ଭାରତ ରତ୍ନ ସାବରକର!

ଭାରତ ରତ୍ନ ସାବରକର!

ଦେବେନ୍ଦ୍ର ପୃଷ୍ଟି ସେ ଭାରତର ସ୍ୱାଧୀନତା ଚାହୁଁଥିଲେ। କିନ୍ତୁ କଂଗ୍ରେସର ‘ଭାରତ ଛାଡ଼’ ଆନ୍ଦୋଳନକୁ ବିରୋଧ କରୁଥିଲେ। ସେ ହିନ୍ଦୁମାନଙ୍କୁ ଏକ ଯୋଦ୍ଧା ଜାତିରେ ପରିଣତ କରିବାକୁ ଚାହୁଁଥିଲେ କିନ୍ତୁ ନିଜର ମୁକ୍ତି ପାଇଁ ବ୍ରିଟିଶ ସରକାରଙ୍କୁ ଥରେ ନୁହେଁ ଚାରି ଚାରି ଥର କ୍ଷମା ପ୍ରାର୍ଥନା କରିଥିଲେ। ମହାତ୍ମା ଗାନ୍ଧୀ ନାଜୀ ଜର୍ମାନୀ ବିରୋଧରେ ବ୍ରିଟିଶ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିବାରୁ ତାଙ୍କର ଅହିଂସା ଆଦର୍ଶକୁ ପ୍ରବଞ୍ଚନା ବୋଲି କହି ସମାଲୋଚନା କରୁଥିଲେ କିନ୍ତୁ ନିଜେ ହିନ୍ଦୁମାନଙ୍କର ସାମରିକୀକରଣ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତର ଅଂଶଗ୍ରହଣକୁ ମହାତ୍ମା ଓ କଂଗ୍ରେସ ବିରୋଧ କରିଥିଲେବେଳେ ସାବରକର ଯୁଦ୍ଧରେ ସାମିଲ ହେବାକୁ ହିନ୍ଦୁମାନଙ୍କୁ ଆହ୍ୱାନ ଦେଇଥିଲେ। ସେ ମୁସଲିମ୍‌ ଲିଗ୍‌ର ଭାରତ ବିଭାଜନ ଓ ଧର୍ମ ଆଧାରରେ ପାକିସ୍ତାନ ଗଠନକୁ ତୀବ୍ର ବିରୋଧ କରୁଥିଲେ, ଅଖଣ୍ଡ ଭାରତର ପରିକଳ୍ପନା କରିଥିଲେ, କିନ୍ତୁ ପାଲେଷ୍ଟାଇନରେ ଜିଉଙ୍କ ପାଇଁ ସ୍ୱତନ୍ତ୍ର ରାଷ୍ଟ୍ରଗଠନକୁ ସମର୍ଥନ କରିଥିଲେ। ଏମିତି ଅନେକ ବିରୋଧାଭାସର ବ୍ୟକ୍ତିତ୍ୱ ଥିଲେ ବିନାୟକ ଦାମୋଦର ସାବରକର। ମହାତ୍ମା ଗାନ୍ଧୀ ଇଟାଲୀର ଫାସିବାଦ ଓ ଜର୍ମାନୀର ନାଜିବାଦକୁ ବିରୋଧ କରୁଥିଲାବେଳେ ସାବରକର ଉଭୟ ଦେଶର ସମରବାଦ ସପକ୍ଷରେ ଯୁକ୍ତି କରିଥିଲେ। କିନ୍ତୁ ନାଜୀ ଜର୍ମାନୀରେ ଯେପରି ଜିଉମାନଙ୍କର ଗଣସଂହାର ହେଉଥିଲା ଭାରତବର୍ଷରେ ମୁସଲିମ ଓ ଖୀରସ୍ତାନଙ୍କ ବିରୋଧରେ ସେପରି ହେବା ସପକ୍ଷରେ ନଥିଲେ। ସେ କହୁଥିଲେ ଭାରତରେ ସବୁ ଧର୍ମ ଓ ଜାତିର ଲୋକ ସମାନ ଅଧିକାର ନେଇ ଶାନ୍ତିପୂର୍ଣ୍ଣ ଭାବେ ଚଳିପାରିବେ। ମହାତ୍ମା ଗାନ୍ଧୀ ଭାରତର ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ମହମ୍ମଦ ଅଲୀ ଜିନ୍ନାଙ୍କ ସହିତ ଆଲୋଚନା କରିବାରୁ ସେ ତାହାକୁ ମୁସଲିମ୍‌ ସନ୍ତୁଷ୍ଟୀକରଣ ବୋଲି ସମାଲୋଚନା କରୁଥିଲେ। କିନ୍ତୁ ଭାରତୀୟ ଜନତାଙ୍କ ମତାମତ ନନେଇ ବ୍ରିଟିଶ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତକୁ ସାମିଲ କରିବାରୁ ତାହାର ପ୍ରତିବାଦରେ କଂଗ୍ରେସ ପ୍ରାଦେଶିକ ସରକାରଗୁଡ଼ିକରୁ ଇସ୍ତଫା ଦେବାରୁ ବିଭାଜନବାଦୀ ମୁସଲିମ ସହିତ ମେଣ୍ଟ କରି କ୍ଷମତା ବଣ୍ଟୁଆରା କରିଥିଲେ। ତାଙ୍କ ନେତୃତ୍ୱାଧୀନ ହିନ୍ଦୁ ମହାସଭା ସିନ୍ଧ, ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଓ ବେଙ୍ଗଲରେ ମୁସଲିମ୍‌ ମୌଳବାଦୀଙ୍କ ସହିତ ମିଶି ସରକାର ଗଠନ କରିଥିଲେ। ସିନ୍ଧୁ ପ୍ରଦେଶରେ ମୁସଲିମ ଲିଗ୍‌ର ଗୁଲାମ ହୁସେନ ହିଦାୟତୁଲ୍ଲାଙ୍କ ନେତୃତ୍ୱରେ, ଉତ୍ତର ପଶ୍ଚିମ ସୀମାନ୍ତରେ ମୁସଲିମ୍‌ ଲିଗ୍‌ର ସର୍ଦ୍ଦାର ଆଉରଙ୍ଗଜେବ ଖାଁଙ୍କ ନେତୃତ୍ୱରେ ଏବଂ ବେଙ୍ଗଲରେ ଫଜ୍‌ଲୁଲ୍‌ ହକ୍‌ଙ୍କ ନେତୃତ୍ୱରେ ମେଣ୍ଟ ସରକାରରେ ସାମିଲ ହୋଇଥିଲା ସାବରକରଙ୍କ ହିନ୍ଦୁ ମହାସଭା। ସାବରକର ହିନ୍ଦୁତ୍ୱ ଆଧାରରେ ଭାରତବର୍ଷକୁ ଏକ ହିନ୍ଦୁ ରାଷ୍ଟ୍ର ଭାବେ ଗଠନ କରିବା ସପକ୍ଷରେ ଯୁକ୍ତି କରୁଥିଲେ। କିନ୍ତୁ ହିନ୍ଦୁତ୍ୱକୁ ଏକ ଧର୍ମ ଭାବରେ ନୁହେଁ ସଂସ୍କୃତି ଭାବରେ ଗ୍ରହଣ କରିଥିଲେ ସାବରକର। ନିଜେ ଥିଲେ ନିରୀଶ୍ୱରବାଦୀ। ହିନ୍ଦୁ ଦେବାଦେବୀଙ୍କ ଉପରେ ତାଙ୍କର ବିଶ୍ୱାସ ନଥିଲା। ମହାତ୍ମା ଗାନ୍ଧୀଙ୍କ ଦୟା, କ୍ଷମା, ନମ୍ରତା ଓ ହୃଦୟବତ୍ତାକୁ ସେ ପ୍ରଶଂସା କରୁଥିଲେ କିନ୍ତୁ କହୁଥିଲେ ଗାନ୍ଧୀ ହେଉଛନ୍ତି ସଂକୀର୍ଣ୍ଣ ଅପରିପକ୍ୱ ମୁଣ୍ଡର ମଣିଷ। ମହାତ୍ମା ଅହିଂସା ନୀତିକୁ ସେ ପସନ୍ଦ କରି ନଥିଲେ ମଧ୍ୟ ହାଇଦ୍ରାବାଦର ନିଜାମଙ୍କ ବିରୋଧରେ ଗାନ୍ଧୀ ପ୍ରଦର୍ଶୀତ ସତ୍ୟାଗ୍ରହକୁ ଅସ୍ତ୍ର କରିଥିଲେ। ହାଇଦ୍ରାବାଦ ଏକ ହିନ୍ଦୁ ବହୁଳ ରାଜ୍ୟ ଥିଲା। ତଥାପି ସେଠାରେ ହିନ୍ଦୁ ଓ ଅନ୍ୟ ଅଣମୁସଲିମଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣରେ ରାଜି ହୋଇଥିଲେ ସାବରକର। ଗାନ୍ଧୀଙ୍କ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନରୁ ସେ ଦୂରରେ ଥିଲେ କିନ୍ତୁ ଦଳିତଙ୍କ ପାଇଁ ଆମ୍ବେଦକରଙ୍କ ଲଢ଼େଇକୁ ସେ ପସନ୍ଦ କରୁଥିଲେ। ହିନ୍ଦୁ ଓ ହିନ୍ଦୁତ୍ୱ ରାଜନୀତି ସପକ୍ଷରେ ସେ ପ୍ରଚାର କରୁଥିଲେ ମଧ୍ୟ ଆମ୍ବେଦକରଙ୍କ ବୌଦ୍ଧ ଧର୍ମ ଗ୍ରହଣକୁ ବିରୋଧ କରିନଥିଲେ। ତାଙ୍କ ଭାଷାରେ ଏହା ଧର୍ମ ପରିବର୍ତ୍ତନ ନଥିଲା, ଥିଲା ସଂପ୍ରଦାୟ ପରିବର୍ତ୍ତନ। ସାବରକରଙ୍କ ମତରେ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ ସବୁ ହିନ୍ଦୁତ୍ୱର ଗୋଟିଏ ଗୋଟିଏ ଭିନ୍ନ ସଂପ୍ରଦାୟ। ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ସାଂପ୍ରଦାୟିକ ଏକତା ଉପରେ ସେ ଗୁରୁତ୍ୱ ଦେଉଥିଲେ। ମୁସଲିମ ଓ ଖୀରସ୍ତାନ ଧର୍ମର ଲୋକମାନେ କେବେ ବି ଭାରତୀୟ ସଭ୍ୟତାରେ ସାମିଲ ହୋଇପାରିବେ ନାହିଁ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ସେ କହୁଥିଲେ ଏ ଦୁଇ ଧର୍ମର ମୁଖ୍ୟ ଧାର୍ମିକ ପୀଠ ମଧ୍ୟ ପ୍ରାଚ୍ୟରେ, ତେଣୁ ଭାରତ ପ୍ରତି ସେମାନଙ୍କର ଆନୁଗତ୍ୟ ରହିବ ନାହିଁ। ତଥାପି ତାଙ୍କର ଭାରତବର୍ଷ ଓ ଅଖଣ୍ଡ ଭାରତ ପରିକଳ୍ପନାରେ ସେମାନଙ୍କୁ ତଡ଼ି ଦେବାକୁ ସେ କହି ନଥିଲେ। ସେ ନିଜେ ମହାରାଷ୍ଟ୍ରର ଏକ ଚିତପାବନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ହିନ୍ଦୁ ସମାଜରେ ରହିଥିବା ବିଭିନ୍ନ ଜାତିର ଲୋକମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ଏକତା ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହିପରି ଭାବେ ସାବରକର ଥିଲେ ଅନେକ ପରସ୍ପର ବିରୋଧୀ ଆଦର୍ଶର ପ୍ରବକ୍ତା। ସ୍ୱାଧୀନତା ସଂଗ୍ରାମର ଅନ୍ୟ ଅନେକ ନେତାଙ୍କ ପରି ସେ ମଧ୍ୟ ଥିଲେ ଦେଶଭକ୍ତ। ଅବଶ୍ୟ ସେ ଅନେକ ସମୟରେ ବ୍ରିଟିଶ ସରକାରଙ୍କ ସହିତ ବୁଝାମଣା କରିଛନ୍ତି ତଥାପି ମହାତ୍ମାଙ୍କ ପୂର୍ଣ୍ଣ ସ୍ୱରାଜ ପରି ସାବରକରଙ୍କ ଦାବି ଥିଲା ପୂର୍ଣ୍ଣ ସ୍ୱାଧୀନତା। ଗାନ୍ଧୀଙ୍କ ପରି ସାବରକର ମଧ୍ୟ ଦେଶ ବିଭାଜନକୁ ବିରୋଧ କରିଥିଲେ। ତାଙ୍କର ଭାରତବର୍ଷ ଓ ଅଖଣ୍ଡ ଭାରତର ପରିକଳ୍ପନା ଅନେକ ସଂପ୍ରଦାୟ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥାଇ ପାରେ। କିନ୍ତୁ ତାହା ଥିଲା ଜଣେ ଦେଶପ୍ରେମୀର ଚିନ୍ତାଧାରା। ସେ ବି ଗାନ୍ଧୀଙ୍କ ପରି ସ୍ୱଦେଶୀ ଆନ୍ଦୋଳନର ପ୍ରବକ୍ତା ଥିଲେ। ଗାନ୍ଧୀଙ୍କ ଆହ୍ୱାନରେ ସମଗ୍ର ଦେଶରେ ଯେତେବେଳେ ବିଦେଶୀ ବସ୍ତ୍ର ବର୍ଜନ କରାଯାଉଥିଲା ସାବରକର ଓ ତାଙ୍କର ଅନୁଗାମୀମାନେ ମଧ୍ୟ ଆମଦାନୀ ହୋଇଥିବା ପୋଷାକପତ୍ର ପୋଡ଼ି ସ୍ୱଦେଶୀ ଆନ୍ଦୋଳନକୁ ମଜବୁତ କରିଥିଲେ। ଏଭଳି ଜଣେ ଚିନ୍ତାନାୟକଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିବାକୁ ଭାରତୀୟ ଜନତା ପାର୍ଟିର ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯିବାରୁ ଏବେ ଏହାକୁ ନେଇ ଜାତୀୟ ସ୍ତରରେ ବିତର୍କ ଆରମ୍ଭ ହୋଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ବିଜେପିର ଏହି ପ୍ରତିଶ୍ରୁତିକୁ କଟାକ୍ଷ କରି କହିଛନ୍ତି ଯେ ସାବରକରଙ୍କୁ ନୁହେଁ ନାଥୁରାମ ଗଡ଼ସେଙ୍କୁ ଭାରତ ରତ୍ନ ଦିଆଯାଉ। ନାଥୁରାମ ଗଡ଼ସେ ହିନ୍ଦୁ ମହାସଭାର ସଦସ୍ୟ ଥିଲେ। ସାବରକରଙ୍କ ସହିତ ତାଙ୍କର ଭଲ ସଂପର୍କ ଥିଲା। ଗାନ୍ଧୀଙ୍କୁ ହତ୍ୟା କରିବା ପୂର୍ବରୁ ସାବରକରଙ୍କୁ ଭେଟିବାକୁ ଯାଇଥିଲା ନାଥୁରାମ। ସାବରକର ନାଥରାମଙ୍କୁ ଯଶସ୍ୱୀ ହୁଅ ବୋଲି ଆଶୀର୍ବାଦ କରିଥଲେ। କିନ୍ତୁ ସେହି ଆଶୀର୍ବାଦ ଯେ ଗାନ୍ଧୀଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ଥିଲା ତାହା ପ୍ରମାଣିତ ହୋଇନାହିଁ। ତାଙ୍କ ଘର ଖାନତଲାସ କରାଯାଇଥିଲା। ସେଠାରୁ ଗାନ୍ଧୀଙ୍କ ବିରୋଧରେ ବା ତାଙ୍କ ହତ୍ୟା ସଂପର୍କରେ କୌଣସି ଦଲିଲ ଦସ୍ତାବିଜ ପାଇ ନଥିଲା ପୁଲିସ। ତେଣୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସାବରକରଙ୍କ ମୃତ୍ୟୁକୁ ୫୩ ବର୍ଷ ହୋଇଗଲାଣି। ତାଙ୍କ ପରେ ଭାରତବର୍ଷରେ ଅନେକ ପରିବର୍ତ୍ତନ ଆସିଛି। ଏବେ ତାଙ୍କୁ ଭାରତ ରତ୍ନ ଦିଆଯିବାର ପ୍ରତିଶ୍ରୁତି କେବଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଫାଇଦା ଉଦ୍ଦେଶ୍ୟରେ ଦିଆଯାଇଛି ବୋଲି କୁହାଯାଇ ପାରେ। ମହାରାଷ୍ଟ୍ରରେ ସାବରକରଙ୍କୁ ଶିବାଜୀଙ୍କ ପରି ଅନ୍ୟ ଜଣେ ବୀର ଭାବେ ଗଣନା କରାଯାଏ। ମହାରାଷ୍ଟ୍ରର କେଶବ ବଳିରାମ ହେଡ଼ଗେବାର ଓ ବିନାୟକ ଦାମୋଦର ସାବରକର ହିନ୍ଦୁତ୍ୱ ରାଜନୀତିର ସର୍ବଭାରତୀୟ ପ୍ରବକ୍ତା ଭାବେ ପ୍ରତିଷ୍ଠା ଅର୍ଜନ କରିଥିବାରୁ ତାଙ୍କ ନାଁ ନେଇ ଧାର୍ମିକ ଓ ସାଂପ୍ରଦାୟିକ ଭୋଟବ୍ୟାଙ୍କ ସୃଷ୍ଟି କରିବାକୁ ଭାରତୀୟ ଜନତା ପାର୍ଟି ଏପରି କୌଶଳ ଅବଲମ୍ବନ କରିଥାଇ ପାରେ। ତେବେ ଏହା ମଧ୍ୟ ସତ ଯେ ବର୍ତ୍ତମାନ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଏହି ଦଳ ଚାହିଁଲେ ସାବରକରଙ୍କୁ ଭାରତ ରତ୍ନ ଉପାଧିରେ ଭୂଷିତ କରିପାରେ। ଏଥିରେ କିଛି ଅସ୍ୱାଭାବିକତା ନାହିଁ। ମାତ୍ର, ତଦ୍ୱାରା ଯେ ସାବରକରଙ୍କ ପରିକଳ୍ପିତ ‘ଭାରତବର୍ଷ’ ଓ ‘ଅଖଣ୍ଡ ଭାତର’ ପରିକଳ୍ପନା ସାକାର ହେବ ତାହାର କିଛି ସମ୍ଭାବନା ନାହିଁ। ହିନ୍ଦୁ, ହିନ୍ଦୁତ୍ୱ ଓ ହିନ୍ଦୁ ରାଷ୍ଟ୍ରର ପ୍ରବକ୍ତା ହିସାବରେ ସେ ହିନ୍ଦୁ ରତ୍ନ ହୋଇପାରନ୍ତି ମାତ୍ର ଭାରତବର୍ଷରେ ହଜାର ହଜାର ବର୍ଷ ଧରି ବସବାସ କରୁଥିବା ଅନ୍ୟ ସବୁ ଧର୍ମର ଲୋକଙ୍କ ବିଚାରରେ ସେ ରାଷ୍ଟ୍ର-ରତ୍ନ ହୋଇପାରି ନାହାନ୍ତି। ତାହା ହୋଇଥିଲେ ହିନ୍ଦୁ ମହାସଭା ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାୟ ଦଶ ଦଶନ୍ଧିର କାର୍ଯ୍ୟକ୍ରମ ସତ୍ତ୍ୱେ ଭାରତବର୍ଷରେ ହିନ୍ଦୁ-ମୁସଲିମ, ହିନ୍ଦୁ-ଖୀରସ୍ତାନ ବିଦ୍ୱେଷ ଆଜି ବି ଏତେ ତୀବ୍ର ଓ ଉଗ୍ର ନଥାନ୍ତା। ଅବଶ୍ୟ ଏମଜି ରାମଚନ୍ଦ୍ରନଙ୍କ ପରି ଅନେକ ‘ଭାରତ ରତ୍ନ’ କେତେ ଯୋଗ୍ୟ ଥିଲେ ତାହା ମଧ୍ୟ ଆଲୋଚନାସାପେକ୍ଷ।( ସୌ-ଓଡ଼ିଶା ରିପୋର୍ଟର)

Share :