ବିଜେଡିରେ ବିରାଡ଼ି, ବିଜେପିରେ ବୈଷ୍ଣବ!

ବିଜେଡିରେ ବିରାଡ଼ି, ବିଜେପିରେ ବୈଷ୍ଣବ!

Share :

ପ୍ରମୁଖ ରାଜନୀତି ପ୍ରତିନିଧି ଅଶ୍ବିନୀ କୁମାର ବୈଷ୍ଣବ। ଡିରେକ୍ଟର ଆଇଡେଣ୍ଟିଫିକେସନ ନମ୍ବର ବା ଡିନ୍‌- ୦୭୩୧୦୦୯୫। ୨୦୧୫ ନଭେମ୍ବର ୨୮ ତାରିଖରେ ଆଡଲର ଇଣ୍ଡଷ୍ଟ୍ରିଆଲ ସର୍ଭିସେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭାବେ ନିଯୁକ୍ତ। ୨୦୧୭ ନଭେମ୍ବର ୧୩ ତାରିଖରେ ତ୍ରିବେଣୀ ପେଲେଟ୍‌ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ। ୨୦୧୮ ଫେବୃଆରୀ ୨୩ ତାରିଖରେ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ଼ର ନିର୍ଦ୍ଦେଶକ ନିଯୁକ୍ତ ଏବଂ ସେହି ବର୍ଷ ସେପ୍ଟେମ୍ବର ୧୮ ତାରିଖରେ କନାଦ ନେଟୱାର୍କ ପ୍ରାଇଭେଟ ଲିମିଟେଡର ସମାନ ପଦ ହାସଲ। ତେବେ ଶୁଣାକଥା ଅନୁସାରେ ସପ୍ତାହକ ତଳେ ସେ କାଳେ ଏସବୁ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଏବେ ସେ ରାଜ୍ୟସଭା ପାଇଁ ଓଡ଼ିଶାରୁ ପ୍ରାର୍ଥୀ। ପ୍ରଥମେ ନବୀନ ନିବାସରେ ତାଙ୍କ ନାମ ଘୋଷଣା କରିଥିଲେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ଟୁଇଟରରେ ବିଜେପି ତାଙ୍କ ନାମ ଘୋଷଣା କରିବାରୁ ନବୀନବାବୁ ସ୍ପଷ୍ଟୀକରଣ ଦେଇ କହିଲେ ଯେ ବୈଷ୍ଣବ ହେଉଛନ୍ତି ବିଜେପି ପ୍ରାର୍ଥୀ, ବିଜେଡି ତାଙ୍କୁ ସମର୍ଥନ ଦେବ। ଉଭୟ ଦଳର ସହଯୋଗରେ ସେ ଦାଖଲ କରିଛନ୍ତି ମନୋନୟନପତ୍ର। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତରେ ଏହା କୌଣସି ଗୁପ୍ତ ବୁଝାମଣା ନୁହେଁ। ଏହା ହେଉଛି ଖୋଲା ବୁଝାମଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଥିବା ପ୍ରସ୍ତାବକୁ ସେ ଗ୍ରହଣ କରିଛନ୍ତି ବୋଲି ନିଜେ ନବୀନବାବୁ ଘୋଷଣା କରିଛନ୍ତି। ଏ ବୁଝାମଣା ଓଡ଼ିଶାର ବିକାଶ ପାଇଁ ଉଦ୍ଦିଷ୍ଟ। କୌଣସି ପକ୍ଷର ରାଜନୀତିକ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ। ଓଡ଼ିଶାର ଯେଉଁ ତିନିଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ସେ ତିନିଟି ଯାକ ଆସନ ଜିତିବାକୁ ବିଜୁ ଜନତା ଦଳର ବିଧାୟକ ସଂଖ୍ୟା ଯଥେଷ୍ଟ। ବିଜେପି ଗୋଟିଏ ବି ଆସନ ଜିତିବାକୁ ସମର୍ଥ ନୁହେଁ। ତଥାପି ନବୀନବାବୁ ବିଜେପିକୁ ଗୋଟିଏ ଆସନ ଛାଡ଼ିଦେଲେ। ବିଜେପି ପ୍ରତି ତାଙ୍କର ଏଭଳି ବଦାନ୍ୟତା ପଛରେ ଖଣି ଦୁର୍ନୀତି, ଚିଟ୍‌ ଫଣ୍ଡ ଦୁର୍ନୀତି ଏବଂ ବହୁବିଧ କେନ୍ଦ୍ରୀୟ ଯୋଜନା ଦୁର୍ନୀତିରେ ସିବିଆଇ ଓ ଇଡି ଭୟ ରହିଛି ବୋଲି ଏବେ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ତେବେ କେହି କେହି କହୁଛନ୍ତି ଏହା ଡବଲ ଇଞ୍ଜିନ ସରକାରର ଭିତ୍ତି ପ୍ରସ୍ତର ସ୍ଥାପନ। ଓଡ଼ିଶା ଲୋକେ ସିନା ନବୀନବାବଙ୍କୁ କଥାରେ ପଡ଼ି ଡବଲ ଇଞ୍ଜିନ ସରକାର ଗଢ଼ିଲେ ନାହିଁ! ମାତ୍ର ନବୀନବାବୁ ସରକାର ଗଢ଼ିଲା ପରେ ଅମିତ ଶାହାଙ୍କ କଥାରେ ଓଡ଼ିଶା ଲୋକଙ୍କ ଭୋଟ ବିକିଦେଲେ! ଆଗରୁ କଂଗ୍ରେସର ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରୁଥିଲେ ନବୀନବାବୁ ପ୍ରଦେଶ କଂଗ୍ରେସ ସଭାପତି ବାଛୁଛନ୍ତି। ଏବେ ଲୋକେ କହିବା ଆରମ୍ଭ କଲେଣି ନବୀନବାବୁ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ବି ଘୋଷଣା କରୁଛନ୍ତି! ସେ ଯାହା ହେଉ, ଅଶ୍ବନି ବୈଷ୍ଣବ ଜଣେ କରିତ୍‌କର୍ମା ଅଫିସର ଥିଲେ। ସେ ଆଇଏଏସ ଅଧିକାରୀ ଭାବେ କଟକ ଜିଲ୍ଲାର ଜିଲ୍ଲାପାଳ ଥିଲେ। ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିବା ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦପ୍ତରରେ ଯୋଗ ଦେଇଥିଲେ। ସେ ପ୍ରଧାନମନ୍ତ୍ରୀ ପଦରୁ ଯିବା ପରେ ବୈଷ୍ଣବ ତାଙ୍କର ବ୍ୟକ୍ତିଗତ ସଚିବ ପଦରେ ଯୋଗ ଦେଇଥିଲେ। ପରେ ସେ ଘରୋଇ ଉଦ୍ୟୋଗରେ ଚାକିରି କରିବା ଅଧିକ ଲାଭଜନକ ଭାବି ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ। ଏବେ ପୁଣି ଘରୋଇ କମ୍ପାନୀର ଚାକିରି ଛାଡ଼ି ନେତାଗିରି କରିବାକୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶା ଖଣି ଦୁର୍ନୀତିରେ ଜଡ଼ିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀ ସହ ସେ ଜଡ଼ିତ ଥିଲେ। ତ୍ରିବେଣୀ ଆର୍ଥ ମୁଭର୍ସ ଇତିମଧ୍ୟରେ କଳିଙ୍ଗନଗର ସ୍ଥିତ ବିଆରପିଏଲ ପେଲେଟ କାରଖାନା ଅଧିଗ୍ରହଣ କରିସାରିଛି। ଏହି କମ୍ପାନୀର ବଡ଼ବିଲରେ ମଧ୍ୟ ଅନ୍ୟ ଏକ ପେଲେଟ କାରଖାନା ରହିଛି। ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡର ମୂଳ ଉଦ୍ୟୋକ୍ତା କମ୍ପାନୀ ହେଲା ଅର୍ଯ୍ୟାନ ମାଇନିଂ ଆଣ୍ଡ ଟ୍ରଡିଂ କର୍ପୋରେସନ ପ୍ରାଇଭେଟ ଲିମିଟେଡ। ଏହି କମ୍ପାନୀ ଥିଲା ଏକ ଯୌଥ ଉଦ୍ୟୋଗ। ଏଥିରେ ଇଂଲଣ୍ଡର ଷ୍ଟେମକର ୭୩ ପ୍ରତିଶତ ଏବଂ କଲିକତାର ସରାଫ ଗୋଷ୍ଠୀ ୨୭ ପ୍ରତିଶତ ପୁଞ୍ଜି ବିନିଯୋଗ କରିଥିଲେ। ଆର୍ଯ୍ୟାନ କମ୍ପାନୀ ବିରୋଧରେ ଖଣି ଦୁର୍ନୀତି ଅଭିଯୋଗ ଉଠିଥିଲା। ବିଆରପିଏଲକୁ ପ୍ରଥମେ ଟାଟା କମ୍ପାନୀ ଅଧିଗ୍ରହଣ କରିବ ବୋଲି କଥା ଛିଡ଼ିଥିଲା। ପରେ କିନ୍ତୁ ଜିନ୍ଦଲ ଗୋଷ୍ଠୀର ଜେଏସଡବ୍ଲୁ ଟେକ୍ନୋ ପ୍ରୋଜେକ୍ଟସ ମ୍ୟାନେଜମେଣ୍ଟ ଲମିଟେଡ଼ ଏହାର ୪୯ ପ୍ରତିଶତ ଅଂଶଧନ କିଣିବାକୁ ଚୁକ୍ତି ହୋଇଥିଲା। ଘଟଣା ଚକ୍ରରେ ଏବେ ବିଆରପିଏଲର ଓଡ଼ିଶାରେ ଥିବା ଦୁଇଟି ଯାକ କାରଖାନାର ମାଲିକ ହେଉଛନ୍ତି ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର ପ୍ରଭାକରନ। ଏହାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଏବେକାର ମାର୍ଗଦର୍ଶକ ଭିକେ ପାଣ୍ଡିଆନଙ୍କର ଭାଷା ଓ ଜାତିର ସଂପର୍କ ରହିଥିବା ଆଲୋଚିତ ହୋଇଥାଏ। ଉଭୟେ ତାମିଲନାଡ଼ୁର ଲୋକ। ଜଷ୍ଟିସ ଶାହା କମିଶନଙ୍କ ରିପୋର୍ଟରେ ତ୍ରିବେଣୀ ଆର୍ଥ ମୁଭର୍ସ ବିରୋଧରେ ସିବିଆଇ ତଦନ୍ତ ସୁପାରିଶ ରହିଛି। କିନ୍ତୁ କଂଗ୍ରେସର ମନମୋହନ ସିଂହ କିମ୍ବା ବିଜେପିର ନରେନ୍ଦ୍ର ମୋଦୀ ସରକାର ଏହି ସୁପାରିଶକୁ କାର୍ଯ୍ୟକାରୀ କରି ନାହାନ୍ତି। ବିଆରପିଏଲକୁ ପ୍ରଭାକରନ ଅଧିଗ୍ରହଣ କରିବା ପରେ ୨୦୧୯ ଫେବୃଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଳିଙ୍ଗନଗର କାରଖାନାର ଶୁଭ ଉଦଘାଟନ କରିଥିଲେ, ଯଦିଓ ସେହି କାରଖାନା ଅନେକ ବର୍ଷ ତଳୁ ଉତ୍ପାଦନ ଆରମ୍ଭ କରିସାରିଛି। ତେବେ ପ୍ରଭାକରନଙ୍କ ବିଆରପିଏଲର ଅଶ୍ବିନୀ ବୈଷ୍ଣବ ବିଜେଡି ସମର୍ଥୀତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବା ପରେ ରାଜ୍ୟ ରାଜନୀତିରେ ତାଙ୍କର ଗୁରୁତ୍ବ ବଢ଼ି ଯାଇଛି। ରାଜ୍ୟର ରାଜନୀତିକ ସମୀକରଣ ବଦଳିବାର ସଙ୍କେତ ମଧ୍ୟ ଏଥିରୁ ମିଳୁଛି। ମୂଳତଃ ଅଣଓଡ଼ିଆ ବୈଷ୍ଣବ ଯଦିଓ ଓଡ଼ିଶା ପାଇଁ କାମ କରିବେ ବୋଲି ଓଡ଼ିଆରେ ଘୋଷଣା କରିଛନ୍ତି ତେବେ ତାଙ୍କର ସଂପର୍କ ଓ ସିଦ୍ଧି କେଉଁ ଆଡ଼କୁ ତାଙ୍କୁ ଟାଣିବ ତାହା ଭବିଷ୍ୟତ କହିବ। ତାଙ୍କୁ କେଉଁ ଆସନର ପ୍ରାଥୀ କରାଯାଉଛି ତାହା ମଧ୍ୟ ଦେଖିବାର କଥା। ଆଳିରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୧.୭.୨୦୨୨ରେ ଶେଷ ହେଉଥିଲା। ବୈଷ୍ଣବ ଏହି ଆସନର ପ୍ରାର୍ଥୀ ହୋଇଥିଲେ ସେ ମାତ୍ର ୩ ବର୍ଷ ପାଇଁ ରାଜ୍ୟସଭା ସଦସ୍ୟ ରହିଥାନ୍ତେ। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା କାର୍ଯ୍ୟକାଳ ୩.୪.୨୦୨୪ରେ ଶେଷ ହୋଇଥାନ୍ତା। ଏ ଦୁଇ ଆସନରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ହେଲେ ବୈଷ୍ଣବ ୫ ବର୍ଷ କାଳ ସାଂସଦ ଭାବେ କାର୍ଯ୍ୟ କରିପାରିବେ। ସେ ସୌମ୍ୟଙ୍କ ଆସନରୁ ହିଁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ରାଜ୍ୟସଭାରେ ୫ ବର୍ଷ ରହିବେ। ରାଜନୀତିକ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ସେ ମୋଦୀ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ବି ଅଧିକ। ଭୁବନେଶ୍ବର ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ଆଇଏଏସ ଅଧିକାରୀ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀର ବ୍ୟାଚ୍‌ମେଟ୍‌ (୧୯୯୪) ଅଶ୍ବିନୀ ବୈଷ୍ଣବଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହାଙ୍କ ସହିତ ଘନିଷ୍ଟତା ଅଛି ବୋଲି ଚର୍ଚ୍ଚା ହେଉଛି। ବାଜପେୟୀଙ୍କ ଦପ୍ତରରେ ଥିବାରୁ ବହୁ ବିଜେପି ନେତା ଓ ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ସଂପର୍କ ଥିବା ସ୍ବାଭାବିକ କଥା। ତେବେ ଏହି ସଂପର୍କ ଜରିଆରେ ସେ ତାଙ୍କୁ ସମର୍ଥନ ଦେଇଥିବା ବିଜେଡିକୁ ସୁରକ୍ଷା ଦେବେ କି ନିଜ ଦଳ ବିଜେପିର ଶକ୍ତି ବୃଦ୍ଧି କରିବେ ତାହା ଦେଖିବାର କଥା। ରାଜ୍ୟସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନାହିଁ। ଏବେ ଏବେ ଆନ୍ଧ୍ର ପ୍ରଦେଶର ୪ ଟିଡିପି ସଦସ୍ୟ ରାଜ୍ୟସଭାରେ ପକ୍ଷ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ଓଡ଼ିଶାର କେତେ ଜଣ ପଟ୍ଟ ପରିବର୍ତ୍ତନ କରିବା ଅସମ୍ଭବ ନୁହେଁ କି ଅସ୍ବାଭାବିକ ମଧ୍ୟ ନୁହେଁ। ରାଜନୀତିରେ ଏମିତି ଚାଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏମିତି କେତେକ ନେତା ବିଜେପି ଟିକେଟ ପାଇ ବିଜେଡି ପ୍ରାର୍ଥୀ ଭାବେ ଜିତିବା ପରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀପଦ ଲାଭ କରିଛନ୍ତି। କଂଗ୍ରେସ ଓ ବିଜେଡିର ବହୁ ନେତା ମଧ୍ୟ ଶେଷ ମୁହୂର୍ତ୍ତରେ ଦଳ ପରିବର୍ତ୍ତନ କରିଛନ୍ତି। ଘରୋଇ ଉଦ୍ୟୋଗରେ କର୍ପୋରେଟ୍‌ ଟେକ୍‌ ଓଭର ବା କମ୍ପାନୀ ଅଧିଗ୍ରହଣ ଏକ ବ୍ୟାବସାୟିକ କୌଶଳ। ଲାଭଜନକ କମ୍ପାନୀକୁ କିଣିବାକୁ ବହୁ ବଡ଼ ବଡ଼ କମ୍ପାନୀ ଆଗ୍ରହ ପ୍ରକାଶ କରିଥାନ୍ତି। କ୍ଷତିର ସମ୍ମୁଖୀନ ହୋଇଥିବା କିନ୍ତୁ ଅଧିକ ଆସେଟ୍‌ ବା ସଂପତ୍ତି ରଖିଥିବା କମ୍ପାନୀକୁ ମଧ୍ୟ ଅନ୍ୟ କମ୍ପାନୀ କିଣି ଲାଭଜନକ ବ୍ୟବସାୟ କରିଥାନ୍ତି। ଆଜିକାଲି ଭାରତୀୟ ରାଜନୀତିରେ ଏହିପରି ଟେକ୍‌ ଓଭର ରାଜନୀତି ଚାଲିଛି। ଠିକ ସେହିପରି ଶିକାର ମଧ୍ୟ ଅନ୍ୟ ଏକ ରାଜନୀତିକ ଅସ୍ତ୍ର। କର୍ପୋରେଟ କ୍ଷେତ୍ରରେ ଭଲ କର୍ମଚାରୀଙ୍କୁ ଅନ୍ୟ କମ୍ପାନୀ ଅଧିକ ଦରମା ଦେଇ ନେଇଗଲା ପରି ରାଜନୀତିରେ ଅନ୍ୟ ଦଳର ଦକ୍ଷ ନେତାଙ୍କୁ ବିଭିନ୍ନ ପଦପଦବୀର ମୋହ ଦେଖାଇ ଦଳକୁ ଟାଣି ନିଆଯାଏ। ଓଡ଼ିଶାରେ ନବୀନବାବୁ ଏ ଦି’ଟା ଯାକ କୌଶଳ ପ୍ରୟୋଗ କରି ନିଜକୁ ଆଜି ଯାଏଁ ନିଷ୍କଣ୍ଟକ ଓ ଅପରାଜିତ ରଖିପାରିଛନ୍ତି। ଜାତୀୟ ସ୍ତରରେ ବିଜେପି ସଭାପତି ଅମିତ ଶାହା ମଧ୍ୟ ବିଭିନ୍ନ ରାଜ୍ୟରେ ଏହି ପ୍ରକାର କୌଶଳ ଅବଲମ୍ବନ କରି ସର୍ବଭାରତୀୟ ସ୍ତରରେ ଭାରତୀୟ ଜନତା ପାର୍ଟିର ଧ୍ବଜା ଉଡ଼ାଇବା ସହ କ୍ଷମତାଶାଳୀ କରାଇଛନ୍ତି। ତେବେ ଏମିତି ବି ହୋଇପାରେ, ବୈଷ୍ଣବ ଏ ଦୁଇଟି ଦଳ ପାଇଁ କାମ ନକରି ଖଣି କମ୍ପାନୀଙ୍କ ପାଇଁ ମନପ୍ରାଣ ଢାଳି କାମ କରିପାରନ୍ତି। ଯେଉଁ କମ୍ପାନୀ ଓ ବ୍ୟବସାୟୀମାନେ ଓଡ଼ିଶାର ଖଣିଜ ପଦାର୍ଥ ବିକି ଧନୀ ହୋଇଚାଲିଛନ୍ତି ସେମାନେ ଓଡ଼ିଶାରେ କେତେ କମ ସମୟରେ କେତେ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ, ପରିବହନ ଓ ବିପଣନ କରାଯାଇ ପାରିବ ତା’ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ସେଥିପାଇଁ ଯେତେ ଆଇନକାନୁନ ଉଲ୍ଲଙ୍ଘନ ହେଲେ ବି ସେଥିପ୍ରତି ସେମାନଙ୍କର ଖାତିର ନଥାଏ। ନେତା ଓ ବାବୁମାନଙ୍କୁ ବଶ କରି ଓଡ଼ିଶାରେ ଏହିପରି ବହୁବିଧ ବେଆଇନ ଖଣି କାରବାର ହୋଇଛି। ସରକାର କାହାକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦେବେ କ’ଣ ତଦନ୍ତ ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି। ବୈଷ୍ଣବ ଏହି ଖଣି ଲବି ପାଇଁ ମଧ୍ୟ କାମ କରିପାରିବେ। ନିକଟରେ ଓଡ଼ିଶାର ୨୦ ଖଣିର ଲିଜ ଅବଧି ସରୁ ଥିବାରୁ ନୂଆ ନିୟମ ଅନୁସାରେ ସେଗୁଡ଼ିକର ପୁନଃନିଲାମ ହେବ। ରାଜ୍ୟସଭା ସଦସ୍ୟ ଭାବେ ଅଶ୍ବିନୀ ବୈଷ୍ଣବ ସେହି ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ମଉକା ପାଇପାରନ୍ତି।

Share :