ସ୍ବାସ୍ଥ୍ୟ ବିଭାଗର ଘୁଷୁରି ବୁଦ୍ଧି!

ସ୍ବାସ୍ଥ୍ୟ ବିଭାଗର ଘୁଷୁରି ବୁଦ୍ଧି!

Share :

ଚିନ୍ତା ବଢ଼ାଇଛି ଜାପାନୀଜ୍‌ ଏନସେଫାଲିଟିସ‍୍‌। ମାଲକାନାଗିରିରେ ଏବେ ଏହି ରୋଗ ଆତଙ୍କ ସୃଷ୍ଟି କରିଛି। ଏଥିରେ ମାସକ ମଧ୍ୟରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆକ୍ରାନ୍ତ ଚିକିତ୍ସିତ ବି ହେଉଛନ୍ତି। ସେପଟେ ଏହି ରୋଗର ବାହକ ଘୁଷୁରୀମାନଙ୍କ ଠାରେ ବି ଭୂତାଣୁ ଚିହ୍ନଟ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ବ୍ୟାପିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି। ଖୋଦ‍୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତକାଲି ମାଲକାନାଗିରି ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିବାବେଳେ ଆଜି ବିଭାଗ ପକ୍ଷରୁ ଏଥିପାଇଁ ଆକ୍ସନ ପ୍ଲାନ‍୍‌ ପ୍ରସ୍ତୁତ କରାଯାଇଛି। ଅପରପକ୍ଷରେ ମାଲକାନାଗିରିରେ ଏହି ରୋଗ ବ୍ୟାପିଥିବାବେଳେ ଏହାର ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି।   ମାଲକାନାଗିରିରେ ଜାପାନୀଜ୍‌ ଏନସେଫାଲିଟିସ‍୍‌ ରୋଗ ବ୍ୟାପିବା ଓ ଏହାର ନିୟନ୍ତ୍ରଣ ସଂକ୍ରାନ୍ତରେ ରାଜ୍ୟ ସରକାର ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସମୀକ୍ଷା ବୈଠକ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ, ଏହି ରୋଗର ନିୟନ୍ତ୍ରଣ ପାଇଁ ଜିଲ୍ଲାସ୍ତରରେ ଏକ କମିଟି ଗଠନ କରାଯିବ। ସଂକ୍ରମିତ ଘୁଷୁରୀକୁ କିଭଳି ଜନବସତି ବାହାରେ ରଖାଯିବ ସେନେଇ ମଧ୍ୟ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ରୋଗର ନିୟନ୍ତ୍ରଣ ପାଇଁ ତୃଣମୂଳସ୍ତରରୁ ପ୍ରଶାସନିକସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଅନ୍ତର୍ଭୁକ୍ତିର ଆବଶ୍ୟକତା ରହିଛି। ତେଣୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ୱର, ବ୍ଲକ୍ ଅଧ୍ୟକ୍ଷ ଓ ବ୍ଲକ୍ ପ୍ରଶାସନ ସହ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।   ଏସଂକ୍ରାନ୍ତରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଛନ୍ତିଯେ, ଏହାର କୌଣସି ଚିକିତ୍ସା ନାହିଁ। ତେଣୁ ଏହା କିଭଳି ନବ୍ୟାପିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି। ସଂକ୍ରମିତ ଘୁଷୁରୀକୁ ବାହାରେ ରଖିବା ଓ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରଯାଇଛି। କେଉଁ ଗାଁରେ ଏହି ରୋଗର ଆଶଙ୍କା ରହିଛି କିମ୍ୱା କେଉଁଠି ରୋଗର ଲକ୍ଷଣ ଦେଖାଗଲାଣି ସେଥିପାଇଁ ଗ୍ରାମରେ ସୂଚନାଦାତା ମଧ୍ୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ହସପିଟାଲ‍୍‌ରେ ଶଯ୍ୟା ବୃଦ୍ଧି ଓ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ସ୍ୱତନ୍ତ୍ର ଆମ୍ୱୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।   ଅପରପକ୍ଷରେ ଜାପାନୀଜ ଏନସେଫାଲିଟିସ‍୍‌ ରୋଗ ବ୍ୟାପିବା ଓ ଲୋକମାନେ ମୃତ୍ୟୁବରଣ କରିବା ସଂକ୍ରାନ୍ତରେ ଜାତୀୟ ମାନବାଧିକାର କମିଶନ ସ୍ୱାସ୍ଥ୍ୟ ସଚିବ ଓ ମାଲକାନାଗିରି ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିଦ୍ଦେର୍ଶ ଦିଆଯାଇଛି। ଏତଦବ୍ୟତୀତ ରୋଗ ବ୍ୟାପୁଥିବା ଅଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା, ମଶା ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବାକୁ କମିଶନ କହିଛନ୍ତି।   ଏସବୁ ଖବର ଭିତରେ ଗୋଟେ ପ୍ରଶ୍ନ କିନ୍ତୁ ଅନୁତ୍ତରିତ ରହିଯାଉଛି। ତାହା ହେଲା ରାଜ୍ୟ ସରକାରଙ୍କ ମଶାରୀ ଯୋଜନା ଗଲା କୁଆଡ଼େ? କେନ୍ଦ୍ର ସରକାରଙ୍କ ଅନୁଦାନରେ ରାଜ୍ୟ ସରକାର ଲକ୍ଷଲକ୍ଷ ମଶାରୀ ବାଣ୍ଟିଥିବା ପ୍ରଚାର କରିଛନ୍ତି। ସେସବୁ ମଶାରୀ କୁଆଡ଼େ ଗଲା ଯେ ଲୋକେ ବିନା ମଶାରୀରେ ଶୋଉଛନ୍ତି? ପୁଣି ଲୋକଙ୍କୁ ଘୁଷରୀଠାରୁ ୫ କିଲୋମିଟର ଦୂରରେ ରହିବାକୁ ସରକାର ପରାମର୍ଶ ଦେଉଛନ୍ତି। ଏହା କିଭଳି ସମ୍ଭବ? ସେମାନେ ତ ଘୁଷୁରି ପାଳୁଛନ୍ତି। ସେଇ ସେମାନଙ୍କର ଅର୍ଥନୀତି। ସେମାନ ଘୁଷୁରିକୁ ୫ କିଲୋମିଟର ଦୂରରେ ରଖିଲେ ଜଗିବ କିଏ? ଘୁଷୁରିକୁ ଅନ୍ୟ ମଣିଷ ଓ ଜନ୍ତୁଜାନୁଆର ଖାଇଗଲେ ସ୍ବାସ୍ଥ୍ୟ ବିଭାଗ କ୍ଷତିପୂରଣ ଦେବ କି?

Share :