତର ସମ୍ମୁଖୀନ ହୋଇଥିଲେ ମଧ୍ୟ କେବେ ଜନସଂଘ କିମ୍ବା ବିଜେପି ସହିତ ରାଜନୀତିକ ବୁଝାମଣା କରିନଥିଲେ। ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିକୁ ବିରୋଧ କରିଥିଲେ। ସେହ ସମୟରେ ବାଜପେୟୀ ଓ ଆଡ଼ଭାନୀ ପ୍ରମୁଖ ଦକ୍ଷିଣପନ୍ଥୀ ନେତାମାନେ ମଧ୍ୟ ଜରୁରୀ ପରିସ୍ଥିତିର ଘୋର ବିରୋଧୀ ଥିଲେ। ସେଥିପାଇଁ ସମସ୍ତେ ଜେଲ୍‌ ଯାଇଥିଲେ। ପରେ ଜାତୀୟ ଆବଶ୍ୟକତା ଦୃଷ୍ଟିରୁ ଜନସଂଘ ଓ କଂଗ୍ରେସ ଛାଡ଼ିଥିବା ବହୁ ନେତା ମିଶି ଜନତା ପାର୍ଟି ଗଠନ କରିଥିଲେ। ଏହି ପାର୍ଟି ଯେଉଁ ସରକାର ଗଠନ କରିଥିଲା ତାହାର ପ୍ରଧାନମନ୍ତ୍ରୀ ହୋଇଥିଲେ ମୋରାରଜୀ ଦେସାଇ। ତାଙ୍କ ମନ୍ତ୍ରିମଣ୍ଡଳରେ ବାଜପେୟୀ ଓ ଆଡ଼ଭାନୀଙ୍କ ସହିତ ବିଜୁବାବୁ ମଧ୍ୟ ମନ୍ତ୍ରୀ ଥିଲେ। କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଜନତା ପାର୍ଟିର ସଦସ୍ୟ ବିବାଦ ନେଇ ଜନତା ପାର୍ଟିରେ ଫାଟ ସୃଷ୍ଟି ହୋଇଥିଲା। ରାଜ ନାରାୟଣ ଓ ଚରଣ ସିଂହ ପ୍ରମୁଖ କହୁଥିଲେ ସମସ୍ତେ କେବଳ ଜନତା ପାର୍ଟିର ସଦସ୍ୟ ହେବେ। ଯେଉଁମାନେ ଜନତା ପାର୍ଟିର ସଦସ୍ୟ ହେବେ ସେମାନଙ୍କୁ ଆରଏସଏସ ସଦସ୍ୟତା ଛାଡ଼ିବାକୁ ହେବ। ଏହାକୁ ନେଇ ପାର୍ଟିରେ ବିଭାଜନ ଘଟିଥିଲା। ବିଜୁବାବୁ ଏହି ପ୍ରଶ୍ନ ଉଠାଇଥିବା ଚରଣ ସିଂହଙ୍କ ସହିତ ରହିଥିଲେ। କିନ୍ତୁ ନବୀନବାବୁ ଖାସ୍‌ ବିଜେପି ସହିତ ମେଣ୍ଟ ବାନ୍ଧିବା ପାଇଁ ହିଁ ଜନତା ଦଳରେ ବିଭାଜନ ଘଟାଇଥିଲେ। ପରେ ସେ ୨୦୦୯ ମସିହାରେ ବିଜେପି ହାତ ଛାଡ଼ିଥିଲେ ମଧ୍ୟ ୨୦୧୪ ପରଠାରୁ ପୁଣି ଥରେ ଏହି ଦଳର ନିକଟବର୍ତ୍ତୀ ହୋଇଛନ୍ତି ଓ ଏବେ ତ ବିଜେପି ସହିତ ତାଙ୍କ ଦଳର ବିଶେଷ କିଛି ପାର୍ଥକ୍ୟ ନଥିବା ବେଶ୍‌ ଲକ୍ଷଣୀୟ। ବିଜୁବାବୁ ରାଜନୀତିକ ଆଦର୍ଶ ଆଗରେ ରାଜନୀତିକ କ୍ଷମତାକୁ ତୁଚ୍ଛ ମଣୁଥିଲେ। ନବୀନବାବୁଙ୍କ ପାଇଁ କ୍ଷମତା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ କଂଗ୍ରେସ ଓ ବିଜେପିର ଜାତୀୟ ସ୍ତରୀୟ ନେତାମାନଙ୍କ ସହିତ ତାଙ୍କର ସଂପର୍କ ବା ଉପା ଓ ଏନଡିଏ ସରକାର ସହିତ ତାଙ୍କର ଭାବଦୋସ୍ତି ଆଉ ପ୍ରମାଣର ଅପେକ୍ଷା ରଖେ ନାହିଁ। ୩. ବିଜୁବାବୁ ଓଡ଼ିଶାର ‘ସ୍ୱାଭିମାନ ଓ ସମୃଦ୍ଧି’ କଥା କହୁଥିଲେ। ଏହି ସ୍ଲୋଗାନ ଦେଇ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ଗଠନ କରିଥିଲେ। ଶେଷ ଯାଏଁ ସେ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି କଥା କହୁଥିଲେ। ତାଙ୍କର ଘନିଷ୍ଟ ସହଯୋଗୀ ପ୍ରଫୁଲ୍ଲ ଘଡ଼ାଇ, ଦାମୋଦର ରାଉତ, ଅଶୋକ ଦାସ, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ ବହୁ ନେତା ତାଙ୍କର ଗୁଣକୀର୍ତ୍ତନ କରିବା ସମୟରେ କହିଥାନ୍ତି ଯେଉଁମାନେ ତାଙ୍କ ମୁହଁରେ ଜବାବ ଦିଅନ୍ତି ସେ ସେମାନଙ୍କୁ ଖୁବ ଭଲ ପାଆନ୍ତି। କହନ୍ତି, ପିଲାର ସାହସ ଅଛି। ଏମିତି ନଜୀର ଅନେକ ଅଛି। ଓଡ଼ିଆମାନେ ପୁଣି ଥରେ ସମ୍ରାଟ ଖାରବେଳଙ୍କ ପରି ସ୍ୱାଭିମାନୀ ହୁଅନ୍ତୁ ବୋଲି ସେ ଚାହୁଁଥିଲେ। ସମ୍ରାଟ ଖାରବେଳ ଯେପରି ପ୍ରାଚୀନ କଳିଙ୍ଗ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଥିଲେ, ମଗଧରୁ ଜୀନମୂର୍ତ୍ତି ଫେରାଇ ଆଣିଥିଲେ, ଓଡ଼ିଆମାନେ ସେହିପରି ଏକ ବୀରଜାତିରେ ପୁନଃ ସଂଗଠିତ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଉଥିଲେ। ପ୍ରାଚୀନ କଳିଙ୍ଗର ସାଧବମାନେ ଯେପରି ଦରିଆପାରି ବାଣିଜ୍ୟ ଜରିଆରେ କଳିଙ୍ଗ ସାମ୍ରାଜ୍ୟକୁ ବିତ୍ତଶାଳୀ କରିଥିଲେ ଓଡ଼ିଆମାନେ ପୁଣି ଥରେ ସେହିପରି ଧନୀ ହୁଅନ୍ତୁ ବୋଲି ସେ ସ୍ୱପ୍ନ ଦେଖୁଥିଲେ। ସେଇ ଉଦ୍ଦେଶ୍ୟରେ ସେ ପ୍ରଥମ ଜୀବନରେ ଯେତେ ବ୍ୟାବସାୟିକ ସଂସ୍ଥା ଗଢ଼ିଥିଲେ ସେସବୁର ନାମ କଳିଙ୍ଗ ଦେଇଥିଲେ। ଓଡ଼ିଶାର ପ୍ରକୃତିଦତ୍ତ ଖଣିଜ ସଂପଦକୁ ବ୍ୟବହାର କରି ଓଡ଼ିଶାକୁ ବିକାଶ ଓ ସମୃଦ୍ଧିର ଶୀର୍ଷ ସୋପାନରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା। ଏଇ ଉଦ୍ଦେଶ୍ୟରେ ଯେ ଓଡ଼ିଆ ଉଦ୍ୟୋଗୀଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଥିଲେ। ଓଡ଼ିଶାର ପ୍ରଚୁର ଖଣିଜ ସଂପଦରୁ ଲାଭ ଉଠାଇବା ପାଇଁ ୧୯୫୬ରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗରେ ଆରମ୍ଭ ହୋଇଥିଲା ଓଡ଼ିଶା ଖଣି ନିଗମ। କିନ୍ତୁ ଖାସ୍‌ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଓ ସମୃଦ୍ଧି ପାଇଁ ବିଜୁବାବୁ ୧୯୬୧ ମସିହାରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶା ଖଣି ନିଗମକୁ ସଂପୂର୍ଣ୍ଣ ଭାବେ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣକୁ ଆଣିଥିଲେ। କିନ୍ତୁ ନବୀନବାବୁଙ୍କ ଗଲା ୨୦ ବର୍ଷର ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶାର ଅନେକ ଖଣି ଅଣଓଡ଼ିଆ ଲୋକଙ୍କ ହାତକୁ ଚାଲିଯିବାରେ ଲାଗିଛି। ଏପରିକି ଓଡ଼ିଶା ଖଣି ନିଗମର ଅନେକ ଖଣିକୁ ମଧ୍ୟ ବ୍ୟାବସାୟିକ ଷଡ଼ଯନ୍ତ୍ର ଜରିଆରେ ଅଣଓଡ଼ିଆ ଉଦ୍ୟୋଗପତିଙ୍କ ସେବାରେ ଲଗାଇ ଦିଆଯାଇଛି। ଏପରିକି ବ୍ୟକ୍ତିଗତ ଆକ୍ରୋଶରୁ ଅନେକ ଓଡ଼ିଆ ଶିଳ୍ପପତି ଓ ବ୍ୟବସାୟୀଙ୍କ ବିରୋଧରେ ନବୀନବାବୁଙ୍କ ବିଜେଡି ସରକାର ଅନେକ ପ୍ରକାର ଅଯୌକ୍ତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହଇରାଣ ହରକତ କରିଛନ୍ତି। ୪. ବିଜୁବାବୁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅନୁସାରେ ଗ୍ରାମ ସ୍ୱରାଜକୁ ଅଧିକ ଗୁରୁତ୍ୱ ଦେଉଥିଲେ। ପ୍ରତି ଗାଁ ବା ପଞ୍ଚାୟତକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଓ ରାଜନୀତିକ ଦୃଷ୍ଟିକୋଣରୁ ସ୍ୱାଭିମାନୀ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। ତେଣୁ ସେ ୭୩ତମ ସମ୍ବିଧାନ ସଂଶୋଧନ ପୂର୍ବରୁ ଓଡ଼ିଶାରେ ପଞ୍ଚାୟତିରାଜ ଆଇନ ପ୍ରଣୟନ କରିଥିଲେ ଓ ସେଥିରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ଥିଲା। ପରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ୨୯ଟି ବିଭାଗର କ୍ଷମତା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ତାଙ୍କ ସମୟରେ ଉଦ୍ୟମ ଆରମ୍ଭ ହୋଇଥିଲା। କିନ୍ତୁ ସେ କ୍ଷମତା ହରାଇବା ପରେ ଏହି ପ୍ରକ୍ରିୟା ଏଯାଏଁ ଅଧୁରା ରହିଛି। ନବୀନବାବୁଙ୍କ ଦୀର୍ଘ ୨୦ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସତ୍ତ୍ୱେ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସେମାନଙ୍କର ସାମ୍ବିଧାନିକ କ୍ଷମତା ହାସଲ କରିପାରି ନାହାନ୍ତି। ଗ୍ରାମସଭା ଆଦୌ କାମ କରୁନାହିଁ କହିଲେ ଚଳେ। ପେସା ଆଇନ କାଗଜପତ୍ରରେ ଲାଗୁ ହୋଇଛି। ତଫସିଲଭୁକ୍ତ ଅଞ୍ଚଳରେ ଗ୍ରାମସଭାର ବିନା ଅନୁମତିରେ ଜମିସବୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଟେକି ଦିଆଯାଉଛି। ନିୟମଗିରି ଥିଲା ଏହାର ଜ୍‌ଆଳନ୍ତ ଉଦାହରଣ। ୫. ମଦ୍ୟ ପ୍ରସାରଣ ଯୋଗୁଁ ରାଜ୍ୟର ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ଲୋକମାନେ ଅଧିକରୁ ଅଧିକ ଗରୀବ ହେଉଛନ୍ତି ବୋଲି ବିଜୁବାବୁ ବୁଝିଥିଲେ। ତେଣୁ ସେ ସଂପୂର୍ଣ୍ଣ ନିଶା ନିବାରଣ କରିପାରିନଥିଲେ ମଧ୍ୟ ଆଦିବାସୀ ଅଞ୍ଚଳରେ ଦେଶୀ ମଦଭାଟି ବ୍ୟବସ୍ଥା ରଦ୍ଦ କରିଥିଲେ। ନିଜ ଅଞ୍ଚଳରେ ମଦଭାଟି ଭାଙ୍ଗିବାକୁ ଆଦିବାସୀ ମହିଳାମାନଙ୍କୁ ପୁଲିସ କ୍ଷମତା ଦେଇଥିଲେ। ନବୀନବାବୁଙ୍କ ସମୟରେ ମଦ ବିରୋଧରେ ଆନ୍ଦୋଳନ କରୁଥିବା ମହିଳାମାନଙ୍କୁ ଗୁଳିମାଡ଼ ଖାଇବାକୁ ପଡ଼ୁଛି। ମଦ ଦୋକାନ ସଂଖ୍ୟା କମିବ କ’ଣ ପ୍ରତିବର୍ଷ ବଢ଼ି ବଢ଼ି ଏବେ ୪ ହଜାର ଛୁଇଁଲାଣି। ଆଗାମୀ କେତେ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ୧୦ ହଜାର ମଦ ଦୋକାନ ଖୋଲିବାକୁ ଅବକାରୀ ନୀତି ପ୍ରସ୍ତୁତ ହେଉଛି। ରାଜ୍ୟରେ ପଞ୍ଚାୟତ ସଂଖ୍ୟା ବି ଏତେ ନୁହେଁ। ସରକାରୀ ଡାକ୍ତରଖାନା ଓ ହାଇସ୍କୁଲ ସଂଖ୍ୟା ଆହୁରି କମ୍‌। ୬. ବିଜୁବାବୁ ନିଜର ସମାଲୋଚକମାନଙ୍କୁ ଭଲ ପାଉଥିଲେ। ଯେଉଁମାନେ ତାଙ୍କୁ ଗାଳି କରିଛନ୍ତି, ନିନ୍ଦା କରିଛନ୍ତି ବା ସମାଲୋଚନା କରିଛନ୍ତି, ସେମାନଙ୍କୁ ସେ ରାଜନୀତିରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଡରିକି ନୁହେଁ, ସେମାନଙ୍କ ସାହସ ଓ ନୈତିକତା ପ୍ରତି ସମ୍ମାନ ପ୍ରଦର୍ଶନ କରି। ବିଜୁବାବୁ ଡରିବା ବ୍ୟକ୍ତି ନଥିଲେ। ସେ ଥିଲେ ସାହସର ପ୍ରତୀକ। ତାଙ୍କୁ ସମାଲୋଚନା କରିଥିବା ନେତାମାନଙ୍କୁ ସେ ଦଳରକୁ ବାହାର କରିନଥିଲେ ବରଂ ‘ଅବୁଝା ପୁଅ’ କହି କୋଳେଇ ନେଇଥିଲେ। କିନ୍ତୁ ବିଜୁ ଜନତା ଦଳରେ ନବୀନବାବୁଙ୍କ ନିନ୍ଦୁକମାନଙ୍କ କଥା ଛାଡ଼ନ୍ତୁ, ତାଙ୍କର ସମାଲୋଚକମାନଙ୍କର ମଧ୍ୟ ସ୍ଥାନ ନାହିଁ। ତାଙ୍କର ବା ତାଙ୍କ ସରକାରର କୌଣସି ଭୁଲ ନିଷ୍ପତ୍ତିକୁ ଯିଏ ବିରୋଧ କଲା ତା’ ଚେର କାଟିବା ପାଇଁ ତାଙ୍କ ନିର୍ଦ୍ଦେଶରେ ଦଳ ଓ ସରକାରରେ ଅନେକ ଲୋକ ବାହାରି ପଡ଼ନ୍ତି। ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ବୈଜୟନ୍ତ ପଣ୍ଡାଙ୍କ ଯାଏଁ ଏପରି ଅସହିଷ୍ଣୁ ରାଜନୀତିର ଶିକାର ହୋଇଥିବା ଅନେକ ନେତାଙ୍କ କଥା ଓଡ଼ିଶା ଦେଖିଛି। ୭. ବିଜୁବାବୁ ସବୁବେଳେ ଦଳ ତଥା ଓଡ଼ିଶା ପାଇଁ ଦ୍ୱିତୀୟ ପିଢ଼ିର ନେତା ଗଠନ କରୁଥିଲେ। ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ଘଡ଼ାଇ, ଦାମୋଦର ରାଉତ, ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଶରତ ଦେବ, ଏୟୁ ସିଂହଦେଓ, ଦିଲ୍ଲୀପ ରାୟ ପ୍ରମୁଖ ତାଙ୍କରି ବାହୁଛାୟା ତଳେ ରାଜନୀତିର ସୋପାନ ଚଢ଼ିଛନ୍ତି। କିନ୍ତୁ ନବୀନବାବୁ ୨୦ ବର୍ଷର ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ନିଜ ଦଳରେ ଦ୍ୱିତୀୟ ପିଢ଼ିର ନେତା ସୃଷ୍ଟି କରିନାହାନ୍ତି। ଡର କାଳେ କିଏ ପଦ ହରଣ କରିନେବ! ସେଥିପାଇଁ ସେ କେତେ ଥର କହିଲେଣି, ଓଡ଼ିଶାବାସୀ ତାଙ୍କର ଉତ୍ତରାଧିକାରୀ ବାଛିବେ। ଓଡ଼ିଶାବାସୀ କାହାକୁ ବାଛିବେ? ବିଜେଡିରେ ଏବେ ବିଜୁ ଆଦର୍ଶରେ ଅନୁପ୍ରାଣୀତ କେତେ ନେତା ଅଛନ୍ତି? ୮. ବିଜୁବାବୁ କହୁଥିଲେ ଜନତାଙ୍କ ପ୍ରତିନିଧି ହେଉଛନ୍ତି ସରକାର। ସରକାରୀ କର୍ମଚାରୀମାନେ ହେଉଛନ୍ତି ସେବାକାରୀ। ଯେଉଁ ସରକାରୀ କର୍ମଚାରୀ ଲୋକଙ୍କ କାମ କରୁନାହିଁ, ଦୁର୍ନୀତି କରୁଛି, ତାଙ୍କୁ ବାଡ଼େଇବାକୁ ମଧ୍ୟ ସେ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ। ନବୀନବାବୁଙ୍କ ଅମଳରେ ସରକାର ହୋଇଛି ଅମଲାତନ୍ତ୍ର। ବାବୁମାନେ ହିଁ ମୁଖ୍ୟମନ୍ତ୍ରୀଙ୍କ ଆଖି, କାନ, ନାକ। ସେମାନଙ୍କ ହାତରେ ଅର୍ଥ ଓ କ୍ଷମତା ଠୁଳ ହୋଇଥିବାବେଳେ ନେତାମାନେ ବାବୁଙ୍କ ବୋଲକରା ହୋଇଯାଇଛନ୍ତି।

Share :