ଉଦଘାଟନର ୪୦ ମାସ ପରେ ବି କାର୍ଯ୍ୟକ୍ଷମ ହୋଇନି ବସ୍‌ଷ୍ଟାଣ୍ଡ

ଉଦଘାଟନର ୪୦ ମାସ ପରେ ବି କାର୍ଯ୍ୟକ୍ଷମ ହୋଇନି ବସ୍‌ଷ୍ଟାଣ୍ଡ

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର ସହର ନିକଟସ୍ଥ ହଳଦିଆପଦର ଠାରେ ବିଡ଼ିଏ ପକ୍ଷରୁ ନବନିର୍ମିତ ମଡ଼ର୍ଣ୍ଣ ବସ୍ ଟର୍ମିନସ୍ ଉଦଘାଟନର ୪୦ ମାସ ପରେ ବି ଅବ୍ୟବହୃତ ହୋଇ ପଡ଼ିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବସ୍‌ ଷ୍ଟାଣ୍ଡ ଉଦଘାଟନ ଗତ ଫେବୃୟାରୀ ୨, ୨୦୧୬ ତାରିଖରେ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ବସ୍‌ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷପରେ ଉଦଘାଟନ କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ନକରି ପକାଇ ରଖିବା ଫଳରେ ୧୪ କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି କୁହାଯାଇପାରେ। ଉକ୍ତ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାପରେ ସମସ୍ତ ବସ୍ ସେଠାରୁ ଯାତାୟତ କରିବ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଦିନକୁ ସହରର ଜନସଂଖ୍ୟା ବୃଦ୍ଧି ପାଇବା ସହ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପେଣ୍ଠସ୍ଥଳୀ ତଥା ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରୂପେ ପରିଚିତ। ପ୍ରତ୍ୟେହ ଶହଶହ ଯାତ୍ରୀ ବ୍ରହ୍ମପୁର ଆସି ଫେରନ୍ତି। ଫଳରେ ସହରର ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡ଼ିଛି। ଯେଉଁସ୍ଥାନରେ ବର୍ତ୍ତମାନର ବସ୍‌ ଷ୍ଟାଣ୍ଡଟି ରହିଛି, ତାହା ହିଁ ବ୍ରହ୍ମପୁରର ଜଟିଳ ଟ୍ରାଫିକ୍ ବ୍ୟବସ୍ଥାର ମୁଖ୍ୟ କାରଣ। ହଜାର ହଜାର ସଂଖ୍ୟାରେ ବସ୍ ଏହି ସଂକୀର୍ଣ୍ଣ ରାସ୍ତାରେ ପ୍ରବେଶ କରୁଥିବାରୁ ସବୁ ସମୟରେ ଟ୍ରାଫିକ୍ ଜାମ ରହୁଥିବା ଦେଖିବାକୁ ମିଳୁଛି। ସେହିପରି ଏହି ଅଂଚଳଟି ଜନବହୁଳ ତଥା ମେଡ଼ିକାଲ୍, ଡ଼ାଇଗ୍ନୋଷ୍ଟିକ୍ ସେଣ୍ଟର, ନର୍ସିଂ ହୋମ୍, ଶିକ୍ଷାନୁଷ୍ଠାନ ଥିବାରୁ ଟ୍ରାଫିକ୍ ଜାମ୍ ହେଉଛି ଏବଂ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ସେପଟେ କିଛି ନ୍ୟସ୍ତ ବ୍ୟବସାୟୀ ଗୋଷ୍ଠୀୀଙ୍କ ହାତବାରିସି ସାଜି ବିଡ଼ିଏ ଏହାକୁ ଘୁଞ୍ଚାଇବାକୁ ତତ୍ପର ନଥିବା ଦେଖିବାକୁ ମିଳିଛି। ବସ୍ ମାଲିକ ସଂଘ ଏବଂ ବ୍ୟବସାୟୀ ଗୋଷ୍ଠୀରୁ ଲାଞ୍ଚ ନେଇ ବିଡିଏ ଏବଂ ପ୍ରଶାସନ ଚୁପ୍ ହୋଇ ବସିଥିବା ଲୋକେ କୁହାକୁହି ହେଉଛନ୍ତି। ତଳଦିନ ତତ୍କାଳୀନ ଉପଜିଲ୍ଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଲୋକଙ୍କ ସ୍ୱାର୍ଥ ତଥା ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିଲେ ଏବଂ ନିଜେ ବସ୍ ମାଲିକ ସଂଘକୁ ତାଗିଦ୍ କରିବା ସହ ତୁରନ୍ତ ଏଠାରୁ ବସ୍‌ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ବସ୍ ମାଲିକ ସଂଘ ଏବଂ କିଛି କୁଚକ୍ରୀ ଗୋଷ୍ଠୀୀ ହାଇକୋର୍ଟର ଆଶ୍ରୟ ନେଇ ବିଭିନ୍ନ ଆଳ ଦେଖାଇ ହାଇକୋର୍ଟରୁ ରହିତାଦେଶ ଆଣିଥିଲେ। ହାଇକୋର୍ଟ ୩ ମାସ ରହିତାଦେଶ ଦେଇଥିଲେ ମଧ୍ୟ ଇତି ମଧ୍ୟରେ ବହୁମାସ ବିତିଯାଇଛି କିନ୍ତୁ ଏହି ବସ୍‌ଷ୍ଟାଣ୍ଡ ଘୁଞ୍ଚିବା ଯୋଜନା ଶୀତଳଭଣ୍ଡାରକୁ ଚାଲିଗଲା ପରି ମନେହୋଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ସ୍ୱୀକୃତି ଦେଉନଥିବା ଆଳ ଦେଇ ତାରିଖ ପରେ ତାରିଖ ଘୁଞ୍ଚିବାରେ ଲାଗିଛି। ଏଠାରେ ପ୍ରଶ୍ନ ଉଠେ ଯେ ବସ୍‌ଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ଏହାକୁ ସଠିକ୍ ରୂପେ ତଦାରଖ ନ କରିବା ଏକ ବିଡ଼ମ୍ୱନା କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର କା ମାଲ୍ ଦରିଆ ମେଁ ଡାଲ୍ ନୀତିରେ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ପରି ମନେ ହେଉଛି। ବ୍ରହ୍ମପୁର ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ହଳଦିଆପଦରରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଥିବା ସ୍ଥଳେ ଏହା ବର୍ତ୍ତମାନ ଭୂତକୋଠି ପାଲଟିବାକୁ ଯାଇଛି। ଉକ୍ତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ସହରର ଟ୍ରାଫିକ୍ ସମସ୍ୟାରେ ଯଥେଷ୍ଟ ସୁଧାର ଆସିବା ସମ୍ଭାବନା ରହିଛି। ଯାହାଫଳରେ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗର ହଳଦିଆପଦରଠାରେ ବସ୍‌ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ କରି ବିଡିଏକୁ ହସ୍ତାନ୍ତର କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାର ନିର୍ମାଣ କାର୍ଯ୍ୟ ହୋଇଥିଲା। ଉକ୍ତ ବସ୍‌ଷ୍ଟାଣ୍ଡକୁ ଜାତୀୟ ରାଜପଥ ସଂଯୋଗ କରୁଥିବାରୁ ବିଭିନ୍ନ ଦୂରସ୍ଥାନକୁ ଯାତାୟତ କରୁଥିବା ବସ୍‌ଗୁଡ଼ିକ ଏଠାରୁ ଯାତାୟତ ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତପ୍ରକାଶ ପାଇଥିଲା। ଏହାଦ୍ୱାରା ସହରରେ ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ହୋଇପାରିବ ବୋଲି ଆଶା କରାଯାଇଥିଲା। କିନ୍ତୁ ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ୍ ଉଦଘାଟନ ହେବା ଦିନଠାରୁ କାର୍ଯ୍ୟକ୍ଷମ ନହୋଇ ଆଜିସୁଦ୍ଧା ଭୂତକୋଠି ହୋଇ ପଡ଼ିରହିବାକୁ ନେଇ ସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବ୍ୟବହୃତ ହୋଇରହିବା ଫଳରେ ଏବେ ଏହି ଅଂଚଳଟି ଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ମହଲରୁ ଅଭିଯୋଗ ଶୁଣିବାକୁ ମିଳୁଛି ଯେ ଉକ୍ତ ବସ୍‌ଷ୍ଟାଣ୍ଡରେ ଅନୈତିକ କାର୍ଯ୍ୟକଳାପ ମଧ୍ୟ ଅହେତୁକ ବୃଦ୍ଧି ପାଉଛି। ଜିଲ୍ଲାରେ ଘଟିଯାଉଥିବା ବିଭିନ୍ନ ଚୋରି, ଡକାୟତି ଏବଂ ହତ୍ୟାଠାରୁ ଆରମ୍ଭ କରି ଅତି ସଂଗୀନ ଅପରାଧଗୁଡ଼ିକର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଏହି ସ୍ଥାନକୁ ଅପରାଧୀମାନେ ନିରାପଦ ମନେ କରୁଛନ୍ତି। ପୂର୍ବରୁ ପ୍ରଶାସନ ତରଫରୁ ଏକପ୍ରକାର ପ୍ରୟାସ ଆରମ୍ଭ ହୋଇଥିଲା ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ। କିନ୍ତୁ କେଉଁ ପରିସ୍ଥିତିରେ କିଭଳି ଭାବରେ ବସ୍ ମାଲିକ ସଂଘ ଏବଂ ବ୍ୟବସାୟୀ ସଂଘ ପାଖରେ ପ୍ରଶାସନ ନରମି ଥିବା ଦେଖିବାକୁ ମିଳିଛି। ଯଦି ଉକ୍ତ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ସମସ୍ୟା ରହିଛି ତେବେ ଏହା ଉଦଘାଟନ ପୂର୍ବରୁ ଆଲୋଚନା ଏବଂ ପରାମର୍ଶ ନେଇ ଏହାର ସମାଧାନ କରାଯିବା ଆବଶ୍ୟକତା ରହିଥିବା ବେଳେ ତାହା ନକରି ଯୁଦ୍ଧକାଳୀନ ଭିତ୍ତିରେ ଲୋକଦେଖାଣିଆ ଭାବେ ଏହାକୁ ଉଦଘାଟନ କରାଯାଇଥିଲା। ଦିନକୁ ଦିନ ବ୍ରହ୍ମପୁର ସହରର ଟ୍ରାଫିକ୍ ବ୍ୟବସ୍ଥା ଜଟିଳରୁ ଅତି ଜଟିଳ ଆଡ଼କୁ ଗତି କଲାଣି। କୋର୍ଟର ତାରିଖ ଘୁ୍ଞ୍ଚିଲା ପରି ବସ୍‌ ଷ୍ଟାଣ୍ଡର ସ୍ଥାନାନ୍ତରଣ ତାରିଖ ଘୁଞ୍ଚିଘୁଞ୍ଚି ଯାଉଛି।

Share :