କରୋନା ଭାଇରସ୍‌ ଓ ଅଭିବ୍ୟକ୍ତିର ସ୍ୱାଧୀନତା

କରୋନା ଭାଇରସ୍‌ ଓ ଅଭିବ୍ୟକ୍ତିର ସ୍ୱାଧୀନତା

ଦେବେନ୍ଦ୍ର ପୃଷ୍ଟି ୨୦୧୯ ଡିସେମ୍ବର ଶେଷ ସପ୍ତାହ ବେଳକୁ କରୋନା ଭାଇରସ୍‌ ସଂପର୍କରେ ସୂଚନା ପାଇଥିଲେ ଚୀନର କେତେ ଜଣ ଡାକ୍ତର। ସେମାନଙ୍କ ମଧ୍ୟରେ ଜଣେ ହେଲେ ହୁବେଇ ପ୍ରଦେଶ ରାଜଧାନୀ ଉହାନ୍‌ର ଡାକ୍ତର ଲି ୱେନଲିଆଙ୍ଗ। ସେ ଡିସେମ୍ବର ୩୦ ତାରିଖରେ ହ୍ୱାଟ୍‌ସଆପ୍‌ ପରି ଏକ ଇଣ୍ଟର୍ନେଟ ସୁବିଧାରେ ଖୋଲା ଯାଇଥିବା ଏକ ଗ୍ରୁପ୍‌ରେ ଏ ବିଷୟରେ ସୂଚନା ଦେଇଥିଲେ। ନିଜର ଡାକ୍ତର ବନ୍ଧୁମାନଙ୍କୁ ସେ ସତର୍କ କରାଇ କହିଥିଲେ ଯେ କେତେକ ଟେଷ୍ଟ ରିପୋର୍ଟ ଦେଖି ତାଙ୍କର ସନ୍ଦେହ ହେଉଛି ଯେ ସାର୍ସ ପରି ଏକ ନୂଆ ଭାଇରସ ଆକ୍ରମଣ କରିଛି। ତେଣୁ ସମସ୍ତେ ରୋଗୀ ପରୀକ୍ଷା କରିବା ସମୟରେ ସମସ୍ତେ ସତର୍କତା ଅବଲମ୍ବନ କରନ୍ତୁ। ତାଙ୍କ ପରି ଆଉ ଆଠ ଜଣ ଡାକ୍ତର ମଧ୍ୟ ଏଭଳି ସୂଚନା ପାଇଥିଲେ। ସେତେବେଳେ ଯଦି ଚୀନ ସରକାର ବା ହୁବେଇ ରାଜ୍ୟର କର୍ତ୍ତୃପକ୍ଷ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରି ପ୍ରତିକାର ବ୍ୟବସ୍ଥା କରିଥାନ୍ତେ ତେବେ ହୁଏତ ଆଜି କରୋନା ଭାଇରସ୍‌ ବିଶ୍ୱ ସ୍ତରୀୟ ଆତଙ୍କରେ ପରିଣତ ହୋଇନଥାନ୍ତା। ଏବେ ସୁଦ୍ଧା କେବଳ ଚୀନରେ ଏହି ରୋଗରେ ୩୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଓ ୬୩୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଲାଣି। କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ନିଜେ ଡାକ୍ତର ଲି ୱେନଲିଆଙ୍ଗ। ଡାକ୍ତର ୱେନଲିଆଙ୍ଗଙ୍କ ମୃତ୍ୟୁ ପରେ ସମଗ୍ର ଚୀନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଟୁଇଟର ପରି ଚୀନର ଏକ ନିଜସ୍ୱ ସାମାଜିକ ଗଣମାଧ୍ୟମ ୱେବୋ ଓ ହ୍ୱାଟ୍‌ଆପ୍‌ ପରି ୱିଚାଟ୍‌ରେ ପ୍ରକାଶ ପାଇଥିବା ଅଧିକାଂଶ ମତ ଡାକ୍ତର ୱେନଲିଆଙ୍ଗଙ୍କୁ ଜଣେ ହିରୋ ଭାବେ ଉପସ୍ଥାପିତ କରିଛି। ତାଙ୍କ ପାଇଁ ସମସ୍ତ ଶୋକ ପ୍ରକାଶ କରିଛନ୍ତି। ପ୍ରାୟ ସବୁ ମତ ଚୀନ ସରକାରଙ୍କ ମତ ପ୍ରଦାନ କରିବାର ସ୍ୱାଧୀନତା ବିରୋଧୀ ଅଭିଯାନକୁ ନିନ୍ଦା କରିଛନ୍ତି। ସମସ୍ତ ଚାହିଁଛନ୍ତି ଅଭିବ୍ୟକ୍ତିର ସ୍ୱାଧୀନତା। କିନ୍ତୁ କାହିଁକି? କରୋନା ଭାରଇରସ ସଂକ୍ରମଣ ଏବଂ ଡାକ୍ତର ୱେନଲିଆଙ୍ଗଙ୍କ ମୃତ୍ୟୁ ସହିତ ଅଭିବ୍ୟକ୍ତିର ସ୍ୱାଧୀନତାର ସଂପର୍କ କ’ଣ? କାହିଁକି ଚୀନର ପ୍ରାୟ ୧୮ ଲକ୍ଷ ଲୋକ ୱେବୋ ୱେବସାଇଟ୍‌ରେ ଅଭିବ୍ୟକ୍ତିର ସ୍ୱାଧୀନତା ଦାବୀ କରିଛନ୍ତି? ଅଭିବ୍ୟକ୍ତିର ସ୍ୱାଧୀନତା କ’ଣ କରୋନା ଭାଇରସ୍‌ର ମହୌଷଧି? କଥା ହେଉଛି, ଡାକ୍ତର ୱେନଲିଆଙ୍ଗଙ୍କ ଚେତାବନୀକୁ ଚୀନ ସରକାର ସାଦରେ ଗ୍ରହଣ କରିବା ପରିବର୍ତ୍ତେ ସେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ତଦନ୍ତ କରାଇବାକୁ ସମର୍ଥନ କରିପାରି ନାହାନ୍ତି ଚୀନବାସୀ। ଡାକ୍ତର ୱେନଲିଆଙ୍ଗ ଯେଉଁ ସୂଚନା ପ୍ରଦାନ କରିଥିଲେ ଓ ଯାହା ଆଶଙ୍କା କରିଥିଲେ ତାହା ଏବେ ଭୟଙ୍କର ଭାବେ ସତ ହୋଇଛି। କିନ୍ତୁ ସେତେବେଳେ ମୁକ୍ତ ଜନମତ ବିରୋଧରେ ସବୁବେଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଏକଛତ୍ରବାଦୀ ଚୀନ ସରକାର ତାହାକୁ ସାମାଜିକ ଶୃଙ୍ଖଳା ବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରିଥିଲା। ସେଥିପାଇଁ ଡାକ୍ତର ୱେନଲିଆଙ୍ଗ ବିରୋଧରେ ତଦନ୍ତ ହୋଇଥିଲା। ତାଙ୍କୁ ବାରମ୍ବାର ଜେରା କରାଯାଇଥିଲା। ତାଙ୍କୁ ଜଣେ ଅପରାଧୀ ଭାବେ ଉପସ୍ଥାପିତ କରାଯାଇଥିଲା। ପରେ ଜାନୁଆରୀ ଦ୍ୱିତୀୟ ସପ୍ତାହ ବେଳକୁ ଯେତେବେଳେ କରୋଡ଼ା ଭାଇରସ୍‌ ସଂକ୍ରମଣ ସଂପର୍କରେ ଅଧିକରୁ ଅଧିକ ତଥ୍ୟ ମିଳିବାରେ ଲାଗିଲା ଓ ଲୋକଙ୍କର ମୃତ୍ୟୁ ହେଲା ସେତେବେଳେ ଯାଇଁ ସରକାରୀ କର୍ତ୍ତୃପକ୍ଷ ଚେତିଲେ ଓ ଡାକ୍ତର ଲି ୱେନଲିଆଙ୍ଗଙ୍କୁ କ୍ଷମା ପ୍ରାର୍ଥନା କଲେ। ମାତ୍ର, ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବହି ଯାଇଥିଲା। ଡାକ୍ତର ଲି ୱେନଲିଆଙ୍ଗ କେବଳ କରୋନା ଭାଇରସ ସଂପର୍କରେ ସୂଚନା ଦେଇନଥିଲେ। ସରକାରୀ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ସେ ମ୍ରିୟମାଣ ହୋଇନଥିଲେ। ସରକାରଙ୍କ ଉପରେ ଅଭିମାନ କରି ହେଉ ବା ନିଜର ସାମାଜିକ ଉତ୍ତରଦାୟିତ୍ୱ ପାଳନ କରିବାକୁ ହେଉ ସେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଲୋକଙ୍କର ଚିକିତ୍ସା କରିବାରେ ଅଧିକରୁ ଅଧିକ ସମୟ ଦେଲେ। ସେ ନିଜେ ଏହି ରୋଗର ବିଶେଷଜ୍ଞ ନୁହନ୍ତି। ସେ ଜଣେ ଅପ୍‌ଥାମୋଲଜିଷ୍ଟ। ମାତ୍ର, ଜଣେ ଡାକ୍ତର ଭାବେ ସେ ତାଙ୍କର ସାଧାରଣ ଜ୍ଞାନ ବ୍ୟବହାର କରି ରୋଗୀ ସେବା ଓ ପରାମର୍ଶ ବଜାୟ ରଖିଲେ। ଦିନ ଓ ରାତି ଏକ କରି ସେ ରୋଗୀମାନଙ୍କର ସେବା କଲେ। ଫଳ ଏଇଆ ହେଲା, ତାଙ୍କର ସମସ୍ତ ସତର୍କତା ସତ୍ତ୍ୱେ କରୋନା ଭାଇରସ୍‌ ଆକ୍ରମଣରୁ ସେ ନିଜକୁ ବଂଚାଇ ପାରିଲେ ନାହିଁ। ସେ ନିଜେ ଏହି ରୋଗରେ ଆକ୍ରାନ୍ତ ହେଲେ। ଚୀନ ସରକାରୀ କଳର ଘୋଷଣା ଅନୁସାରେ ଡାକ୍ତର ୱେନଲିଆଙ୍ଗଙ୍କର ଗୁରୁବାର ରାତି ୨ଟା ୫୮ ମିଟିଟ୍‌ରେ ଅର୍ଥାତ ଶୁକ୍ରବାର ପ୍ରତ୍ୟୁଷରେ ଦେହାନ୍ତ ହୋଇଯାଇଛି। ଡାକ୍ତର ୱେନଲିଆଙ୍ଗଙ୍କ ମୃତ୍ୟୁର ଏହି ସମୟ ମଧ୍ୟ ଏବେ ସନ୍ଦେହ ଘେରରେ। ପ୍ରଥମେ ଘୋଷଣା ହୋଇଥିଲା ଯେ ଗୁରୁବାର ରାତି ୯ ଘଣ୍ଟା ୩୦ ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ଏହି ଘୋଷଣା ପରେ ପରେ ଏତେ ଜନ ପ୍ରତିକ୍ରିୟା ପ୍ରକାଶ ପାଇଲା ଯେ କର୍ତ୍ତୃପକ୍ଷ ତୁରନ୍ତ ଘୋଷଣା ପ୍ରତ୍ୟାହାର କରି କହିଲେ ନା, ତାଙ୍କର ମୃତ୍ୟୁ ହୋଇନାହିଁ, ତାଙ୍କର ଅଧିକ ଚିକିତ୍ସା ଚାଲିଛି। ଜନମତକୁ ଭୟ କରୁଥିବା ବା ଜନମତକୁ ଚପେଇ ରଖି ଶାସନ କରିବାକୁ ଚାହୁଁଥିବା ଏକ ସରକାରୀ ବ୍ୟବସ୍ଥା ଶେଷରେ ସତକୁ ଆଉ ଅଧିକ ସମୟ ଲୁଚେଇ ପାରିଲେ ନାହିଁ। ରାତି ପାହିଲାବେଳକୁ ସମସ୍ତେ ସତ କ’ଣ ଜାଣିଲେ। ଯଦି ଡିସେମ୍ବର ଶେଷ ସପ୍ତାହରେ ଡାକ୍ତର ୱେନଲିଆଙ୍ଗଙ୍କର ଚେତାବନୀକୁ ଚୀନ ସରକାର ସକାରାତ୍ମକ ଆଭିମୁଖ୍ୟ ନେଇ ଗ୍ରହଣ କରିଥାନ୍ତେ ଓ କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥାନ୍ତେ ତେବେ ହୁଏତ ଏହା ଦେଶର ପ୍ରାୟ ଡଜନେ ସହରକୁ ବ୍ୟାପୀ ନଥାନ୍ତା କି ଉହାନ୍‌ ଓ ଅନ୍ୟ ସହରଗୁଡ଼ିକରୁ ଏତେ ଲୋକ ଅନ୍ୟତ୍ର ପଳାୟନ କରିନଥାନ୍ତେ। ବିଶ୍ୱରେ ଏହି ଭାଇରସ୍‌ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇନଥାନ୍ତା କି ଅନ୍ୟ କୌଣସି ଦେଶର ନାଗରିକମାନଙ୍କ ଚୀନ ଗସ୍ତ ଉପରେ କଟକଣା ଲାଗି ନଥାନ୍ତା। ସରକାର ଜଣେ ଡାକ୍ତରଙ୍କ ମତକୁ ଚପାଇ ଦେବାକୁ ଯାଇଁ ତାଙ୍କୁ ହଇରାଣ ହରକତ କରିବାରେ ସମୟ ନଷ୍ଟ କରି ଭାଇରସ୍‌ ସଂକ୍ରମଣ ପାଇଁ ସୁଯୋଗ ସୃଷ୍ଟି କଲେ। ସମୟ ମଧ୍ୟ ଗଡ଼ିଗଲା। ଏବେ ଏଇଆ ଅନୁଭବ କରୁଛନ୍ତି ଚୀନର ୧୪୦ କୋଟି ଲୋକ। ସେଥିପାଇଁ ସରକାରୀ କଟକଣା ସତ୍ତ୍ୱେ ସେମାନେ ଅଭିବ୍ୟକ୍ତିର ସ୍ୱାଧୀନତା ସପକ୍ଷରେ ମତ ପ୍ରକାଶ କରୁଛନ୍ତି। ଅବଶ୍ୟ, ଚୀନର ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ଲୋକମାନଙ୍କର ଏହି ମତକୁ ମଧ୍ୟ ଚପେଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଛି। ସେଥିପାଇଁ ଡାକ୍ତର ଆନଲିଆଙ୍ଗଙ୍କ ମୃତ୍ୟୁରେ ଶୋକରେ ଅଧିର ଓ ରୋଷରେ ଉତ୍‌କ୍ଷିପ୍ତ ପ୍ରାୟ ୧୮ ଲକ୍ଷ ଲୋକ ୱେବୋ ୱେବସାଇଟ୍‌ରେ ଅଭିବ୍ୟକ୍ତିର ସ୍ୱାଧୀନତା ଦାବି କରିବା ପରେ ଚୀନ ସରକାର ସେଗୁଡ଼ିକୁ ଡିଲିଟ୍‌ (ପୋଛି) ଦେଇଛନ୍ତି। ଏହି ଘଟଣାରୁ ଚୀନ ସରକାର ତ ଅନେକ ଶିକ୍ଷା ଗ୍ରହଣ କରିବା କଥା। ଭାରତ ଓ ଅନ୍ୟାନ୍ୟ ଦେଶର ସରକାର ମଧ୍ୟ ଏଥିରୁ ଅନେକ କିଛି ଶିକ୍ଷା କରିବାର ଅଛି। ଅଭିବ୍ୟକ୍ତିର ସ୍ୱାଧୀନତା ହେଉଛି ମଣିଷର ମୌଳିକ ଅଧିକାର। କାରଣ ରାଷ୍ଟ୍ର ହେଉ ବା ରାଷ୍ଟ୍ରୀୟ ସରକାର- ଏସବୁର ମୂଳଭିତ୍ତି ହେଉଛନ୍ତି ମଣିଷ। ଲୋକମାନଙ୍କୁ ଗୌଣ କରି ରାଷ୍ଟ୍ର ଓ ରାଷ୍ଟ୍ରୀୟ ବ୍ୟବସ୍ଥା ଶକ୍ତିଶାଳୀ ହୋଇପାରିବ ନାହିଁ, ହେବା ମଧ୍ୟ ଉଚିତ ନୁହେଁ। କାରଣ ଲୋକଙ୍କ ମତ ଓ ଅର୍ଥରେ ହିଁ ରାଷ୍ଟ୍ର ବା ରାଷ୍ଟ୍ରୀୟ ସରକାର ଗଠିତ ଓ ପରିଚାଳିତ ହୁଏ। ଯେଉଁ ଲୋକମାନଙ୍କର ମତ ହେଉଛି ରାଷ୍ଟ୍ର ଓ ରାଷ୍ଟ୍ରୀୟ ସରକାରର ଆଧାର, ଯେଉଁ ଲୋକମାନଙ୍କର ଟିକସ ହେଉଛି ରାଷ୍ଟ୍ରୀୟ ସରକାରର ସମ୍ବଳ, ସେହି ଲୋକମାନଙ୍କର ମତକୁ ରାଷ୍ଟ୍ର ବିରୋଧୀ ବା ରାଷ୍ଟ୍ରୀୟ ସରକାର ବିରୋଧୀ ଭାବେ ଚିତ୍ରଣ କରାଯିବା ଯେପରି ଗଣତନ୍ତ୍ର ବିରୋଧୀ ସେପରି ରାଷ୍ଟ୍ର ବିରୋଧୀ। ଏହା ସବୁ ପ୍ରକାର ପନ୍ଥୀ- ବାମପନ୍ଥୀ, ଦକ୍ଷିଣ ପନ୍ଥୀ, କେନ୍ଦ୍ର ପନ୍ଥୀ, ଆମେରିକା ପନ୍ଥୀ, ରୁଷ ପନ୍ଥୀ ଓ ଚୀନ ପନ୍ଥୀମାନେ ହେଜିବା ଦରକାର। (ସୌ- ଓଡ଼ିଶା ରିପୋର୍ଟର)

Share :