କୃଷି ବର୍ଜ୍ୟରୁ ପ୍ରସ୍ତୁତ ହେବ ଇଥାନଲ

କୃଷି ବର୍ଜ୍ୟରୁ ପ୍ରସ୍ତୁତ ହେବ ଇଥାନଲ

Share :

ସିଙ୍ଗାପୁରର ଜୁରଙ୍ଗ ଦ୍ୱୀପ ଢ଼ାଂଚାରେ ଓଡ଼ିଶାରେ ଉଦ୍ୟୋଗ ପୁଞ୍ଜ ତଥା ପେଟ୍ରୋରସାୟନ ପୁଞ୍ଜି ନିବେଶ ଜୋନ‌୍‍ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଭୁବନେଶ୍ୱରଠାରେ ମେକ‌୍‍ ଇନ‌୍‍ ଓଡିଶା କନକ୍ଲେଭର ଅନ୍ତିମ ଅଧିବେଶନରେ ଉଦ‌୍‍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେ ତାଙ୍କର ସିଙ୍ଗାପୁର ଗସ୍ତ କାଳରେ ଜୁରଙ୍ଗ ଦ୍ୱୀପର ଉଦ୍ୟୋଗ ପୁଞ୍ଜ ପ୍ରତିଷ୍ଠା ଢ଼ାଂଚା ବିଷୟରେ ଆଲୋଚନା କରିଛନ୍ତି। ଅନୁରୂପ ଭାବେ ଓଡ଼ିଶା ସରକାର ପ୍ରସ୍ତାବ ରଖିଲେ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ପାଇବ। ସେ କହିଥିଲେ ଯେ, ଏକ ଖଣିଜ ସମୃଦ୍ଧ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ଅନେକ ଖଣିଜ ସମୃଦ୍ଧ ଦେଶ ତୁଳନାରେ ଅଧିକ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ଅଗ୍ରଣୀ ରହିଛି। ତଥାପି ଆହୁରି ଅନେକ କିଛି କରିବାକୁ ବାକି ରହିଛି।   ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଏବେ ପ୍ରାୟ ୧ କୋଟି ୨୫ ଲକ୍ଷ ଯୁବଶକ୍ତି ରହିଛନ୍ତି। ସେମାନଙ୍କୁ କିଭଳି ଦକ୍ଷ ଓ ସାମର୍ଥ୍ୟବାନ କରାଯିବ ଏବଂ ରୋଜଗାରକ୍ଷମ କରାଯାଇପାରିବ ତାହା ଆମ ସମସ୍ତଙ୍କ ପାଇଁ ବଡ ଚାଲେଞ୍ଜ। ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ମେକ‌୍‍ ଇନ‌୍‍ ଓଡିଶା କନକ୍ଲେଭ ଜରିଆରେ ଅଧିକ ପୁଞ୍ଜି ନିବେଶ ହେବ ଏବଂ ଏହା ମାଧ୍ୟମରେ ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ବୃଦ୍ଧି ପାଇବ। ଏଥିରୁ ଓଡ଼ିଶାର ଦକ୍ଷ ଯୁବଶକ୍ତି ସୁବିଧାସୁଯୋଗ ପାଇବେ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକାଶ କରିଥିଲେ। ଓଡ଼ିଶାରେ ତାଙ୍କ ମନ୍ତ୍ରଣାଳୟର ବିଭିନ୍ନ କଲ୍ୟାଣମୂଳକ ପୁଞ୍ଜି ନିବେଶ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ରାଜ୍ୟର ୧୨ଟି ଜିଲ୍ଲାକୁ ପାଇପ ଯୋଗେ ଗ୍ୟାସ ଯୋଗାଣର ଯୋଜନା କରାଯାଇଛି। ପ୍ରାୟ ୭୬୨ କିଲୋମିଟର ଦୀର୍ଘର ଏହି ଗ୍ୟାସ ପାଇପ ଲାଇନ ନିର୍ମାଣରେ ୪୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ସମ୍ପୂର୍ଣ୍ଣ ହେଲେ ରାଜ୍ୟର ୧୨ଟି ଜିଲ୍ଲାର ଲୋକେ ସୁବିଧାରେ ପାଇପ ଯୋଗେ ଗ୍ୟାସ ପାଇପାରିବେ।   ଶ୍ରୀ ପ୍ରଧାନ କହିଥିଲେ ଯେ, ତାଙ୍କ ମନ୍ତ୍ରଣାଳୟ ଏବେ ଜୈବ-ବର୍ଜ୍ୟରୁ ଶକ୍ତି ଉତ୍ପାଦନ ଲାଗି ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଏକ ଆକଳନ ଅନୁଯାୟୀ ଓଡ଼ିଶାରୁ ଅନେକ ଜୈବ୍ୟ-ବର୍ଜ୍ୟ ବିଶେଷକରି କୃଷି ବର୍ଜ୍ୟ ବାହାରୁଛି। ଏଣୁ ବରଗଡ ଜିଲ୍ଲାରେ ପାଇଲଟ ଭିତିରେ ୯୦୦ କୋଟି ଟଙ୍କା ଖର୍ଚ୍ଚରେ ଏକ ଟୁ-ଜି ଇଥାନଲ ପ୍ଲାଂଟ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।   ଶ୍ରୀ ପ୍ରଧାନ କହିଥିଲେ ଯେ, କେନ୍ଦ୍ର ସରକାର ପୂର୍ବ-ଭାରତର ବିକାଶ ଦ୍ୱାର ରୂପେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ରେଳବାଇ ପକ୍ଷରୁ ଗତ ଅଢ଼େଇ ବର୍ଷ ମଧ୍ୟରେ ୬୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ସାଗରମାଳା ଯୋଜନା ଅଧୀନରେ ୪୫୦୦ କୋଟି ଟଙ୍କା ଖର୍ଚ୍ଚରେ ଏକ ବେଳାଭୂମି ରାଜମାର୍ଗ ନେଟୱାର୍କ ପ୍ରତିଷ୍ଠା ଲାଗି ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଛି। ଜାତୀୟ ରାଜପଥ ବିକାଶ ପ୍ରାଧିକରଣ ଇତିମଧ୍ୟରେ ଓଡ଼ିଶାରେ ବିଭିନ୍ନ ଜାତୀୟ ରାଜପଥର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ୨୦,୦୦୦ କୋଟି ଟଙ୍କା ବିନିଯୋଗ କରିବ। ଏହିସବୁ ପୁଞ୍ଜି ବିନିଯୋଗ ଦ୍ୱାରା କେନ୍ଦ୍ର ସରକାର ଓଡିଶାକୁ ଉନ୍ନତିର ନୂତନ ଶୀର୍ଷକୁ ନେବାଲାଗି ପ୍ରତିବଦ୍ଧ ହୋଇଛନ୍ତି। ପ୍ରାଚୀନ ଓଡ଼ିଶାର ସମୃଦ୍ଧି ଓ ନୈ-ବାଣିଜ୍ୟ ପରମ୍ପରା ଭଳି ଏବେ ଓଡ଼ିଶାର ହୃତଗୌରବ ଫେରାଇଆଣିବାର ବେଳ ଆସିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

Share :