Breaking News
ପେଡ଼୍‍ ନ୍ୟୁଜ୍‍ ବ୍ୟାଧି

ପେଡ଼୍‍ ନ୍ୟୁଜ୍‍ ବ୍ୟାଧି

ଦେବେନ୍ଦ୍ର ପୃଷ୍ଟି Whoever controls the media, controls the mind. -Jim Morrison ଜିମ ମୋରିସନ୍‍ ହେଉଛନ୍ତି ଆମେରିକାର ଜଣେ ଗୀତିକାର, ସଂଗୀତକାର, ଗାୟକ ଓ କବି । ସେ ନିଜର ଅସାଧାରଣ ପ୍ରତିଭା ଯୋଗୁଁ ଖୁବ୍‍ ଅଳ୍ପ ବୟସରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ ପ୍ରାଣତ୍ୟାଗ କରିଥିଲେ । ସେ କହି କହିଥିଲେ ଏ କଥା: ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିମାନେ ଅନ୍ୟ ଲୋକମାନଙ୍କର ମନକୁ ନିୟନ୍ତ୍ରଣ କରିଥାନ୍ତି । ଅନେକାଂଶରେ ଏହା ସତ । ଯେତେ କଟୁ ହେଲେ ମଧ୍ୟ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଗଣମାଧ୍ୟମ ଜରିଆରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଲୋକମାନେ ସାଧାରଣ ଲୋକମାନଙ୍କର ଚିନ୍ତା ଓ ଚେତନାକୁ ପ୍ରଭାବିତ କରିଥାନ୍ତି । ସେମାନଙ୍କର ନିଷ୍ପତ୍ତି ପ୍ରକ୍ରିୟାକୁ ମଧ୍ୟ ଏହି ଲୋକମାନେ ଗଣମାଧ୍ୟମ ଜରିଆରେ ପ୍ରଭାବିତ କରିଥାନ୍ତି । ସେଥିପାଇଁ ଗଣମାଧ୍ୟମରେ ଗଣ ସମସ୍ୟା ଓ ଗଣ ଚେତନା ଅପେକ୍ଷା ମୁଷ୍ଟିମେୟ ଲୋକମାନଙ୍କର ବିଶେଷକରି ସମାଜର ଶିଳ୍ପପତି, ପୁଞ୍ଜିପତି, ରାଜନେତା, ଅମଲା, ଧନୀ ଓ ସଂଗଠିତ ଶ୍ରେଣୀର କଥା ଅଧିକ ପ୍ରକାଶ ପାଇଥାଏ । ଏମାନଙ୍କର କଥାକୁ ଗଣମାଧ୍ୟମରେ ଖବର ଆକାରରେ ପ୍ରକାଶ କରାଯାଏ । ସେମାନଙ୍କର ସାକ୍ଷାତକାରକୁ ମଧ୍ୟ ନିୟମିତ ସ୍ଥାନ ଦିଆଯାଏ । ସେମାନେ ସାମ୍ବାଦିକ ସମ୍ମଳିନୀ ଓ ପ୍ରେସ୍‍ ବିଜ୍ଞପ୍ତି ଜରିଆରେ ନିୟମିତ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରନ୍ତି । ଗଣମାଧ୍ୟମର ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସଂପାଦକଙ୍କ ଯାଏଁ ସମସ୍ତଙ୍କ ସହିତ ବିଭିନ୍ନ ବାଟରେ ବନ୍ଧୁତା ବାନ୍ଧି ସେମାନେ ନିଜ କଥା ଏମିତି ପ୍ରଚାର କରନ୍ତି ଯେ ଏସବୁ ପଢ଼ିପଢ଼ି ଲୋକମାନଙ୍କର ଚିନ୍ତାଧାରା ବଦଳିଯାଏ । ସେମାନେ ବୁଝନ୍ତି ଯାହା ଗଣମାଧ୍ୟମରେ ପ୍ରକାଶ ପାଉଛି ତାହା ହିଁ ଠିକ୍‍ । ଅନ୍ୟ ଯାହା ସବୁ ଅନ୍ୟ କେଉଁଠି ଲେଖାଅଛି, ସେସବୁ ଭୁଲ । ଏହି କ୍ରମରେ ଆଜି ବେଦ, ଉପନିଷଦ୍‍, ଗୀତା, ଭାଗବତ ବି ଅପ୍ରାସଙ୍ଗିକ ହୋଇଗଲାଣି । କିନ୍ତୁ ଟେଲିଭିଜନ, ଖବରକାଗଜ ଓ ରେଡିଓର ଆବଶ୍ୟକତା ବଢ଼ିବଢ଼ି ଚାଲିଛି । ଯେଉଁଠି ଏହି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ସାଧାରଣ ସଂପର୍କ ବିଫଳ ହୁଏ, ସେଠି ସେମାନେ ବିଜ୍ଞାପନକୁ ଅସ୍ତ୍ର ଭାବରେ ପ୍ରୟୋଗ କରନ୍ତି । ଆଉ ଏହା ଯେତେ କଠୋର ହେଲେ ବି ନିରାଟ ସତ ଯେ ବିନା ବିଜ୍ଞାପନରେ ଗଣମାଧ୍ୟମ ତିଷ୍ଠିବା ଅତ୍ୟନ୍ତ କଷ୍ଟକର, ଅସମ୍ଭବ କହିଲେ ବି ଅଧିକ ଭୁଲ ହେବ ନାହିଁ । ପାଣି ବିନା ମାଛ ଯାହା, ବିଜ୍ଞାପନ ବିନା ଗଣମାଧ୍ୟମ ଠିକ୍‍ ସେଇଆ କହିଲେ ଅତ୍ୟୁକ୍ତି ହେଲା ବୋଲି କୁହାଯାଇ ପାରିବ ନାହିଁ । ଗଣମାଧ୍ୟମର ଖର୍ଚ୍ଚ ତୁଳନାରେ ଏହାର ପ୍ରସାର ବା ପ୍ରସାରଣ ରାଜସ୍ୱ କିଛି ନୁହେଁ ବୋଲି କୁହାଯାଇ ପାରେ । ତେଣୁ କେବଳ ଭାରତ ବର୍ଷ କାହିଁକି, ବିଶ୍ୱର ପ୍ରାୟ ସମସ୍ତ ଗଣମାଧ୍ୟମ ତିଷ୍ଠିବା ପାଇଁ, ଅତିଶୟୋକ୍ତି ନହେଲେ ଏହା ମଧ୍ୟ କୁହାଯାଇ ପାରେ ଯେ ମିଡିଆ ଏମ୍ପାୟାର୍‍ ପ୍ରତିଷ୍ଠା କରିବା ଲକ୍ଷ୍ୟରେ, ବଡ଼ ବଡ଼ ଶିଳ୍ପ କମ୍ପାନି, ବ୍ୟାବସାୟିକ ସଂସ୍ଥା, ରାଜନୀତିକ ଦଳ ଓ ନେତାଙ୍କ ପ୍ରଚାର ଉପରେ ନିର୍ଭର କରିଥାନ୍ତି । ସେମାନେ ବିଜ୍ଞାପନ ନଦେଲେ ଗଣମାଧ୍ୟମର ଅସ୍ତିତ୍ୱ ନେଇ ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ବିଜ୍ଞାପନ ମାଧ୍ୟମରେ ଏସବୁ ସଂସ୍ଥା, ସମଷ୍ଟି ଓ ବ୍ୟକ୍ତିବିଶେଷ କେବଳ ନିଜର ପ୍ରଚାର ହିଁ କରିଥାନ୍ତି । ଏହା କହିବା ନିଷ୍ପ୍ରୟୋଜନକ । ଏ ସଂପର୍କରେ ବିଖ୍ୟାତ ଲେଖକ ଜର୍ଜ ଅରୱେଲ୍‍ ତାଙ୍କର ‘ହ୍ୱାଇ ଆଇ ରାଇଟ୍‍’ ଲେଖାରେ ଲେଖିଥିଲେ: ଯେଉଁ ଖବରକାଗଜଗୁଡ଼ିକର କିଛିଟା ପ୍ରଭାବ ଅଛି ସେଗୁଡ଼ିକ ବିଜ୍ଞାପନରେ ବଞ୍ôଚଛନ୍ତି ଏବଂ ବିଜ୍ଞାପନଦାତାମାନେ ସେମାନଙ୍କର ସମ୍ବାଦ ଉପରେ ପରୋକ୍ଷ ନିୟନ୍ତ୍ରଣ ଜାରି କରିଥାନ୍ତି । । ଏକ ଗାଣତନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ସମୟରେ ଗଣମାଧ୍ୟମର ଏହି ଦୁର୍ବଳତାର ସୁଯୋଗ ନିଅନ୍ତି ରାଜନେତା ଓ ରାଜନୀତିକ ଦଳ । ସେମାନେ ନିଜର ଓ ନିଜ ରାଜନୀତିକ ଦଳର ପ୍ରଚାର କରିବା ପାଇଁ ବିଜ୍ଞାପନ ଆକାରରେ ପ୍ରଚୁର ଅର୍ଥ ଖର୍ଚ୍ଚ କରନ୍ତି । ଯେଉଁ ନେତା ଓ ଦଳ ଅଧିକ ଖର୍ଚ୍ଚ କରେ ତାହାର ପ୍ରଚାର ସେହି ଅନୁସାରେ ଅଧିକ ହୋଇଥାଏ । ଏପରି କରିବା ପାଇଁ ସେମାନେ ବିଜ୍ଞାପନ ବ୍ୟତିତ ‘ପେଡ଼୍‍ ନ୍ୟୁଜ୍‍’ ବା ବିକ୍ରିତ ସମ୍ବାଦ ନାମକ ଏକ ଅନୈତିକ ଉପାୟ ବାହାର କରିଛନ୍ତି । ଗଣମାଧ୍ୟମଗୁଡ଼ିକ ଯାହା ବିଜ୍ଞାପନ ଭାବେ ପ୍ରକାଶ କରନ୍ତି, ତାହା ସମ୍ବାଦ ଆକାରରେ ଲୋକଙ୍କ ନିକଟରେ ପହଞ୍ôଚଥାଏ । ପ୍ରାର୍ଥୀମାନଙ୍କର ଭାଷଣଠାରୁ ଆରମ୍ଭ କରି ତାଙ୍କର ସାକ୍ଷାତକାର ଯାଏଁ ନିର୍ବାଚନ ସମୟରେ ପେଡ଼୍‍ ନ୍ୟୁଜ୍‍ ଆକାରରେ ପ୍ରକାଶ ପାଏ । ଭାରତୀୟ ଗଣତନ୍ତ୍ରରେ ଗତ କେଇ ବର୍ଷ ହେଲା ଏହା ଏକ ସମସ୍ୟା ରୂପେ ଦେଖାଦେଇଛି । ଏକଥା ଲକ୍ଷ୍ୟ କରି ଜେ ଲେନୋ ଥରେ କହିଥିଲେ, ‘ରାଜନୀତି କୁତ୍ସିତ ଲୋକମାନଙ୍କର ସୋ ବିଜନେସ୍‍ରେ ପରିଣତ ହୋଇଯାଇଛି ।’ ଗଣମାଧ୍ୟମର ନୀତି ଓ ନୈତିକତା ଉପରେ ବିଚାର କରୁଥିବା କେତେକ ବ୍ୟକ୍ତିଙ୍କ ଅଭିଯୋଗ ଓ ମୁକ୍ତ ଓ ଅବାଧ ନିର୍ବାଚନର ଦାୟତ୍ୱ ବହନ କରୁଥିବା ନିର୍ବାଚନ କମିଶନ୍‍ ଏଥିନେଇ ଉଦବେଗ ପ୍ରକାଶ କରିବା ସଙ୍ଗେସଙ୍ଗେ ଏହା ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଗତ ନିର୍ବାଚନ ସମୟରେ ନିର୍ବାଚନ କମିଶନ୍‍ଙ୍କ ତରଫରୁ ପେଡ଼୍‍ ନ୍ୟୁଜ୍‍ ବିରୋଧରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା । ଏହା ଏକ ସୁସ୍ଥ ପଦକ୍ଷେପ । କିନ୍ତୁ ଏଥିରୁ କେତେ ସଫଳତା ମିଳୁଛି ତାହା ଏକ ଅଲଗା ହିସାବର କଥା । ୨୦୦୯ ଓଡ଼ିଶା ବିଧାନସଭା ନିର୍ବାଚନ ସମୟରେ ରାଜ୍ୟର ଗୋଟିଏ ବହୁଳ ପ୍ରସାରିତ ଖବରକାଗଜ ଏପରି ଏକ ବ୍ୟାବସାୟିକ କୌଶଳ ପ୍ରୟୋଗ କରିଥିଲା । ଯେଉଁ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଦେବେ ତାଙ୍କୁ ପ୍ରଚାର ୧୫ ଦିନ ଯାଏଁ ଖବରକାଗଜରେ ସ୍ଥାନ ମିଳିବ । ସେହି ସମୟ ମଧ୍ୟରେ ତାଙ୍କର ଏକ ଛୋଟ ସାକ୍ଷାତକାର ସହିତ ଦୈନିନ୍ଦିନ ପ୍ରଚାର ସଭାର ବିବରଣୀ ପ୍ରକାଶ ପାଇବ । ସେତେବେଳେ ଜଣେ ‘ଚାଣକ୍ୟ’ ତାଙ୍କ ଦଳର ୯୫ ପ୍ରାର୍ଥୀଙ୍କ ପାଇଁ ଟଙ୍କା ପଇଠ କରିଦେଲେ । ଫଳାଫଳ କ’ଣ ହେଲା ସମସ୍ତେ ଜାଣନ୍ତି । ତେବେ କେବଳ ଯେ ରାଜନେତା ଓ ରାଜନୀତିକ ଦଳଗୁଡ଼ିକ ଏପରି ପେଡ଼୍‍ ନ୍ୟୁଜ୍‍ ଜରିଆରେ ଜନମତକୁ ବିଭ୍ରାନ୍ତ କରିବାକୁ ଓ ସେମାନଙ୍କର ନିଷ୍ପତ୍ତିକୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି ତାହା ନୁହେଁ, ଅନେକ ବହୁରାଷ୍ଟ୍ରୀୟ କମ୍ପାନି ଓ ବ୍ୟାବସାୟିକ ଉଦ୍ୟୋଗଗୁଡ଼ିକ ମଧ୍ୟ ବିଜ୍ଞାପନ ଜରିଆରେ ଗଣମାଧ୍ୟମର ନୀତି ଓ ବିବେକକୁ ଖରିଦ୍‍ କରିବାରେ ଅନେକ ସମୟରେ ସଫଳ ହୋଇଥାନ୍ତି । ସମ୍ଭବତଃ ଏହି କାରଣରୁ ଗଣମାଧ୍ୟମରେ ତ୍ୟାଗ ତୁଳନାରେ ଭୋଗ, ପ୍ରେମ ତୁଳନାରେ ପ୍ରତାରଣା, ଅହିଂସା ଅପେକ୍ଷା ହିଂସା, ନୀତି ଅପେକ୍ଷା ଦୁର୍ନୀତିର କଥା ଅଧିକ ପ୍ରକାଶ ପାଇଥାଏ ।

Share :