କମିଶନ ପାଠ ପଢ଼େଇବେ? ନିଯୁକ୍ତି ଦେବେ?

କମିଶନ ପାଠ ପଢ଼େଇବେ? ନିଯୁକ୍ତି ଦେବେ?

ଦେବେନ୍ଦ୍ର ପୃଷ୍ଟି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭାରତୀୟ ଜନତା ପାର୍ଟିର ଅନେକ ରାଜ୍ୟ ସ୍ତରୀୟ ନେତା ରାଜ୍ୟରେ ତୁରନ୍ତ ପଛୁଆ ବର୍ଗ କମିଶନ ଗଠନ କରିବାକୁ ଦାବି କରୁଥିଲେ। କେବଳ ବିଜେପି ନେତା ନୁହନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଓ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରବକ୍ତାମାନେ ବାରମ୍ବାର ଏହି ଦାବି କରୁଥିଲେ। ଏହା ସହିତ ରାଜ୍ୟର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ନ୍ୟାୟ ଦେବା ପାଇଁ ତୁରନ୍ତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାକୁ ମଧ୍ୟ ଏହି ବର୍ଗର ଅନେକ ନେତା ଅନେକ ସମୟରେ ଦାବି କରି ଆସିଛନ୍ତି। କିନ୍ତୁ ରାଜ୍ୟ ସରକାର ବର୍ଷ ବର୍ଷ ଧରି ସେମାନଙ୍କର ଏହି ନ୍ୟାୟୋଚିତ ଦାବିକୁ ଅଣଦେଖା କରି ଆସିଛନ୍ତି। ଜାତୀୟ ପଛୁଆ ବର୍ଗ କମିଶନଙ୍କ ଅଧ୍ୟକ୍ଷ ଭଗବନାଲାଲ ସାହାଣୀ ଏନେଇ ତାଗିଦ କରିବା ପରେ ଓଡ଼ିଶା ସରକାରଙ୍କର ହଠାତ ପଛୁଆ ବର୍ଗ କଥା ମନେ ପଡ଼ିଲା ଓ ପଛୁଆ ବର୍ଗ କମିଶନ ଗଠନ ହେଲା। ଏହାର ଦୁଇ ଦିନ ପରେ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନରେ ଉଦବୋଧନ ଦେଇ ରାଜ୍ୟପାଳ ଗଣେଶୀ ଲାଲ ଓଡ଼ିଶା ସରକାରଙ୍କ ଅନୁମୋଦିତ ଭାଷଣ ପଢ଼ି ଶୁଣେଇଲେ ଓ କହିଲେ ତାଙ୍କ ସରକାର ଭୁବନେଶ୍ୱର ସମେତ ରାଜ୍ୟର ୧୪ଟି ସହରାଞ୍ଚଳରେ ୧୮୫ କୋଟି ଟଙ୍କା ବିନିମୟରେ ୧୦୦ଟି ଛାତ୍ରାବାସ ନିର୍ମାଣ କରିବେ ଓ ସେଥିରେ ୧୦ ହଜାର ପଛୁଆବର୍ଗ ଛାତ୍ରଛାତ୍ରୀ ରହିପାରିବେ। ରାଜ୍ୟ ସରକାରଙ୍କର ଏ ଦୁଇଟି ନିଷ୍ପତ୍ତି ରାଜ୍ୟର ପଛୁଆ ବର୍ଗ ଜନ ସାଧାରଣଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇ ପାରେ। ମାତ୍ର, ସଂରକ୍ଷଣ ସୁବିଧା ବିନା ଓଡ଼ିଶା ସରକାରଙ୍କର ଏହି ନିଷ୍ପତ୍ତି ଯେ କେବଳ ଏକ ରାଜନୀତିକ ଚାଲ୍‌ ତାହା ବେଶ୍‌ ସ୍ପଷ୍ଟ। କାରଣ ପଛୁଆ ବର୍ଗ କମିଶନ କାହାକୁ ପାଠ ପଢ଼େଇ ପାରିବେ ନାହିଁ କି ନିଯୁକ୍ତି ଦେଇପାରିବେ ନାହିଁ। ସେହିପରି, ଉଚ୍ଚ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ହାର ନବଢ଼ିଲେ ନିର୍ମାଣ ହେବାକୁ ଥିବା ଛାତ୍ରାବାସରେ ରହିବା ପାଇଁ ପଛୁଆ ବର୍ଗର ଛାତ୍ରଛାତ୍ରୀ ଆସିବେ କେଉଁଠୁ? ରହିବା ପାଇଁ ଛାତ୍ରଛାତ୍ରୀ ନମିଳିଲେ ହଷ୍ଟେଲଗୁଡ଼ିକ ଅସାମାଜିକଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେବାର ଆଶଙ୍କା ଅଧିକ। ରାଜ୍ୟରେ ପଛୁଆ ବର୍ଗର ଲୋକସଂଖ୍ୟା କେତେ ତାହା ଏଯାଏଁ ଗଣନା କରାଯାଇ ନାହିଁ। ବିଜେପି ତରଫରୁ ପଛୁଆ ବର୍ଗ କମିଶନ ଗଠନ ଓ ମଣ୍ଡଳ କମିଶନ ସୁପାରିଶ ଲାଗୁ କରିବା ଦାବି ଉଠିବାରୁ ରାଜ୍ୟ ସରକାର ବିଜେପିକୁ ବିଜେପି ବାଣରେ ମାରିବା ପାଇଁ ପଛୁଆ ବର୍ଗ ଜନ ଗଣନା କଥା ଉଠାଇଥିଲେ। ସେଥିପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଥିଲା। କେନ୍ଦ୍ର ସରକାର ଏବେ ପଛୁଆ ବର୍ଗ ଜନ ଗଣନା ହେବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ପଛୁଆବର୍ଗ ରାଜନୀତିରେ ସୁବିଧାଜନକ ପରିସ୍ଥିତିରେ ରହିଥିଲା ରାଜ୍ୟର ଶାସକ ବିଜୁ ଜନତା ଦଳ। କିନ୍ତୁ ଜାତୀୟ ପଛୁଆବର୍ଗ ଆୟୋଗ ଅଧ୍ୟକ୍ଷଙ୍କ ତାଗିଦ ପରେ ସେହି ସୁବିଧା ଅସୁବିଧାରେ ପରିଣତ ହେଲା ବୁଝି ରାଜ୍ୟ ସରକାର ତୁରନ୍ତ କମିଶନ ଗଠନ କଲେ ଓ ରାଜ୍ୟ ବିଧାନସଭାରେ ପଛୁଆ ବର୍ଗ ଜନ ଗଣନା ପାଇଁ ସଂକଳ୍ପ ଗ୍ରହଣ କରି ପୁଣି ଥରେ ବିଜେପିକୁ ଅଡ଼ୁଆରେ ପକାଇବାକୁ ନିଷ୍ପତ୍ତି ନେଲେ। ଦଳୀୟ ରାଜନୀତିକ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ଖେଳ ଖେଳି ପାରନ୍ତି। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳ ମଧ୍ୟ ସେଥିରେ ସାମିଲ ହୋଇପାରେ। ମାତ୍ର, ଏଭଳି ରାଜନୀତିକ ଖେଳରୁ ଓଡ଼ିଶାର ପଛୁଆ ବର୍ଗର ଲୋକମାନଙ୍କର କେଉଁ ସ୍ୱାର୍ଥ ସାଧନ ହେବ? ଏକଥା ସତ ଯେ ରାଜ୍ୟରେ ପଛୁଆବର୍ଗର ଲୋକସଂଖ୍ୟା କେତେ ତାହା ନିର୍ଦ୍ଦିଷ୍ଟ ଭାବେ ସରକାରଙ୍କୁ ଜଣାନାହିଁ। କାରଣ ଭାରତବର୍ଷରେ ଜାତିଭିତ୍ତିକ ଜନଗଣନା ୧୯୩୧ ମସିହା ପରେ ଆଉ ହୋଇନାହିଁ। କେବଳ ପଛୁଆବର୍ଗ ନୁହେଁ ରାଜ୍ୟରେ ବାସ୍ତବରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତିର ଲୋକଙ୍କ ସଂଖ୍ୟା କେତେ ତାହା ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ରାଜ୍ୟ ସରକାରଙ୍କୁ ଜଣାନାହିଁ। କିନ୍ତୁ ଏହି ଦୁଇ ବର୍ଗ ପାଇଁ ୧୯୩୧ ଜନଗଣନା ହାର ଅନୁସାରେ ସଂରକ୍ଷଣ ସୁବିଧା ଅବ୍ୟାହତ ରହିଛି। ରାଜ୍ୟରେ ତଫସିଲଭୁକ୍ତ ଜାତି ପାଇଁ ପ୍ରାୟ ୧୭ ପ୍ରତିଶତ ଓ ତଫସିଲଭୁକ୍ତ ଉପଜାତି ପାଇଁ ପ୍ରାୟ ୨୨ ପ୍ରତିଶତ ଏହିପରି ପ୍ରାୟ ୩୯ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହା ଅସାମ୍ବିଧାନିକ ନୁହେଁ। ଠିକ ସେହିପରି ପଛୁଆବର୍ଗର ଲୋକଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ମଧ୍ୟ ଅସାମ୍ବିଧାନିକ ନୁହେଁ। ପୁରୁଣା ଜନଗଣନା ହାର ଅନୁସାରେ ମଣ୍ଡଳ କମିଶନ କେନ୍ଦ୍ର ସରକାରଙ୍କୁ ଏହି ସୁପାରିଶ କରିଥିଲେ ଓ କଂଗ୍ରେସ ସରକାର ବହୁଦିନ ପକାଇ ରଖିବା ପରେ କେନ୍ଦ୍ରର ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାର ଏହି ସୁପାରିଶକୁ ଲାଗୁ କରିଥିଲେ। ଏହା ବିରୋଧରେ ସମଗ୍ର ଦେଶରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ତରଫରୁ ହିଂସାତ୍ମକ ଆନ୍ଦୋଳନ ଗଂଗଠିତ ହୋଇଥିଲେ ମଧ୍ୟ ସୁପ୍ରିମ କୋର୍ଟ ଏହାକୁ କାଏମ ରଖିଥିଲେ। କେନ୍ଦ୍ରର ନିଷ୍ପତ୍ତି ଓ ସୁପ୍ରିମ କୋର୍ଟଙ୍କ ରାୟ ପରେ ଭାରତବର୍ଷର ଅନେକ ରାଜ୍ୟରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ମାତ୍ର, ପୁରୁଣା ଜନଗଣନା ଅନୁସାରେ ପଛୁଆବର୍ଗ ଜନସଂଖ୍ୟା ହାର ପ୍ରାୟ ୫୪ ପ୍ରତିଶତ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଏହାର ଅଧା ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇପାରି ନାହିଁ। ଏବେ ଏହି ବର୍ଗ ପାଇଁ ଓଡ଼ିଶାରେ ୧୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ରାଜନୀତିକ ସ୍ତରରେ ବାରମ୍ବାର ଏହି ଦାବି ଉଠିଲେ ସରକାରଙ୍କ ପକ୍ଷରୁ ଗୋଟିଏ ଯୁକ୍ତି ସବୁବେଳେ କରାଯାଉଛି। ତାହା ହେଉଛି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୋଟ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଟପିବ ନାହିଁ। କିନ୍ତୁ ସୁପ୍ରିମ କୋର୍ଟଙ୍କର ଯେଉଁ ରାୟ ଅନୁସାରେ ରାଜ୍ୟ ସରକାର ଏପରି ଯୁକ୍ତି କରୁଛନ୍ତି ସେହି ରାୟରେ ଏକଥା ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଯଦି କୌଣସି ରାଜ୍ୟର ଜନତତ୍ତ୍ୱ ପଛୁଆ ବର୍ଗ ପାଇଁ ଅଧିକ ସଂରକ୍ଷଣ ହାର ପାଇଁ ଯୁକ୍ତିଯୁକ୍ତ ବୋଧହୁଏ ତେବେ ସୁପ୍ରିମ କୋର୍ଟଙ୍କ ଅନୁମତିରେ ରାଜ୍ୟ ସରକାର ତାହା କରିପାରନ୍ତି। ଓଡ଼ିଶାର ଜନତତ୍ତ୍ୱ ଭାରତବର୍ଷରେ ସ୍ୱତନ୍ତ୍ର। କାରଣ ଅନ୍ୟ କୌଣସି ରାଜ୍ୟରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ୪୦ ପ୍ରତିଶତରୁ ଅଧିକ ସଂରକ୍ଷଣ ସୁବିଧା ନାହିଁ। ଯେଉଁଠି ଅଛି ସେଠି ମୋଟ ସଂରକ୍ଷଣ ହାର ୫୦ ପ୍ରତିଶତ ଟପି ସାରିଛି। ସରକାରୀ ତଥ୍ୟ ଅନୁସାରେ ହରିଆନାରେ ଏବେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ୨୦ ପ୍ରତିଶତ, ବିଭିନ୍ନ ପ୍ରକାର ପଛୁଆ ବର୍ଗ ପାଇଁ ମୋଟ ଉପରେ ୩୬ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଉଛି। ଏହା ୫୦ ପ୍ରତିଶତରୁ ଅଧିକ। ଠିକ ସେହିପରି ତାମିଲନାଡ଼ୁରେ ତଫସିଲଭୁକ୍ତ ଜାତି ବା ଦଳିତଙ୍କ ପାଇଁ ୧୮ ପ୍ରତିଶତ, ତଫସିଲଭୁକ୍ତ ଉପଜାତି ବା ଆଦିବାସୀଙ୍କ ପାଇଁ ୧ ପ୍ରତିଶତ ଓ ଓବିସି ଓ ଏମବିସିଙ୍କ ପାଇଁ ଯଥାକ୍ରମେ ୩୦ ଓ ୨୦ ପ୍ରତିଶତ, ଏହିପରି ମୋଟ ଉପରେ ୬୯ ପ୍ରତିଶତ ସଂରକ୍ଷଣ ସୁବିଧା ଦିଆଯାଉଛି। ଝାରଖଣ୍ଡରେ ଦଳିତଙ୍କ ପାଇଁ ୧୧ ପ୍ରତିଶତ, ଆଦିବାସୀଙ୍କ ପାଇଁ ୨୭ ପ୍ରତିଶତ ଓ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ୨୨ ପ୍ରତିଶତ ଏହିପରି ମୋଟ ୬୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳିତ ରହିଛି। ମହାରାଷ୍ଟ୍ରରେ ଦଳିତଙ୍କ ପାଇଁ ୧୩ ପ୍ରତିଶତ, ଆଦିବାସୀଙ୍କ ପାଇଁ ୭ ପ୍ରତିଶତ, ଏସଇବିସିଙ୍କ ପାଇଁ ୧୬ ପ୍ରତିଶତ, ବିଭିନ୍ନ ପ୍ରକାରର ଓବିସିଙ୍କ ପାଇଁ ୧୯ ପ୍ରତିଶତ, ଏବିସି ଓ ଏନଟି ବର୍ଗ ପାଇଁ ଯଥାକ୍ରମେ ୨ ଓ ୧୧ ପ୍ରତିଶତ ଏହିପରି ମୋଟ ୬୮ ପ୍ରତିଶତ ସଂରକ୍ଷଣ ସୁବିଧା ଦିଆଯାଉଛି। ମଧ୍ୟ ପ୍ରଦେଶରେ ଦଳିତଙ୍କ ପାଇଁ ୧୬ ପ୍ରତିଶତ, ଆଦିବାସୀଙ୍କ ପାଁ ୨୦ ପ୍ରତିଶତ ଓ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏହିପରି ମୋଟ ୬୩ ପ୍ରତିଶତ ସଂରକ୍ଷଣ ସୁବିଧା ଦିଆଯାଉଛି। ରାଜସ୍ଥାନରେ ଦଳିତଙ୍କ ପାଇଁ ୧୬ ପ୍ରତିଶତ, ଆଦିବାସୀଙ୍କ ପାଇଁ ୧୨ ପ୍ରତିଶତ ଓ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ୨୬ ପ୍ରତିଶତ ଏହିପରି ମୋଟ ୫୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ବିହାରରେ ଦଳିଙ୍କ ପାଇଁ ୧୫ ପ୍ରତିଶତ, ଆଦିବାସୀଙ୍କ ପାଇଁ ୧ ପ୍ରତିଶତ ଓ ଓବିସିଙ୍କ ପାଇଁ ୩୪ ପ୍ରତିଶତ ଏହିପରି ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଚଳିତ ଥିବାବେଳେ ୨୦୨୦ ଜାନୁଆରୀ ୧୩ ତାରିଖରେ ନୂତନ ଭାବେ ପଛୁଆ ବର୍ଗରେ ସାମିଲ ହୋଇଥିବା ଜାତିଗୁଡ଼ିକ ପାଇଁ ଆଉ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିବାକୁ ସଂକଳ୍ପ ଗ୍ରହଣ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ବିହାରର ସଂରକ୍ଷଣ ହାର ମଧ୍ୟ ୬୦ ପ୍ରତିଶତ ଛୁଇଁବ। ସେହିପରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରୁ ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମରେ କେବଳ ଆଦିବାସୀମାନଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ ହେଉଛି। ଯଦି ଉପରୋକ୍ତ ରାଜ୍ୟଗୁଡ଼ିକରେ ସଂରକ୍ଷଣ ହାର ୫୦ ପ୍ରତିଶତ ଟପିଛି ଓଡ଼ିଶାରେ କାହିଁକି ସେପରି ହୋଇପାରିବ ନାହିଁ? ଏଥିରୁ କ’ଣ ଏହା ସ୍ପଷ୍ଟ ନୁହେଁ ଯେ ଓଡ଼ିଶା ସରକାରଙ୍କ ଅପାରଗତା ବା ଅମନଯୋଗିତା କିମ୍ବା ଷଡ଼ଯନ୍ତ୍ର ଯୋଗୁଁ ରାଜ୍ୟରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇପାରି ନାହିଁ। ୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଛୁଆ ବର୍ଗ ଭୋଟ ହାସଲ କରିବା ପାଇଁ ବିଜେଡି ସରକାର ଏହି ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସରଂକ୍ଷଣ କରିବାକୁ ଏକ ଆଇନ ପ୍ରଣୟନ କରିଥିଲା। କିନ୍ତୁ ଏହି ଆଇନ ସପକ୍ଷରେ ରାଜ୍ୟ ପ୍ରାଶାସନିକ ନ୍ୟାୟାଧିକରଣ ଓ ହାଇକୋର୍ଟରେ ଉପଯୁକ୍ତ ଯୁକ୍ତି ଉପସ୍ଥାପନ କରା ନଯିବାରୁ ତାହା କାଟ୍‌ ଖାଇଥିଲା। ତାହାକୁ ଆଳ କରି ରାଜ୍ୟ ସରକାର ଚୁପ୍‌ ବସିଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ସଂରକ୍ଷଣ ହାର କିପରି ୫୦ ପ୍ରତିଶତ ଟପିଛି ତାହା ଓଡ଼ିଶା ସରକାର ଏଯାଏଁ ଅନୁଧ୍ୟାନ କରିନାହାନ୍ତି। ସେହି ରାଜ୍ୟଗୁଡ଼ିକର ସଂରକ୍ଷଣ ଆଇନ କିପରି ସମ୍ବିଧାନର ନବମ ପରିଚ୍ଛଦରେ ଅନ୍ତର୍ଭୁକ୍ତ ହୋଇଛି ତାହା ବି ବୋଧହୁଏ ରାଜ୍ୟ ସରକାରଙ୍କୁ ଜଣାନାହିଁ। ସରକାର ସେ ବିଷୟରେ ହେଜିଲେ ହୁଏତ ରାଜ୍ୟରେ ସେହି ପ୍ରକାର ପଦକ୍ଷେପ ଗ୍ରହଣ କରିପାରନ୍ତି। ଏବେ ତ ଏଥିପାଇଁ ପ୍ରକୃଷ୍ଟ ସମୟ। କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାର ମଧ୍ୟରେ ଭାବଗତ ସଂପର୍କ ଅତି ଉତ୍ତମ ସ୍ତରରେ ଅଛି। ଏବେ ଯଦି ରାଜ୍ୟ ସରକାର ଏ ଦିଗରେ ଏକ ତ୍ରୁଟିଶୂନ୍ୟ ଆଇନ ପ୍ରଣୟନ କରି ତାହାକୁ ସମ୍ବିଧାନର ନବମ ପରିଚ୍ଛଦରେ ସ୍ଥାନ ଦେବାକୁ ଚାହିଁବେ ତେବେ ମୋଦୀ ସରକାର ସେଥିରେ ସହଯୋଗ କରିବେ। ରାଜ୍ୟରେ ବିଜେପି ନେତାମାନେ ପଛୁଆ ବର୍ଗର ସ୍ୱାଥ ଓ ସଂରକ୍ଷଣ କଥା ବାରମ୍ବାର ଉଠାଉଥିବାରୁ କେନ୍ଦ୍ର ସରକାର ଯଦି ରାଜ୍ୟର ଆଇନକୁ ବିରୋଧ କରିବେ ତେବେ ବିଜେପିର କ୍ଷତି ହେବ। ତାହା ବିଜେଡ଼ି ପାଇଁ ଲାଭଦାୟକ ହେବ। ତାହା ନକରି ରାଜ୍ୟ ସରକାର କମିଶନ ଗଠନ କଲେ ବା ହଷ୍ଟେଲ ନିର୍ମାଣ କଲେ ସେଥିରେ ରାଜ୍ୟ ସରକାରଙ୍କ ମନୋନୀତ କିଛି ଅଧିକାରୀ ଓ ଠିକାଦାର ଲାଭ ପାଇବେ ସିନା ପଛୁଆବର୍ଗର ଲୋକମାନଙ୍କର ପ୍ରତ୍ୟକ୍ଷ ଲାଭ କିଛି ହେବନାହିଁ। ଶିକ୍ଷାନୁଷ୍ଠାନ ଓ ଚାକିରିରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଲେ ହିଁ ସେମାନଙ୍କର ସାମାଜିକ, ଶୈକ୍ଷିକ ଓ ଆର୍ଥନୀତିକ ସଶକ୍ତିକରଣ ହୋଇପାରିବ। ଅନ୍ୟ ସବୁ ବ୍ୟବସ୍ଥା କେବଳ ରାଜନୀତିକ ଚାଲ୍‌ ଓ ସାମାଜିକ ଚାଲ୍‌ବାଜି।

Share :