ସରକାର ସାଜିଲେ ଚୋର ମାଉସୀ!

ସରକାର ସାଜିଲେ ଚୋର ମାଉସୀ!

Share :

ନଭେମ୍ବର ଆଠ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଗୋଟିଏ ଝଟକାରେ ଦେଶରେ ପ୍ରଚଳିତ 86 ପ୍ରତିଶତ ନୋଟକୁ ରଦ୍ଦି କାଗଜ ଘୋଷଣା କରିଦେଲେ। ମୋଦିଙ୍କର ଯୁକ୍ତି ଥିଲା ଯେ ବିମୁଦ୍ରାକରଣ ଯୋଗୁଁ ଦେଶରେ କଳାଧନ ମାଲିକଙ୍କ ନିଦ ହଜିଯିବ। ତାଙ୍କ ଉପରେ ଏହା ଏକ ଶକ୍ତ ସର୍ଜିକାଲ୍‌ ଷ୍ଟ୍ରାଇକ। ଆଉ ଗରୀବ, ସାଧାରଣ ଜନତା ଏଥିରୁ ବହୁ ଉପକୃତ ହେବେ। ଇତିମଧ୍ୟରେ ବିମୁଦ୍ରାକରଣ ଉପରେ ଅନେକ ଅର୍ଥନୀତି ବିଷାରଦ ନିଜ ନିଜ ମତ ରଖିଛନ୍ତି। କିଛି ମୋଦିଙ୍କ ଜୟଗାନ କରିଛନ୍ତି ଆଉ ଅନେକେ ଏ ପଦକ୍ଷେପକୁ ବହୁ ବଡ଼ ମୂର୍ଖାମି ବୋଲି ମଧ୍ୟ ଅଭିହିତ କରିଛନ୍ତି।   ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ଜଣେ ଅର୍ଥନୀତି ପ୍ରଫେସର ହେଉଛନ୍ତି ଅରୁଣ କୁମାର। ଭାରତରେ କଳାଧନର ସମସ୍ୟା ଆଉ ତାର ନିରାକରଣ ଉପରେ ସେ ଅନେକ ଲେଖା ଲେଖିଛନ୍ତି। ତାଙ୍କ ବହି ଦ ବ୍ଲାକ୍ ଇକନମି ଅଫ ଇଣ୍ଡିଆ ବା ଭାରତର କଳା ଅର୍ଥନୀତି 1999 ମସିହାରେ ପେଙ୍ଗୁଇନ୍ ଇଣ୍ଡିଆ ପ୍ରକାଶନ ସଂସ୍ଥା ଦ୍ବାରା ଛପା ଯାଇଥିଲା। ଏ ବହିଟି ବହୁ ଅର୍ଥନୀତି ବିଷାରଦଙ୍କ ଦ୍ବାରା ଆଦୃତ ହୋଇଥିଲା। ନିକଟରେ ଇଣ୍ଡିଆ ଲିଗାଲ୍ ନାମକ ଏକ ଅନଲାଇନ୍ ପୋର୍ଟାଲର ସମ୍ପାଦକ ଇନ୍ଦ୍ରଜିତ ବଢୁଆର ଓ ସହ ସମ୍ପାଦକ ମେହା ମାଥୁର ପ୍ରଫେସର ଅରୁଣ କୁମାରଙ୍କ ସହିତ ଏକ ସାକ୍ଷାତକାର କରି ବିମୁଦ୍ରାକରଣ ଉପରେ ତାଙ୍କ ମତାମତ ପଚାରିଥିଲେ। ପ୍ରଫେସର ଅରୁଣ କୁମାରଙ୍କ ଆକଳନରେ ବିମୁଦ୍ରାକରଣ ମୋଦି ସରକାରଙ୍କର ଏକ ଅନାବଶ୍ୟକ ମୂର୍ଖାମି ଏବଂ ଏହାର ସୁଦୁରପ୍ରସାରୀ ପ୍ରଭାବ ଭାରତୀୟ ଅର୍ଥନୀତି ପାଇଁ ଘୋର ହାନିକାରକ ସାବ୍ୟସ୍ତ ହେବ। ଚାହିଦା, ରୋଜଗାର ଏବଂ ପୁଞ୍ଜିନିବେଶ ଉପରେ ବିମୁଦ୍ରାକରଣ ଘୋର ପ୍ରତିକୂଳ ପ୍ରଭାବ ପକେଇବ। ଗରୀବ ଲୋକେ ଏ ପଦକ୍ଷେପ ଯୋଗୁଁ ସବୁଠୁଁ ଅଧିକ ହନ୍ତସନ୍ତ ହେବେ।   ସାମାନ୍ୟକଥନ.କମ୍‌ର ପାଠକଙ୍କ ପାଇଁ ସେହି ସାକ୍ଷାତକାରର ଅନୁବାଦ ଏଠାରେ ଉପସ୍ଥାପିତ କରାଗଲା।   1) କେଉଁ ପରିସ୍ଥିତିରେ ବିମୁଦ୍ରାକରଣକୁ ଏକ ଆର୍ଥିକ ଉପକରଣ ଭାବେ ଉପଯୋଗ କରା ଯାଇଥାଏ? ବିଶ୍ଭରରେ ବିମୁଦ୍ରାକରଣକୁ କେତେ ସାଧାରଣ ପ୍ରକ୍ରିୟା ଭାବରେ ସରକାରମାନେ ଆପଣେଇଛନ୍ତି?   ଉ. ଭିନ୍ନ ଭିନ୍ନ ସମୟରେ କିଛି ଦେଶରେ ଆର୍ଥିକ ସଙ୍କଟର ତାତ୍କାଳିକ ନିରାକରଣ ପାଇଁ ସେଠିକାର ସରକାର ମାନେ ଅବଶ୍ୟ ବିମୁଦ୍ରାକରଣ ପ୍ରକ୍ରିୟାକୁ ଆପଣେଇଛନ୍ତି। କିନ୍ତୁ ଯେଉଁ ସନ୍ଦର୍ଭରେ ମୋଦି ସରକାର ବିମୁଦ୍ରାକରଣ ଲାଗୁ କରିବାର ତର୍କ ଦେଇଛନ୍ତି, ସେପରି ଉଦାହରଣ ସମଗ୍ର ବିଶ୍ବ ଇତିହାସରେ ବିରଳ। ଜର୍ମାନୀ, ସୋଭିଏତ ରୁଷ ଭଳି ଦେଶରେ ବିମୁଦ୍ରାକରଣର ବାଧକତା ଥିଲା ସେଠିକା କରେନ୍ସି ବା ମୁଦ୍ରାର କ୍ଷୀପ୍ର ମୂଲ୍ୟହ୍ରାସ। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ଦୈନନ୍ଦିନ ବ୍ୟବହାର ସାମଗ୍ରୀ କିଣିବାକୁ ଗଲେ ବି ଜଣେ ନାଗରିକକୁ ଅଖାରେ ଅଖାଏ ନୋଟ ବୋହି ଯିବାକୁ ପଡୁଥିଲା। ତେଣୁ ସେଠିକାର ସରକାର ପୁରୁଣା ନୋଟକୁ ବାତିଲ କରି ନୁଆ ନୋଟ ଛପେଇବାକୁ ବାଧ୍ୟ ହୋଇଥିଲେ। ଆପଣ ସହମତ ହେବେ ଯେ ଭାରତରେ ଟଙ୍କାର ହାଲ ସେମିତି ଖରାପ ନଥିଲା କି ବିମୁଦ୍ରାକରଣ ଜରୁରୀ ହୋଇଥାନ୍ତା।   2) ତାହେଲେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏମିତି କେଉଁ ମହା ସଙ୍କଟ ଉପୁଜିଥିଲା ଯେଉଁଥିପାଇଁ ସରକାର ଏପରି ଏକ ଆକସ୍ମିକ ସର୍ଜରୀ ନିଷ୍ପତ୍ତି ନେଲେ?    ଉ. ସେଇ ତ ମୂଳ ପ୍ରଶ୍ନ ଯା’ର କିଛି ଠୋସ ଉତ୍ତର ଏପର୍ଯ୍ୟନ୍ତ ମୋଦି ସରକାର ଦେଇପାରି ନାହାନ୍ତି। ଆମ ଅର୍ଥନୀତିର ମୋଟାମୋଟି ହାଲ ବିଲକୁଲ ଠିକ ଥିଲା। ପ୍ରଧାନମନ୍ତ୍ରୀଙ୍କ କହିବା ହେଲା ବିମୁଦ୍ରାକରଣର ମୂଳ ଲକ୍ଷ୍ୟ ଦୁଇଟି। ପ୍ରଥମ ହେଲା ଆତଙ୍କବାଦୀଙ୍କ ହାତହତିଆର କିଣିବା ପାଇଁ ଯେଉଁ ଅର୍ଥ ରଖିଥିଲେ ତାକୁ ନାକଚ କରିଦେବା ଆଉ ଯେଉଁ ଜାଲି ନୋଟ ଏପରି ଆତଙ୍କି ସଂସ୍ଥା ଛାପି ବଜାରରେ ଛାଡୁଛନ୍ତି ତାକୁ ରୋକିବା। ଦ୍ବିତୀୟଟି ହେଲା ଯେ ଦେଶର ଦାରିଦ୍ର୍ୟଠୁଁ ନେଇ ସବୁ ସମସ୍ୟାର ମୁଳ ହେଉଛି କଳା ଅର୍ଥ ବ୍ୟବସ୍ଥାର ବ୍ୟାପକତା। ତେଣୁ କଳା ଅର୍ଥ ବ୍ୟବସ୍ଥାକୁ ବନ୍ଦ କରିବା ନିହାତି ଜରୁରୀ।   କିନ୍ତୁ ପ୍ରଶ୍ନ ଉଠୁଛି ଯେ ବିମୁଦ୍ରାକରଣ କ’ଣ ଏ ଦୁଇଟି ସମସ୍ୟାର ସମାଧାନ? ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ହାରାହାରି ପ୍ରତି 25,000 ନୋଟରେ ଗୋଟିଏ ଜାଲି ନୋଟ ବାହାରିବାର ସମ୍ଭାବନା ମାତ୍ର ରହିଛି। ଆଉ କାଳେ ପୂରା ଦେଶରେ ଚାଲୁଥିବା ଜାଲି ନୋଟର ମୂଲ୍ୟ 400 କୋଟି ଟଙ୍କା ହେବ। ଭାବିଲେ ହୁଏତ ଏ ପରିମାଣ ଖୁବ୍ ବଡ଼ ଲାଗିପାରେ। କିନ୍ତୁ ସମଗ୍ର ଭାରତରେ ପ୍ରଚଳିତ ଲିଗାଲ ନୋଟର ମୂଲ୍ୟ 17.5 ଲକ୍ଷ କୋଟି ଟଙ୍କା। ତେଣୁ ଏ ସନ୍ଦର୍ଭରେ ଦେଖିଲେ ସମୁଦାୟ ଜାଲି ନୋଟ ସମୁଦ୍ର ଭିତରେ ଶଙ୍ଖେ ପାଣି ତୁଲ୍ୟ ହେବ।    ଅବଶ୍ୟ ସରକାରଙ୍କ ଏ ଯୁକ୍ତି ଯଥାର୍ଥ ଯେ ଆତଙ୍କବାଦୀଙ୍କୁ ଅର୍ଥ ଦରକାର ଆଉ ସେମାନେ ସେଥିପାଇଁ ଜାଲି ନୋଟ ବ୍ୟବହାର କରିଥାନ୍ତି। ତେଣୁ ଜାଲି ନୋଟକୁ ମୂଳପୋଛ କରିବା ବାଞ୍ଛନୀୟ। କିନ୍ତୁ ଏ ଜାଲି ନୋଟ ଛାପେ କିଏ? ଆମ ଗୋଇନ୍ଦା ସଂସ୍ଥା ଆଉ ସାଧାରଣ ଜନତା ବି ଜାଣନ୍ତି ଯେ ଭାରତୀୟ ଜାଲି ନୋଟ ଛାପିବା ପଛରେ ପାକିସ୍ଥାନୀ ସରକାର ଏବଂ ତାଙ୍କ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ପ୍ରତ୍ୟକ୍ଷ ହାତ ରହିଛି। ତେଣୁ ତାକୁ କ’ଣ ସରକାର ଏ ବିମୁଦ୍ରାକରଣ ଦ୍ାରା ରୋକି ପାରିବେ? ଦୁଇ ହଜାର ଟଙ୍କିଆ ନୂଆ ନୋଟ ପ୍ରଚଳନ କରିବାର ଦୁଇଟି ସପ୍ତାହ ହୋଇଛି କି ନାହିଁ ବିଭିନ୍ନ ଖବରକାଗଜ, ଟିଭି ଆଦିରେ ପଢିବାକୁ, ଦେଖିବାକୁ ପାଇଲେଣି ଯେ ତାର ବି ଜାଲି ନୋଟ ମାର୍କେଟକୁ ଆସି ଗଲାଣି। ଆଗକୁ ଯେ ଜାଲି ନୋଟ ଛପା ନହେବ ତାର ଗ୍ୟାରେଣ୍ଟି କିଏ ଦେବ?   ସେହିପରି ମୋ ବୁଝିବାରେ ବିମୁଦ୍ରାକରଣ କଳାଟଙ୍କା ରୋକିବାରେ ମଧ୍ୟ ସଂପୂର୍ଣ୍ଣ ବିଫଳ ହେବ। ବହୁ ପାଠଶାଠ ପଢିଥିବା, ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ କଳାଟଙ୍କା ବିଷୟରେ ଠିକରେ ବୁଝି ନାହାନ୍ତି।   ତା’ ପରେ ସବୁ ନଗଦ ଟଙ୍କା କଳା ଟଙ୍କା ନୁହଁ। ଆପଣ ବ୍ୟାଙ୍କରୁ ପଇସା କାଢିବାକୁ ଗଲାବେଳେ ଟେଲର୍ ପାଖରେ ହଜାର ହଜାର ଟଙ୍କାର ବଣ୍ଡଲ ଦେଖିଥାନ୍ତି। ଚାଉଳ, ପରିବା, ସାର, ଅନ୍ୟ ସାମଗ୍ରୀ ଗୋଦାମ ମାଲିକ ପାଖକୁ ନିତିଦିନ ଏମିତି ତଙ୍କା ବଣ୍ଡଲ ବଣ୍ଡଲ ହୋଇ ଆସେ। ଏ ସବୁ ଯାକ କ’ଣ କଳାଟଙ୍କା? କେବେ ନୁହଁ।   ଜଣେ ବ୍ୟକ୍ତି ଯାହା ବି ରୋଜଗାର କରେ, ତହିଁରୁ ନିଜ ଦୈନନ୍ଦିନ ଖର୍ଚ୍ଚ କଲା ପରେ କିଛି ଅର୍ଥ ସଞ୍ଚୟ କରିଥାଏ। ତାକୁ ନିବେଶ କରି ସେ ସମ୍ପତ୍ତି ସୃଷ୍ଟି କରିଥାଏ। ଏ ନିବେଶ ବ୍ୟାଙ୍କରେ ଜମାଖାତାରେ ରଖିବା ହୋଇପାରେ। ବୀମା ପଲିସି ହୋଇପାରେ। ସୁନା ଗହଣା କି ଜମିଜାଗା ହୋଇପାରେ। କିମ୍ବା କିଛି ଟଙ୍କା ଘରେ ନଗଦ ଆକାରରେ ରଖିପାରେ। କୌଣସି ବି ବ୍ୟକ୍ତି ନିଜ ସମ୍ପତ୍ତିର କେତେ ଭାଗ ବା ନଗଦ ଟଙ୍କା ଆକାରରେ ରଖେ? ମୋ ଅନୁମାନରେ ଅଧିକରୁ ଅଧିକ ଶହେ ଭାଗରୁ ଭାଗେ।   ମୋ ଆକଳନରେ ଭାରତରେ କଳା ଆମଦାନୀର ଆକାର ରାଷ୍ଟ୍ରୀୟ ସକଳ ଘରୋଇ ଉତ୍ପାଦ ବା ଜିଡ଼ିପିର 62 ପ୍ରତିଶତ ଅଟେ। ଆମର ଅଧୁନାତନ ରାଷ୍ଟ୍ରୀୟ ଜିଡ଼ିପି ହେଲା 150 ଲକ୍ଷ କୋଟି ଟଙ୍କା। ତହିଁର 62 ପ୍ରତିଶତ ହେଲା 93 ଲକ୍ଷ କୋଟି ଟଙ୍କା। ତେଣୁ ବାର୍ଷିକ ପାଖାପାଖି 93 ଲକ୍ଷ କୋଟି ଟଙ୍କାର ଆୟ ଉପରେ ଲୋକେ କର ଫାଙ୍କିଥାନ୍ତି। କିନ୍ତୁ ସେମାନେ ଏ କଳା ଆମଦାନୀକୁ ଯେତେବେଳେ ମାର୍କେଟରେ ଖର୍ଚ୍ଚ କରନ୍ତି ତହିଁରୁ କିଛି ଅର୍ଥ ସଫେଦ ହୋଇଯାଏ। ଯେମିତି ଧରନ୍ତୁ ଜଣେ ସରକାରୀ କର୍ମୀ 10 ହଜାର ଟଙ୍କା ଲାଞ୍ଚ ନେଲା। ତାକୁ ତ ସେ ଆଉ ନିଜ ନିୟମ ସମ୍ମତ ଆମଦାନୀ ଦେଖେଇବ ନାହିଁ, ତେଣୁ ଇନକମ୍ ଟାକ୍ସ ବି ଦେବ ନାହିଁ। ଏ ହେଲା ତାର କଳା ଆମଦାନୀ। ଧରନ୍ତୁ ସେ ସେହି ଲାଞ୍ଚ ପଇସାରୁ ପାଞ୍ଚ ହଜାର ଟଙ୍କାର ଘଡ଼ିଟିଏ କିଣିଲା। ତା ଉପରେ ତ ଟାକ୍ସ ବସିଛି। ଅର୍ଥାତ, ସେ ପାଞ୍ଚ ହଜାର ଟଙ୍କା ସଫେଦ ଆକାରରେ ବଜାରକୁ ବା ଔପଚାରିକ ଅର୍ଥ ବ୍ୟବସ୍ଥାକୁ ପଳେଇ ଆସିଲା। ବାକି ପାଞ୍ଚ ହଜାର ଟଙ୍କା ଯଦି ସେ ନଗଦ ଆକାରରେ ଘରେ ରଖିଥାଏ ସେତକ ତା ପାଖରେ କଳାଟଙ୍କା ହୋଇ ରହିଲା। ଦେଶରେ ସଂପୂର୍ଣ୍ଣ କଳାଧନର ମାତ୍ରା ବାର୍ଷିକ କଳା ଆମଦାନୀର ପ୍ରାୟ ତିନି ଗୁଣା ହେବ। ତେଣୁ ଭାରତ ଭିତରେ କଳାଧନର ମାତ୍ରା ହେବ ପାଖାପାଖି 300 ଲକ୍ଷ କୋଟି ଟଙ୍କା। ଆଉ ତହିଁରୁ କଳାଧନ ମାଲିକ ନଗଦ ଆକାରରେ ରଖିଥିବେ ବେଶୀରୁ ବେଶୀରେ 1 ପ୍ରତିଶତ ବା 3 ଲକ୍ଷ କୋଟି। ସୁତରାଂ ମୋଦୀ ବିମୁଦ୍ରାକରଣ ମାଧ୍ୟମରେ ଏହି 3 ଲକ୍ଷ କୋଟି ଟଙ୍କା ପୋଛି ସଫା କରିଦେବାର ଲକ୍ଷ୍ୟ ରଖିଛନ୍ତି।   ସରକାର ହେଲେ ଚୋର ମାଉସୀ!   3) ଆପଣଙ୍କ କହିବା ହେଲା କଳାଧନ ଓ କଳାଟଙ୍କା ଅଲଗା!   ଉ. ହଁ, ମୁଁ ସେଇକଥା ହିଁ ତ କହୁଛି। କଳାଧନ ଓ କଳାଟଙ୍କା ଅଲଗା ଅଲଗା ଜିନିଷ। କିନ୍ତୁ ଲୋକେ ଦୁଇଟି ଯାକ ଜିନିଷକୁ ଏକା ଭାବିବାର ଭୁଲ କରିଥାନ୍ତି। ମୁଁ ଆପଣଙ୍କ ପୂର୍ବ ପ୍ରଶ୍ନର ଉତ୍ତରେ ଦେବା ସମୟରେ ବୁଝେଇଛି ଯେ ଭାରତୀୟ ଅର୍ଥ ବ୍ୟବସ୍ଥାରେ କଳାଟଙ୍କାର ମାତ୍ରା ସମୁଦାୟ କଳାଧନର ମାତ୍ର 1 ପ୍ରତିଶତ ଏବଂ ସମଗ୍ର କଳା ଆମଦାନୀର ମାତ୍ର 3 ପ୍ରତିଶତ। ତେଣୁ ମୋଦୀ ଯଦି ବିମୁଦ୍ରାକରଣ ଜରିଆରେ ସବୁ କଳାଟଙ୍କା ସମାପ୍ତ କରିବାରେ ସଫଳ ହୁଅନ୍ତି ତାହେଲେ ବି ପୂରା କଳାଧନର ମାତ୍ର 1 ପ୍ରତିଶତ ଆଉ ପୂରା କଳା ବା ଅସାଧୁ ଉପାୟରେ ଆମଦାନୀର ମାତ୍ର 3 ପ୍ରତିଶତ ମୁଳପୋଛ କରି ପାରିବେ।   କିନ୍ତୁ ପରବର୍ତ୍ତୀ ପ୍ରଶ୍ନଟି ହେଲା ମୋଦୀଙ୍କ ବିମୁଦ୍ରାକରଣ କ’ଣ 3 ଲକ୍ଷ କୋଟି କଳାଟଙ୍କା ସମାପ୍ତ କରିପାରିବ? ଉତ୍ତରଟି ହେଲା ନା। କାରଣ କଳାଟଙ୍କା ରଖିଥିବା ବହୁ ମନ୍ଦବୁଦ୍ଧି ଲୋକ ବିଭିନ୍ନ ଉପାୟରେ ନିଜ କଳାଟଙ୍କାକୁ ଧଳା କରି ସାରିଲେଣି ତଥା ଏବେ ବି କରୁଛନ୍ତି। ଆଉ ମୋଦି ସରକାର ସେମାନଙ୍କୁ ଠାବ କରି ଏ ପ୍ରକ୍ରିୟାରୁ ରୋକିବାକୁ ନିରସ୍ତ ହୋଇଛନ୍ତି।   ଖବର ଆସୁଛି ଯେ ନଭେମ୍ବର 8 ତାରିଖ - ଅର୍ଥାତ ଯୋଉଦିନ ମୋଦି ବିମୁଦ୍ରାକରଣ ଘୋଷଣା କଲେ, ସେଦିନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୁନାଗହଣା ଦୋକାନ ଖୋଲାଥିଲା। ଅନେକ କଳାଟଙ୍କା ମାଲିକ ସୁନା ଗହଣା କିଣିଥିଲେ ଆଉ ତାର ବିଲ୍‌ ସବୁ ପଛ ତାରିଖରେ ଇସ୍ୟୁ ହୋଇଥିଲା। ଅର୍ଥାତ୍, ହଜାର ହଜାର କୋଟି କଳାଟଙ୍କା ଏଇ ବାଟରେ ସଫେଦ ସମ୍ପତ୍ତିରେ ପରିବର୍ତ୍ତିତ ହୋଇଗଲା। ସେହିପରି ଅନେକ ଲୋକ ନିଜ ଚାକରମାନଙ୍କ ଖାତାରେ ପୂରା ବର୍ଷକର ଦରମା ଆଗୁଆ ଜମା କରିଦେଲେ। ସେ ପଇସା ବି ତେଣୁ ସଫେଦ ହୋଇଗଲା। ଗ୍ରାମାଞ୍ଚଳରେ ବହୁ ଗରୀବ ଲୋକଙ୍କ ନାଆଁରେ ଜନଧନ ଯୋଜନାରେ ଲକ୍ଷ ଲକ୍ଷ ବ୍ୟାଙ୍କ ଖାତା ଖୋଲା ହୋଇଥିଲା। ସେସବୁ ଏବେ ଯାକେ ନିଷ୍କ୍ରିୟ ବା ଅଚଳ ହୋଇ ପଡ଼ିଥିଲା। କିନ୍ତୁ ବହୁ କଳାଟଙ୍କା ମାଲିକ ସେବାଟେ ବି କଳାଟଙ୍କା ରାତାରାତି ଧୋଇ ସଫା କରିଦେଲେ। ଯେମିତି ଧରନ୍ତୁ, ଜଣେ ଲୋକ 100 ଜନଧନ ବ୍ୟାଙ୍କ ଖାତାଧାରୀଙ୍କ ଆକାଉଣ୍ଟରେ 20 ହଜାର ଲେଖାଏଁ କଳାଟଙ୍କା ନଗଦ ଜମା କରେଇ ଦେଲେ ଆଉ କହିଲେ ଯେ ମାସେ ପରେ ସେମାନେ ନୂଆ ନୋଟରେ 19 ହଜାର ଟଙ୍କା ଲେଖାଏଁ ଫେରେଇଦେବେ। ବାକି କଳାଟଙ୍କା ଧୋଇ ସଫେଦ କରିବାରେ ସାହାଯ୍ୟ ପାଇଁ ତାଙ୍କ ପାଉଣା ହେଲା ହଜାରେ ଲେଖାଏଁ ଟଙ୍କା। ଏ ବାଗରେ ସେ ବ୍ୟକ୍ତି ଜଣକ 20 ଲକ୍ଷ କଳାଟଙ୍କା ପୂରା ଧୋଇଦେଲେ।   ଆମକୁ ବୁଝିବାକୁ ପଡ଼ିବ ଯେ ଲକ୍ଷ୍ୟ କ’ଣ ଥିଲା। ଲକ୍ଷ୍ୟ ଥିଲା ଏ ତିନି ଲକ୍ଷ କୋଟି କଳାଟଙ୍କା ମାଲିକ ନିଜ ପଇସା ସଫେଦ କରିବେନି କି ବିମୁଦ୍ରାକରଣ ଯୋଗୁଁ ସଫେଦ କରିବାକୁ ବାଟ ପାଇବେନି। ତେଣୁ ସବୁ କଳାଟଙ୍କା ନଷ୍ଟ ହୋଇଯିବ। ତା ବଦଳରେ ରିଜର୍ଭ ବ୍ୟାଙ୍କ ସେ ରାଶିର ନୂଆ ନୋଟ ଛାପି ସରକାରଙ୍କୁ ଡିଭିଡେଣ୍ଡ ଆକାରରେ ଦେଇଦେବେ। ତେଣୁ ଶତ ପ୍ରତିଶତ କଳାଟଙ୍କା ସରକାରୀ ଖଜଣାକୁ ଆସିଯିବ। କିନ୍ତୁ ତା ଆଉ ହେବା ସମ୍ଭବ ନୁହଁ। ଏବେ ଏବେ ଖବର ଆସିଛି ଯେ ସେପ୍ଟେମ୍ବର ମାସରୁ ନଭେମ୍ବର ଭିତରେ ମୋଦିଙ୍କ ଭାଜପା ଦଳ କୋଟି କୋଟି ଟଙ୍କାର ନଗଦ ରାଶି ପୈଠ କରି ଓଡ଼ିଶା, ବିହାର ସମେତ ବହୁ ରାଜ୍ୟରେ ଜମି କିଣିଛନ୍ତି। ପୁଣି ପଶ୍ଚିମ ବଙ୍ଗରେ ଭାଜପା ବିମୁଦ୍ରାକରଣ ଘୋଷଣାର କିଛି ଦିନ ଆଗରୁ ହିଁ କୋଟି କୋଟି ଟାଙ୍କା ଦଳ ଖାତାରେ ଜମା କରିଛି। ସେବାଟେ ମୋଦିଙ୍କ ନିଜ ଦଳ ବି ପ୍ରଚୁର କଳାଟଙ୍କା ବଦଳରେ ସଫେଦ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରି ପାରିଛି।   ତେଣୁ ମୋ ବିବେଚନାରେ ମୋଦି ସରକାରଙ୍କ ବିମୁଦ୍ରାକରଣ ଯୋଗୁଁ ବେଶୀରୁ ବେଶୀରେ ମାତ୍ର 50 ରୁ 70 ହଜାର କୋଟି କଳାଟଙ୍କା ହିଁ ଲୋପ ପାଇପାରିବ। ତାଠୁଁ ଅଧିକ ନୁହଁ। ଅର୍ଥାତ, ମୋଦି ଯେଉଁ ଲକ୍ଷ୍ୟ ପାଇଁ ଏତେ ବ ବିମୁଦ୍ରାକରଣ ନୀତି ଆକସ୍ମିକ ଲାଗୁ କଲେ ତାହା ହାସଲ କରିବାରେ ସେ ବିଫଳ ହେବା ନିଶ୍ଚିତ।    ଆଉ କଳାଟଙ୍କା ନଷ୍ଟ କରିବାରେ ଯଦି ସେ ସଫଳ ହୁଅନ୍ତି ତେବେ ଏହା ମାତ୍ର ଏକକାଳୀନ ସଫଳତା ହେବ। ବିମୁଦ୍ରାକରଣ ତ ଆଉ ଦେଶରେ ନକଲି ଔଷଧ, ଡ୍ରଗ୍ସ କାରବାର, ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମେଡିକାଲ, ଇଞ୍ଜିନିୟରିଂ ଆଦି ସିଟ ବିକି ନେଉଥିବା କଳାଟଙ୍କା କିମ୍ବା ଅସାଧୁ ବେପାରୀ ଯେଉଁମାନେ କମ ଦାମର ରସିଦ କାଟି ଟାକ୍ସ ଫାଙ୍କୁଛନ୍ତି ତାକୁ ରୋକି ପାରିବନି! ତେଣୁ ଛ ମାସ କି ବର୍ଷେ ପରେ ପୁଣି କଳାଟଙ୍କା ସୃଷ୍ଟି ଅର୍ଥ ବ୍ୟବସ୍ଥାରେ ପୂର୍ବ ପରି ବଳବତ୍ତର ରହିବ।   ସରକାର ହଜାରେ ଆଉ ପାଞ୍ଚଶହ ଟଙ୍କିଆ ନୋଟ ରଦ୍ଦ କଲାବେଳେ ଯୁକ୍ତି ଦେଇଥିଲେ ଯେ କଳାଟଙ୍କା ଏମିତି ବଡ଼ ମୂଲ୍ୟର ନୋଟରେ ହିଁ ଅଧିକତଃ ସଞ୍ଚିତ ହୋଇଥାଏ। ସେଇଥି ପାଇଁ ବଡ଼ ବଡ଼ ନୋଟକୁ ବାତିଲ କରା ହେଉଛି। ତାହେଲେ ଦୁଇ ହଜାର ଟଙ୍କିଆ ନୋଟ ଛାପିବାର ତର୍କ କ’ଣ? ଏମିତିରେ ତ କଳାଟଙ୍କା ମାଲିକଙ୍କୁ ନିଜ କଳା ଆମଦାନୀ ନଗଦ ସଞ୍ଚିବାରେ ବେଶୀ ସୁବିଧା ହେବ। ମୋଦିଙ୍କ ପାଖରେ ୟାର ଉତ୍ତର ନାହିଁ।   ଏହା ବ୍ୟତୀତ, ମୋଦିଙ୍କ ବିମୁଦ୍ରାକରଣର ଜୟଗାନ କରୁଥିବା କତିପୟ ବୁଦ୍ଧିଜୀବୀଙ୍କୁ ଆମ ଅର୍ଥନୀତିର ଆଉ ଗୋଟିଏ ଆବେଗ ବୁଝିବାକୁ ପଡ଼ିବ। ଆମେ ସମସ୍ତେ ଜାଣୁ ଯେ ବ୍ୟାଙ୍କ ଇକନମି ବାହାରେ ଆମ ଅର୍ଥ ବ୍ୟବସ୍ଥାରେ ଏକ ବହୁବ ନଗଦ ଟଙ୍କାର ଅନୌପଚାରିକ ଇକନମି ସମାନ୍ତରାଳ ଭାବେ ମହଜୁଦ ରହି ଆସିଛି। ମୁଁ କହୁନାହିଁ ଏ ନଗଦ ଟଙ୍କା ମାଧ୍ୟମରେ ଚାଲୁଥିବା ଇକନମିର ସବୁ ଯାକ ମୁଦ୍ରା ବିନିମୟ ଆଇନ ଅସମ୍ମତ। ଏଇ ଯେପରି ଧରନ୍ତୁ ଆପଣ ଯଦି ଜଣେ ବେତନଭୋଗୀ କର୍ମଚାରୀୟ ମାସ ଶେଷରେ ଦରମା ଟଙ୍କା ବ୍ୟାଙ୍କରୁ କାଢି, ତହିଁରୁ କିଛି ପଇସାରେ ଘରେ ସିମେଣ୍ଟ କି ପାଣିପାଇପ୍ କାମ କରେଇଲେ, ମଜୁରି ଦେଲେ ନଗଦ। ସେ ଲୋକଟିର ବାର୍ଷିକ ଆୟ ଧରନ୍ତୁ ଅଢେଇ ଲକ୍ଷ ଟଙ୍କାରୁ କମ। ତେଣୁ ସେ ଇନକମ୍ ଟାକ୍ସ ଦେବା ତାଲିକାରେ ନାହିଁ। ତାହେଲେ ଏ ନଗଦ ନେଣ ଦେଣ ସଂପୂର୍ଣ୍ଣ ବୈଧ ଆଉ ସଫେଦ। ଆମ ଅର୍ଥନୀତିର ଏକ ନିରାଟ ବାସ୍ତବିକତା ହେଲା ଯେ ଫର୍ମାଲ ଆଉ କ୍ୟାସ ଇକନମି ବା ନଗଦ ଅର୍ଥନୀତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଖାଉଟି ଚାହିଦା, ରୋଜଗାର, ଗ୍ରାମଞ୍ଚଳର ହାତ ଉଧାରି- ଏସବୁ ନଗଦରେ ଚାଲିଲେ ବି ଆମ ଅର୍ଥନୀତିର ବିକାଶରେ ୟାର ଅବଦାନ ବହୁତ। ଏ ବାସ୍ତବିକତାକୁ ଆଖିଠାର ମାରି ଗ୍ରହଣ ନକରିବା ବି ମୂର୍ଖାମି।   ୩ ଲକ୍ଷ କୋଟି ପାଇଁ ୯ ଲକ୍ଷ କୋଟି କ୍ଷତି!   4) ବିମୁଦ୍ରାକରଣକୁ ମାଷ୍ଟରଷ୍ଟ୍ରୋକ କହି ବହୁ ଲୋକ ରବିନ ହୁଡ଼ଙ୍କ ସହିତ ତୁଳନା କରୁଛନ୍ତି। ତାଙ୍କର ଯୁକ୍ତି ହେଲା ମୋଦି ବଡ଼ ବଡ଼ କଳାଧନ ମାଲିକଙ୍କୁ ସବକ ଶିଖେଇ କଳାଧନ ବିଲୋପରୁ ଯେଉଁ ଆର୍ଥିକ ଲାଭ ଆସିବ ତାକୁ ଗରୀବଙ୍କ ଭିତରେ ବାଣ୍ଟିବେ। ତେଣୁ ବିମୁଦ୍ରାକରଣ ନୀତିକୁ ବିରୋଧ କରୁଥିବା ଲୋକେ ପରୋକ୍ଷରେ ଗରୀବ-ବିରୋଧୀ। ୟା ଉପରେ ଆପଣ କ’ଣ କହିବେ?   ଉ. ମୁଁ ଆପଣଙ୍କ ପୂର୍ବ ପ୍ରଶ୍ନର ଉତ୍ତରରେ ସେହି ବିନ୍ଦୁକୁ ହିଁ ଆସୁଥିଲି। ଆମ ଅର୍ଥନୀତିର 85 ପ୍ରତିଶତ କ୍ୟାସ ବା ନଗଦ ଟଙ୍କାରେ ଚାଲେ। ମୋଦି ଏବେ କହୁଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ କ୍ୟାସଲେସ ଇକନମି ହୋଇଯିବ ଭାରତ। ଏହା କଦାପି ସମ୍ଭବ ନୁହଁ। ତାଛା ମୁଁ ଆଗରୁ ମଧ୍ୟ କହିଛି ଯେ ଆମ ଅର୍ଥ ବ୍ୟବସ୍ଥାରେ କଳା ଏବଂ ସଫେଦ ଅର୍ଥ ବ୍ୟବସ୍ଥା - ଦୁଇଟି ଯାକ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତେଣୁ କଳାଧନକୁ ନଷ୍ଟ କରିବା ସହିତ ଧଳା ଅର୍ଥ ବ୍ୟବସ୍ଥାର ବହୁଗୁଣା କ୍ଷତି ଜାଣତ ଅଜାଣତରେ ସରକାର କରି ସାରିଲେଣି।   ଏବେ ରବି ଶସ୍ୟ ବୁଣା ଋତୁ ଚାଲିଛି। ଚାଷୀମାନେ ପାଖରେ ଟଙ୍କା ଥିଲେ ବି ବିହନ, ସାର କିଣି ପାରୁ ନାହାନ୍ତି। ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସରକାରୀ ବିହନ ବିକ୍ରୟ କେନ୍ଦ୍ରରେ ପୁରୁଣା ନୋଟ ଚାଲିବ। କେତେ ଜଣ ଚାଷୀ ସରକାରୀ ବିହନ ବିକ୍ରୟ କେନ୍ଦ୍ରକୁ ଯିବେ? କେତେ ସରକାରୀ ବିହନ ବିକ୍ରୟ କେନ୍ଦ୍ର ଅଛି? ସେଠି ସବୁଠୁ ଉତ୍ତମ ମାନର ବିହନ ମିଳେ - ଏ କଥାର ଗ୍ୟାରେଣ୍ଟି ଦେବ କିଏ? ଯଦି ବିହନ ମିଳିଲା ବି ତ ସାର କେଉଁଠୁ ଆଉ କିପରି କିଣିବେ ଚାଷୀ? ଏ ବିଷୟରେ ସରକାର ଭାବି ନାହାନ୍ତି। ପୁଣି ଯଦି ବୁଣା ଆରମ୍ଭ ହେଲା, ବୁଣିବ କ

Share :