ନାଗରିକତା (ସଂଶୋଧନ) ଆଇନ, ୨୦୧୯ ବିଷୟରେ ବିସ୍ତୃତ ସୂଚନା

ନାଗରିକତା (ସଂଶୋଧନ) ଆଇନ, ୨୦୧୯ ବିଷୟରେ ବିସ୍ତୃତ ସୂଚନା

୧. ନାଗରିକତା ଆଇନ, ୧୯୫୫ରେ ଭାରତୀୟ ନାଗରିକତ୍ୱ ଗ୍ରହଣ, ବିବେଚନା ଓ ସମାପ୍ତି ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ନାଗରିକତ୍ୱ ଜନ୍ମ ଆଧାରରେ (ଧାରା-୩), ବଂଶ ଆଧାରରେ (ଧାରା ୪), ପଞ୍ଜିକରଣ ଆଧାରରେ (ଧାରା ୫), ନାଗରିକତା ଗ୍ରହଣ ଆଧାରରେ (ଧାରା ୬) କିମ୍ୱା କୌଣସି ଭୂଖଣ୍ଡ ସାମିଲ ହେବା ଆଧାରରେ (ଧାରା ୭) ଗ୍ରହଣ କରାଯାଇପାରିବ। ଯେକୌଣସି ବିଦେଶୀ ନିଜ ରାଷ୍ଟ୍ର ଓ ସମୁଦାୟ ନିର୍ବିଶେଷରେ ପଞ୍ଜିକରଣ କିମ୍ୱା ନାଗରିକତା ଗ୍ରହଣ ଆଧାରରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିପାରିବେ। ୨. ନାଗରିକତା (ସଂଶୋଧନ) ଆଇନ (ସିଏଏ), ୨୦୧୯ ଜରିଆରେ ତିନୋଟି ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ତେବେ ଜାତି, ଧର୍ମ, ବର୍ଣ୍ଣ, ବର୍ଗ ଆଦି ଆଧାରରେ କୌଣସି ବିଦେଶୀଙ୍କୁ ପଞ୍ଜିକରଣ ଅଥବା ନାଗରିକତା ଗ୍ରହଣ ଜରିଆରେ ଭାରତୀୟ ନାଗରିକ ହେବା ଲାଗି ଆବେଦନ କରିବା ନିମନ୍ତେ ପୂର୍ବରୁ ଥିବା ବ୍ୟବସ୍ଥାରେ କୌଣସି ସଂଶୋଧନ କରାଯାଇନାହିଁ। ସର୍ବନିମ୍ନ ଆଇନଗତ ଆବଶ୍ୟକତା ପୂରଣ କରିବା ପରେ ଏପରି ବିଦେଶୀ ଭାରତୀୟ ନାଗରିକତା ଗ୍ରହଣ ପାଇଁ ଆବେଦନ କରିପାରିବେ। ୩. ସିଏଏ ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ। ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉପିୀଡ଼ନର ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହା ଉଦ୍ଦିଷ୍ଟ। ୪. ଗତ ୬ ବର୍ଷ ମଧ୍ୟରେ ପାଖାପାଖି ୨୮୩୦ ପାକିସ୍ତାନୀ, ୯୧୨ ଆଫଗାନୀ ଓ ୧୭୨ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି। ଏମାନଙ୍କ ମଧ୍ୟରୁ ଶତାଧିକ ଏହି ତିନୋଟି ଦେଶର ସଂଖ୍ୟାଗରି ସମୁଦାୟରୁ ଆସିଛନ୍ତି। ଏପରି ଶରଣାର୍ଥୀଙ୍କୁ ଆଗକୁ ମଧ୍ୟ ଭାରତୀୟ ନାଗରିକତା ମିଳିବ ଏବଂ ପଞ୍ଜିକରଣ ଓ ନାଗରିକତା ଗ୍ରହଣ ଲାଗି ଆଇନରେ ରହିଥିବା ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁଥିଲେ ସେମାନଙ୍କୁ ନାଗରିକତା ମିଳିବାରେ କୌଣସି ଅସୁବିଧା ନାହିଁ। ୨୦୧୪ରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୀମା ଚୁକ୍ତି ହୋଇଥିଲା। ଏହାପରେ ୫୦ଟି ବାଂଲାଦେଶୀ କ୍ଷେତ୍ର ଭାରତୀୟ ଭୂଖଣ୍ଡରେ ସାମିଲ ହେଲା ଏବଂ ପାଖାପାଖି ୧୪, ୮୬୪ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇସାରିଛି। ୫. ୨୦୧୬ ପରଠାରୁ ନାଗରିକତା (ସଂଶୋଧନ) ବିଧେୟକକୁ ସର୍ବସମ୍ମୁଖରେ ରଖାଯାଇଛି। ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ନେଇ ଗଠିତ ୩୦ ଜଣିଆ ସଂସଦୀୟ କମିଟି ଏହାକୁ ମଞ୍ଜୁରି ଦେଇଛି। ବର୍ତ୍ତମାନର ଆଇନ ସମ୍ପୂର୍ଣ୍ଣ ଭାବେ ଏହି ବିଧେୟକ ଉପରେ ଆଧାରିତ। ୬. ୨୦୧୫-୧୬ରେ ଭାରତ ସରକାର କେତେକ ନିୟମରେ ସଂଶୋଧନ ଆଣିଥିଲେ। ଏହା ଜରିଆରେ ୨୦୧୪ ଡିସେମ୍ୱର ସୁଦ୍ଧା ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ନିର୍ଦ୍ଦିଷ୍ଟ ୩ଟି ଦେଶର ୬ଟି ସଂଖ୍ୟାଲଘୁ ସମୁଦାୟଙ୍କ ଭାରତରେ ପ୍ରବେଶ ଓ ରହଣିକୁ ଆଇନଗତ ମାନ୍ୟତା ଦିଆଯାଇଛି। ଭାରତ ସରକାର ଏପରି ଶରଣାର୍ଥୀଙ୍କୁ ଭାରତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା ଲାଗି ଦୀର୍ଘ ଅବଧି ଭିସା (ଏଲଟିଭି) ଜାରି କରିବା ନିମନ୍ତେ ମଧ୍ୟ ଯୋଗ୍ୟ ବିବେଚିତ କରିସାରିଛନ୍ତି। ୩୧ ଡିସେମ୍ୱର ୨୦୧୪ ପୂର୍ବରୁ ଏହି ତିନୋଟି ଦେଶରୁ ଦେଶାନ୍ତରିତ ହୋଇଥିବା ଶରଣାର୍ଥୀ ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରୁଥିଲେ ସେମାନେ ସିଏଏ ଜରିଆରେ ଭାରତୀୟ ନାଗରିକତା ପାଇପାରିବେ। ୭. ଭାରତକୁ ବାଧ୍ୟ ହୋଇ ଚାଲିଆସିଥିବା ଭାରତୀୟ ବଂଶୋଦ୍ଭବ ବିଦେଶୀଙ୍କୁ ଭାରତରେ ରହିବା ଏବଂ ନାଗରିକତା ପ୍ରଦାନ କରିବା ଲାଗି ଅତୀତରେ ବିଭିନ୍ନ ସମୟରେ ଭାରତ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉଦାହରଣ ସ୍ୱରୂପ ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୬ ଅନୁଯାୟୀ ୧୯ ଜୁଲାଇ, ୧୯୪୮ ପୂର୍ବରୁ ପାକିସ୍ତାନରୁ ଭାରତକୁ ଚାଲିଆସିଥିବା ଲୋକଙ୍କୁ ଭାରତୀୟ ନାଗରିକ ଭାବେ ମାନ୍ୟତା ଦିଆଯିବ। ଦ୍ୱିତୀୟରେ ଏହି ତାରିଖ କିମ୍ୱା ଏହା ପରେ ଦେଶାନ୍ତରିତ ହୋଇଥିବା ଲୋକଙ୍କୁ ମାତ୍ର ୬ ମାସ ଭାରତରେ ରହିବା ପରେ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ୮. ୧୯୬୪ ଏବଂ ୧୯୭୪ରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନ୍ତର୍ଜାତୀୟ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ୧୯୬୪ରୁ ୨୦୦୮ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ୪.୬୧ ଲକ୍ଷ ତାମିଲ ଲୋକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ପାଖାପାଖି ୯୫ ହଜାର ଶ୍ରୀଲଙ୍କା ଶରଣାର୍ଥୀ ତାମିଲନାଡ଼ୁରେ ରହୁଛନ୍ତି। ସେମାନେ ଭାରତ ସରକାର ଓ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ରାସନ ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି। ସେମାନେ ମଧ୍ୟ ଭାରତୀୟ ନାଗରିକ ହେବା ପାଇଁ ଯୋଗ୍ୟ ହେବା ପରେ ଏଥିପାଇଁ ଆବେଦନ କରିପାରିବେ। ୯. ୧୯୬୨ରୁ ୧୯୭୮ ମଧ୍ୟରେ ବର୍ମାରେ ଅଧିକାଂଶ ବାଣିଜ୍ୟ ଓ ବ୍ୟବସାୟକୁ ରାଷ୍ଟ୍ରାୟତ୍ତ ଘୋଷଣା କରାଯିବା ସହ ଭାରତୀୟ ବଂଶୋଦ୍ଭବଙ୍କ ସମ୍ପତିକୁ ସରକାର ବଳପୂର୍ବକ ଅକ୍ତିଆର କରିନେଲେ। ଏହା ପରେ ୨ ଲକ୍ଷରୁ ଅଧିକ ଭାରତୀୟ ବଂଶୋଦ୍ଭବ ବର୍ମାରୁ ଭାରତ ଚାଲିଆସିଲେ। ସେମାନେ ଭାରତର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ବସବାସ କଲେ। ୧୦. ୧୯୬୫ ଓ ୧୯୭୧ ଯୁଦ୍ଧ ଏବଂ ପାଂଚ ବର୍ଷ ପୂର୍ବରୁ ପାକିସ୍ତାନରୁ ଦେଶାନ୍ତର ହୋଇଥିବା ହିନ୍ଦୁ ଶରଣାର୍ଥୀଙ୍କୁ ପଞ୍ଜିକରଣ ମାଧ୍ୟମରେ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଗୁଜରାଟ ଓ ରାଜସ୍ଥାନର ୬ ଜିଲ୍ଲାପାଳ ତଥା ଗୁଜରାଟ ସରକାରଙ୍କୁ ୨୦୦୪ରେ କେନ୍ଦ୍ର ସରକାର କ୍ଷମତା ଦେଇଥିଲେ। ଏହି କ୍ଷମତା ପ୍ରଥମେ ଏକ ବର୍ଷ ପାଇଁ ଦିଆଯାଇଥିଲା, କିନ୍ତୁ ଏହାକୁ ୨୦୦୫ ଏବଂ ପୁଣି ୨୦୦୬ ପର୍ଯ୍ୟନ୍ତ ଆହୁରି ଦୁଇ ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା। ୧୧. ସିଏଏ କୌଣସି ବିଦେଶୀ ଧାର୍ମିକ ସମୁଦାୟକୁ ଟାର୍ଗେଟ କରୁନାହିଁ। ଏହା କେବଳ ସେହି ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ଯୋଗାଇ ଦେଉଛି ଯେଉଁମାନେ ବେଆଇନ ମାନ୍ୟତା ପାଇ କେତେକ ସର୍ତ୍ତ ପୂରଣ କରିବା ସତ୍ତ୍ୱେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାରୁ ବଂଚିତ ହୋଇଛନ୍ତି। ସିଏଏର ବ୍ୟବସ୍ଥାକୁ ଲାଗୁ କରିବା ନିମନ୍ତେ ଭାରତ ସରକାର ନିୟମ ପ୍ରଣୟନ କରିବେ। କୌଣସି ପ୍ରବାସୀ ଆପେ ଆପେ ଭାରତୀୟ ନାଗରିକ ହୋଇଯିବେ ନାହିଁ। ତାଙ୍କୁ ଅନଲାଇନ ଆବେଦନ କରିବାକୁ ହେବ ଏବଂ ସେ ଭାରତୀୟ ନାଗରିକ ଭାବେ ପଞ୍ଜିକୃତ ହେବା ଓ ନାଗରିକତା ଗ୍ରହଣ କରିବା ଲାଗି ସମସ୍ତ ଯୋଗ୍ୟତା ପୂରଣ କରୁଛନ୍ତି କି ନାହିଁ ତାହା କ୍ଷମତାପ୍ରାପ୍ତ ଅଧିକାରୀ ଅନୁଧ୍ୟାନ କରିବେ। ୧୨. ସମ୍ୱିଧାନର ଷଷ୍ଠ ଅନୁସୂଚୀ ଏବଂ ଇନର ଲାଇନ ପରମିଟ ସିଷ୍ଟମ ଅଧୀନରେ ଆସୁଥିବା ଅଂଚଳକୁ ଏଥିରୁ ବାଦ ଦିଆଯାଇଥିବାରୁ ସିଏଏ ଦ୍ୱାରା ଉତର-ପୂର୍ବାଂଚଳର ଜନଜାତି ଓ ଦେଶୀୟ ଲୋକମାନଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେବ ନାହିଁ। ଏହି ଅଂଚଳରେ ରହୁଥିବା ଏପରି ପ୍ରବାସୀମାନେ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ସକ୍ଷମ ହେବେ ନାହିଁ। ତେଣୁ ବିଦେଶୀଙ୍କ ଭିଡ଼ ସ୍ୱଦେଶୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବାର ପ୍ରଶ୍ନ ଉଠୁନାହିଁ।

Share :