ଇ-ଅଳିଆ ନା ଇ-ଆତଙ୍କ?

ଇ-ଅଳିଆ ନା ଇ-ଆତଙ୍କ?

Share :

  ଏଯାଏଁ ଇ-ଆବର୍ଜନା ପରିଚାଳନା ନୀତି ନାହିଁ ଓଡ଼ିଶାରେ। ସରକାର ବିକାଶ ଓ ପ୍ରଗତି ପାଇଁ ନୀତି କରୁଛନ୍ତି। ସବୁ ନହେଲେ ବି ମୁଷ୍ଟିମେ ଲୋକେ ବିକାଶ ଓ ପ୍ରଗତିର ଫଳର ମଜା ନେଉଛନ୍ତି। କିନ୍ତୁ ବିକାଶ ଓ ପ୍ରଗତିର ଫଳସବୁ ପଚିସଢ଼ି ଆଉ କାହାର କିଛି କ୍ଷତି କରୁଛି କି ନାହିଁ ତାହା ଦେଖୁ ନାହାନ୍ତି ସରକାର। ଏ ଫଳର ଚୋପା ଓ ଅଇଁଠା ବି ସାଧାରଣ ଜନତା ଓ ପରିବେଶର କି କ୍ଷତି କରୁଛି ତାହା ଜାଣିବା ପାଇଁ ବିଜ୍ଞାନ ସମ୍ମତ ଅନୁଧ୍ୟାନ ପାଇଁ ଉଦ୍ୟମ ମଧ୍ୟ ହେଉ ନାହିଁ। ଓଡ଼ିଶା ଅଗ୍ରଗତି କରି ଚାଲିଛି। ଓଡ଼ିଆଙ୍କ ଦୁର୍ଦ୍ଦଶା ବି ବଢ଼ି ଚାଲିଛି।   ଓଡ଼ିଶାର ପ୍ରଗତି ସଙ୍ଗେସଙ୍ଗେ ଟିଭି, ଫ୍ରିଜ, କଂପ୍ୟୁଟର, ଭିଡ଼ିଓ କ୍ୟାମେରା, ମୋବାଇଲ, ଲାପଟପ୍ ଆଦି ଅନେକ ଇଲେକ୍ଟ୍ରିକାଲ ଓ ଇଲେକ୍‌ଟ୍ରୋନିକ ସାମଗ୍ରୀର ବ୍ୟବହାର ବଢ଼ି ଚାଲିଛି। ଆଜିକାଲି ସହରର ପ୍ରାୟ ୯୦ ପ୍ରତିଶତ ଘରେ ଟିଭି। ଗାଁ ଗହଳରେ ମଧ୍ୟ ଅର୍ଦ୍ଧାଧିକ ପରିବାରରେ ଟିଭି ଲାଗିଲାଣି। ସେହିପରି ସହରବାସୀ ଆଉ ଫ୍ରିଜ୍‌ ଓ ମୋବାଇଲ୍ ବିନା ଚଳିବା ସମ୍ଭବ ନୁହେଁ ବୋଲି ଧରି ନେଲେଣି। ଏମିତି କି ଗାଁଗହଳର ଟୋକାଙ୍କ ହାତରେ ବି ଅଠା ପରି ଲାଗିଗଲାଣି ମୋବାଇଲ୍‌।   ଏସବୁ ଉତ୍ପାଦନ କରୁଥିବା ଉଦ୍ୟୋଗର ବଜାର ନୀତି ଏପରି ଯେ ଉପଭୋକ୍ତାମାନେ ନିୟମିତ ବ୍ୟବଧାନରେ ପୁରୁଣା ଛାଡ଼ି ନୂଆ ଖରିଦ କରିବାକୁ ବାଧ୍ୟ ହେଉଛନ୍ତି। କଂପ୍ୟୁଟର ପ୍ରୋଗ୍ରାମ ସବୁ ପ୍ରତି ବର୍ଷ ପୁରୁଣା ବା ଅଦରକାରୀ ହେଇଯାଉଛି। ନୂଆ ନୂଆ ମଡେଲ ବଜାରକୁ ଆସୁଛି। ପେଟୁଆ କଂପ୍ୟୁଟର ମନିଟର ଯାଇଁ ଏବେ ସ୍ଲିମ୍‌ର ଯୁଗ। ପ୍ରିଣ୍ଟର ଓ କିବୋର୍ଡ଼ ମଧ୍ୟ ବଦଳି ଚାଲିଛି। ସେହିପରି ମୋବାଇଲ୍‌। କେତେ କମ୍ପାନୀ, କେତେ ଷ୍ଟାଇଲ୍‌, କେତେ ଫିଚର୍‌! ଭଳିକି ଭଳି ଫ୍ରିଜ୍, ଏୟାରକଣ୍ଡିସନର, ଟିଭି ଆଦି ବିଳାସର ଖେଳଣା। ବିଳାସକୁ ବିକାଶର ସଂଜ୍ଞା ଦେଇଥିବା ନେତା ଓ ବାବୁମାନେ କିନ୍ତୁ ଏସବୁ ଜିନିଷ ଜରିଆରେ ଘର ଓ ପରିବେଶରେ ସୃଷ୍ଟି ହେଉଥିବା ମାରାତ୍ମକ ପ୍ରଦୂଷଣ ବିଷୟରେ ଏଯାଏଁ ଗୁରୁତ୍ବର ସହିତ ଚିନ୍ତା କର ନାହାନ୍ତି କି ଚିନ୍ତା କରିଥିଲେ ବି ଏହା ରୋକିବାକୁ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି।   ଏସବୁ ସାମଗ୍ରୀରୁ ପ୍ରତି ବର୍ଷ ବହୁତ ଆବର୍ଜନା ବାହାରେ। କଂପ୍ୟୁଟର ସିପିୟୁ, ଚିପ୍ସ ଓ ପ୍ଲାଷ୍ଟିକ୍‌ ହେଉଛି ଇ-ଅଳିଆ। ଟିଭି ଓ କଂପ୍ୟୁଟରର କାଥୋଡ଼ ରେ ଟ୍ୟୁବ ହେଉଛି ଇ-ଅଳିଆ। ମୋବାଇଲ୍‌ର ସ୍କ୍ରିନ, ଚିପ୍ସ ଓ ପ୍ଲାଷ୍ଟିକ ହେଉଛି ଇ-ଅଳିଆ। ଏମିତି ସିଏଫଏଲ ବଲ୍‌ବରୁ ମଧ୍ୟ ବାହାରୁଛି ଇ-ଅଳିଆ। ଏଥିରେ କିଛି ପରିମାଣର ପାରଦ ବା ମର୍କୁରି ରହିଥାଏ। ଏହିପରି ଭାବରେ ସବୁ ଇଲେକ୍ଟ୍ରିକାଲ ଓ ଇଲେକ୍‌ଟ୍ରୋନିକ ସାମଗ୍ରୀରୁ ପ୍ରତିବର୍ଷ ପ୍ରଚୁର ପରିମାଣରେ ଇ-ଅଳିଆ ବାହାରୁଛି। ଏକ ଆକଳନ ଅନୁସାରେ ଓଡ଼ିଶାରେ ବାର୍ଷିକ ପ୍ରାୟ ୫ ହଜାର ଟନ୍‌ ଇ-ଅଳିଆ ବାହାରୁଛି। କେବଳ ରାଜଧାନୀ ଭୁବନେଶ୍ବରରୁ ବାହାରୁଛି ବାର୍ଷିକ ପ୍ରାୟ ୩ ହଜାର ଟନ୍‌ ଇ-ଅଳିଆ।   ଉନ୍ନତ ଦେଶର ବୈଜ୍ଞାନିକମାନେ ଏସବୁ ଅଳିଆର କୁପ୍ରଭାବ ସଂପର୍କରେ ଜ୍ଞାନ ଓ ଅନୁଭୂତି ହାସଲ କରିସାରିଲେଣି। ମାଟି, ପାଣି ଓ ପବନ ଉପରେ ଇ-ଅଳିଆର ପ୍ରଭାବ ଯେପରି ନକରାତ୍ମକ ମଣିଷ ଓ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ସେହିପରି ବିପଜ୍ଜନକ। ଏସବୁ ଆବର୍ଜନାର ଉପଯୁକ୍ତ ପରିଚାଳନା ପାଇଁ ଏଯାଏଁ ଓଡ଼ିଶାର କୌଣସିଠାରେ କିଛି ବି ପ୍ରକଳ୍ପ ନିର୍ମିତ ହୋଇନାହିଁ। ଏପରିକି ଏସବୁ ଆବର୍ଜନାକୁ କିପରି ବିଜ୍ଞାନ ସମ୍ମତ ଉପାୟରେ ନଷ୍ଟ କରାଯିବ ତାହା ମଧ୍ୟ ଅଧିକାଂଶ ବ୍ୟବସାୟୀ, ଉପଭୋକ୍ତା କି ସରକାର ଜାଣନ୍ତି ନାହିଁ।   ଲୋକେ ସାଧାରଣତଃ ଇ-ଅଳିଆଗୁଡ଼ିକୁ ଘର ପାଖ ଅଳିଆଗଦାରେ, ବାଡ଼ିପଟେ, ରାସ୍ତାକଡ଼ରେ ବା ପତିତ ଜମିରେ ଫୋଫାଡ଼ି ଦେଇଥାନ୍ତି। ଅନେକ ସମୟରେ ଏସବୁକୁ କେହି ଜଳାଇଦିଅନ୍ତି ବା ଅଳିଆରେ ନିଆଁଲାଗି ଏସବୁ ଜଳିଯାଏ। ଏସବୁ ଇ-ଅଳିଆକୁ ଉପଯୁକ୍ତ ପଦ୍ଧତିରେ ନଷ୍ଟ କରା ନଗଲେ ଏଥିରୁ ଆମେରିସିୟମ, ସିସା, ପାରଦ, କ୍ୟାଡ଼ମିୟମ, ବ୍ରୋମାଇନ୍‌, ବ୍ରୋମିନେଟେଡ ଡାୟୋକ୍ସିନ, ବେରିଲିୟମ, ଆର୍ସେନିକ୍‌, ହେକ୍ସାଭାଲେଣ୍ଟ କ୍ରୋମିୟମ, ସଲ୍‌ଫର୍‌, ପେରିଫ୍ଲୁରୋକ୍ଟାନୋଇକ୍‌ ଏସିଡ଼, ପଲିଭିନାଇଲ୍‌ କ୍ଲୋରାଇଡ଼୍‌ ଆଦି ମାରାତ୍ମକ ଧାତୁ, ଅମ୍ଳ ଏବଂ ରସାୟନ ବାହାରିଥାଏ। ମାଟି, ପାଣି ଓ ପବନ ଦେଇ ଏସବୁ ମଣିଷ ଶରୀରକୁ ଯାଇଥାଏ ଏବଂ କର୍କଟ ଓ ଶ୍ବାସ ରୋଗର କାରଣ ହୋଇଥାଏ। ବହୁ ପ୍ରକାର ଫୁସ୍‌ଫୁସ୍‌ ଓ ଛାତି ରୋଗ ମଧ୍ୟ ଏହି କାରଣରୁ ହୋଇଥାଏ। ଏସବୁ ଅଳିଆ ଶିଶୁମାନଙ୍କର ସ୍ମୃତିହାନୀ, ମାନସିକ ଅସନ୍ତୁଳନ, ସ୍ନାୟବିକ ଦୁର୍ବଳତା, ମାଂସପେଶୀ ଦୁର୍ବଳତା, ବ୍ୟାବହାରିକ ବିଲକ୍ଷଣ ଆଦିର କାରଣ ମଧ୍ୟ ହୋଇପାରେ। ଏହା ଛଡ଼ା ବଡ଼ମାନଙ୍କର ଯକୃତ, ବୃକ୍‌କ, ହୃତପିଣ୍ଡ, ଆଖି ଓ ଫୁସ୍‌ଫୁସ୍‌ ମଧ୍ୟ ଏସବୁ ଯୋଗୁଁ ଖରାପ ହେବାର ଆଶଙ୍କା ଥାଏ।   ଅଧିକାଂଶ ଇ-ଅଳିଆରେ ଆଲୁମିନିୟମ, ତମ୍ବା, ଜର୍ମେନିୟମ, ସୁନା, ଲୁହା, ଲିଥିୟମ, ନିକେଲ, ସିଲିକନ୍‌, ଟିଣ ଓ ଜିଙ୍କ ଆଦି ଧାତବ ଅଂଶ ରହିଥାଏ। ଏହା ମାଟି, ପାଣି ଓ ପବନକୁ ବିଷାକ୍ତ କରିବା ସହିତ ମଣିଷ ଶରୀରକୁ ପ୍ରବେଶ କରି ନାନାଦି ରୋଗବ୍ୟାଧିର କାରଣ ହୋଇଥାଏ। ସେଥିରୁ ଭଲ ହେବା ପୂର୍ବରୁ କିଏ କେତେ ଯନ୍ତ୍ରଣା ସହେ, କିଏ କେତେ ଖର୍ଚ୍ଚବାର୍ଚ୍ଚ କରେ। କେହି କେହି ବି ଚିକିତ୍ସା ପାଇଁ ସୁଯୋଗ ଓ ସମ୍ବଳ ନପାଇ ମରଣ ମୁହଁରେ ପଡ଼ିଥାନ୍ତି।   କିଏ ବୁଝୁଛି ଏତେ କଥା, ନା ସରକାର ନା ଜନ ସାଧାରଣ? ଆମର ଲୋଡ଼ା ବିକାଶ ଓ ପ୍ରଗତି, ତାହା ବିଷାକ୍ତ ହୋଇଥାଉ ପଛେ ଏବଂ ସେ ବିଷକୁ ଝାଡ଼ିବାର ମନ୍ତ୍ର ଆମକୁ ଜଣା ନଥାଉ ପଛେ!

Share :