କାହା ପାଇଁ ପାରାଦୀପ ଅପରାଧ ଗଡ଼?

କାହା ପାଇଁ ପାରାଦୀପ ଅପରାଧ ଗଡ଼?

Share :

  ପୁଲିସ ଓ ରାଜନେତାଙ୍କ ପରୋକ୍ଷ ପ୍ରୋତ୍ସାହନରେ ବନ୍ଦର ନଗରୀ ପାରାଦୀପରେ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ବଢ଼ି ଚାଲିଛି ହତ୍ୟାକାଣ୍ଡ। ପାରାଦୀପ ବନ୍ଦରର ସଂପ୍ରସାରଣ ସହିତ ଶିଳ୍ପାୟନ ବୃଦ୍ଧି ପାଉଥିବାବେଳେ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। କିଛି ମାଫିଆଙ୍କଆ ସହିତ ରାଜନେତା ଓ କିଛି ମାଫିଆଙ୍କ ସହିତ ପୁଲିସ ସଂପର୍କ ସୁଦୃଢ଼ ଥିବାରୁ ବନ୍ଦର ନଗରୀରେ ମାଫିଆ ଯୁଦ୍ଧ ବଢ଼ି ଚାଲିଛି। ଅକ୍ଟୋବର ୨୬ ତାରିଖ ଗୁଳିକାଣ୍ଡରେ ଜଣେ କମ୍ପାନୀ ମ୍ୟାନେଜରଙ୍କ ମୃତ୍ୟୁ ଏହାର ସଦ୍ୟତମ ଉଦାହରଣ।   ବୁଧବାର ଅକ୍ଟୋବର ୨୬ ତାରିଖରେ ଗୁଳିକାଣ୍ଡ ଘଟି ଜନୈକ କମ୍ପାନୀ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ବନ୍ଦର ନଗରୀ ପାରାଦୀପରେ ଆତଙ୍କ ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ, ସବୁଦିନ ଭଳି ସିେୱଜ କମ୍ପାନୀର ମ୍ୟାନେଜର ମହେନ୍ଦ୍ର କୁମାର ସ୍ୱାଇଁ ସକାଳ ୯.୩୦ ଘଣ୍ଟାରେ ମଧୁବବନ ସ୍ଥିତ ନିଜ ବାସଭବନରୁ ନିଜର ସ୍କର୍ପିଓ ଗାଡିରେ କମ୍ପାନୀ କାର୍ଯ୍ୟରେ ବନ୍ଦର ନିଷିଦ୍ଧାଞ୍ଚଳ ଯାଉଥିବାବେଳେ ମଧୁବନ ସ୍ଥିତ ଆମ୍ୱେଦକର ଛକରେ ଦୁଇଜଣ ଅଜଣା ଦୁର୍ବୃତ୍ତ ମଟର ସାଇକେଲରେ ଆସି ଗାଡି ଉପରକୁ ବୋମା ଫିଙ୍ଗିଥିଲେ। ଗାଡି ଭିତରେ ବସିଥିବା ଶ୍ରୀ ସ୍ୱାଇଁ ଜୀବନ ବଞ୍ଚାଇବା ପାଇଁ ଗାଡିରୁ ବାହାରି ନିକଟ କ୍ୱାର୍ଟରକୁ ଦୌଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଫଳରେ ଘଟଣା ସ୍ଥଳରେ ଶ୍ରୀ ସ୍ୱାଇଁ ଟଳିପଡିଥିଲେ।   ଏହି ଘଟଣା ଜଣା ପଡିବା ପରେ ସିେୱଜ କମ୍ପାନୀର କିଛି କର୍ମଚାରୀ ଗୁରୁତର ଅବସ୍ଥାରେ ଶ୍ରୀ ସ୍ୱାଇଁଙ୍କୁ ପ୍ରଥମେ ବନ୍ଦର ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ ତୁରନ୍ତ ଘଟଣା ସ୍ଥଳରେ ପହଁଚି ତଦନ୍ତ ତଦାରଖ କରୁଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟକରି ୩ ପ୍ଳାଟୁନ‌୍‍ ପୋଲିସ ମୁତୟନ କରାଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ‌୍‍ ଟିମ ପହଁଚି ତଦନ୍ତ କରିଦେଇଛନ୍ତି।   ଏଠାରେ ଉଲ୍ଲେଖଯୋଗ୍ୟ ଯେ ଷ୍ଟିଭେଡୋରିଂକୁ କେନ୍ଦ୍ର କରି ଗତ କେଇ ମାସ ଧରି ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ଼ ଓ ଏହାର କେତେକ ସମର୍ଥକ ଡମ୍ଫର ମାଲିକଙ୍କ ସହିତ ସି ୱେଜ କମ୍ପାନୀର ବିବାଦ ଲାଗି ରହିଛି। ବନ୍ଦର କର୍ତ୍ତୃପକ୍ଷ ସି ୱେଜ କମ୍ପାନୀକୁ ଷ୍ଟିଭେଡୋରିଂ ଅନୁମତି ଦେବାରୁ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ଼ ଦୀର୍ଘ ବର୍ଷ ଧରି ଚଳାଇ ଆସିଥିବା ଏକଚାଟିଆ କାରବାରରେ ଏକରକମ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ହିଁ ଏଭଳି ହିଂସାର କାରଣ ବୋଲି ସାଧାରଣରେ ଚର୍ଚ୍ଚା କରାଯାଉଛି।   ରାଜ୍ୟର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଝିରେ ଦୁଇ ଥରରେ ୧୦ ବର୍ଷକୁ ଛାଡ଼ି ୧୯୭୭ ମସିହାରୁ ପାରାଦୀପର ନେତୃତ୍ବ ନେଉଛନ୍ତି। ପାରାଦୀପର ଶାନ୍ତି ଓ ସୁରକ୍ଷା ପାଇଁ ବିଜୁବାବାକୁ ତାଙ୍କୁ ଦାୟିତ୍ବ ଦେଇଥିଲେ ବୋଲି ସବୁବେଳେ ପ୍ରଚାର କରୁଥିବା ଡାକ୍ତର ରାଉତ ଏହି ଦାୟିତ୍ବ ନିର୍ବାହ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ପାରାଦୀପର ଆଇନଶୃଙ୍ଖଳା ପରିସ୍ଥିତିରୁ ସ୍ପଷ୍ଟ ହୋଇଯାଇଛି। ଏହା ସେ ନିଜେ ମଧ୍ୟ ପରୋକ୍ଷରେ ସ୍ବୀକାର କରିଛନ୍ତି। ଏହି ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ପ୍ରକାଶ କରି ଡାକ୍ତର ରାଉତ କହିଛନ୍ତି ଯେ ପାରାଦୀପ ଅପରାଧୀଙ୍କ ଚରାଭୂଇଁର ପରିଣତ ହୋଇଗଲାଣି। ଡାକ୍ତର ରାଉତ ନିଜେ ଲଗାତାର ୧୭ ବର୍ଷ ଧରି ପାରାଦୀପ ଜନପ୍ରତିନିଧି ଥିଲାବେଳେ ରାଜ୍ୟରେ ମଧ୍ୟ ତାଙ୍କ ଦଳର ସରକାର ବାହେଲ ରହିଛି। ତେବେ ପାରାଦୀପକୁ ଅପରାଧୀଙ୍କ ଗଡ଼ରେ ପରିଣତ କରିବାର ଦୋଷ କାହା ମୁଣ୍ଡରେ ଯାଏ?   ଜଗତସିଂହପୁର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ପାରାଦୀପର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଡାକ୍ତର ରାଉତଙ୍କୁ ଦାୟୀ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଦାମବାବୁ ଅପରାଧୀଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାରେ ସହାୟତା ଦେଉଛନ୍ତି। ତେଣୁ ସେଠାରେ ଅପରାଧ ବୃଦ୍ଧି ପାଇଛି। ଦାମବାବୁ କିନ୍ତୁ ଏଥିପାଇଁ କଂଗ୍ରେସ ନେତା ବାପି ସାର୍ଖେଲଙ୍କୁ ଦାୟୀ କରନ୍ତି। ସେ ପାରାଦୀପରେ ଗୁଣ୍ଡାରାଜ ଚଳାଇଛନ୍ତି ବୋଲି ଦାମବାବୁ କହନ୍ତି। ଦାମଙ୍କ ଅନ୍ୟ ବିରୋଧୀମାନେ ଅଭିଯୋଗ କରନ୍ତି ଯେ ପାରାଦୀପରେ ବାପି ସାର୍ଖେଲଙ୍କ ପ୍ରବେଶ ଓ ଅପରାଧର ଗଡ଼ ନିର୍ମାଣ ପଛରେ ଡାକ୍ତର ରାଉତଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଛି। ସେ ହିଁ ତାଙ୍କୁ ପାରାଦୀପର ବିଭିନ୍ନ କମ୍ପାନୀ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସହିତ ପରିଚିତ କରାଇଥିଲେ।

Share :