କ୍ଲାସରୁମ୍‌ ଓ ହଷ୍ଟେଲରୁମ୍‌ ଗୋଟିଏ!

କ୍ଲାସରୁମ୍‌ ଓ ହଷ୍ଟେଲରୁମ୍‌ ଗୋଟିଏ!

Share :

ସତ୍ୟଜିତ ସାମନ୍ତରାୟ କେନ୍ଦୁଝର ଉପଖଣ୍ଡର ରାଜବନ୍ଧ ଗ୍ରାମରେ ରହିଛି ୧୯୪୯ ମସିହାରୁ ତିଆରି ହୋଇଥିବା ବହୁ ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟଳୟଟି ଆଦିବାସୀ ଗ୍ରାମରେ ଶିକ୍ଷାର ଉନ୍ନତି ପାଇଁ ତିଆରି କରାଯାଇଥିଲା। ଏହି ସ୍କୁଲରେ ୧୦୪ ଜଣ ବାଳକ ଓ ୫୯ ଜଣ ବାଳିକା ଶିକ୍ଷା ଗ୍ରହଣ କରୁଥିବା ବେଳେ ସ୍କୁଲରେ ଆଦିବାସୀ ବାଳକଙ୍କ ପାଇଁ ଗୋଟିଏ ହଷ୍ଟେଲ ରହିଛି। ତୋଟା ସାହି, ଦନାର୍ଦ୍ଦନ ପୁର, ରାଜବନ୍ଧ ଓ ତନ୍ତୀ ସାହି ନିମନ୍ତେ ତିଆରି ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ରହିଛନ୍ତି ଜଣେ ଶିକ୍ଷକ ଓ ୫ ଜଣ ଶିକ୍ଷୟତ୍ରୀ। ପିଲାଙ୍କ ନିମନ୍ତେ ରହିଥିବା ହଷ୍ଟେଲ ରହିବା ପାଇଁ ଅସୁରକ୍ଷିତ ହୋଇଯିବା ପରେ ଏହାକୁ ପ୍ରଶାସନିକ ଅଧିକାରୀ ଯାଂଚକରି ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଦୂରରୁ ଆସି ଏହ ବିଦ୍ୟାଳୟରେ ପଢୁଥିବା ୫୯ ଜଣ ଛାତ୍ର ବାଧ୍ୟ ହୋଇ ଶ୍ରେଣୀଗୃହରେ ରହୁଛନ୍ତି। ଦିନ ବେଳେ ପିଲାମାନେ ବିଛଣା ଉଠାଇ ସ୍କୁଲପାଠ ପଢୁଥିବା ବେଳେ ସ୍କୁଲ ସମୟ ପରେ ସେହିଠାରେ ରାତ୍ରୀଯାପନ କରୁଛନ୍ତି। ପିଲା ପଢୁଥିବା ବିଦ୍ୟାଳୟର ଛାତରୁ ସିମେଣ୍ଟ ଖଣ୍ଡଖଣ୍ଡ ହୋଇ ଖସୁଥିବା ନଜରକୁ ଆସିଛି। ଏପରିସ୍ଥଳେ ପିଲାଙ୍କ ଅଭିଭାବକ ପିଲାଙ୍କ ପାଠ ପଢା ଓ ରାତ୍ରୀଯାପନ କରୁଥିବା ସେହି ଶ୍ରେଣୀଗୃହକୁ ଅସୁରକ୍ଷିତ ମନେକରି ଆମକୁ ଜଣାଇଛନ୍ତି। ଏପରିକି ଗୋଟିଏ ଶ୍ରେଣୀଗୃହରେ ଦୁଇ ଦୁଇଟି କ୍ଲାସ ଚଲାଇବାକୁ ବାଧ୍ୟ ହେଉଛନ୍ତି। ଏହି ସ୍କୁଲ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କାମ ଚଳାଉଛନ୍ତି। ଆଦିବାସୀ ଇଲାକାରେ ଶିକ୍ଷାର ବିକାଶ କଥା କହୁଥିବା ସରକାରଙ୍କ ପ୍ରକୃତ ବିକାଶର ମନବୃତି ଏଥିରୁ ଭଲଭାବେ ଜଣା ପଡୁଛି। ଗ୍ରାମବାସୀ ବାରମ୍ୱାର ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ପିଲାଙ୍କ ଭବିଷ୍ୟତ ତଥା ଆଦିବାସୀଙ୍କ ପାଇଁ ଏହି ସ୍କୁଲର ନବୀକରଣ ଦିଗରେ ଧ୍ୟାନଦେବା ସହ ସେମାନଙ୍କ ପାଇଁ ତୁରନ୍ତ ହଷ୍ଟେଲ ତିଆରି କରି ପିଲାଙ୍କ ସୁରକ୍ଷିତ ଭବିଷ୍ୟତକୁ ନିଶ୍ଚିତ କରାନ୍ତୁ।

Share :