ବିଧୁର ବିପିନ ଓ ବିଧବା ମମତା - ଏକ ନିରୁତା ଦାମ୍ପତ୍ୟ

ବିଧୁର ବିପିନ ଓ ବିଧବା ମମତା - ଏକ ନିରୁତା ଦାମ୍ପତ୍ୟ

Share :

ବିମଳ ପ୍ରସାଦ   ପ୍ରେମ ନୁହେଁ କେବଳ ବିବାହର ବନ୍ଧନ । ବରଂ ଏହା ତ୍ୟାଗ ଓ ତପସ୍ୟାର ନିଦର୍ଶନ । ଏଭଳି ବିବୃତିକୁ ସତ ପ୍ରମାଣିତ କରିଛନ୍ତି କୋରାପୁଟର ବିପିନ ଓ ମମତା । ମମତାଙ୍କ ମଥାରେ ନାହିଁ ବିପିନଙ୍କ ସିନ୍ଦୁର ଅଥବା ମମତାଙ୍କ ଗର୍ଭରୁ ସନ୍ତାନ। ତଥାପି ଦୁହେଁ ଏକାଠି ଓ ଏକପ୍ରାଣ । କେମିତି ସମ୍ଭବ ଇଏ ? ଏକ ଶୀତୁଆ ଅପରାହ୍ଣରେ ଢେଙ୍କାନାଳ ସହରର ଶ୍ୟାମାଚରଣପୁର ଷ୍ଟେସନରେ ଭେଟ ହୁଏ ବିପିନ ଓ ମମତାଙ୍କ ସହ। ଭିଡ଼ ଭିତରେ ବାରି ହୋଇ ପଡୁଥିଲେ ଦିହେଁ। ଦାରିଦ୍ର୍ୟ ଭିତରେ ବି ଉଭୟଙ୍କ ମୁହଁରେ ନାହିଁ ଏତେ ଟିକେ ବିରସର ଛାପ । ନିଜର କିଛି ଘରକରଣା ସାମଗ୍ରୀ ଓ ଜରିପାଲର ଘର ଭିତରେ ଦିହେଁ ଥିଲେ ବେଶ୍‌ ଆଶ୍ଵସ୍ତ। ସେମାନଙ୍କ ସହ କଥା ହୁଅନ୍ତେ, ବିପିନ ବେଶ୍‌ ଆତ୍ମସନ୍ତୋଷର ସହ କହିଲେ, ‘‘ଆମେ ବାହା ହୋଇନୁ । ହେଲେ ତା’ଠୁ ବି ଅଧିକ ଆମ ଭିତରେ ଥିବା ସଂପର୍କ ।’’ ତାଙ୍କ ବଖାଣରୁ ଜଣାପଡ଼ିଲା ଯେ ପ୍ରାୟ ୨୨ ବର୍ଷ ତଳେ ବିପିନଙ୍କ ବିବାହ ହୋଇଥିଲା ସୁନ୍ଦରଗଡ଼ର ଏକ ଆଦିବାସୀ ପରିବାରରେ । ଖୁବ୍‌ କମ୍‌ ଦିନ ଭିତରେ ଦୁଇ ପୁଅ ଓ ଦୁଇ ଝିଅଙ୍କ ବାପା ହେଲେ ସେ । ହସଖୁସିରେ ସଂସାର ଚାଲିଥିଲା। ହଠାତ୍‌ କେଉଁ ରୋଗରେ ପଡ଼ି ସ୍ତ୍ରୀ ବୀଣା ଆରପାରିକୁ ଚାଲିଗଲେ । ମାଆଛେଉଣ୍ଡ ହୋଇଗଲେ ପିଲାଏ । ଏମିତି ଦୁଇ ବର୍ଷ ବିତିବା ପରେ ପଡ଼ୋଶୀ ଗାଆଁର ମମତାଙ୍କ ସହ ଭେଟ ହୁଏ ବିପିନଙ୍କର। ମମତା ଜଣେ ନିଃସନ୍ତାନ ବିଧବା । ଆଦିବାସୀ ସମାଜରେ ବିଧବାମାନଙ୍କୁ ଡାହାଣୀ ଆଖ୍ୟା ଦେଇ ନିର୍ଯାତନା ଦିଆଯାଏ । ମମତାଙ୍କ ସହ ତାହା ହିଁ ହେଉଥିଲା। ଶାଶୂଘରର ଏମିତି ଗଂଜଣା ଭିତରେ ବିପିନଙ୍କ ସହାନୁଭୂତି ପାଆନ୍ତି ମମତା । ଉଭୟଙ୍କ ଭିତରେ ସଂପର୍କ ମଧୁର ଓ ମଜବୁତ ହୋଇଉଠେ । ବିପିନ ଶେଷରେ ମମତାଙ୍କୁ ନିଜର ଘରଣୀ କରି ନିଅନ୍ତି । ମାନେ, ନିଜ ଘରକୁ ନେଇ ଆସନ୍ତି । ହେଲେ ଏଥିରେ ଅସହିଷ୍ଣୁ ହୋଇ ଉଠନ୍ତି ଗାଆଁଲୋକେ ଏବଂ ଏ ଦିହିଁଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୁଅନ୍ତେ, ଏକ ନିଛାଟିଆ ବେଳାରେ ଦିହେଁ ଗାଆଁ ଛାଡ଼ି ଚାଲି ଆସନ୍ତି ଢେଙ୍କାନାଳ। ନିଜ ପିଲାଙ୍କୁ ଭୁଲି ନାହାନ୍ତି ଏ ଦମ୍ପତି । ଷ୍ଟେସନରୁ ଜରି ଗୋଟାଇ ତାହାକୁ ଚୌଦ୍ଵାର ପ୍ଲାଷ୍ଟିକ୍‌ ଡିପୋରେ କିଲୋପ୍ରତି ୧୫ ଟଙ୍କାରେ ବିକ୍ରି କରନ୍ତି। ଏଥିରୁ ଯାହା ପାଆନ୍ତି, ଘରକୁ ପଠାନ୍ତି । ଇତି ମଧ୍ୟରେ ବଡ଼ ଝିଅକୁ ବିହା ଦେଲେଣି। ପିଲାଟୁକେଲଙ୍କ ସୁଖ ପାଇଁ ବିପିନ ମମତା ବିବାହ କଲେ ନାହିଁ। ସମାଜ ହୁଏତ ଏ ଦାମ୍ପତ୍ୟର ପରିଭାଷା ଖୋଜି ବୁଲୁଥିବ। ହେଲେ ବିପିନ ମମତା ଖୋଜୁଛନ୍ତି ଜୀବିକା ଓ ଜୀଇଁବାର ରାହା ।

Share :