କେନ୍ଦ୍ରୀୟ ପଣ୍ୟାଗାର ନିଗମ ନେଇ ପାଶୱାନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

କେନ୍ଦ୍ରୀୟ ପଣ୍ୟାଗାର ନିଗମ ନେଇ ପାଶୱାନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

Share :

ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ(ସିଡବ୍ଲୁସି)କୁ ଉଚ୍ଛେଦ କରି ପାଟଣା କ୍ଷେତ୍ରର ସିଡବ୍ଲୁସି ସହିତ ମିଶାଇବା ପ୍ରସ୍ତାବରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗୋଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ମନ୍ତ୍ରଣାଳୟର ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ପାଶୱାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ଭୌଗୋଳିକ ଆହ୍ୱାନର ମୁକାବିଲା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଭଣ୍ଡାରଣକାରୀଙ୍କ ସହିତ ସମ୍ପର୍କ ରଖିବା ତଥା ବିବାଦର ସମାଧାନ ଲାଗି ଭୁବନେଶ୍ୱର ଠାରେ ସିଡବ୍ଲୁସିର ଆଂଚଳିକ କାର୍ଯ୍ୟାଳୟ ୧୯୯୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେ ସମୟରେ ପାଟଣା କ୍ଷେତ୍ର ଠାରୁ ଭିନ୍ନ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ଭୁବନେଶ୍ୱର କ୍ଷେତ୍ର ଅଧୀନରେ ଥିବା ୨୧ଟି ପଣ୍ୟାଗାର ଭୁବନେଶ୍ୱର ସ୍ଥିତ ସିଡବ୍ଲୁସି କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରୁଛି। ବର୍ତ୍ତମାନ ଏହାର ପରିଚାଳନା କ୍ଷମତା ୩.୪୮ ମେଟ୍ରିକ ଟନ୍ ହୋଇଥିବା ବେଳେ ୯୦ ପ୍ରତିଶତ ଦଖଲ ସହିତ ଏହା କାର୍ଯ୍ୟ କରୁଛି ଏବଂ ନିୟମିତ ଭାବେ ଲାଭରେ ଚାଲିଛି। ଏହାବ୍ୟତିତ ଏହି କାର୍ଯ୍ୟାାଳୟରେ ୯୦ ପ୍ରତିଶତ ଓଡିଆ କର୍ମଚାରୀ କାମ କରୁଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ତଥା ଓଡିଶା ରାଜ୍ୟ ସାଧାରଣ ବଂଟନ ନିଗମ(ଓଏସଏସସି)ର ଖାଦ୍ୟ ଶସ୍ୟ ଓ ବିଜ୍ଞପିତ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜରୁରୀ ଖାଦ୍ୟ ସାମଗ୍ରୀ ଭଣ୍ଡାରଣ ଓ ସଂଗ୍ରହ କରି ରଖିବା ଦିଗରେ ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଥିସହିତ ଏହା ନିକଟରେ ଫନୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ସହାୟତା ଯୋଗାଇବା ଦିଗରେ ମଧ୍ୟ ମହତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲା ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ସେହିପରି ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଭୁବନେଶ୍ୱର ସ୍ଥିତ ଆଂଚଳିକ କାର୍ଯ୍ୟାଳୟ ରାଜ୍ୟକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସିଡବ୍ଲୁସି କାର୍ଯ୍ୟାଳୟ ସହିତ ପାଟଣା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗଳିକ ଏବଂ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ଲାଗି ମନ୍ତ୍ରଣାଳୟର ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶୱାନଙ୍କୁ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Share :