ବଦଳିଲା ବିଜେଡ଼ି, ବଦଳିନି ବ୍ରହ୍ମପୁର

ବଦଳିଲା ବିଜେଡ଼ି, ବଦଳିନି ବ୍ରହ୍ମପୁର

Share :

ହେମାଙ୍ଗ ପ୍ରସାଦ ରାଉଳ ନିର୍ବାଚନ ଶେଷ ହୋଇଛି। ନବୀନ ବାବୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନିଜର ଶାସନ ଚଳାଉଛନ୍ତି ଏବଂ ଭିନ୍ନ ଭିନ୍ନ ବିଭାଗରେ ଭିନ୍ନ ମନ୍ତ୍ରିଙ୍କୁ ଅବସ୍ଥାପିତ କରିଛନ୍ତି। କେତେକ ନୂଆ ମୁହଁ ହୋଇଥିବାବେଳେ କେତେକ ପୁରୁଣା ମୁହଁ ରହିଛନ୍ତି। ବିଜେଡ଼ିର ୨୦୧୪ରେ ଯେଉଁ ଦୁର୍ଗ ଗଂଜାମ ଜିଲ୍ଲାରେ ଥିଲା ତାହା ପୂର୍ବବତ ରହିଛି। ବ୍ରହ୍ମପୁରରେ ସହରରେ ମଧ୍ୟ ବିଜେଡ଼ି ନିଜର ଦୁର୍ଗକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଛି। କିନ୍ତୁ ବ୍ରହ୍ମପୁର ବିଜେଡ଼ିର ନବକଳେବର ହୋଇଛି। ଯେଉଁମାନେ ପୂର୍ବରୁ ବିଜେଡ଼ିକୁ ବିରୋଧ କରି ହାରୁଥିଲେ ସେମାନେ ବର୍ତ୍ତମାନ ବିଜେଡ଼ିର ଆଗଧାଡ଼ିର ନେତା। କହିବାକୁ ଗଲେ ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଯୁଗ ଶେଷ ହୋଇ ସେମାନଙ୍କ ସ୍ଥାନ ନେଇଛନ୍ତି ନୂତନ ବିଧାୟକ ବିକ୍ରମ ପଣ୍ଡା ଏବଂ ସାଂସଦ ଚନ୍ଦ୍ରଶେଖର ସାହୁ। ନିର୍ବାଚନ ପୂର୍ବରୁ ଟିକେଟ୍ ବାଣ୍ଟିବା ବେଳେ ପୁରୁଣା ଯୁଗର ନେତାମାନେ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ମଧ୍ୟ ଡା. ଚ୍ୟାଉ ପଟ୍ଟନାୟକଙ୍କୁ ମୁଖିଆ କିଛି ଆଶ୍ବାସନା ଦେଇ ଚୁପ୍ କରାଯାଇଥିଲା। ସୂଚନାଥାଉକି ଡା. ଚ୍ୟାଉ ପଟ୍ଟନାୟକ ବ୍ରହ୍ମପୁର ସହରର ୫ ଥର ବିଧାୟକ ହୋଇଥିଲେ ମଧ୍ୟ ମନ୍ତ୍ରୀପଦଟିଏ ପାଇନଥିଲେ। ସେ ଲୋକଙ୍କ ସୁଖଦୁଃଖ ବୁଝୁଥିଲେ ମଧ୍ୟ ୨୫ ବର୍ଷ ବିଧାୟିକତ୍ୱ ପଦବୀରେ ସହରର ସେଭଳି କୌଣସି ଆଖି ଦୃଶିଆ ଉନ୍ନତି ହୋଇନଥିଲା। ତାଙ୍କ ସମୟରେ ନା ବିମାନ ବନ୍ଦର ହେଲା ନା ବ୍ରହ୍ମପୁର ସହରର ଜଳକଷ୍ଟ ଦୂର ହୋଇପାରିଲା। ନା ରିଂ ରୋଡ଼୍ ହେଲା ନା ବ୍ରହ୍ମପୁର ଷ୍ଟେସନର କୌଣସି ଉନ୍ନତି ହେଲା। ସ୍ୱାସ୍ଥ୍ୟସେବାରେ ବି ବ୍ରହ୍ମପୁର ପଛରେ ପଡ଼ିଯାଇଥିଲା। ଅପରପକ୍ଷରେ ୨ର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟ ରିପୋର୍ଟ କାର୍ଡ଼ ସେତେ ଭଲ ନଥିଲା। ବର୍ଷକରେ କିଛି ଦିନକୁ ଛାଡ଼ିଦେଲେ ତାଙ୍କୁ ସହରର କୌଣସି ଉନ୍ନତିମୂଳକ କାର୍ଯ୍ୟରେ ଠିଆ ହେବା ଦେଖିବାକୁ ମିଳୁନଥିଲା। ଏସବୁକୁ ଦେଖି ଲୋକ ବିଜେଡ଼ିରୁ ହାତଛାଡ଼ି ବିକଳ୍ପ ଖୋଜୁଥିବା କୁହାକୁହି ହେଉଥିଲେ। ସୁପ୍ରିମୋଙ୍କ ସିଆଇଡ଼ି ମଧ୍ୟ ସେମାନଙ୍କ ରିପୋର୍ଟ କାର୍ଡ଼ ଭଲ ନଥିବା ରିପୋର୍ଟ ଦେବା ପରେ ସୁପ୍ରିମୋ ପ୍ରାର୍ଥୀ ବଦଳାଇ ନୂଆଁ ମୁହଁ ଦେବାକୁ ସ୍ଥିର କରିଥିଲେ। ପୂର୍ବରୁ କଂଗ୍ରେସରେ ଥିବା ଦୁଇ ଛାମୁଆ ନେତା ପୂର୍ବତନ କେନ୍ଦ୍ରମନ୍ଦ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଏବଂ ତତ୍କାଳୀନ କଂଗ୍ରେସ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ ଏକ ଭବ୍ୟ ସମାରୋହରେ ତଥା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହାତଛାଡ଼ି ଶଂଖକୁ ଆଦରି ନେଇଥିଲେ। ପରେ ବ୍ରହ୍ମପୁର ଲୋକସଭା ଆସନ ଏବଂ ବିଧାନସଭା ଆସନରେ ବିଜେଡ଼ି ଆଶାତୀତ ଭୋଟରେ ବିଜେଡ଼ି ବିଜୟୀ ହୋଇଥିଲା। ବ୍ରହ୍ମପୁର ବିଜେଡ଼ିର ଯୁଗ ପରିବର୍ତ୍ତନ ହେଲା। ପୂର୍ବରୁ ଚନ୍ଦ୍ରଶେଖର ସାହୁ ମନ୍ତ୍ରୀଥିବାବେଳେ ବ୍ରହ୍ମପୁର ସହରର କିଛି ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ଏବଂ ବିକ୍ରମ ପଣ୍ଡା ଜଣେ ଯୁବକ ତଥା ସ୍ୱଚ୍ଛ ଭାବମୂର୍ତ୍ତି ରହିଥିବାରୁ ଲୋକେ ତାଙ୍କୁ ଭୋଟ ମଧ୍ୟ ଦେଇଥିଲେ। ୪ ଥର ନିର୍ବାଚନ ପରାଜୟ ପରେ ଶେଷରେ ବିକ୍ରମ ପଣ୍ଡା ବିଧାୟକ ହୋଇଥିଲେ। ସେହିପରି ଚନ୍ଦ୍ରଶେଖର ସାହୁ ମଧ୍ୟ ଦୁଇଥର ହାରିବା ପରେ ସାଂସଦ ହୋଇଥିଲେ। ଉଭୟେ ବର୍ତ୍ତମାନ ସାଂସଦ ଏବଂ ବିଧାୟକ ହୋଇ ସବୁ ସଂଗଠନ ପକ୍ଷରୁ ସମ୍ୱର୍ଦ୍ଧିତ ହେଉଥିବାବେଳେ ବ୍ରହ୍ମପୁର ଲୋକଙ୍କ ଯେଉଁ ଆଶା ଅଭିଳାଷ ରହିଛି ତାହା ପୂରଣ କରିବାକୁ ସେମାନେ କେତେଦୂର ଯତ୍ନବାନ ହେବେ ଦେଖିବାକୁ ବାକି ରହିଛି। ଯୁଗ ପରିବର୍ତ୍ତନ ହୋଇଛି କିନ୍ତୁ ଲୋକଙ୍କ ମୌଳିକ ସମସ୍ୟାର ପରିବର୍ତ୍ତନର ଆଭାସ ଆଉ କିଛି ଦିନ ପରେ ଜଣାପଡ଼ିବ। ସହରର ସମସ୍ୟା କହିଲେ ସହରରେ ଅହେତୁକ ଟ୍ରାଫିକ୍, ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ହୋଇ ମଧ୍ୟ ସ୍ଥାନାନ୍ତର ନହେବା, ଭଲ ରାସ୍ତା ନାହିଁ, ଶତାବ୍ଦୀର ଶୋଷ ପାନୀୟ ଜଳ ସମସ୍ୟା, ରିଂ ରୋଡ଼୍, ଅମୃତ ଯୋଜନାର ସିଟିର ସମସ୍ତ ସୁବିଧା ସୁଯୋଗ, ବ୍ରହ୍ମପୁର ଷ୍ଟାଡ଼ିୟମ, ରେଲେୱ ଷ୍ଟେସନ ଭଳି ବିଭିନ୍ନ ସମସ୍ୟା ବ୍ରହ୍ମପୁର ସହରକୁ ଘାରି ରହିଛି। ପୂର୍ବରୁ ଏହି ସମସ୍ୟାଗୁଡ଼ିକର କିଛି କିଛି ସମାଧାନ ହେଉଥିଲେ ମଧ୍ୟ ତାହା ଆଖି ଦୃଶିଆ ହୋଇପାରନାହିଁ। ସାଂସଦ ଏବଂ ବିଧାୟକ ଯେଉଁ ସ୍ଥାନକୁ ଅତିଥି ହୋଇ ଗଲେ ଏହି ସବୁ ସମସ୍ୟା ପ୍ରତି ସଚେତନ ଅଛନ୍ତି ଏବଂ ଯଥାଶୀଘ୍ର ଏହାର ପୂରଣ କରିବା ଦିଗରେ ଅଗ୍ରସର ହେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ସେପଟେ ବ୍ରହ୍ମପୁର ମହାନଗର ନିଗମ ମେୟର, କର୍ପୋରେଟରମାନେ ସେମାନଙ୍କ କ୍ଷମତା ଯିବା ପରଠାରୁ ମହାନଗର ଭାଗ୍ୟ ବର୍ତ୍ତମାନ ପ୍ରଶାସନିକ ଅଧିକାରୀଙ୍କ ହାତରେ ରହିଛି। ସେହିପରି ବିଡ଼ିଏ ଚେୟାରମ୍ୟାନ ସୁବାଷ ମହାରଣା ମଧ୍ୟ ନିଜର କାର୍ଯ୍ୟକାଳ ସମାପ୍ତ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହି ପଦବୀଗୁଡ଼ିକ ନୂଆ ଯୁଗକୁ ମିଳିବ କି ପୁରାଣ ଯୁଗକୁ ସୁପ୍ରିମୋ ପ୍ରଦାନ କରି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ। ଏହି ପଦବିଗୁଡ଼ିକ ପୂରଣ ନହେଲେ ବ୍ରହ୍ମପୁର ସହରର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଚଳିତଥର ମହାନଗର ନିର୍ବାଚନ ମେୟର ପଦବୀଟି ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟରେ ଘୋଷିତ ହେବାକୁ ଥିବାବେଳେ ପୁରୁଣା ଯୁଗର ସୁବାଷ ମହାରଣା ଏଥିପ୍ରତି ଆସକ୍ତି ଥିବା ଭଳି ତାଙ୍କର ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ଚନ୍ଦ୍ରଶେଖର, ବିକ୍ରମଙ୍କ ସହ ଡ. ଭଗବାନ ଗନ୍ତାୟତ ମଧ୍ୟ ହାତଛାଡ଼ି ଶଂଖ ଧରିଥିଲେ। ସେ ମଧ୍ୟ କିଛି ଗୋଟେ ବଡ଼ ପଦବୀ ପାଇଁ ଆସକ୍ତ ଅଛନ୍ତି । ତେବେ ପୁରୁଣା ଯୁଗ ଏବଂ ନୂଆ ଯୁଗ ମଧ୍ୟରେ ବଳ କଷାକଷି ହେବା ଏକରକମ ନିଶ୍ଚିତ। ବିଡ଼ିଏ ଚେୟାରମ୍ୟାନ ପଦବୀ ପାଇଁ ମଧ୍ୟ ବହୁ ଛାମୁଆ ନେତା ଅନାଇ ବସିଛନ୍ତି। ଏସବୁ ମଧ୍ୟରେ ବ୍ରହ୍ମପୁର ସହରର ସମସ୍ୟା ପୂର୍ବରୁ ଯେଭଳି ମୁଣ୍ଡଟେକି ରହିଥିଲା ବର୍ତ୍ତମାନ ମଧ୍ୟ ସେଭଳି ରହିଛି। ନୂଆଯୁଗକୁ ଲୋକେ ଭରଷା କରି ଅନାଇ ବସିଛନ୍ତି। ସେ ଯାହାହେଉ ଯଦି ପୁରୁଣା ଯୁଗ ଏବଂ ନୂଆ ଯୁଗର ନେତାମାନେ ସମସ୍ତେ ହାତକୁ ହାତ ମିଶାଇ କାମ କରିବେ ତେବେ ବ୍ରହ୍ମପୁରର ଦୁଃଖ ସବୁଦିନ ପାଇଁ ଦୂର ହୋଇଯିବ। ସହରବାସୀଙ୍କ ମୌଳିକ ସମସ୍ୟା ପୂରଣ ହେବା ସହ ଲୋକେ ସ୍ୱଚ୍ଛନ୍ଦରେ ଜୀବନଯାପନ କରିବେ। ଦେଖାଯାଉ ୫ ବର୍ଷ ମଧ୍ୟରେ କିଭଳି ସହରର ଭାଗ୍ୟ ପରିବର୍ତ୍ତନ ଘଟୁଛି ତାହା ସମୟ ହିଁ କହିବ।

Share :