ସରକାରଙ୍କ ଯୋଗୁଁ ବ୍ୟାପିବ ଏଡ଼୍‌ସ!

ସରକାରଙ୍କ ଯୋଗୁଁ ବ୍ୟାପିବ ଏଡ଼୍‌ସ!

Share :

ସରକାରୀ ରକ୍ତଭଣ୍ଡାରରୁ ରକ୍ତ ନେଇ ବଡ଼ମ୍ୱାର ଏକ ତିନିବର୍ଷର ଶିଶୁ ଭୟାନକ ଏଡ‌୍‍ସ ରୋଗରେ ପଡ଼ିବାରୁ ତହିଁର ବିଚାର କରି ଓଡ଼ିଶା ହାଇକୋର୍ଟ ୨୦୧୧ ମସିହାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, ସମସ୍ତ ରକ୍ତ ଭଣ୍ଡାରରେ ନାଟ୍‌ ପଦ୍ଧତିରେ ରକ୍ତ ପରୀକ୍ଷା କରି ଶୁଦ୍ଧ ରକ୍ତ ପ୍ରଦାନ ପାଇଁ ପଦକ୍ଷେପ ତୁରନ୍ତ ନିଆଯାଉ; କାରଣ ଏହି ପଦ୍ଧତି ହିଁ ଏଚ‌୍‍.ଆଇ.ଭି ପରି ମାରାତ୍ମକ ଭୂତାଣୁ ଠାବ କରିବାକୁ ସକ୍ଷମ। ବହୁ ଟାଳଟୁଳ କରି ଚଳିତ ବର୍ଷ ଜୁନ‌୍‍ ମାସରୁ ରାଜ୍ୟର ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ରାଜଧାନୀ ଡାକ୍ତରଖାନା ସହ ସଂପୃକ୍ତ ରକ୍ତ ଭଣ୍ଡାର ଗୁଡ଼ିକରେ ଏହି ପଦ୍ଧତି କାର୍ଯ୍ୟକାରୀ ହେଉଛି ଓ ଏହା ଦ୍ୱାରା ଏହି ଅଳ୍ପ ସମୟ ଭିତରେ ୧୨୦ରୁ ଅଧିକ ରକ୍ତ ନମୂନା ଭୂତାଣୁ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅନ୍ୟାର୍ଥରେ ଅନ୍ୟୁନ ୧୨୦ ଜଣ ବ୍ୟକ୍ତି ଏହି ମାରାତ୍ମକ ବ୍ୟାଧି କବଳରୁ ରକ୍ଷା ପାଇ ପାରିଛନ୍ତି।   ନିୟମିତ ରକ୍ତ ନେଉଥିବା ଥାଲାସେମିଆ ରୋଗୀମାନଙ୍କୁ ଏହା ସୁସ୍ଥ ଜୀବନର ନୂଆ ଆଶା ପ୍ରଦାନ କରୁଥିବା ବେଳେ ଉଚ୍ଚ ଅଦାଲତ ପୁନଶ୍ଚ ଏପରି ଏକ ଆଦେଶ ଦେଇଛନ୍ତି ଯଦ୍ୱାରା ଚଳିତ ମାସ ୩୧ ତାରିଖଠାରୁ ଏହି ବ୍ୟବସ୍ଥା ବନ୍ଦ ହୋଇଯିବ ଓ ନିରାପଦ ରକ୍ତ ମିଳିବା ଅସମ୍ଭବ ହୋଇଯିବ।   ଯାହା ଜଣାପଡ଼ିଛି, ଏହି ପଦ୍ଦତିର ଉତ୍ପାଦକ ରସ୍‌ ନାମକ ଏକ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସଂସ୍ଥା ଟେଣ୍ଡର ମାଧ୍ୟମରେ ଉପରୋକ୍ତ ଚାରିଗୋଟି ରକ୍ତଭଣ୍ଡାରରେ ଗତ ଜୁନ‌୍‍ ମାସରେ ନିଜର ମେସିନ‌୍‍ ଲଗାଇ ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ହେମୋଜେନୋମିକ‌୍‍ ନାମକ ଆଉ ଏକ ସଂସ୍ଥା ଉଚ୍ଚ ଅଦାଲତରେ ଏକ ମକଦ୍ଦମା କରି ପ୍ରଥମ ସଂସ୍ଥାକୁ ଦିଆଯାଇଥିବା ଆଦେଶର ବୈଧତାକୁ ପ୍ରଶ୍ନ କରିଥିଲା। ମାନ୍ୟବର ହାଇକୋର୍ଟ ତହିଁର ବିଚାର କରି ଉଭୟ ସଂସ୍ଥାର ପଦ୍ଦତିକୁ ପୁନଃ ମୂଲ୍ୟାୟନ ପାଇଁ ଆଦେଶ ଦେଇଛନ୍ତି। ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ମୂଲ୍ୟାୟନ ପାଇଁ ଆଦେଶ ଦିଆହୋଇଥିବା ହେତୁ ସେହିଦିନ ପର୍ଯ୍ୟନ୍ତ ସଂପ୍ରତି କାମ କରୁଥିବା ରସ‌୍‍ କମ୍ପାନୀର ପଦ୍ଧତି କ୍ରିୟାଶୀଳ ରହିବ ବୋଲି କହିଛନ୍ତି।   କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ମାନ୍ୟବର ହାଇକୋର୍ଟଙ୍କ ଆଦେଶ ଉପରେ ଶୋଇ ରହିଛି। ଫଳରେ ଏ ମାସ ୩୧ ତାରିଖ ପରେ ନାଟ୍‌ ବ୍ୟବସ୍ଥା ଆଉ କାମ କରିବ ନାହିଁ।   ଏତଦ‌୍‍ଦ୍ୱାରା ପ୍ରାୟ ୭ ଲକ୍ଷ ଥାଲାସେମିଆ ରୋଗୀ ଏଡ୍‌ସ ବିପଦଗ୍ରସ୍ତ ହେବାର ଆଶାଙ୍କା ହେତୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଥାଲାସେମିଆ ଅଭିଭାବକ ସଂଘ ସରକାରଙ୍କୁ ନିବେଦନ କରିଛି।

Share :