ବିଜଦ ସମ୍ବିଧାନ ନିହତ, କିଏ ହତ୍ୟାକାରୀ?

ବିଜଦ ସମ୍ବିଧାନ ନିହତ, କିଏ ହତ୍ୟାକାରୀ?

Share :

ଦେବେନ୍ଦ୍ର ପୃଷ୍ଟି ବିଜୁ ଜନତା ଦଳ ଭାରତର ସମ୍ବିଧାନ ଏବଂ ସମାଜବାଦ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ର ପ୍ରତି ବିଶ୍ୱାସ ଓ ଆନୁଗତ୍ୟ ପ୍ରଦର୍ଶନ କରିବ ।- ବିଜଦ ସମ୍ବିଧାନ, ୨ ଧାରା, ପ୍ରଥମ ପାରା । ଗାନ୍ଧୀବାଦୀ ନୀତି ଆଧାରରେ ବିଜୁ ଜନତା ଦଳ ଏକ ଗାଣତାନ୍ତ୍ରିକ ଧର୍ମନିରପେକ୍ଷ ଓ ସମାଜବାଦୀ ଭାରତ ଗଠନ ପ୍ରତି ଉତ୍ସର୍ଗୀକୃତ ରହିବ ଏବଂ ଜାତୀୟ ସ୍ୱାଧୀନତା ସଂଗ୍ରାମର ମହନୀୟ ପରମ୍ପରା ଏବଂ ବ୍ୟକ୍ତି ସ୍ୱାଧୀନତା ନୀତି ଦ୍ୱାରା ଅନୁପ୍ରାଣୀତ ହେବ ।- ବିଜଦ ସମ୍ବିଧାନ, ୨ ଧାରା, ଦ୍ୱିତୀୟ ପାରା । ବିଜୁ ଜନତା ଦଳ ଆମର ସହନଶୀଳତା, ଉଦାରତା ଓ ପ୍ରତ୍ୟେକ ଧର୍ମର ଉଚ୍ଚ ମୂଲ୍ୟବୋଧ ଏବଂ ନୈତିକତା ଆଧାରରେ ଧର୍ମନିରପେକ୍ଷବାଦ ସହ ଅନୁବନ୍ଧିତ ରହିବ । ବିଜଦ ସମ୍ବିଧାନ, ୨ ଧାରା, ତୃତୀୟ ପାରା । ଏହା ହେଉଛି ଶାସକ ବିଜୁ ଜନତା ଦଳର ସମ୍ବିଧାନରେ ପ୍ରଣୀତ ଦଳୀୟ ଓ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କେତେକ ଉଦ୍ଧୃତି । ଏହା ବ୍ୟତିତ ଏହି ଧାରା ଅନୁସାରେ ବିଜୁ ଜନତା ଦଳର ଏକ ଶୋଷଣମୁକ୍ତ ସମାନତା ଭିତ୍ତିକ ସମାଜ ଗଠନ କରିବା ଦିଗରେ ବ୍ରତୀ ହେବ । ସାମାଜିକ ନ୍ୟାୟ ନୀତିକୁ କଦାପି ଛାଡ଼ିବ ନାହିଁ । ଏହା ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ ନିଜକୁ ଉର୍ତ୍ସଗ କରିବ । ସମାନତା ଭିତ୍ତିକ ସଂପଦ ବଣ୍ଟନ ଜରିଆରେ ଅର୍ଥନୀତିକ ଅଭିବୃଦ୍ଧି ଓ ଗାଁଗଣ୍ଡା ପର୍ଯ୍ୟନ୍ତ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣ ହେଉଛି ବିଜୁ ଜନତା ଦଳର ପ୍ରମୁଖ ଲକ୍ଷ୍ୟ । ଏସବୁ ଏହି ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କିନ୍ତୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କର ୧୮ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ମଧ୍ୟରେ ଦଳର ଏହିସବୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ନୀତି ଓ ଆଦର୍ଶ ସରକାରୀ ଓ ଦଳୀୟ ସ୍ତରରେ ଅନୁସୃତ ହେବା ଦୂରେ ଥାଉ ଆରମ୍ଭରୁ ସଂପୂର୍ଣ୍ଣ ଧୂଳିସାତ୍‍ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୂଳତଃ ଭାରତୀୟ ରାଜନୀତିରେ ଏକ ସାଂପ୍ରଦାୟିକ ତଥା ହିନ୍ଦୁତ୍ୱବାଦୀ ଦଳ ଭାବେ ସମାଲୋଚିତ ଭାରତୀୟ ଜନତା ପାର୍ଟି ସହିତ ରାଜନୀତିକ ମେଣ୍ଟ ବାନ୍ଧି ବିଜୁ ଜନତା ଦଳ ପ୍ରଥମରୁ ନିଜ ସମ୍ବିଧାନରେ ପ୍ରଣୀତ ନୀତି ଓ ଆଦର୍ଶକୁ ଏନ୍ତୁଡ଼ିଶାଳରୁ ତଣ୍ଟିଚିପି ହତ୍ୟା କରିଥିଲା । ଦଳ ଗଠନର ୧୨ ବର୍ଷ ଯାଏଁ ଏହି ଦଳ ସାଂପ୍ରାଦାୟିକ ଭାଜପା ସହିତ ମେଣ୍ଟ କରି ନିଜର ଧର୍ମନିରପେକ୍ଷ ଲକ୍ଷ୍ୟ କଥା ଭୁଲି ଯାଇଥିଲା । ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିଯାଇଥିଲେ ବି ଏହି ଦଳ ସହିତ ଦଳ ସଭାପତି ନବୀନ ପଟ୍ଟନାୟକଙ୍କର ଭିତିରି ସଂପର୍କ ନେଇ ଏବେ ମଧ୍ୟ ଆଲୋଚନା ଅବ୍ୟାହତ ରହିଛି । ଦ୍ରୁତ ଶିଳ୍ପାୟନ ପାଇଁ ରାଜ୍ୟର ଖଣି, ପାଣି, ଜମି ଆଦି ପ୍ରାକୃତିକ ସମ୍ବଳକୁ ମୁଷ୍ଟିମେୟ ଘରୋଇ ଶିଳ୍ପପତିଙ୍କ ହାତକୁ ଟେକି ଦେଇ ନବୀନ ସରକାର ଦଳର ସମାଜବାଦୀ ନୀତି ଓ ଆଦର୍ଶର ହତ୍ୟା କରି ଚାଲିଛନ୍ତି । ଦଳ ଭିତରେ ସାମାନ୍ୟ ମତଭେଦ ପ୍ରତି ଅସହିଷ୍ଣୁ ହୋଇ ଯେଉଁ ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦଳୀୟ ସମ୍ବିଧାନରେ ବର୍ଣ୍ଣିତ ବ୍ୟକ୍ତି ସ୍ୱାଧୀନତା ଓ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣ ଉଦ୍ଦେଶ୍ୟକୁ ପଣ୍ଡ କରିଚାଲିଛି । ଏବେ ବି ଭାରତୀୟ ସମ୍ବିଧାନର ୭୩ତମ ସଂଶୋଧନ ଅନୁସାରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ସରକାରୀ କ୍ଷମତା ସଂପୂର୍ଣ୍ଣ ରୂପେ ଦିଆଯାଇ ନାହିଁ । ବିଜଦ ସମ୍ବିଧାନର ୫ ଧାରା ଅନୁଯାୟୀ କୌଣସି ବ୍ୟକ୍ତି ମଦ୍ୟପାନ କରୁଥିଲେ କିମ୍ବା ନିଶା ସେବନ କରୁଥିଲେ ଦଳର ସକ୍ରିୟ ସଦସ୍ୟ ହୋଇପାରିବ ନାହିଁ । ଏ ନୀତି କିପରି ପାଳିତ ହେଉଛି ତାହା ସ୍ୱୟଂ ଦଳୀୟ ସଭାପତି ନବୀନ ପଟ୍ଟନାୟକ ନିଜ ବିବେକକୁ ପଚାରିଲେ ସ୍ପଷ୍ଟ ଉତ୍ତର ପାଇବେ । ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ରିପୋର୍ଟ ଅନୁଯାୟୀ ସେ କାଳେ ଜଣେ ଚେନ୍‍ ସ୍ମୋକର ଏବଂ ନିୟମିତ ମଦ୍ୟପାନ କରନ୍ତି । ବ୍ଲାକ୍‍ ଡଗ୍‍ ବ୍ରାଣ୍ଡ କାଳେ ତାଙ୍କର ଭାରି ପସନ୍ଦ । ଦଳୀୟ ସମ୍ବିଧାନର ୧୩ ଧାରା ଅନୁଯାୟୀ ରାଜ୍ୟ ସଭାପତି ଅତିକମ୍‍ରେ ଛଅ ମାସରେ ଥରେ ଦଳର ଜିଲ୍ଲା କମିଟିର କର୍ମକର୍ତ୍ତାମାନଙ୍କର ବୈଠକ ଡାକିବେ । ଗଲା ୧୪ ବର୍ଷ ଭିତରେ କେତେଟା ଜିଲ୍ଲା ବୈଠକ ଡକାଯାଇଛି ଓ କେତେ ବୈଠକରେ ସଭାପତି ଯୋଗ ଦେଇଛନ୍ତି? ଦଳୀୟ ସମ୍ବିଧାନ ଅନୁସାରେ ଦଳୀୟ ସଭାପତି ଦଳର ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ କ୍ଷମତା ଉପଭୋଗ କରିପାରିବେ କିନ୍ତୁ ସେଥିପାଇଁ ଦଳର ରାଜନୀତିକ ବ୍ୟାପାର କମିଟିର ପୂର୍ବାନୁମୋଦନ ଆବଶ୍ୟକ । ଦଳରେ ଅନେକ ଦିନ ଧରି ରାଜନୀତିକ କମିଟି ଗଠିତ ହୋଇନାହିଁ । ତେବେ ଏହି ସମୟ ମଧ୍ୟରେ ସଭାପତି ନବୀନ ପଟ୍ଟନାୟକ ଯେତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହାସବୁ ଦଳର ସମ୍ବିଧାନ ସମ୍ମତ କି? ଦଳର ୨୮ ଧାରା ବିଶିଷ୍ଟ ସମ୍ବିଧାନ ବ୍ୟତିତ ଦଳ ପରିଚାଳନା ପାଇଁ ଆରମ୍ଭରୁ ୨୨ ଧାରା ବିଶିଷ୍ଟ ଏକ ନିୟମ ବା ରୁଲ୍‍ ପ୍ରଣୟନ କରାଯାଇଛି । ଏହି ନିୟମର ୧୮ ଧାରା ଅନୁଯାୟୀ ଦଳ ସଭାପତି ଦଳର କୌଣସି ସଦସ୍ୟ କିମ୍ବା ୟୁନିଟ୍‍ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ମାତ୍ର, ଏ ବିଷୟ ତତପରବର୍ତ୍ତୀ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅନୁମୋଦନ ଲାଭ କରିବା ଉଚିତ । ସେହିପରି ନିୟମର ୧୯ ଧାରା ଅନୁଯାୟୀ ଆତ୍ମପକ୍ଷ ଉପସ୍ଥାପିତ କରିବା ପାଇଁ କୌଣସି ସଦସ୍ୟ ବା ୟୁନିଟକୁ ଅତିକମରେ ଦୁଇ ସପ୍ତାହ ପୂର୍ବରୁ ଆଗୁଆ ନୋଟିସ୍‍ ନଦେଇ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ । ଏଯାଏଁ ସଭାପତି ନବୀନ ପଟ୍ଟନାୟକ ବା ଦଳର ଅନ୍ୟ କୌଣସି କର୍ମକର୍ତ୍ତା ଯେତେ ନେତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସସପେଣ୍ଡ ବା ଡିସମିସ୍‍ କରିଛନ୍ତି କାହାକୁ ଆଗୁଆ ଦୁଇ ସପ୍ତାହର ନୋଟିସ୍‍ ଦିଆଯାଇଛି? ଅବଶ୍ୟ ଏସବୁ ସମ୍ବିଧାନ ବିରୋଧୀ କାର୍ଯ୍ୟ ବିଜଦରେ ପ୍ୟାରୀବାବୁଙ୍କ ଶାସନ ଚାଲିଥିବାବେଳେ ଆରମ୍ଭ ହୋଇଥିଲା । ତା’ ପରେ ମଧ୍ୟ ଏହି ଅଗଣତାନ୍ତ୍ରିକ ଧାରା ବଜାୟ ରହିଛି । ଏଯାଏଁ ଏକଛତ୍ରବାଦୀ ନୀତିରେ ଚାଲିଥିବା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବର୍ଷରେ କେତେ ଥର ବସେ ତାହା ସେହି ଦଳର ସଦସ୍ୟମାନେ ଜାଣିଥିବେ ।

Share :