ଓଡ଼ିଶା ସରକାରଙ୍କ ଉପରେ ରାଗିଲେଣି ଶିଳ୍ପପତି!

ଓଡ଼ିଶା ସରକାରଙ୍କ ଉପରେ ରାଗିଲେଣି ଶିଳ୍ପପତି!

Share :

ଇଜ୍ ଅଫ ଡୁିଇଂ ବିଜନେସ୍ ବା ବ୍ୟବସାୟମିତ୍ର ପରିବେଶ ତାଲିକାରେ ତିନିଟି ସ୍ଥାନ ତଳକୁ ଖସିଛି ଓଡ଼ିଶା। ୨୦୧୬ ବର୍ଷ ଏହି ତାଲିକାରେ ଓଡ଼ିଶାର ସ୍ଥାନ ୧୧ ଥିବାବେଳେ ୨୦୧୭ରେ ଏହା ୧୪ ସ୍ଥାନକୁ ଖସି ଯାଇଛି। ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବ୍ୟବସାୟ ସଂସ୍କାର କ୍ରିୟାନୁଷ୍ଠାନ ଯୋଜନା ୨୦୧୭ ବା ଇଜ୍ ଅଫ୍ ଡୁଇଂ ବିଜନେସ ରାଙ୍କିଂରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଥିବା ଜଣାଯାଇଛି। ୨୦୧୫ ବର୍ଷ ଓଡ଼ିଶା ଏହି ତାଲିକାର ୭ ସ୍ଥାନରେ ଥିଲା। ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିଳ୍ପ ସଚିବ ସଂଜୀବ ଚୋପ୍ରା କହିଛନ୍ତି, ‘ଇଜ୍ ଅଫ୍ ଡୁଇଂ ବିଜନେସ ସଂସ୍କାର କ୍ରିୟାନ୍ୱୟନ କରିବାରେ ଆମେ ଅନେକ ବାଟ ଆଗେଇଛୁ। ଆମର କମ୍ପ୍ଲିଆନ୍ସ ବା କ୍ରିୟାନ୍ୱୟନ ହାର ୫୨.୧୫ ପ୍ରତିଶତରୁ ୯୨.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ତାଲିକାର ପ୍ରଥମ ୧୪ଟି ରାଜ୍ୟ ମାତ୍ର ୬ ପ୍ରତିଶତ ପାର୍ଥକ୍ୟ ଭିତରେ ରହିଛନ୍ତି। ତେଣୁ ଅନ୍ୟ ରାଜ୍ୟଗୁଡ଼ିକ ଓ ଓଡ଼ିଶାର ପ୍ରଦର୍ଶନ ମଧ୍ୟରେ ବିଶେଷ କିଛି ଫରକ ନାହିଁ’। ସେ କହିଛନ୍ତି ଯେ ପୁଂଜି ଆକର୍ଷଣ କ୍ଷେତ୍ରରେ ରାଜ୍ୟଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିଯୋଗିତା ଦୃଷ୍ଟିକୋଣରୁ ଏହି ରାଙ୍କର ମୂଲ୍ୟାୟନ ହେବା ଗୁରୁତ୍ୱପୂର୍ଣ୍ଣ। ‘ଓଡ଼ିଶାକୁ ଦେଶର ଅନ୍ୟତମ ସର୍ବୋତ୍ତମ ପୁଂଜିନିବେଶ ଲକ୍ଷ୍ୟସ୍ଥଳରେ ପରିଣତ କରିବା ପାଇଁ ଆମର ସଂକଳ୍ପକୁ ଏହା ଅଧିକ ସୁଦୃଢ଼ କରିବ’ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୪ ବର୍ଷ ମଧ୍ୟରେ ମାନୁଫାକ୍ଚରିଂ କ୍ଷେତ୍ରରେ ଓଡ଼ିଶାରେ ୧୧୮ ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ଏସବୁ ପ୍ରକଳ୍ପରେ ୧,୨୮,୫୭୨ ଜଣଙ୍କର ନିଯୁକ୍ତି ସମ୍ଭାବନା ରହିଛି। ଏବେ ଗୋଟିଏ ବ୍ୟାବସାୟିକ ପ୍ରକଳ୍ପ ଅନୁମୋଦନ କରିବା ପାଇଁ ରାଜ୍ୟରେ ହାରାହାରି ମାତ୍ର ୨୦ ଦିନ ଲାଗୁଛି। ଏହି ତାଲିକାରେ ଓଡ଼ିଶାର ସ୍ଥାନ ଖସିବା ନେଇ ଶିଳ୍ପ ସଚିବ ଏହା ମଧ୍ୟ କହିଛନ୍ତି ଯେ ଶିଳ୍ପପତିମାନେ ସରକାରଙ୍କ ବିରୋଧରେ ରିପୋର୍ଟ ଦେବାରୁ ଏପରି ହୋଇଛି। ଏହା ଯଦି ସତ୍ୟ ତେବେ ଶିଳ୍ପପତିମାନେ କାହିଁକି ଏପରି ରିପୋର୍ଟ ଦେଲେ? ଓଡ଼ିଶା ସରକାର ତ କହୁଛନ୍ତି ଆମ ଯୋଗୁଁ ଓଡ଼ିଶାରେ ଲକ୍ଷଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ହୋଇଛି! ବର୍ଷବର୍ଷ ଲାଗୁଥିବା ପ୍ରକଳ୍ପ ମଂଜୁରୀ ମାସକ ଭିତରେ ହୋଇଯାଉଛି। ତଥାପି କାହିଁକି ସେମାନେ ଖୁସି ନୁହନ୍ତି? ଏ ସରକାର ଅମଳରେ ରାଜ୍ୟର ଖଣି, ପାଣି, ଜମି, ଜଙ୍ଗଲ ଆଦିକୁ ଘରୋଇ କମ୍ପାନୀମାନେ ଜବରଦଖଲ କରିଗଲେଣି। ତଥାପି ସେମାନେ ଖପ୍ପା! ବୋଧହୁଏ ସେମାନେ ସରକାରଙ୍କ ଶିଳ୍ପ ପରିଚାଳନାରେ ଖୁସି ନାହାନ୍ତି। ବିପୁଳ ଚାନ୍ଦା ଦେବା ସତ୍ତ୍ବେ ସେମାନେ ଯଦି ଠିକ ସମୟରେ ଜମି ଓ ଖଣି ନପାଇଲେ ତେବେ ପ୍ରକଳ୍ପ କାମ ଆଗେଇପାରୁ ନାହିଁ। ଏପଟେ ଶାସନ କଳ ସହଯୋଗ କରୁଥିଲେ ବି ସେପଟେ ଦଳୀୟ ନେତା ଓ କର୍ମୀମାନେ ଶିଳ୍ପବିରୋଧୀ ଆନ୍ଦୋଳନକୁ ଉସକାଉଛନ୍ତି। ଫଳରେ ଅନେକ ସମୟରେ ପ୍ରକଳ୍ପ କାମରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ଏହ କାରଣରୁ ପସ୍କୋ ଓ ଆର୍ସେଲର ମିତ୍ତଲ ଭଳି ଦୁଇଟି ବଡ଼ ବଡ଼ ଇସ୍ପାତ ପ୍ରକଳ୍ପ ଓଡ଼ିଶାରୁ ବିଦାୟ ନେଇଛନ୍ତି। ଏହାର ଏକ ବଡ଼ ଧରଣର ନକାରାତ୍ମକ ପ୍ରଭାବ ପଡ଼ିଛି। ଏଇ ନିକଟରେ ବିଭିନ୍ନ ଆଳ ଦେଖାଇ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରୁ ଓହରିଯାଇଛି ସିଆଇଆଇର ଓଡ଼ିଶା ଶାଖା। ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ସହଯୋଗ ଦେବାକୁ ଘୋଷଣା କରିଥିବା ଅନ୍ୟ ଏକ ଶିଳ୍ପ ଓ ବ୍ୟମବସାୟ ସଂଗଠନ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ସେତେଟା ଖୁସି ନାହିଁ। କାରଣ ସରକାର ଅନକ ସମୟରେ ଶିଳ୍ପ ସଂଗଠନକୁ ନେଇ ଅଯଥା ରାଜନୀତି କରୁଥିବା ଅନେକ ଘଟଣାରୁ ସାବ୍ୟସ୍ତ ହୋଇଛି। ଥେରୁବାଲି ଇମ୍ଫା କାରଖାନା ବିରୋଧରେ ଚାଲିଥିବା ଅନାବଶ୍ୟକ ଆନ୍ଦୋଳନ ପଛରେ ବିଜେଡି ହାତ ଥିବା ଶିଳ୍ପପତିମାନେ ସନ୍ଦେହ କରିଛନ୍ତି। ଏଭଳି ଅବସ୍ଥାରେ ରାଜ୍ୟର ଶିଳ୍ପ ଓ ବ୍ୟବସାୟ ପରିବେଶ ନଷ୍ଟ ହେବାରେ ଲାଗିଛି। ସରକାର ଦୁର୍ନୀତି ଓ ଅପରାଧ ନିୟନ୍ତ୍ରଣ ଆଳରେ ଅଯଥାର ଅନକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଅଥଚ ନେତା ଓ ବାବୁମାନେ ଦୁର୍ନୀତିର ଲହୁଣି ଖାଇ ଦେହମୁଣ୍ଡରେ ବୋଳି ହେଉଛନ୍ତି। ଏସବୁ କାରଣରୁ ସେମାନେ ଓଡ଼ିଶାରେ ବ୍ୟାବସାୟିକ ପରିବେଶ କଷ୍ଟସାଧ୍ୟ ହୋଇଥିବା ରିପୋର୍ଟ ଦେଇଥିବେ ବୋଲି ଅନୁମାନ କରାଯାଏ।

Share :