ସବୁ ଭଲ ନାହିଁ!

ସବୁ ଭଲ ନାହିଁ!

Share :

ଦେବେନ୍ଦ୍ର ପୃଷ୍ଟି ମୟୂରଭଞ୍ଜରେ ଆମ୍ବୁଲାନ୍ସରୁ ତେଲ ସରିଗଲା ବୋଲି ହସ୍ପିଟାଲ ନଯାଇ ପାରି ଆସନ୍ନ ପ୍ରସବା ମହିଳାଙ୍କ ସହ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେଲା। ଏହାକୁ କ’ଣ ଭଲ କୁହାଯିବ? ଜଗତସିଂହପୁରରେ ଜଣେ ଯୁବକକୁ ସ୍କୁଲ ହତା ଭିତରେ ହାତଗୋଡ଼ ବାନ୍ଧି ଜୀଅନ୍ତା ଜଳେଇ ଦିଆଗଲା। ଏହାକୁ କ’ଣ ଭଲ କୁହାଯିବ? ଗୁଣିଗାରେଡ଼ି ସନ୍ଦେହରେ ଗଞ୍ଜାମରେ ୬ ଜଣଙ୍କ ଦାନ୍ତ ଭାଙ୍ଗି ଦିଆଗଲା, ସେମାନଙ୍କୁ ବିଷ୍ଠା ଖୁଆଗଲା। ଏହାକୁ କ’ଣ ଭଲ କୁହାଯିବ? ସମାନ ଅଭିଯୋଗରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ପ୍ରତି ସପ୍ତାହରେ ଜଣେ ଦି’ ଜଣଙ୍କୁ ହତ୍ୟା କରାଯାଉଛି, କେଉଁଠି ପୂରା ପରିବାରକୁ ନିପାତ କରିଦିଆଯାଉଛି। ଏହାକୁ କ’ଣ ଭଲ କୁହାଯିବ? ସରକାରୀ ଅପାରଗତା ଓ ବ୍ୟାବସାୟିକ ଦୁରଭିସନ୍ଧି ଯୋଗୁଁ ୧୫ ଟଙ୍କାର ପିଆଜ ୬୦ ଟଙ୍କାରେ ବିକ୍ରି ହେଲା। ଏହାକୁ କ’ଣ ଭଲ କୁହାଯିବ? ଜାମ୍ମୁକାଶ୍ମୀରରେ ଦି’ ମାସ ହେଲାଣି ଅସ୍ୱାଭାବିକ ପରିସ୍ଥିତି ଜାରି ହୋଇଛି। ଏହାକୁ କ’ଣ ଭଲ କୁହାଯିବ। ଏହା ସତ୍ତ୍ୱେ ପଥର ଫିଙ୍ଗା ଓ ଆତଙ୍କବାଦୀ ଘଟଣା ବନ୍ଦ ହୋଇନାହିଁ। ଏହାକୁ କ’ଣ ଭଲ କୁହାଯିବ? ଦେଶ ସାରା ଏମିତି ଅନେକ ମନ୍ଦ ଘଟଣା ଘଟୁଛି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯଦି କଳାକାର, ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ସ୍ୱର ଉତ୍ତୋଳନ କଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହେଉଛି। ଏହା ନିଶ୍ଚୟ ଭଲ ନୁହେଁ। କେଉଁଠି କଲେଜ ପଢ଼ୁଆ ଝିଅଙ୍କୁ କଲେଜ ମାଲିକ ଦେହ ମାଲିସ କାମରେ ଲଗାଉଛି। ଏହା ନିଶ୍ଚୟ ଭଲ ନୁହେଁ। କେଉଁଠି ବିଧାୟକଙ୍କ ଦ୍ୱାରା ଧର୍ଷିତ ଯୁବତୀ ମୁହଁ ଖୋଲିବାରୁ ତାଙ୍କ ପରିବାରକୁ ଟ୍ରକ୍‌ ଚଢ଼େଇ ହତ୍ୟା କରାଯାଉଛି। ଏହା ନିଶ୍ଚୟ ଭଲ ନୁହେଁ। ଦେଶର ଅଟୋମୋବାଇଲ୍‌ ଶିଳ୍ପରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହା ନିଶ୍ଚୟ ଭଲ ନୁହେଁ। ସୁନା ଦର ୧୦ ଗ୍ରାମକୁ ୪୦ ହଜାର ଟଙ୍କା ଛୁଇଁଲାଣି। ସାଧାରଣ ଗ୍ରାହକଙ୍କ ପାଇଁ ଏହା ନିଶ୍ଚୟ ଏକ ଭଲ ଖବର ନୁହେଁ। ନୂଆ ନିଯୁକ୍ତି ଦେବା ପରିବର୍ତ୍ତେ ଦେଶର ଅନେକ ଶିଳ୍ପ ଛଟେଇ ଆରମ୍ଭ କରିଛନ୍ତି। ଏହା ବି କୋଉ ଭଲ କଥା! ମୁନାଫାଖୋର ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ୧୩ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଏକରକମ ଛାଡ଼ କରିଥିବା ବ୍ୟାଙ୍କଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ରିଜର୍ବ ବ୍ୟାଙ୍କରୁ ୧.୭୬ ଲକ୍ଷ କୋଟି ଟଙ୍କାର ସଂରକ୍ଷିତ ଜମା ଉଠେଇ ନେବା କ’ଣ ଏକ ଭଲ ସଂକେତ? ଭିଡ଼ହତ୍ୟା, ଭିଡ଼ତନ୍ତ୍ର, ଜୋରଜବରଦସ୍ତି, ଭ୍ରଷ୍ଟାଚାର, ମିଥ୍ୟାଚାର, ଲୁଟ୍‌ତରାଜ ଆଦି ଏମିତି ଅନେକ ଘଟଣା ଘଟିଚାଲିଛି ଭାରତବର୍ଷରେ ଯାହାକୁ କେହି ବି କେବେ ଭଲ କହିପାରିବେ ନାହିଁ। ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ହୋଷ୍ଟନ ସହରରେ ୨୦୧୯ ସେପ୍ଟମ୍ବର ୨୩ ତାରିଖରେ ଆୟୋଜିତ ତାଙ୍କର ହାଓଡି ମୋଦୀ କାର୍ଯ୍ୟକ୍ରମରେ ରୁଣ୍ଡ ହୋଇଥିବା ୫୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ କହିଲେ, ଭାରତରେ ସବୁ ଭଲ ଅଛି। ଏଇ କଥାଟିକୁ ସେ ଅନେକ ଭାରତୀୟ ଭାଷାରେ କହିଥିଲେ। ସେ କହିଥିଲେ ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ଆରମ୍ଭ କରି ଅନେକ ଲୋକ ତାଙ୍କୁ ପଚାରୁଛନ୍ତି, ଭାରତରେ କ’ଣ ସବୁ ଠିକ ଅଛି? ଏହାର ଉତ୍ତରରେ ସେ ସେମାନଙ୍କୁ କହିଥିଲେ, ସବୁ ଭଲ ଅଛି, ସବ୍‌ ଚଙ୍ଗେ ସି, ମଜାମା ଛେ, ଏଲମ୍‌ ସୌକିୟମ, ସୋବ୍‌ ଖୁବ୍‌ ଭାଲୋ...ଅନେକ ଭାରତୀୟ ଭାଷାରେ ଏକଥା କହି ସେ ଜନ ମନ ରଂଜନ କରିଥିଲେ। ଭାରତର କୌଣସି ପ୍ରଧାନମନ୍ତ୍ରୀ ବିଦେଶରେ ଯାଇଁ କ’ଣ ଭାରତରେ ସବୁ ଖରାପ ଅଛି ବୋଲି କହିବେ? ତାହା ଠିକ ନୁହେଁ। କିନ୍ତୁ ସବୁ ଭଲ ଅଛି ବୋଲି କହିବା ବି ସତ୍ୟର ଅପଳାପ। ସାମାଜିକ ଓ ଆଇନଶୃଙ୍ଖଳା ବିଷୟ ବାହାରେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୌଣସି ଦେଶର ଭଲମନ୍ଦ ତାହାର ଅର୍ଥନୀତିରୁ ଠଉରାଯାଏ। ଆଜିକାଲି ଅର୍ଥନୀତି, ବ୍ୟବସାୟ, ଲାଭ, ନିଯୁକ୍ତି, ସମୃଦ୍ଧି, ଜିଡିପି ଆଦି ଶାନ୍ତି, ଆନନ୍ଦ, ସୁସ୍ଥ ପରି ଶବ୍ଦ ଓ ପରିକଳ୍ପନାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଯଦି ଏହି ଦୃଷ୍ଟିକୋଣରୁ ବି ଭାରତରେ ସବୁ ଭଲ ଅଛି ବୋଲି କହିଥାନ୍ତେ କେହି ତାଙ୍କୁ କଟାକ୍ଷ କରିନଥାନ୍ତେ। ମାତ୍ର, ଏ କ୍ଷେତ୍ରରେ ବି ଭାରତର ସ୍ଥିତି ଏବେ ଭଲ ନୁହେଁ। ସେପ୍ଟେମ୍ବର ଓ ତା’ ପୂର୍ବ ମାସଗୁଡ଼ିକରେ ଭାରତୀୟ ଅର୍ଥନୀତି ସଂପର୍କରେ ଯେଉଁସବୁ ସଂକେତ ପ୍ରକାଶ ପାଇଛି ସେଥିରୁ ଭାରତରେ ଯେ ସବୁ ଠିକ ଚାଲିଛି ତାହା କୁହାଯାଇ ପାରିବ ନାହିଁ। ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଏପରି ଅନେକ ନୈରାଶ୍ୟଜନକ ଖବର ପ୍ରକାଶ ପାଇଛି। ଅନ୍ୟ କେଉଁ ସଂସ୍ଥା ତରଫରୁ ନୁହେଁ ଖୋଦ ଭାରତୀୟ ରିଜର୍ବ ବ୍ୟାଙ୍କ ଭାରତର ଆର୍ଥନୀତିକ ସ୍ଥିତିର ଯେଉଁ ଚିତ୍ରଣ କରିଛି ତାହା କେବେ ବି ଭଲ ସଂକେତ ଦେଉନାହିଁ। ଅକ୍ଟୋବର ୪ ତାରିଖରେ ଭାରତୀୟ ରିଜର୍ବ ବ୍ୟାଙ୍କର ଗବର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍‌ କମାଇବାକୁ ଯାଇଁ କହିଥିଲେ ଯେ ୨୦୧୯-୨୦ ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ (ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ) ବା ଜିଡିପି ଅଭିବୃଦ୍ଧି ହାର ପୂର୍ବ ଆକଳନ ତୁଳନାରେ କମିବ। ପୂର୍ବ ଆକଳନ ଅନୁସାରେ ଏହି ବର୍ଷ ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତ ହେବା କଥା। କିନ୍ତୁ ଭାରତୀୟ ରିଜର୍ବ ବ୍ୟାଙ୍କ ବା ଆରବିଆଇ ଏହାକୁ ୬.୧ ପ୍ରତିଶତକୁ କମାଇ ଦେଇଛି। ୨୦୧୯ ଜୁନ୍‌ ମାସରେ ଏହି ହାର ୫ ପ୍ରତିଶତ ଥିଲା ବୋଲି ଆରବିଆଇ କହିଥିଲା। ୨୦୨୦-୨୧ ଆର୍ଥିକ ବର୍ଷକୁ ଜିଡିପି ଅଭିବୃଦ୍ଧି ହାର ପୁଣି ଥରେ ୭ ପ୍ରତିଶତ ହେବ ବୋଲି ଅବଶ୍ୟ ଆରବିଆଇ ଆକଳନ କରିଛି। କିନ୍ତୁ ସାଧାରଣ ଲୋକଙ୍କୁ ବାଧୁଥିବା ମୁଦ୍ରାସ୍ଫୀତି ହାର ବଢ଼ିବା ନିଶ୍ଚୟ ଏକ ଭଲ ଖବର ନୁହେଁ। ସେହି ଦିନ ଶକ୍ତିକାନ୍ତ କହିଥିଲେ ଯେ ୨୦୧୯-୨୦ର ଦ୍ୱିତୀୟ ଚୌମାସିକୀରେ ମୁଦ୍ରାସ୍ଫୀତି ହାର ଥିଲା ୩.୪ ପ୍ରତିଶତ। ଏହି ବର୍ଷ ଦ୍ୱିତୀୟାର୍ଦ୍ଧରେ ଏହା ୩.୫-୩.୭ ପ୍ରତିଶତରେ ପହଂଚିବ। ୨୦୨୦-୨୧ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତ ହେବ। ମୁଦ୍ରାସ୍ଫୀତି ହାର ବଢ଼ିଲେ ସରକାରୀ କର୍ମଚାରୀଙ୍କର କିଛି କ୍ଷତି ହେବ ନାହିଁ। କାରଣ ସେମାନେ ସେହି ଅନୁପାତରେ ମହଙ୍ଗା ଭତ୍ତା ପାଇବେ। ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ମଧ୍ୟ କିଛିଟା କ୍ଷତିପୂରଣ ପାଇବେ। କିନ୍ତୁ ସଂଖ୍ୟାଧିକ ସାଧାରଣ ଲୋକ? ସେମାନେ ମହଙ୍ଗା ମାଡ଼ ସହିବେ ଓ ସରକାରୀ ଓ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ମହଙ୍ଗା ଭତ୍ତା ପାଇଁ ଟିକସ ଦେବେ। ଏହା କ’ଣ ଭଲ କଥା? ଏବେ ସେହି ଆରବିଆଇ ତରଫରୁ ମାସିକ ଉପଭୋକ୍ତା ଆସ୍ଥା ରିପୋର୍ଟ ପ୍ରକାଶ ପାଇଛି। ସେପ୍ଟେମ୍ବର ମାସ ପାଇଁ ଉପଭୋକ୍ତା ଆସ୍ଥା ଆକଳନ କରିବାକୁ ଆରବିଆଇ ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ସମେତ ଦେଶର ବଡ଼ବଡ଼ ୧୩ଟି ସହରରେ ଏକ ସର୍ବେକ୍ଷଣ କରାଯାଇଥିଲା। ଏହି ସର୍ବେକ୍ଷଣରୁ ସଂଗୃହୀତ ମତାମତ ଆଧାରରେ ଆରବିଆଇ କହିଛି ଯେ ଦେଶରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଖରାପ ବୋଲି ୫୨.୫ ପ୍ରତିଶତ ମତାମତ ମିଳିଛି। ଆଗକୁ ଏହି ପରିସ୍ଥିତି ଆହୁରି ଖରାପ ହେବ ବୋଲି ୩୩.୪ ପ୍ରତିଶତ ଲୋକ ମତ ଦେଇଛନ୍ତି। ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୨୬.୭ ପ୍ରତିଶତ କହିଛନ୍ତି ଯେ ସେମାନଙ୍କର ବ୍ୟକ୍ତିଗତ ଆୟ ହ୍ରାସ ପାଇଛି। ପ୍ରାୟ ୧୦ ପ୍ରତିଶତ କହିଛନ୍ତି ଏହା ଆହୁରି କମିବ। ତେବେ ୫୩ ପ୍ରତିଶତ କହିଛନ୍ତି ଆର ବର୍ଷକୁ ଆୟ ବଢ଼ିବ। ସର୍ଭେରେ ଭାଗ ନେଇଥିବା ପରିବାର ମଧ୍ୟରୁ ୪୭.୯ ପ୍ରତିଶତ କହିଛନ୍ତି ଯେ ଆର୍ଥନୀତିକ ସ୍ଥିତି ଖରାପ ସ୍ତରକୁ ଗତି କରିଛି, ୩୧.୮ ପ୍ରତିଶତ କହିଛନ୍ତି ଏହା ଆହୁରି ଖରାପ ହେବ। ମୁଦ୍ରାସ୍ଫୀତି ବା ଦରବୃଦ୍ଧି ହାର ବଢ଼ିଛି ବୋଲି ୭୫ ପ୍ରତିଶତ ଲୋକ ମତ ଦେଇଛନ୍ତି। ସମାନ ସଂଖ୍ୟକ ଲୋକ କହିଛନ୍ତି ଦରବୃଦ୍ଧି ବୋଝ ସହିବାକୁ ସେମାନେ ଅଣ-ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ଖର୍ଚ୍ଚ କମାଇବାକୁ ବାଧ୍ୟ ହୋଇଛନ୍ତି। ଏସବୁ ପରିସଂଖ୍ୟାନ ଓ ଆକଳନ ନିଶ୍ଚୟ ଦେଶ ପାଇଁ ଭଲ ନୁହେଁ। ଏକଥା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ବିପୁଳ ଜନମତ ହାସଲ କରିଛନ୍ତି। ଏହା ତାଙ୍କ ପାଇଁ ଖୁବ ଭଲ କଥା। ତାଙ୍କ ଦଳ, ତାଙ୍କ ସହଯୋଗୀମାନଙ୍କ ସ୍ଥିତି ଖୁବ ଭଲ। ସମଗ୍ର ପୃଥିବୀରେ ଭାରତର ଭାବମୂର୍ତ୍ତି ବୃଦ୍ଧି ପାଇବା ନିଶ୍ଚୟ ଖୁବ ଭଲ କଥା। ନିଜେ ନରେନ୍ଦ୍ର ମୋଦୀ ଏକାକୀ ଉଦ୍ୟମ କରି ଦେଶ ପାଇଁ ଏହି ସଫଳତା ଓ ପରିବର୍ତ୍ତନ ଆଣିପାରିଛନ୍ତି। ତାଙ୍କର ଓ ତାଙ୍କ ସରକାରର ଆଭିମୁଖ୍ୟ ଅନୁସାରେ ସମଗ୍ର ଦେଶରେ ଏକ ଦେଶପ୍ରେମର ଲହର ସୃଷ୍ଟି କରିବାର କୌଶଳ ସଫଳତାର ସହିତ କାର୍ଯ୍ୟ କରିଚାଲିଛି। କିନ୍ତୁ କେବଳ ଏଇ ଦେଶପ୍ରେମ ବା କାଶ୍ମୀର-ପାକିସ୍ତାନ କୈନ୍ଦ୍ରିକ ରାଜନୀତି ଓ ଶାସନ କୌଶଳ ଦେଶରେ ଯେ ଅଚ୍ଛେ ଦିନ୍‌ ଆଣିବ ବୋଲି ବିଶ୍ୱାସ କରିବା ମୂଢ଼ତା ହେବ। ସେଥିପାଇଁ କଠୋର ଆର୍ଥନୀତିକ ପଦକ୍ଷେପ ଦରକାର, ଶସ୍ତା ଲୋକପ୍ରିୟତା ପାଇଁ ନିଆଯାଉଥିବା ପଦକ୍ଷେପ ବିଫଳ ହୋଇପାରେ। ସୁଧ ଦର କମେଇ ଓ ରିହାତି ଦେଇ ଶିଳ୍ପପତିଙ୍କୁ ସବୁଦିନ ଖୁସି କରି ହେବ। ମାତ୍ର, ତଦ୍ୱାରା ଦେଶବାସୀଙ୍କ ଖୁସି ଉପରେ ଆଞ୍ଚ ଆସିଲେ ସେମାନେ ନିଶ୍ଚୟ ଅସନ୍ତୁଷ୍ଟ ହେବେ। ସରକାର ଏକଥା ବିଚାର କରିବା ଦରକାର ଓ ସେହି ଅନୁସାରେ କାର୍ଯ୍ୟକ୍ରମ ଗ୍ରହଣ କରିବା ଉଚିତ। ନହେଲେ ନରେନ୍ଦ୍ରଙ୍କ ‘ଅଚ୍ଛେଦିନ୍‌’ ବା ‘ସବୁ ଭଲ ଅଛି’ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପଣମାନେ ଖୁସି ତ’ ପରି ଏକ ଲୋକପ୍ରିୟ କଥନିକା ହେବ, ବାସ୍ତବ ଖୁସି ଆସିବ ନାହିଁ। (ସୌ-ଓଡ଼ିଶା ରିପୋର୍ଟର)

Share :