ମୋଦୀ ହୈ ତୋ ମୁମ୍‌କିନ୍‌ ହୈ!

ମୋଦୀ ହୈ ତୋ ମୁମ୍‌କିନ୍‌ ହୈ!

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବେ ଇଥିଓପିଆର ଯୁବ ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲୀ। ନୋବେଲ ଶାନ୍ତି କମିଟି ଏହି ଘୋଷଣା କରିଛନ୍ତି। ଅଲୀ ମାତ୍ର ଦେ‍ଢ଼ ବର୍ଷ ହେବ ଇଥିଓପିଆର ପ୍ରଧାନମନ୍ତ୍ରୀ ପଦ ପାଇଛନ୍ତି। ଏଇ କମ୍‌ ସମୟ ମଧ୍ୟରେ ସେ ଏମିତି କ’ଣ କଲେ ଯେ ନୋବେଲ କମିଟି ତାଙ୍କୁ ବିଶ୍ୱର ଏହି ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ପାଇଁ ବାଛିଲେ। ଇଥିଓପିଆ ପରି ଏକ ଅନାମଧ୍ୟେୟ ଦେଶର ଆବି ଅହମଦ ଅଲୀଙ୍କ ପରି ଜଣେ ତହୁଁ ଅନାମଧ୍ୟେୟ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଶାନ୍ତି ନୋବେଲ ପାଇଁ ବଛାଗଲା? ଆବି ଅହମଦ ଅଲୀଙ୍କୁ ବୟସ ମାତ୍ର ୪୩। ସେ ଅତ୍ୟନ୍ତ ଗରୀବ ପରିବାରରୁ ଆସିଛନ୍ତି। ପିଲାବେଳେ ତଳେ ଶୋଉଥିଲେ। ତାଙ୍କ ଘରେ ଖଟ ଆଦି କୌଣସି ଆସବପତ୍ର ନଥିଲା। ବହୁ ଅଧ୍ୟବସାୟ କରି ସେ ପାଠ ପଢ଼ିଛନ୍ତି। ଇଥିଓପିଆର ସଂଖ୍ୟାଗରିଷ୍ଠ ଓରମ ସଂପ୍ରଦାୟର ଲୋକ ହେଉଛନ୍ତି ଅଲୀ। ତାଙ୍କ ବାପା ମୁସଲମାନ ଓ ମା’ ଖୀରସ୍ତାନ। କିଶୋର ବୟସରୁ ସେ ବିଦ୍ରୋହୀ। ନିଜ ପରିବାର ଓ ନିଜ ସଂପ୍ରଦାୟର ଦାରିଦ୍ର୍ୟ, ହିଂସା, ନିର୍ଯାତନା ଆଦି ଦେଖିଦେଖି ସେ ବଡ଼ ହୋଇଛନ୍ତି। ତେଣୁ କିଶୋର ବୟସରୁ ସେ ଓରମ ସଂପ୍ରଦାୟ ପାଇଁ କାମ କରୁଥିବା ଓରମ ଗଣତାନ୍ତ୍ରିକ ସଂଗଠନରେ ଯୋଗଦେଇଥିଲେ। ୨୦୧୮ ମାର୍ଚ୍ଚ ମାସରେ ସେ ତାଙ୍କ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଓ ସେହି ବର୍ଷ ଏପ୍ରିଲରେ ଇଥିଓପିଆର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ। ତାଙ୍କ ପୂର୍ବରୁ ଇଥିଓପିଆରେ ଜନ ଅସନ୍ତୋଷ ଚରମ ସୀମାରେ ପହଂଚିଥିଲା। ଦୁର୍ନୀତି, କୁଶାସନ, ଅରାଜକତା, ସାଂପ୍ରଦାୟିକ ହିଂସା ଓ ପଡ଼ୋଶୀ ଏରିଟ୍ରିଆ ସହିତ ଲାଗି ରହିଥିବା ସାମରିକ ବିବାଦ ଯୋଗୁଁ ପ୍ରାୟ ୩୦୦୦ ବର୍ଷ ତଳର ସଭ୍ୟତା କୁହାଯାଉଥିବା ଆଫ୍ରିକା ମହାଦେଶର ଏହି ଦ୍ୱିତୀୟ ଜନବହୁଳ ଦେଶ ଦାରିଦ୍ର୍ୟ ଚକ୍ରରେ ପଡ଼ି ପଛରେ ପଡ଼ି ରହିଛି। ଇଥିଓପିଆ ହେଉଛି ଆଫ୍ରିକାର ଏକ ପ୍ରାଚୀନ ସଭ୍ୟତା। ନୃତାତ୍ତ୍ୱିକ ଗବେଷଣା ଜ୍ଞାନ କହେ ଇଥିଓପିଆରୁ ହିଁ ମଣିଷମାନେ ଏସିଆ ଓ ଅନ୍ୟ ମହାଦେଶକୁ ଗତି କରିଥିଲେ। ତଥାପି ଏହି ଦେଶ ଦରିଦ୍ର ଥିଲା। କାରଣ ଇଥିଓପିଆରେ ରାଜତନ୍ତ୍ର ଓ ଉପନିବେଶ ଶାସନ ଲୋପ ହେବା ପରେ ପ୍ରତିଷ୍ଠିତ ହୋଇଥିବା ସମାଜବାଦୀ ଶାସନ ବ୍ୟବସ୍ଥା ଏକଛତ୍ର ଥିଲା। ଏହା ଦେଶର ସବୁ ଲୋକଙ୍କ ପାଇଁ କାମ କରିବା ନାମରେ ସାମରିକ ଅତ୍ୟାଚାର ଚଳେଇଥିଲେ। ଇଥିଓପିଆ ସରକାର ପଡ଼ୋଶୀ ଏରିଟ୍ରିଆକୁ ଦଖଲ କରିବା ପରେ ପରିସ୍ଥିତି ଆହୁରି ଦୟନୀୟ ହୋଇଥିଲା। ଏପଟେ ନିଜ ଦେଶର ଲୋକମାନଙ୍କର ଅସନ୍ତୋଷ, ସେପଟେ ସ୍ୱାଧୀନଚେତା ଏରିଟ୍ରିଆବାସୀଙ୍କର ଉଗ୍ର ଆନ୍ଦୋଳନ- ଉଭୟର ମୁକାବିଲା କରିବାରେ ଇଥିଓପିଆର ସମୟ ଓ ସମ୍ବଳର ଅପଚୟ ହେଉଥିଲା। ଶେଷରେ ଅନ୍ତର୍ଜାତୀୟ ଚାପରେ ପଡ଼ି ଇଥିଓପିଆ ଏରିଟ୍ରିଆକୁ ଦଖଲମୁକ୍ତ କରିଥିଲା। ହେଲେ ସେହି ଦେଶ ସହିତ ସୁସଂପର୍କ ରହି ନଥିଲା। ସୀମାନ୍ତରେ ସବୁବେଳେ ଉତ୍ତେଜନା ଲାଗି ରହୁଥିଲା। ୧୯୯୮-୨୦୦୦ ମଧ୍ୟରେ ଦୁଇ ବର୍ଷ ଧରି ଉଭୟ ଦେଶ ମଧ୍ୟରେ ଏକ ଭୟାନକ ଯୁଦ୍ଧ ହୋଇଥିଲା। ଦୁଇ ବର୍ଷରେ ଯୁଦ୍ଧ ବନ୍ଦ ହୋଇଥିଲେ ବି ୨୦୧୮ ଯାଏଁ ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସଂପର୍କ ସମ୍ଭବ ହୋଇନଥିଲା। ସୀମାନ୍ତ ପରିସ୍ଥିତି ବଦଳି ନଥିଲା। ସେଥିପାଇଁ ଏରିଟ୍ରିଆ ସୀମାନ୍ତରେ ଇଥିଓପିଆ ସେନା ସଦା ସଜାଗ ରହୁଥିଲେ। ଯୁଦ୍ଧ ପ୍ରସ୍ତୁତିରେ ଦେଶର ରାଜସ୍ୱ ବୋହି ଯାଉଥିଲା, ବିକାଶ ପାଇଁ କମ୍‌ ପାଣ୍ଠି ବଳୁଥିଲା। ସେଥିପାଇଁ ସେଠାରେ ବେକାରୀ ସମସ୍ୟା ଉତ୍କଟ ହୋଇଥିଲା। ଯୁବ ପିଢ଼ି ସରକାର ପରିବର୍ତ୍ତନ ଚାହୁଁଥିଲେ। ସେମାନଙ୍କର ଆନ୍ଦୋଳନରୁ ଜନ୍ମ ନେଇଥିଲା ଆବି ଅହମଦ ଅଲୀଙ୍କ ନେତୃତ୍ୱ। ୨୦୧୮ ଏପ୍ରିଲରେ ଆବି ଅହମଦ ଅଲୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏରିଟ୍ରିଆ ରାଷ୍ଟ୍ରପତି ଆଇସାଇସ୍‌ ଆଫ୍‌ୱେର୍କିଙ୍କ ସହିତ ଆଲୋଚନା ଆରମ୍ଭ କରିଥିଲେ। ଶେଷରେ ଇଥିଓପିଆ ଏରିଟ୍ରିଆ ଉପରୁ ନିଜ ଦାବି ପ୍ରତ୍ୟାହାର କରିଥିଲା ଓ ଉଭୟ ଦେଶ ମଧ୍ୟରେ ପୁଣି ଥରେ କୂଟନୀତିକ ସଂପର୍କ ଆରମ୍ଭ ହୋଇଥିଲା। ସୀମା ବିବାଦର ସମାଧାନ ଘଟିଥିଲା, ଯୁଦ୍ଧ ଆତଙ୍କ ମଧ୍ୟ ଦୂର ହୋଇଥିଲା। ଶାସନ କ୍ଷମତାକୁ ଆସିବାର ମାତ୍ର ୬ ମାସ ଭିତରେ ଆବି ଅହମଦ ଏହି ସଫଳତା ହାସଲ କରିଥିଲେ। କେବଳ ସେତିକି ନୁହେଁ, ସେ ପୂର୍ବରୁ ବନ୍ଦୀ ହୋଇଥିବା ସମସ୍ତ ରାଜନୀତିକ କର୍ମକର୍ତ୍ତାଙ୍କୁ ମୁକ୍ତ କରିଥିଲେ। ଆତଙ୍କବାଦୀ ଭାବେ ଅଭିଯୁକ୍ତ ହୋଇ ଜେଲ୍‌ରେ ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ବହୁ ବିଦ୍ରୋହୀ ଓ ଅସନ୍ତୁଷ୍ଟଙ୍କୁ ମଧ୍ୟ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ଅର୍ଥନୀତିରେ ସୁଧାର ଆଣିବାକୁ ଉଦାରବାଦୀ ସଂସ୍କାର ଅରମ୍ଭ କରିଥିଲେ। ଅନ୍ୟତମ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଲାଗି ରହିଥିବା ରାଜନୀତିକ କନ୍ଦଳରେ ମଧ୍ୟସ୍ଥତା କରି ସେଥିରେ ସଫଳ ହୋଇଥିଲେ। ତାଙ୍କର ଏହିସବୁ କାର୍ଯ୍ୟ ପାଇଁ ନୋବେଲ କମିଟି ଆବି ଅହମଦ ଅଲୀଙ୍କୁ ଚଳିତ ବର୍ଷର ଶାନ୍ତି ନୋବେଲ୍‌ ଦେବାକୁ ନିଷ୍ପତ୍ତି ଘୋଷଣା କରିଛି। ଏହି ଖବର ଜଣାପଡ଼ିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ନୋବେଲ୍‌ ଜିତିବାର ଏକ ସମ୍ଭାବନା ଥିବା କଥା ଚର୍ଚ୍ଚା ହୋଇପାରେ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ। ସଭ୍ୟତା ଦୃଷ୍ଟିରୁ ଏହା ୫୦୦୦ ବର୍ଷ ପ୍ରାଚୀନ। ଏଠି ବି ରାଜତନ୍ତ୍ର ଥିଲା। ମୋଗଲ ଶାସନ ଓ ବ୍ରିଟି ଉପନିବେଶବାଦ ସମୟରେ ଭାରତର ବିପୁଳ ସମ୍ବଳ ଲୁଟ୍‌ ହୋଇଛି ନହେଲେ ନଷ୍ଟ ହୋଇଛି। ଭାରତ ଭିତରୁ ଜନ୍ମ ନେଇଛନ୍ତି ଦୁଇ ଦୁଇଟି ରାଷ୍ଟ୍ର- ପାକିସ୍ତାନ ଓ ବାଂଲାଦେଶ। ଗତ କିଛି ବର୍ଷ ଧରି ଭାରତୀୟ ଅର୍ଥନୀତି ଅନେକ ସୁଦୃଢ଼ ହୋଇଥିଲେ ବି ଉପଭୋକ୍ତା ବଜାର ଜରିଆରେ ଏହାର ସମ୍ବଳ ବିଶ୍ୱମୁଖୀ ହୋଇଛି। ଗତ କିଛି ବର୍ଷ ଧରି ନିଯୁକ୍ତି ସୁଯୋଗ ହ୍ରାସ ପାଇଚାଲିଛି। ଶିଳ୍ପ ଓ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଧନୀ-ଗରୀବ ତାରତମ୍ୟ ଆଶଙ୍କାଜନକ ଭାବେ ବୃଦ୍ଧି ପାଇଛି। ଏଣେ କାଶ୍ମୀରକୁ ନେଇ ପାକିସ୍ତାନ ସହିତ ଯୁଦ୍ଧ ସମ୍ଭାବନା ଲାଗି ରହିଛି। ସୀମାନ୍ତରେ ସବୁଦିନ ଯୁଦ୍ଧ ପରିସ୍ଥିତି। ତେଣେ ଅନ୍ୟତମ ପଡ଼ୋଶୀ ଚୀନ୍‌ ସହିତ ମଧ୍ୟ ସୀମା ବିବାଦ ତୁଟି ନାହିଁ। ମଝିରେ ମଝିରେ ଡୋକଲାମ ଭଳି ଅନେକ ବିବାଦ ସୃଷ୍ଟି ହେଉଛି। ଭୁଟାନ, ଅରୁଣାଚଳ ପ୍ରଦେଶ, ସିଆଚେନ ଗ୍ଲାସିଅର, ଅକ୍ସାଇ ଚୀନ୍‌ ଆଦି ଅଂଚଳକୁ ନେଇ ଭାରତ-ଚୀନ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। କାଶ୍ମୀରକୁ ନେଇ ଭାରତରେ ସୀମାପାର୍‌ ଆତଙ୍କବାଦ ଚଳେଇଥିବା ପାକିସ୍ତାନକୁ ସମର୍ଥନ କରି ଚୀନ ଭାରତକୁ ଅଧିକ ଅସନ୍ତୁଷ୍ଟ କରିଛି। ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧରେ ଭାରତକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଠିକ ଏହି ପରିସ୍ଥିତିରେ ଭାରତର ସଂଖ୍ୟାଗରିଷ୍ଠ ହିନ୍ଦୁ ସଂପ୍ରଦାୟର ସଂଖ୍ୟାଗରିଷ୍ଠ ପଛୁଆବର୍ଗର ବୁନିଆଦି ବହନ କରୁଥିବା ନରେନ୍ଦ୍ର ମୋଦୀ ୬ ବର୍ଷ ହେଲାଣି ଦେଶର ପ୍ରଧାନମନ୍ତ୍ରୀ ପଦର ଦାୟିତ୍ୱ ବହନ କରୁଛନ୍ତି। ଇଥିଓପିଆ ପ୍ରଧାନମନ୍ତ୍ରୀ ଅଲୀ ଯେମିତି କମ୍‌ ସମୟରେ ଅଧିକ କାମ କରି ଦେଶର ଚେହେରା ବଦଳେଇବାକୁ ଉଦ୍ୟମ କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେହିପରି ଅଳ୍ପ ସମୟରେ ଅଧିକ କାମ କରି ଦେଶର ଅନେକ ସମସ୍ୟାର ସମାଧାନ କରିବାକୁ ତରବର ଅଛନ୍ତି। ଏହି ତରବରିଆର ଦୌଡ଼ ଭିତରେ ସେ କାଶ୍ମୀର ସମସ୍ୟାରେ ଏକ ମୋଡ଼ ଆଣିଛନ୍ତି। କିନ୍ତୁ ଏହା ଦ୍ୱାରା ପାକିସ୍ତାନ ସହିତ ବିବାଦ ତୁଟିବା ବଦଳରେ ବଢ଼ିଛି। ଠିକ ଏହି ସମୟରେ ସେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ସହିତ ତାମିଲନାଡ଼ୁର ମହାବଳୀପୁରମ ବା ମମଲ୍ଲପୁରମରେ ଦ୍ୱିତୀୟ ଅନୌପଚାରିକ ଶୀର୍ଷ ସମ୍ମିଳନୀ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଉ କିଛି କରନ୍ତୁ କି ନକରନ୍ତୁ ଯଦି ଚୀନ ଓ ପାକିସ୍ତାନ ସହିତ ଭାରତର ରହିଥିବା ସୀମା ବିବାଦର ସ୍ଥାୟୀ ସମାଧାନ କରିପାରିବେ ତେବେ ତାହା ହେବ ବିଶ୍ୱ ଶାନ୍ତି ଦିଗରେ ସବୁଠୁ ବଡ଼ ପଦକ୍ଷେପ। ପାକିସ୍ତାନ ଓ ଭାରତ ମଧ୍ୟରେ କାଶ୍ମୀର କ୍ଷେତ୍ରରେ ଯେପରି ଅନ୍ତର୍ଜାତୀୟ ସୀମା ବଦଳରେ ନିୟନ୍ତ୍ରଣ ରେଖା ରହିଛି ଠିକ ସେହିପରି ଚୀନ ସହିତ ରହିଛି ପ୍ରକୃତ ନିୟନ୍ତ୍ରଣ ରେଖା। କେବଳ ଭାରତ ସହିତ ଚୀନର ସୀମା ଚୁକ୍ତି ନାହିଁ। ସେଇଥିପାଇଁ ଚୀନ ସେନା ମଝିରେ ମଝିରେ ଅରୁଣାଚଳ ପ୍ରଦେଶକୁ ପଶି ଆସୁଛନ୍ତି, କହୁଛନ୍ତି ଏ ପ୍ରଦେଶ ହେଉଛି ଚୀନର। ଭୁଟାନର ଡୋକଲାମ ଓ ସିକ୍କିମକୁ ମଧ୍ୟ ଚୀନ ନିଜର ବୋଲି ଦାବି କରେ, ଠିକ ଯେମିତି ପାକିସ୍ତାନ କାଶ୍ମୀରକୁ ନିଜର କରିବାକୁ ଆଜାଦୀ ସ୍ଲୋଗାନ ଜରିଆରେ ଆତଙ୍କବାଦର ପ୍ରସାରଣ କରେ। ମୋଦୀ ଯଦି ଦେଶ ଭିତରେ ନିଜର ଲୋକପ୍ରିୟତା ଏବଂ ଅନ୍ତର୍ଜାତୀୟ ସ୍ତରରେ ନିଜର ସୁଦୃଢ଼ ନେତୃତ୍ୱ ତଥା କଥା କହିବାର ଦକ୍ଷତାରେ ଚୀନ ଓ ପାକିସ୍ତାନ ସହିତ ଅନ୍ୟ କୌଣସି ସମସ୍ୟାର ନହେଉ ପଛେ କେବଳ ସୀମା ବିବାଦର ସମାଧାନ କରିପାରିବେ ତେବେ ତାହା ନିଶ୍ଚୟ ନୋବେଲ କମିଟିର ଦୃଷ୍ଟି ଆକର୍ଷଣ କରିବ। ଏମିତି ବି ଭାରତ ଶାନ୍ତି ନୋବେଲ ପାଇଁ ସବୁବେଳେ ହକ୍‌ଦାର। ମୋଦୀ ଚାହିଁଲେ ଦକ୍ଷିଣ ଏସିଆ ଶାନ୍ତି ଜରିଆରେ ବିଶ୍ୱ ଶାନ୍ତି ମଜବୁତ କରିପାରିବେ। ସେ ଯଦି ତାହା ନକରନ୍ତି ଏବଂ ଚୀନ ଓ ପାକିସ୍ତାନ ସହିତ ଭାରତର ବିବାଦ ଲାଗି ରହେ ତେବେ ତାହା ତାଙ୍କର ଏକ ବଡ଼ ବିଫଳତା ଭାବେ ଗଣିତ ହେବ। (ସୌ-ଓଡ଼ିଶା ରିପୋର୍ଟର)

Share :