ଭୂତାଣୁଠାରୁ ମାରାତ୍ମକ ଗୁଜବ

ଭୂତାଣୁଠାରୁ ମାରାତ୍ମକ ଗୁଜବ

Share :

ଡକ୍ଟର ପ୍ରଦୀପ ମହାପାତ୍ର ଚୀନର ମଧ୍ୟଭାଗରେ ଅବସ୍ଥିତ ହୁବେଲ ପ୍ରଦେଶର ଉହାନ ସହରରେ ୨୦୧୯ ଡ଼ିସେମ୍ୱର ଶେଷ ୨୦୨୦ ଜାନୁୟାରୀ ଆରମ୍ଭରୁ ମନୁଷ୍ୟ ଶରୀର ଶ୍ୱାସନଳୀରେ କରୋନା ଭୂତାଣୁ ସଂକ୍ରମଣ ମାର୍ଚ୍ଚ ସୁଦ୍ଧା ଆନ୍ତର୍ଜାତିକସ୍ତରରେ ବିସ୍ତୃତ ଅଞ୍ଚଳକୁ ବ୍ୟାପିଛି। ସମତାଳରେ ସଂକ୍ରମଣକୁ ନେଇ ଗୁଜବ ପ୍ରସାର ରୋଗ ତୁଳନାରେ ଅଧିକ ସାମାଜିକ ବିଶୃଙ୍ଖଳାର କାରଣ ପାଲଟିଛି। ଜନସାଧାରଣଙ୍କ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଅର୍ଥନୀତି, ପର୍ଯ୍ୟଟନ ଇତ୍ୟାଦି ଗୁଜବ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି। କରୋନା ଭୂତାଣୁ ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଥିବା ସ୍ଥଳେ ଗୁଜବ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମକୁ ଆଶ୍ରୟ କରିଛି। ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚ଼େତନତା ଓ ଚିକିତ୍ସା ଭିତ୍ତିଭୂମି ଦୁର୍ବଳ। ଅପରପକ୍ଷେ ଆମ ଦେଶରେ ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ଏବଂ ପ୍ରତି ତିନିଜଣ ଉପଭୋକ୍ତାଙ୍କ ମଧ୍ୟରେ ଦୁଇଜଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ହିସାବ କରାଯାଏ। କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଗୁଜବ ପ୍ରସାର ୨୦୨୦ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାମାଜିକସ୍ତରରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଅନୁଭବ କରାଯାଏ। ସମ୍ୱାଦପତ୍ର, ରେଡ଼ିଓ, ଟେଲିଭିଜନ ଭଳି ପାରମ୍ପରିକ ଗଣମାଧ୍ୟମରେ ବୃତ୍ତିଧାରୀ ସାମ୍ୱାଦିକମାନେ ସମ୍ୱାଦ ପରିବେଷଣରେ ସଂପୃକ୍ତ। ସମ୍ୱାଦଦାତା ଓ ସମ୍ପାଦକମାନେ ସମ୍ୱାଦ ଚ଼ୟନ, ରଚନା ଓ ପ୍ରସାରଣର ଦାୟିତ୍ୱ ତୁଲାଇଥାନ୍ତି। ତେବେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ଯେକୌଣସି ଉପଭୋକ୍ତା ବାର୍ତ୍ତା ପରିବେଷଣ ତଥା ପ୍ରସାରଣର ଅଧିକାର ଉପଭୋଗ କରେ। ଏଠାରେ ସଂଶୋଧନ କିମ୍ୱା ସମ୍ପାଦନାର ସୁଯୋଗ ଉପଲବ୍ଧ ନଥାଏ। କେତେକ ସାମାଜିକ ଗଣମାଧ୍ୟମ ମଞ୍ଚରେ ବାର୍ତ୍ତା ପରିବେଷଣ ଓ ପ୍ରସାରଣ ନିମନ୍ତେ ସଂପୃକ୍ତ ବ୍ୟକ୍ତି ଆଇନତଃ ଉତ୍ତରଦାୟୀ ରହିବା ପ୍ରାବଧାନ ଥିଲେହେଁ ଚ଼େତନା ଅଭାବରୁ ଅନେକ କ୍ଷେତ୍ରରେ ଆଇନ ଉଲଂଘନ ଦେଖିବାକୁ ମିଳେ। ହ୍ୱାଟସଆପ ଭଳି ଅନ୍ୟ କେତେକ ମେସେଞ୍ଜର ଆପ୍ଲିକେସନରେ ପ୍ରସାରିତ ବାର୍ତ୍ତା ତୃତୀୟପକ୍ଷ ତନଖି କରିବାର ସୁଯୋଗ ଅଭାବରୁ ଆଇନର ପରିସରଭୁକ୍ତ ହୋଇପାରେ ନାହିଁ। ଫଳରେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାର ନିମନ୍ତେ ଉର୍ବର କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶିଳ୍ପଉପଯୋଗୀ ମଦ୍ୟ ମିଶ୍ରିତ ସାବୁନ ଓ ଜେଲରେ ହାତ ସଫାକଲେ ଭୂତାଣୁ ସଂକ୍ରମଣ ରୋକାଯାଇପାରେ ବୋଲି ନିର୍ଦ୍ଦେଶନାମା ଜାରୀ ପରେ ଏକ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରସାରିତ ବାର୍ତ୍ତାରେ କୁହାଯାଇଥିଲା ଯେ ମଦ୍ୟ ପାନ କରୁଥିବା ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମିତ ହେବେ ନାହିଁ। ଦୀର୍ଘ ସମୟଧରି ଏହା ଭାଇରଲ ହେବା ପରେ ଭାରତ ସରକାରଙ୍କ ପରିଚାଳନାଧୀନ ପ୍ରେସ ଇନଫରମେସନ ବ୍ୟୁରୋ ପକ୍ଷରୁ ଏହାକୁ ଏକ ଗୁଜବ ବୋଲି ସ୍ପଷ୍ଟୀକରଣ ଦିଆଯାଇଥିଲା। ସେହିପରି ଅସମର୍ଥିତ ସୂତ୍ରରୁ ବିଭିନ୍ନ ଚିକିତ୍ସା ପଦ୍ଧତିରେ ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଭିଳି ସୂତ୍ର ସଂବଳିତ ବାର୍ତ୍ତାମାନ ଭାଇରଲ ହେବାରେ ଲାଗିଛି। ଏହାର ମୁକାବିଲା ନିମନ୍ତେ ସରକାରୀ ସ୍ତରରେ ପାରମ୍ପରିକ ଓ ଡିଜିଟାଲ ଉଭୟ ଶ୍ରେଣୀର ମଞ୍ଚଗୁଡ଼ିକରେ ବିଳମ୍ୱରେ ପ୍ରତିଷେଧକ ତଥ୍ୟ ସଂବଳିତ ବିଜ୍ଞାପନ ପରିବେଷଣ ଆରମ୍ଭ ହୋଇଛି। ଗୁଜବକୁ ରୋକିବା ଦିଗରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ସାମ୍ୱାଦିକ ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଉପଭୋକ୍ତାଙ୍କ ଅବଗତି ନିମନ୍ତେ ଗଣମାଧ୍ୟମ ବିଶେଷଜ୍ଞମାନେ ମାର୍ଗଦର୍ଶିକା ପ୍ରସ୍ତୁତ କରିଥାନ୍ତି। ପ୍ରଥମତଃ, ସାଧାରଣଜ୍ଞାନ ଉପଯୋଗରେ କୌଣସି ସମ୍ୱାଦ ଗୁଜବ ପ୍ରତୀୟମାନ ହେଉଥିଲେ ତାହାର ପ୍ରସାରଣ ତୁରନ୍ତ ରୋକିବା ସମସ୍ତଙ୍କ କର୍ତ୍ତବ୍ୟ। ସମ୍ୱାଦଟିର ସତ୍ୟାସତ୍ୟ ସ୍ଥାନୀୟ ଚିକିତ୍ସକ, ଯୋଗାଯୋଗ କରାଯାଇପାରୁଥିବା ବିଶେଷଜ୍ଞ କିମ୍ୱା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟରୁ ତନଖିବାକୁ ପଡ଼ିଥାଏ। ଗବେଷଣାରୁ ଜଣାଯାଏ ଯେ ଗୁଜବ ସତ୍ୟ ତୁଳନାରେ ଅନ୍ତତଃପକ୍ଷେ ସାତ ଗୁଣ କ୍ଷୀପ୍ରଗତିରେ ପ୍ରସାରିତ ହୋଇଥାଏ। ଏହି କାରଣରୁ ଗୁଜବ ସାମାଜିକ ଗଣମାଧ୍ୟମ ମଞ୍ଚରେ ପହଞ୍ଚିବା ପରେ ଖୁବ କମ ସମୟ ମଧ୍ୟରେ ଅଧିକ ସଂଖ୍ୟକ ପାଠକଙ୍କ ନିକଟତର ହେବା ଆଶଙ୍କା ରହିଥାଏ। ପୁଣି ଅସତ୍ୟ ବାରମ୍ବାର ଉଚ୍ଚାରିତ ହେବା ପରେ ତାହା ସାଧାରଣତଃ ବୃହତ ପାଠକ ମଣ୍ଡଳରେ ସତ୍ୟରୂପେ ଗୃହୀତ ହୋଇଥାଏ। ଗୁଜବ ପ୍ରତିହତ କରିବା ନିମନ୍ତେ ଯଥାସଂଭବ ତଥ୍ୟ ଆଧାରିତ ସତ୍ୟ ସମ୍ୱାଦ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ସ୍ଥାନିତ କଲେ ସୁଫଳ ମିଳେ। ଗୁଜବକୁ ଅସତ୍ୟ ବୋଲି ଚ଼ିହ୍ନଟ କରି ଅଭିମତ ପ୍ରକାଶନ ସ୍ୱାଗତଯୋଗ୍ୟ। ସମ୍ୱାଦଟି କାହିଁକି ଗୁଜବ ଶ୍ରେଣୀଭୁକ୍ତ ତାହାର କାରଣ ଦର୍ଶାଇବା ଦ୍ୱାରା ତାହା ଅନ୍ୟମାନଙ୍କଦ୍ୱାରା ସହଜରେ ଗୃହୀତ ହୋଇଥାଏ। ଦ୍ୱିତୀୟତଃ, ରୋଗବ୍ୟାଧି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ନିମନ୍ତେ ଜିଜ୍ଞାଷୁମାନେ ଅପେକ୍ଷା କରି ବସିଥାନ୍ତି। ଏହି ଆବେଗକୁ ମୂଳଧନ କରି ଗୁଜବ ବ୍ୟାପିଥାଏ। ଏତାଦୃଶ ପରିବେଶର ମୁକାବିଲା କରିବା ନିମନ୍ତେ ଉଭୟ ପାରମ୍ପରିକ ଓ ସାମାଜିକ ଗଣମାଧ୍ୟମରେ ସମ୍ୱାଦ ପରିବେଷଣ କରିବା ସମୟରେ ବହୁଳ ପ୍ରସାରିତ ସମ୍ୱାଦ ସୂତ୍ର ବଦଳରେ ଭୂତାଣୁ ସଂକ୍ରମଣ ସଂପର୍କରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ ଓ ପ୍ରସାରଣକୁ ଅଗ୍ରାଧିକାର ଦେବା ଉଚିତ। ପ୍ରତିକୂଳ ପରିବେଶରେ ବିପଦମୁକ୍ତ ହେବା ନିମନ୍ତେ ଜନସାଧାରଣ କ’ଣ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦେଇଥାନ୍ତି ଏ ସଂପର୍କରେ ତଥ୍ୟାବଳୀ ବାରମ୍ୱାର ପ୍ରକାଶ ସ୍ୱାଗତଯୋଗ୍ୟ। କାରଣ ଗୋଟିଏସ୍ତରର ପାଠକ, ଶ୍ରୋତା ବା ଦର୍ଶକ ସଂକ୍ରମଣ ରୋକିବାର ଉପାୟମାନ ସଂପର୍କରେ ଅବଗତ ହୋଇସାରିଥିବା ସ୍ଥଳେ ପରବର୍ତ୍ତୀ ସ୍ତରର ଉପଭୋକ୍ତା ଗଣମାଧ୍ୟମ ମଞ୍ଚଗୁଡ଼ିକରେ ପହଞ୍ଚିଥାନ୍ତି। ସମସ୍ତଙ୍କ ନିକଟରେ ଅନବରତ ସଠିକ ତଥ୍ୟ ବିତରଣ ଗୁଜବ ପ୍ରସାରକୁ ରୋକିଥାଏ। ଏହି କ୍ଷେତ୍ରରେ ପୁନରାବୃତ୍ତି ସ୍ଵାଗତଯୋଗ୍ୟ। ସଂକ୍ରମଣ କାଳରେ ସାଧାରଣ ପାଠକବର୍ଗ ଶରୀରର ରୋଗ ପ୍ରତିଷେଧକ ଶକ୍ତି, ଚିକିତ୍ସା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ପ୍ରଶାସନ ସଂପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହି ବିଷୟଗୁଡ଼ିକ ସାଧାରଣ ସମୟରେ ପାଠକ, ଦର୍ଶକ ଓ ଶ୍ରୋତାଙ୍କ ଦୃଷ୍ଟି ଆକର୍ଷଣ କରିନଥାଏ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ପର୍ଯ୍ୟାପ୍ତ ଆଲୋଚ଼ନାର ସୁଯୋଗ ସୃଷ୍ଟି ହୋଇଥାଏ। ତେବେ ସଂକ୍ରମଣର ସୁଦୂରପ୍ରସାର ପ୍ରଭାବ, ଯଥା ପାଣିପାଗ ପରିବର୍ତ୍ତନର ଭୂମିକା ଭଳି ବୌଦ୍ଧିକ ଆଲୋଚ଼ନା ପ୍ରାଥମିକ ଅବସ୍ଥାରେ ଏଡ଼ାଇ ଦେବା ଭଲ। ତୃତୀୟତଃ, ସଂକ୍ରମଣ ସଂପର୍କୀତ ରଚନାଗୁଡ଼ିକ ଅତିରଞ୍ଜିତ କରିବା, ଶିରୋନାମାରେ ବିଶେଷଣମାନ ଯୋଗ କରିବା ଅଯୌକ୍ତିକ। ସଂକ୍ରମଣ ହିଁ ଦୃଷ୍ଟି ଆକର୍ଷଣକାରୀ ବିଷୟ ଥିବା ସ୍ଥଳେ ଭାଷାଗତ କୌଶଳ ପ୍ରୟୋଗ ଅନାବଶ୍ୟକ। ଅପରପକ୍ଷେ ଅଧିକ ପରିସଂଖ୍ୟାନ ପ୍ରକାଶନ ପ୍ରତି ଧ୍ୟାନ ଦେଲେ ପାଠକୀୟ ଆଗ୍ରହ ବୃଦ୍ଧି ପାଇଥାଏ। ରୋଗ ସଂକ୍ରମଣ ସଂପର୍କରେ କେବଳ ଚିକିତ୍ସକଙ୍କ ଅଭିମତ ଉପସ୍ଥାପନ ବଦଳରେ ରୋଗୀଙ୍କ ଅନୁଭୂତି, ସଂପର୍କୀୟଙ୍କ ଅଭିମତ ଓ ଚିକିତ୍ସାରେ ପ୍ରତ୍ୟକ୍ଷଭାବେ ଜଡ଼ିତ ସେବିକାମାନଙ୍କ ମନ୍ତବ୍ୟ ମଧ୍ୟ ଗୁରୁତ୍ୱ ବହନ କରିଥାଏ। ସଂକ୍ରମଣ ବ୍ୟାପୁଥିବା ଅବସରରେ ଘନ ଘନ ନୂତନ ତଥ୍ୟାବଳୀ ଉନ୍ମୋଚ଼ିତ ହୋଇଥାଏ। ସେଗୁଡ଼ିକ ନିରନ୍ତର ପାଠକ, ଶ୍ରୋତା ଓ ଦର୍ଶକଙ୍କ ନିକଟରେ ପହୁଞ୍ଚାଇବା ଉଦ୍ୟମ ଅବ୍ୟାହତ ରହିବା ଆଶା କରାଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ‘କୋଭିଡ଼-୧୯’ ନାମିତ କରାଯାଇଛି। ଏହା ସାଧାରଣତଃ ଆମଦେଶରେ ବର୍ଷା ଓ ଶୀତ ଋତୁରେ ଦେଖାଦେଉଥିବା ଫ୍ଲୁ ରୋଗ ପର୍ଯ୍ୟାୟଭୁକ୍ତ। ପ୍ରତିବର୍ଷ ବିଶ୍ୱବ୍ୟାପୀ କୋଟି କୋଟି ଲୋକ ଫ୍ଳୁ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଗବେଷକମାନଙ୍କ ମତରେ ସଂଭବତଃ କୌଣସି ପଶୁପକ୍ଷୀଙ୍କ ଶରୀରରୁ ମନୁଷ୍ୟ ଶରୀରକୁ କରୋନା ଭୂତାଣୁ ସଂକ୍ରମିତ ହୋଇଛି। ସାଧାରଣ ଫ୍ଲୁ ଭୂତାଣୁ ସଂପର୍କରେ ଚିକିତ୍ସକମାନେ ଅବଗତ ଥିବା ସ୍ଥଳେ କରୋନା ଭୂତାଣୁ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ। ଏହି କାରଣରୁ ଚିକିତ୍ସା କିମ୍ୱା ପ୍ରତିଷେଧକ ବ୍ୟବସ୍ଥା ସଂଭବପର ହୋଇପାରୁ ନାହିଁ। ଅପରପକ୍ଷରେ ସାଧାରଣ ଫ୍ଳୁରେ ମୃତ୍ୟୁ ସଂଖ୍ୟା ମାତ୍ର ୦.୧ ପ୍ରତିଶତ ଥିବା ସ୍ଥଳେ ‘କୋଭିଡ଼-୧୯’ରେ ୩.୪ ପ୍ରତିଶତ ଗଣନା କରାଯାଉଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ବାରମ୍ୱାର ହାତ ଧୋଇବବା, ପରିଷ୍କାର ପରିଚ୍ଛନ୍ନତାପ୍ରତି ଦୃଷ୍ଟି ଦେବା ଏବଂ ହାତ ମୁହଁରେ ନଲଗାଇବା ତଥା ଗହଳିଆ ସ୍ଥାନରେ ଚଳପ୍ରଚଳନ ଏଡ଼ାଇବା ନିମନ୍ତେ ନିର୍ଦ୍ଦେଶନାମା ଜାରୀ କରାଯାଇଛି। ମୁହଁରେ ମୁଖ୍ୟତଃ ଆଖି, ନାକ ଓ ପାଟିରେ ବାରମ୍ୱାର ହାତ ମାରିବା ଆମ ଅଭ୍ୟାସ। ୨୦୧୫ରେ ଏକ ଚିକିତ୍ସା ବିଦ୍ୟାଳୟ ଶ୍ରେଣୀଗୃହରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆଚ଼ରଣ ଅନୁଧ୍ୟାନରୁ ଜଣାଯାଇଥିଲା ଯେ ହାରାହାରି ପ୍ରତ୍ୟେକ ବ୍ୟକ୍ତି ଘଣ୍ଟାରେ ୨୩ ଥର ମୁହଁରେ ହାତ ମାରିଥାନ୍ତି। ଏହି ଅଭ୍ୟାସ ଆମକୁ ବଦଳାଇବାକୁ ପଡ଼ିବ। କାରଣ କରୋନା ପରେ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ପ୍ରତିରୋଧରେ ମଧ୍ୟ ତାହା ସହାୟକ ହେବ।

Share :