ବ୍ଲାକମେଲିଂ ବ୍ୟବସାୟ ଓ ଗଣମାଧ୍ୟମ

ବ୍ଲାକମେଲିଂ ବ୍ୟବସାୟ ଓ ଗଣମାଧ୍ୟମ

Share :

  ଓଡ଼ିଆ ସାମ୍ବାଦିକତାର ମାନ କିଭଳି କ୍ରମଶଃ ନିମ୍ନଗାମୀ ହେଉଛି ତାହାର ଏକ ଜ୍ବଳନ୍ତ ଉଦାହରଣ ହୋଇଛି ରାଜ୍ୟର ଜଣେ ଦକ୍ଷ ତଥା ବରିଷ୍ଠ ମନ୍ତ୍ରୀ ଏବଂ ଶାସକ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଡାକ୍ତର ଦାମୋଦର ରାଉତଙ୍କ ସଂପର୍କରେ ଏକ ପ୍ରମୁଖ ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦ | ଏହି ଖବରଟି ଯୋଗୁଁ କେବଳ ସଂପୃକ୍ତ ସମ୍ବାଦପତ୍ରର ସାମ୍ବାଦିକ ନୁହନ୍ତି ଓଡ଼ିଶା ଗଣମାଧ୍ୟମ ଜଗତ ସହିତ ଜଡ଼ିତ ସମସ୍ତ ସାମ୍ବାଦିକଙ୍କର ଇଜ୍ଜତ ତଳେ ପଡ଼ିଯାଇଛି | ଏ ଭଳି ମିଛ ଖବର ପ୍ରକାଶ କରିବା ପଛରେ ସଂପୃକ୍ତ ସମ୍ବାଦପତ୍ରର କି ଉଦ୍ଦେଶ୍ୟ ରହିଛି ସେନେଇ ରାଜ୍ୟ ରାଜନୀତି ଓ ଗଣମାଧ୍ୟମ ଜଗତରେ ଚର୍ଚ୍ଚା ଜାରି ରହିଥିଲାବେଳେ ଯାହାର କଥିତ ଅଭିଯୋଗ ଭିତ୍ତିରେ ଏହି ସମ୍ବାଦ ପ୍ରକାଶ ପାଇଥିଲା ସେ ସଙ୍ଗେସଙ୍ଗେ ଏହାକୁ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କହି ସଂପୃକ୍ତ ସମ୍ପାଦପତ୍ରର ସମ୍ବାଦ ପରିବେଷଣରେ ସାଧୁତା ଓ ନିଷ୍ଠା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି | ଡାକ୍ତର ରାଉତ ବି ଏଭଳି ଖବରକୁ ଅସ୍ବୀକାର କରିବା ସହିତ ଏହାର ସତ୍ୟତା ପରୀକ୍ଷା କରିବା ପାଇଁ ତଦନ୍ତ ଆହ୍ବାନ ଦେଇଥିଲେ | ଘଟଣାଟି କେଇ ଦିନ ତଳର | ଏକାଧିକ ବାର ସଂସଦ ସଦସ୍ୟ ହୋଇଥିବା ଜଣେ ସାଂସଦଙ୍କ ସଂପାଦିତ ଏକ ଦୈନିକ ଖବରକାଗଜ ରାଜ୍ୟର ତୃତୀୟ ପ୍ରମୁଖ କାଗଜ ଭାବେ ମାନ୍ୟତା ଲାଭ କରିଛି | ୨୦୧୫ ଅଗଷ୍ଟ ୧୪ ତାରିଖ ପ୍ରାତଃ ସଂସ୍କରଣରେ ଏହି କାଗଜର ପ୍ରଥମ ପୃଷ୍ଠାର ଦକ୍ଷିଣ ପଟ ଶୀର୍ଷଦେଶରେ ‘ମନ୍ତ୍ରୀଙ୍କ ପୁରୁଣା ରୋଗ’ ଶୀର୍ଷକ ଏକ ରୁଚିହୀନ ସମ୍ବାଦ ପ୍ରକାଶ ପାଇଥିଲା | ଏହି ସମ୍ବାଦ ସଂପୂର୍ଣ୍ଣ ଶୁଣାକଥା ଉପରେ ଆଧାରିତ ଥିଲା | ଦାୟିତ୍ବ ସଂପନ୍ନ ସାମ୍ବାଦିକ ଓ ସଂପାଦକ ସାମ୍ବାଦିକତାର ମୂଲ୍ୟବୋଧ ଦୃଷ୍ଟିରୁ ଏଭଳି ସମ୍ବାଦ ପରିବେଷଣ ଉପରେ କଟକଣା ଜାରି କରିଥାନ୍ତି | କିନ୍ତୁ ଏଭଳି ଏକ ସମ୍ବାଦପତ୍ରରେ ଏହି ଭିତ୍ତିହୀନ ଶୁଣାକଥାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା | ଏହି ସମ୍ବାଦର ସତ୍ୟତା ନେଇ ମଧ୍ୟ ସଂପୃକ୍ତ ସମ୍ବାଦପତ୍ର ନିଶ୍ଚିତ ନଥିବା ଏହାର ଭାଷାରୁ ସ୍ପଷ୍ଟ ହୋଇଥିଲା | କାରଣ ଏଥିରେ କୌଣସି ମନ୍ତ୍ରୀଙ୍କ ନାମ ଉଲ୍ଲେଖ କରାଯାଇ ନଥିଲା | କିନ୍ତୁ ଏହାର ପରିବେଷଣ ଶୈଳୀ ଏମିତି ଥିଲା ଯେଉଁଥିରୁ ଏହା ଡାକ୍ତର ଦାମୋଦର ରାଉତ ଓ ସ୍ନେହାଙ୍ଗିନୀ ଛୁରିଆ ନାମ୍ନୀ ପ୍ରଥମ କରି ବିଧାୟକ ଓ ମନ୍ତ୍ରୀ ହୋଇଥିବା ଜଣେ ମହିଳାଙ୍କ ନାମ ବୁଝା ପଡ଼ୁଥିଲା | ସମ୍ବାଦ ପରିବେଷଣ ଶୈଳୀରୁ ଏହା ପଛର ମନ୍ଦ ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ୁଥିଲା |  ଉଭୟ ମନ୍ତ୍ରୀଙ୍କୁ ବଦନାମ୍ କରିବା ଥିଲା ଏହି ଖବରର ଅସଲ ଉଦ୍ଦେଶ୍ୟ | କୁହାଯାଏ ଅନିଦ୍ଦିର୍ଷ୍ଟ ଅଭିଯୋଗ ସବୁବେଳେ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ | ଏହି ସମ୍ବାଦ ପଛରେ ସଂପୃକ୍ତ ସଂପାଦକ, ସାମ୍ବାଦିକ ଓ ସେମାନଙ୍କୁ ଏପରି ସମ୍ବାଦ ପରିବେଷଣ କରିବାକୁ ପ୍ରଚୋଦିତ କରିଥିବା ଲୋକମାନଙ୍କର ଉଦ୍ଦେଶ୍ୟ ମହତ ଥିଲେ, ସେମାନେ ଏହା ସତ ବୋଲି ଦୃଢ଼ ନିଶ୍ଚିତ ହୋଇଥିଲେ, ନିଶ୍ଚୟ ମନ୍ତ୍ରୀମାନଙ୍କର ନାମ ନେଇଥାନ୍ତେ ଏବଂ ଏହା ଉପରେ ସେମାନଙ୍କର ପ୍ରତିକ୍ରିୟା ଦେବାକୁ ମଧ୍ୟ ସେମାନଙ୍କ ସହିତ ଯୋଗାଯୋଗ କରିଥାନ୍ତେ | ମାତ୍ର, ସେହି ସମ୍ବାଦରେ ତାହା କରାଯାଇ ନଥିଲା | ଯେଉଁ ସମୟରେ ଏ ଖବରଟି ପ୍ରକାଶ କରାଗଲା ସେହି ସମୟରେ ବେଆଇନ ଜମି ଓ ଘର ଆବଣ୍ଟନ ବିରୋଧରେ ଡାକ୍ତର ଦାମୋଦର ରାଉତ ଉପଯୁକ୍ତ ତଥା ଆଇନ ସଙ୍ଗତ ମତ ପ୍ରକାଶ କରି ମନ୍ତ୍ରିମଣ୍ଡଳ ତଥା ଅମଲାତନ୍ତ୍ରର କେତେକ ଦୁର୍ନୀତିଗ୍ରସ୍ତ ଲୋକଙ୍କ ରୋଷ ଓ ଅସନ୍ତୋଷର କାରଣ ହୋଇଥିଲେ | ଏଇ ଲୋକମାନେ ଏଭଳି ଏକ ମିଥ୍ୟା ଓ କପୋଳକଳ୍ପିତ ସମ୍ବାଦ ପରିବେଷଣ କରି ଡାକ୍ତର ଦାମୋଦର ରାଉତଙ୍କୁ ସାଧାରଣରେ ବଦନାମ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ମନରେ ବିଷ ଭର୍ତ୍ତି କରି ତାଙ୍କୁ ବହିଷ୍କାର କରିବା ଷଡ଼ଯନ୍ତ୍ର କରିଥିଲେ ବୋଲି ବିଜେଡିରୁ ଆରମ୍ଭ କରି କଂଗ୍ରେସ ଓ ବିଜେପି ମହଲରେ ମଧ୍ୟ ଚର୍ଚ୍ଚା ହେଲା | ଏହି ସମ୍ବାଦ ପଢ଼ି ସଂପୃକ୍ତ ମହିଳା ମନ୍ତ୍ରୀ ଏହାକୁ ଅସ୍ବୀକାର କଲେ | ଏଭଳି କିଛି ଘଟିନାହିଁ ବୋଲି ସେ ସ୍ପଷ୍ଟ ଭାଷାରେ ଗଣମାଧ୍ୟମରେ ପ୍ରକାଶ କରିବା ପରେ ସଂପୃକ୍ତ ଖବରକାଗଜର ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ସାମ୍ବାଦିକତା ଧରାପଡ଼ିଗଲା | କେବଳ ଏହି ନିଦ୍ଦିର୍ଷ୍ଟ ଖବରକାଗଜର ଏଇ ନିଦ୍ଦିର୍ଷ୍ଟ ଖବରଟି ନୁହେଁ, ଗତ କିଛି ବର୍ଷ ଧରି ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ ଖବରକାଗଜରେ ଏମିତି ଅନେକ ଭିତ୍ତିହୀନ ଓ କପୋଳକଳ୍ପିତ ସମ୍ବାଦମାନ କେବଳ ଶୁଣାକଥା ବା ଗୁଜବ ଆଧାରିତ ଭାବେ ପ୍ରକାଶ ପାଉଛି | ସତ୍ୟାସତ୍ୟ ଯାଞ୍ଚ କରାଯାଉ ନାହିଁ | ଶୁଣାଯାଏ ଓ ସାଧାରଣରେ ଅଭିଯୋଗ ହୁଏ ଯେ- ଏଭଳି ଭାଷା ପ୍ରୟୋଗ କରି ଜଣେ ଜଣେ ଲୋକଙ୍କର ମାନହାନୀ କରିବାକୁ ମଧ୍ୟ ଚେଷ୍ଟା କରାଯାଏ | ସାଧାରଣ ଜୀବନରେ ଥିବା ଲୋକମାନଙ୍କର ମୁଖ୍ୟ ପୁଞ୍ଜି ହେଉଛି ଭାବମୂର୍ତ୍ତି | ଜଣେ ନେତାଙ୍କର ସ୍ବଚ୍ଛ ଓ ନିର୍ମଳ ଭାବମୂତ୍ତିର୍କୁ କୌଣସି ପ୍ରକାରେ ନଷ୍ଟ କରିଦିଆଗଲେ ସେ ରାଜନୀତିକ କ୍ଷେତ୍ରରେ ଦୁର୍ବଳ ହୋଇଯିବାର ସମ୍ଭାବନା ଅଛି | ଓଡ଼ିଶାର ଗଣମାଧ୍ୟମ କିପରି ଏହି ଭଳି ବିଶ୍ବାସ ସଂକଟର ସମ୍ମୁଖୀନ ହୋଇଛି ତାହା ଅନ୍ୟ କେତେଟା ଘଟଣାରୁ ମଧ୍ୟ ବେଶ୍ ସ୍ପଷ୍ଟ | ୨୦୧୫ ବର୍ଷ ନବକଳେବର ସମୟରେ ରାଜ୍ୟର ପ୍ରାୟ ସମସ୍ତ ବଡ଼ବଡ଼ ଦୈନିକ ଖବରକାଗଜରେ ବ୍ରହ୍ମ ପରିବର୍ତ୍ତନ ଖବର ମିଥ୍ୟା ସାବିତ ହୋଇଥିଲା | ସବୁ କାଗଜର ଶୀର୍ଷ ଖବର ଥିଲା, ବ୍ରହ୍ମ ପରିବର୍ତ୍ତନ ବା ଘଟ ପରିବର୍ତ୍ତନ ଶେଷ | କିନ୍ତୁ ସକାଳୁ ପାଠକମାନେ ସେହି ଖବର ପଢ଼ୁଥିବାବେଳେ ଜଣାପଡ଼ିଥିଲା ଯେ ତାହା ମିଥ୍ୟା, ଘଟ ପରିବର୍ତ୍ତନ ହୋଇପାରି ନାହିଁ | ଠିକ ସେହିଭଳି ୨୦୧୬ ଜାନୁଆରୀ ମାସ ଦ୍ବିତୀୟ ସପ୍ତାହରେ ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥବା ଏକ ଘରୋଇ ଟିଭି ଚାନେଲର ଓଡ଼ିଆ ସଂସ୍କରଣରେ ଆସାମର ଏକ ଘଟଣାର ଭିଡ଼ିଓ ଫୁଟେଜକୁ ଓଡ଼ିଶାର ଗଜପତି ଜିଲ୍ଲାର ଏକ ଘଟଣା ସହିତ ଯୋଡ଼ି ଓଡ଼ିଶା ଖବରକୁ ଅତିମାତ୍ରାରେ ସେନସେନ୍ସାଲାଇଜ୍ କରିବାକୁ ଚେଷ୍ଟା ହୋଇଥିଲା | ଏଭଳି ଖବର ସବୁ ଓଡ଼ିଶା ଗଣମାଧ୍ୟମର ବିଶ୍ବାସନୀୟତା କ୍ଷେତ୍ରରେ ଅନ୍ତରାୟ | କୁହାଯାଏ ତିନି ତୁଣ୍ଡରେ ଛେଳି କୁକୁର | ଗୋଟିଏ ମିଛକୁ ବାରମ୍ବାର ପ୍ରଚାର କରାଗଲେ ଲୋକେ ତାହାକୁ ସତ ବୋଲି ଧରି ନିଅନ୍ତି | ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଗଣମାଧ୍ୟମ ଏଇ ଅନୈତିକ ଦାୟିତ୍ବ ବେଶ୍ ଭଲ ଭାବରେ ତୁଲେଇପାରେ | ସେଥିପାଇଁ କେତେକ ଧରଣର ନେତା, ଶିଳ୍ପପତି, ବ୍ୟବସାୟୀ, ଅଫିସର ଗଣମାଧ୍ୟମକୁ କୌଣସି ପ୍ରକାରେ ପ୍ରଭାବିତ କରି ଉଦ୍ଦେଶ୍ୟ ସାଧନ ନିମନ୍ତେ ଅସତ୍ୟ ସମ୍ବାଦ ପରିବେଷଣ କରିଥାନ୍ତି | ଗଣମାଧ୍ୟମକୁ ସାଧାରଣ ଲୋକମାନେ ବେଦବାକ୍ୟ ଭଳି ବିଶ୍ବାସ କରୁଥିବାରୁ ସେମାନେ ଏହାକୁ ମିଥ୍ୟା ପ୍ରଚାରର ଅସ୍ତ୍ର ଭାବେ ବ୍ୟବହାର କରନ୍ତି | ଏଭଳି ଯେଉଁମାନେ କରନ୍ତି ସେମାନଙ୍କୁ ସାମ୍ବାଦିକ ବା ସଂପାଦକ ନକହି ବ୍ଲାକମେଲର୍ କହିଲେ ଠିକ୍ ହେବ | ସେମାନେ ଖବରର ଆଢ଼ୁଆଳରେ ରହି ବ୍ଲାକମେଲ୍ ହିଁ କରନ୍ତି | ଏଭଳି ବ୍ଲାକମେଲ୍ କରୁଥିବା ଲୋକଙ୍କ ପାଇଁ ରାଜ୍ୟର ଗଣମାଧ୍ୟମ ଅନେକ ବିଶ୍ବାସନୀୟତା ହରାଇଛି | ସରକାର ଓ ପ୍ରଶାସନ ଗଣମାଧ୍ୟମର ରିପୋର୍ଟଗୁଡ଼ିକୁ ଆଉ ପୂର୍ବପରି ଗୁରୁତ୍ବ ଦେଉ ନାହାନ୍ତି | ଏପରିକି ସାମ୍ବାଦିକମାନଙ୍କର ସାମାଜିକ ସମ୍ମାନ ମଧ୍ୟ ଖାସ୍ ଏଇ କାରଣରୁ ନିମ୍ନଗାମୀ ହୋଇଚାଲିଛି | ସେମାନଙ୍କୁ ପୂର୍ବରୁ ଯେପରି ଉଚ୍ଚ ସମ୍ମାନ ଓ ଭଲ ପାଇବା ମିଳୁଥିଲା, ଆଜିକାଲି ତାହା ମିଳୁ ନାହିଁ | କାରଣ ହେଉଛି ଏଇ ପ୍ରକାର ହୀନ ଓ ରୁଚିହୀନ ସାମ୍ବାଦିକତା |

Share :