‘ଭାଷା ନିୟମାବଳୀ, ୨୦୧୯ ଓଡ଼ିଆ ଜାତିର ଭାଷା ଅଧିକାର ପରିପନ୍ଥୀ’

‘ଭାଷା ନିୟମାବଳୀ, ୨୦୧୯ ଓଡ଼ିଆ ଜାତିର ଭାଷା ଅଧିକାର ପରିପନ୍ଥୀ’

Share :

ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଆ ସରକାରୀ ଭାଷା (ସଂଶୋଧନ) ନିୟମାବଳୀ, ୨୦୧୯ ଓଡ଼ିଆ ଜାତିର ଭାଷା ଅଧିକାରକୁ ବିପଦାପନ୍ନ କରୁଛି। ମୁଁ ତା’ର ତୁରନ୍ତ ବିଲୋପନ ଦାବି କରୁଛି। ଓଡ଼ିଆ ଜାତିର ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବା ସକାଶେ ଓଡ଼ିଆ ଜାତି ୧୮୭୦ରୁ ୧୯୩୬ ପର୍ଯ୍ୟନ୍ତ ସଂଗ୍ରାମ କରି ଓଡ଼ିଶା ପ୍ରଦେଶ ସୃଷ୍ଟ କରିଛି। ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଆରେ ଶାସନ। ସେହେତୁ, ସ୍ଵାଧୀନତା ଲାଭ ପରେ ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପ୍ରଥମ ବିଧାନସଭା ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲା। ଏହି ଆଇନର ଧାରା ୧ର ଉପଧାରା (୨) ଓ ଉପଧାରା (୩) ବଳରେ ଏହା ସମଗ୍ର ଓଡ଼ିଶାରେ ତତ୍କାଳ ବଳବତ୍ତର ହୋଇଥିଲା । ଏହାର ଧାରା ୨ର ଉପଧାରା (୧) ଅନୁସାରେ ଓଡ଼ିଶାରେ ସମ୍ପୂର୍ଣ୍ଣତଃ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆରେ ହେବା ଧାର୍ଯ୍ୟ କରା ହୋଇଥିଲା। ମାତ୍ର ୨୦୧୯ରେ ରାଜ୍ୟ ସରକାର ଯେଉଁ ନିୟମାବଳି ପ୍ରବର୍ତ୍ତନ କରିଛନ୍ତି ତାହା ମୂଳ ଭାଷା ଆଇନ ସୃଷ୍ଟି କରିଥିବା ଏହି ଭାଷା ଅଧିକାରକୁ ପଣ୍ଡ କରୁଛି। ଯଥା, ନିୟମ ୫-କ (୧)ରେ ଅଛି, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ। ଏହାର ଅର୍ଥ ହେଲା, ଯେଉଁ କର୍ମଚାରୀମାନେ ସମ୍ପୂର୍ଣ ଭାବେ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କାର ଦେବେ। ସେହିପରି ନିୟମ ୫-କ(୨) ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନପାରେ ତାର ବ୍ୟବସ୍ଥା କରିଛି। ଏଥିରେ କୁହା ହୋଇଛି “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ”। ଅଥଚ “ପର୍ଯ୍ୟାପ୍ତ ବ୍ୟବହାର” ସଜ୍ଞାୟିତ ହୋଇନାହିଁ କି “ବାରମ୍ବାର ଖିଲାପ” କାହାକୁ କୁହାଯିବ ତାହା ମଧ୍ୟ ସଜ୍ଞାୟିତ ହୋଇନାହିଁ। ଏପରି ଅବସ୍ଥାରେ, ଏହି ନିୟମାବଳୀରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କୁହା ହୋଇଛି ତାହା ମଧ୍ୟ ହେବ ନାହିଁ। “ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ” ବୋଲି ଯାହା କୁହା ହୋଇଛି, ତାହା ନୂଆ ବୋତଲରେ ପୁରୁଣା ମଦ। ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାକୁ ଛୁରି ମାରି ଭାଷା ଆଇନରେ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ଓଡ଼ିଶା ଉପରେ ନଦି ଦେବା ପରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତହିଁର ପ୍ରତିକାର ପାଇଁ ରାଜେନ୍ଦ୍ରନାରାୟଣ ସିଂହ ଦେଓଙ୍କ ସରକାର ୬।୪।୧୯୬୮ ତାରିଖରେ ୭୧୧୩ ସଂଖ୍ୟକ ଅଧିସୂଚନା ଜାରିକରିଥିଲେ, ଯେଉଁଥିରେ ଲେଖା ହୋଇଥିଲା, ୧୪।୪।୧୯୬୮ ତାରିଖରୁ ଯେଉଁମାନେ ଓଡ଼ିଆରେ କାମ ନ କରିବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଏପରି ବହୁ ବାର ଏହି ଏକା ଆଦେଶ ହୋଇଛି। ଆଜିଯାଏଁ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କାରଣ ଆଇନ ଅମାନ୍ୟକାରୀ କୌଣସି କର୍ମଚାରୀ ନିଜକୁ ନିଜେ ଦଣ୍ଡିତ କରେନାହିଁ। ତେଣୁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସାଧାରଣ ଲୋକର ରହିବା ଆବଶ୍ୟକ। ଭାଷା ଅଧିକାର ଏକ ସହଜାତ ଅଧିକାର ହୋଇଥିବା ହେତୁ, ଏହା ଏକ ଅଲିଖିତ ମୌଳିକ ଅଧିକାର। ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ସକାଶେ ଯେକୌଣସି ବ୍ୟକ୍ତି ବିଧିକ ପଦକ୍ଷେପ ନେବା ପାଇଁ ଯେମିତି ଅଧିକୃତ, ଠିକ ସେମିତି ଭାଷା ଅଧିକାରର ଖଣ୍ଡନ ହେଲେ ତା ବିରୁଦ୍ଧରେ ବିଧିକ ପଦକ୍ଷେପ ନେବା ପାଇଁ ଯେକୌଣସି ଓଡ଼ିଆ ଆଇନତଃ ଅଧିକୃତ ହେବା ଦରକାର। ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

Share :