ଜଳପୀଡ଼ାଠୁ ବଳିଗଲା ପଥପୀଡ଼ା

ଜଳପୀଡ଼ାଠୁ ବଳିଗଲା ପଥପୀଡ଼ା

Share :

ହେମାଙ୍ଗ ପ୍ରସାଦ ରାଉଳ ବର୍ତ୍ତମାନ ସହରରେ ମୌସୁମୀ ପାଦ ଦେଇଛି। ବର୍ଷା ପୂର୍ବରୁ ଯେଉଁ ନାଳକାମ ଏବଂ ରାସ୍ତାକାମ ଶେଷ ହେବା କଥା ସେଗୁଡ଼ିକ ଅଧାପନ୍ତରିଆ ଭାବେ ରହିଛି। ପ୍ରତିବର୍ଷ ଖରାଦିନ ସମୟରେ ନାଳ କାମ ଆରମ୍ଭ ହେଉଥିିବାବେଳେ ବର୍ଷାଦିନ ପୂର୍ବରୁ ତାହା ଶେଷ ନହୋଇ କାମ ଅଧାପନ୍ତରିଆ ରହିଛି। ଏଥିଯୋଗୁଁ ଅସରାଏ ବର୍ଷା ହେଲେ ସହରର ଡ୍ରେନେଜ ବ୍ୟବସ୍ଥାର ଅସଲି ମୁଖା ଖୋଲିଯାଉଛି। ସହରର ପ୍ରଥମ ବର୍ଷାରେ ବହୁ ସ୍ଥାନରେ ପାଣିଜମି କୃତିମ ହ୍ରଦର ଭ୍ରମ ସୃଷ୍ଟି କରୁିଥବାବେଳେ ଲୋକଙ୍କ ଘର ମଧ୍ୟରେ ପାଣି ପଶିଯାଇ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସହରର ନୂଆ ବସ୍‌ ଷ୍ଟାଣ୍ଡ, ଅଶୋକ ନଗର, ରାମକୃଷ୍ଣନଗର, ହାଉସିଂ ବୋର୍ଡ଼, ରେଡ଼ିଓ ଷ୍ଟେସନ ଏବଂ ସହର ତଳି ଅଂଚଳର ଅବସ୍ଥା ନ କହିବା ଭଲ। ନାଳପାଣି ଘରେ ପଶୁଥିବାରୁ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସହରକୁ ଅମୃତ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ଭୂତଳ ଡ୍ରେନେଜ୍ ବ୍ୟବସ୍ଥା କ’ଣ ସହରବାସୀ ଜାଣିନାହାନ୍ତି। ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ସହରର ହାଉସିଂ ବୋର୍ଡ଼ ଅଂଚଳରେ। ଜୁଲାଇ ୧୩ ତାରିଖ ଶନିବାର ଦିନ ଅସରାଏ ବର୍ଷାରେ ହାଉସିଂ ବୋର୍ଡ଼ ସନ୍ନିକଟ ହରିହର ନଗର ବା ସୁବୁଦ୍ଧି କଲୋନୀରେ ଘରେ ଘରେ ପାଣି ପଶିଥିବା ଦେଖିବାକୁ ମିଳୁଛି। ଘର ପାର୍ଶ୍ୱରେ ଥିବା ନାଳଗୁଡ଼ିକ ଜାମ୍ ହୋଇଥିବାରୁ ଏବଂ ବର୍ଷାଦିନ ପୂର୍ବରୁ ନାଳଗୁଡ଼ିକରୁ ମାଟି ବାହାର କରାଯାଇନଥିବାରୁ ଏହିଭଳି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ ଲୋକେ ବହୁ ଅସୁବିଧାରେ ରହୁଥିବା ଦେଖିବାକୁ ମିଳୁଛି। ଏହିଭଳି ପ୍ରତିବର୍ଷ ଏହି ସମସ୍ୟା ହେଉଥିଲେ ମଧ୍ୟ ମହାନଗର ନିଗମ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ଦୀର୍ଘସୂତ୍ର ବ୍ୟବସ୍ଥା କରୁନାହାନ୍ତି। କେବଳ କୁଜି ଠିକାଦାରମାନଙ୍କୁ ନାଳକାମ ଦେଇ ଅତି ନିମ୍ନମାନର କାମ ହେଉଛି। ଯାହାକି ଅଳ୍ପଦିନ ମଧ୍ୟରେ ଖରାପ ହେବା ଦ୍ୱାରା ପୁଣିଥରେ ଟେଣ୍ଡର ହୋଇ ମହାନଗର ଅସାଧୁ କର୍ମଚାରୀ ଏବଂ କୁଜି ନେତା ଓ ଠିକାଦାରମାନେ ମାଲାମାଲ ହେଉଥିବା ଅଭିଯୋଗ ହେଉଛି। ଠିକାଦାରମାନଙ୍କୁ ୧୫ ପ୍ରତିଶତ କମ୍ ମୂଲ୍ୟରେ କାମ ଦିଆଯାଉଥିବାରୁ ସେମାନେ ମଧ୍ୟ ନିମ୍ନମାନର କାମ କରିବାକୁ ପଛାଉନାହାନ୍ତି। ସେହିପରି ଏହାଠାରୁ ବଳି ଯାଇଛି ଜାନିବିଲି ଜଳପ୍ରକଳ୍ପର ସମସ୍ୟା। ସହରରେ ବର୍ଷାଦିନେ ହେଲେ କୃତ୍ରିମ ବନ୍ୟା ଏବଂ ପାଣି ସମସ୍ୟା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ରହିଛି। ପାଣି ସଂକଟରୁ ମୁକୁଳିବା ପାଇଁ ଦେଖାଣିଆ କାମ କରି ସହରାସାରା ରାସ୍ତାଗୁଡ଼ିକୁ ଭାଙ୍ଗିଦେଇ ଧ୍ୱଂସ କରିଦେବା ପରେ ସଂପ୍ରତି ୫ ଲକ୍ଷରୁ ଉର୍ଦ୍ଧ୍ୱବାସିନ୍ଦା ପ୍ରତିଦିନ ଦୁର୍ଘଟଣାକୁ ମୁଣ୍ଡରେ ମୁଣ୍ଡେଇ ଏକୋଣରୁ ସେ କୋଣକୁ ବୁଲିବା ଦେଖାଯାଇଛି। ବ୍ରହ୍ମପୁର ସହରରେ ବିଗତ ଦୁଇ ଦଶନ୍ଧି ଧରି ପାଣି ପାଇଁ ରାଜନୀତି ଚାଲିଆସିଛି। ଉତ୍କଟ ରୂପ ପ୍ରତିଦିନ ଦେଖିବାକୁ ମିଳୁଛି ମଧ୍ୟ। ଆଜି ବି ସାହି ସାହିରେ ଜଳ ସଙ୍କଟ ଘନୀଭୂତ। କିଏ କାହାକୁ କହିଲେ ଶୁଣୁନାହାନ୍ତି। ରାତି ଅଧିଆ ପାଣି ଦଲାଲମାନେ ନିଜ ଇଚ୍ଛାରେ ପାଣିଯୋଗାଣ କରି ରାତିସାରା ସହରବାସୀଙ୍କୁ ଅନିଦ୍ରା ରଖିବା ସହ ଆଖିରୁ ନିଦ ହଜେଇ ଦେଇଥିବାବେଳେ ସେହି ମଣିଷମାନଙ୍କ ପାଇଁ ପଥ ଅର୍ଥାତ୍ ରାସ୍ତାର ରୁଗ୍ଣ ଚିତ୍ର ଦିନରେ ନିଦ ହଜାଇ ଦେଇଛି। ବ୍ରହ୍ମପୁର ସହରବାସୀଙ୍କ ପାଇଁ ପାଣି ନମିଳିବା ଯେତିକି ବେଦନାଦାୟକ ନଥିଲା ପ୍ରତି ସମୟରେ ରାସ୍ତାରେ ଯିବାବେଳେ ଆସନ୍ନ ବିପଦକୁ କାନ୍ଦେଇ ବୁଲିବା ନିଶ୍ଚୟ ଚିନ୍ତାର ବିଷୟ। ବଡ଼ କଂପାନୀର ବଡ଼ ଟାଉଟର ଠିକାଦାର, ଇଂଜିନିୟର ନିଜ ନିଜର ବ୍ୟାବସାୟିକ ଫାଇଦା ଉଠାଇ ସହରଟାକୁ ରାସ୍ତାଘାଟକୁ ଅତ୍ୟନ୍ତ ଦୟନୀୟ ଅବସ୍ଥା ପକାଇ ଦେଲେ ମଧ୍ୟ ଅଫିସର ବାବୁମାନେ ନୀରବ ଦ୍ରଷ୍ଟା। ବଡ଼ବଡ଼ ଗହ୍ୱରଗୁଡ଼ିକ ଆଦି ବଡ଼ବଡ଼ ଦୁର୍ଘଟଣାର ରାସ୍ତା ଫିଟାଇ ଦେଇ ପ୍ରତି ସମୟରେ ମଣିଷଙ୍କୁ ଡରାଉଛି। ବହୁ ବଡ଼ ବଡ଼ ଗାତ ରାସ୍ତାର ଦୁଇ ପାର୍ଶ୍ୱରେ ପୋତି ଦେଇଛନ୍ତି କିଛି ମାତ୍ର ମାଟି ପକାଇ ଓ ତାହା ଉପରେ କିଛି ମାତ୍ର ସିମେଣ୍ଟ ଆସ୍ତରଣ ଦେଇ ଲୋକଙ୍କୁ ଦେଖାଇ ଦିଆଯାଉଛି ରାସ୍ତା ନିର୍ମାଣର ସକଳ ଚିତ୍ର। କିନ୍ତୁ କୌଣସି ଭାରିଯାନ ଦୂରର କଥା ଦୁଇ ଚକିଆ ଗାଡ଼ି କିମ୍ୱା ଅଟୋ, କାର ଚଢ଼ିଗଲେ ସେହି ରାସ୍ତା ଦୁଇପାର୍ଶ୍ୱ ଦବିଯାଉଛି। ପଥର ପୀଡ଼ା ସହିବା ପରେ ପଥର ହୃଦୟର ବାବୁଙ୍କୁ କହିବାକୁ କିଏ ସାହସ ଜୁଟାଇ ପାରୁନାହାନ୍ତି। ସବୁ ବାବୁମାନଙ୍କ ଗୋଟିଏ କଥା ପୁନଃନିର୍ମାଣ ଚାଲିଛି, କିଛିଦିନ ପରେ ବଦଳିଯିବ ସମସ୍ୟା ସମାଧାନ ହେବ। ବ୍ରହ୍ମପୁର ରାସ୍ତାଘାଟ ନିର୍ମାଣ ବିଭାଗ ଯନ୍ତ୍ରୀମାନେ ଆଜି ବି ଠିକଣା ଜବାବ ଦେଇ ପାରୁନାହାନ୍ତି। ରାସ୍ତା ମଝିରେ ଗାତ, ରାସ୍ତା ଦୁଇ ପାର୍ଶ୍ୱରେ ଗାତ କରି ସହର ସବୁ ଜାଗାରେ ମରଣଯନ୍ତା ତିଆରି କରି ମହାନଗର ବ୍ରହ୍ମପୁର କଥା କହିବା ହାସ୍ୟାସ୍ପଦ ନୁହେଁକି?

Share :