କାହାର ରଙ୍ଗ, କିଏ ରଙ୍ଗିଲା?

କାହାର ରଙ୍ଗ, କିଏ ରଙ୍ଗିଲା?

Share :

ପରଂବ୍ରହ୍ମ ତ୍ରିପାଠୀ   ନୋ ବକବାସ। ଏଗାରଟି ସିଧା ପ୍ରଶ୍ନ। ଉତ୍ତର ଦେବାକୁ କହୁନି ଆଜ୍ଞା, ଯଦି ଟିକିଏ ତଳେଇ ଦେଖି ପାରିଲେ ସେତିକି ହିଁ ଯଥେଷ୍ଟ ହେବ।   ପ୍ରଥମ - ପପୁ ପମପମକୁ ଛାଡିଦେଲେ ବର୍ତ୍ତମାନ ଓଲିଉଡରେ ଜଣେ ବି ମୌଳିକ ସଂଳାପ ଲେଖକ ଓ କଳାକାର ଅଛି କି? ମୋ ପ୍ରଶ୍ନ ନିହାତି ସିଧା, ଜଣେ ମାନେ ଜଣେ? ମୌଳିକତା ଅସଦାଚରଣ କରିବା ପାଇଁ ଲାଇସେନ୍ସ ନୁହେଁ। କିନ୍ତୁ ମୌଳିକତା (ଆଉ ସେଇଟା ପୁଣି ନିହାତି ସଧାରଣ ପୃଷ୍ଠଭୂମିରୁ ଆସିଥିବା ଲୋକର) କଳାର ଇତିହାସରେ ଅନେକଙ୍କୁ ଅସଦାଚରଣର କାଠଗଡାରେ ଠିଆ କରେଇନି କି?   ଦ୍ଵିତୀୟ -ପପୁ ଚିଟଫଣ୍ଡରେ ଅରୁଆ ଆଉ କାଷ୍ଟିଙ୍ଗ କାଉଚରେ ଉଷୁନା। କଥାଟା ଆପଣଙ୍କର ସତରେ ହଜମ ହଉଛି ତ? ଯଦି ହଉନି ତାହାଲେ ଆପଣ ବି ମୋ ଭଳିଆ ଚୁପଚାପ ଅଜୀର୍ଣ ମେଡ଼ିସିନ ଖାଇ ପାରନ୍ତି।   ତୃତୀୟ -ଜେଲରୁ ବାହାରିଲା ପରେ ଓଲିଉଡ ତାଙ୍କୁ ଆଉ ନବନି ତ? ଯଦି ନବ ତାହାଲେ ହବିଷାନ୍ନ ଅଛି ବୋଲି ଦେଖି ମଙ୍ଗଳବାର କରିବାର ପ୍ରୟାସ କ’ଣ ପାଇଁ?  ଓଲିଉଡର ଏ ନୀରବତା ପ୍ରଯୋଜିତ କି? ଠିକ ଯେମିତି ଖୋକା ଭାଇଠାରୁ ଆରମ୍ଭ କରି ଶ୍ରୀରାମ ପଣ୍ଡା ପର୍ଯ୍ୟନ୍ତ ସମସ୍ତଙ୍କ ବେଳେ ଯଦି କିଛି ହଜମ କଲା ଭଳି ନହୁଏ ତାହାଲେ ବାନ୍ତି ରୋକିବା ପାଇଁ ସାମୟିକ ହାଜମୋଲା ଗିଳିବାର ପ୍ରୟାସ କରାଯାଏ।   ଚତୁର୍ଥ -ପପୁକୁ ବାନ୍ଧିଲା କିଏ? ପୋଲିସ ତ? ଯଦି ପୋଲିସ ବାନ୍ଧିଛି ତାହାଲେ ତା କାମ ପାଇଁ ସାଧୁବାଦ। ଯଦି ଆଉ କିଏ ବାନ୍ଧିଛି ତାହାଲେ?   ପଞ୍ଚମ - ଯେତିକି ମୋ ଜ୍ଞାନ, ସେଇ ଅନୁସାରେ କହୁଛି ଯେ ଜଜ ହେବା ପାଇଁ ଓକଲାତି ଡିଗ୍ରୀ ସହ ଆଉ କିଛି ପରୀକ୍ଷା ବି ଦବାକୁ ପଡେ। ଯେଉଁ ମାନେ ବିଚାର ପୂର୍ବରୁ ରାୟ ଦେଇଦେଲେ ସେମାନେ ଏ ଜଜ ହେବା ପରୀକ୍ଷା କେବେ ଦେଇଥିଲେ? ସେମାନେ ମାନେ ସେମାନେ, ସିଏ ମୋ ସମଧର୍ମା ସାମ୍ବାଦିକ ହେଇଥାନ୍ତୁ କି ତଥାକଥିତ ନାରୀନେତ୍ରୀ।   ଷଷ୍ଠ - ଜଣେ ବରିଷ୍ଠ ବିଜେଡି ନେତାଙ୍କ ବୋହୂ-କମ-ଝିଅଙ୍କ ଡ୍ରାମା ବିଗତ କିଛି ଦିନ ତଳେ ହାଉସଫୁଲ ହେଇଥିଲା। ମନେ ନାହିଁ? ଏଇ ତ, ବହୁ ଶୀଘ୍ର ଭୁଲି ଯିବା ଟା ଆମ ମହାନ ପଣିଆ। ଛାଡନ୍ତୁ, ମନେ ନାହିଁ ଯଦି କହିବିନି। ଆଉ ଯଦି ମନେ ଅଛି ନିଜେ ବୁଝି ଯିବେ। ସେମିତି ତ ଆମକୁ ଆସ୍କା ଫର୍ଟି ଦରକାର। କୋଡିଏ ଟଙ୍କାରେ ଦିମିନିଟରେ ନିଶା, ତିରିଶ ଟଙ୍କାରେ ମୌତ କା କୁଆଁ!   ସପ୍ତମ - ପପୁ ଜାଗାରେ ଯଦି କୌଣସି ଷ୍ଟାର ସନ କି ସୋ କଲଡ ସୁପରଷ୍ଟାର ଥାନ୍ତେ, ଖେଳ ଏମିତି ଶହେ ଶହେରେ ହେଇଥାନ୍ତା କି? ସେଇ ଲଭର ବୟ ଯିଏ ଏଟିଏମ ବାହାରେ ଲୋକଙ୍କୁ ପିଟିଥିଲା, ସେଇ ବଡ ଚରିତ୍ର ଅଭିନେତା ଯାହାଙ୍କ ସ୍ତ୍ରୀ (ବଡ ଗାୟକଙ୍କ ଝିଅ ମ) ତଥାକଥିତ ଆତ୍ମହତ୍ୟା କରିଥିଲେ, ସେଇ ଯେଉଁ ଅଭିନେତ୍ରୀ ଜଣକ ଯିଏ ଅଭିନେତାଙ୍କ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ- ଏକଥା ସବୁ କାହିଁକି ତ କେବେ ଆଲୋଚନା ହେଲାନି? ବିଦ୍ୟା ରାଣ ଖେଳ କିଛି ଜମୁନି।   ଅଷ୍ଟମ - ପପୁ ପମପମ ଆପଣଙ୍କ ଘରକୁ ଯାଇ କହିଥିଲେ କି ମାଉସୀ ମୋ ସୋ ଦେଖ? ଆପଣ ଦେଖିଲେ, ଭଲ ଲାଗିଲା, ମୁଣ୍ଡରେ ବସେଇଲେ ସେଲଫି ନେଲେ। ଆଉ ଆଜି ତା’ର କୁଶ ପୁତ୍ତଳିକା ପୋଡିଲେ ଠିକ ଯେମିତି ମୁଣ୍ଡରେ ବସେଇଥିଲେ। ଜଣା ନାହିଁ କିଏ ଆପଣଙ୍କୁ ମୁଣ୍ଡରେ ବସେଇବାକୁ କହିଥିଲା ଆଉ କିଏ କୁଶ ପୁତ୍ତଳିକା ପୋଡିବାକୁ। ଏନିୱେ, ଦର୍ଶକ ଶ୍ରେଷ୍ଠ ବିଚାରକ, ଆଉ ଏବେ ଯାହା ଚାଲିଛି ସେଇଟା ତ ହାଇ ଭୋଲ୍‌ଟେଜ୍ ଡ୍ରାମା ନା।   ନବମ - ଭାଇନା, ସବୁ ମୋବାଇଲ କମ୍ପାନୀର ନେଟ ପ୍ୟାକ ରାତାରାତି ଶସ୍ତା ହେଇଗଲା କି? ଫେସବୁକ ଖୋଲିଲେ ପପୁକୁ ବାନ୍ଧ ପପୁକୁ ଜୋତା ମାଳ ଦିଅ, କଦଳୀ ଲେମ୍ବୁ ପିଆଜ। ଏଇ କଅଣ? ଆମେ ସତରେ କ’ଣ ନିଜ ବ୍ୟକ୍ତିଗତ ଜୀବନରେ ଏତେ ଦୁଃଖୀ?   ଦଶମ - କେନ୍ଦ୍ର ମନ୍ତ୍ରୀଙ୍କୁ କୁଆଡେ ଢେଲା ମାଡ ହେଇଥିଲା? ଗୌଡ ବୋଲି ଲୋକଟେ(ଡାକ୍ତରଟେ) କିଏ ଫେରାର ଅଛି କି? ଓସ୍କାର ବୋଲି ଗୋଟାଏ ଚିଟଫଣ୍ଡ କମ୍ପାନୀ ଥିଲା କି? କେଜାଣି? ଆପଣ ମତେ ଏକଥା ବି ପଚାରି ପାରନ୍ତି, ହୋ ବାବୁ ତମର କିଛି କାମ ନାଇ କି? ବେକାର କଥା ସବୁବେଳେ। ପପୁ ପମ ଆରେଷ୍ଟ ହେଲା,  କେନ୍ଦ୍ର ଅବହେଳା ସତ୍ତ୍ବେ ଓଡିଶା ଭାରତରେ ଏକ ନମ୍ବର ରାଜ୍ୟ ହେବାଠୁ ଆଉ ଟିକିଏ ଦୂରରେ ରହିଲା। ଓଡିଶାର ସୁଖ ତମେ ସମାନ ସହି ପାରୁନ ହେ।   ଏକାଦଶ- ଚମ୍ପୁଆବାଲା ଯଦି କମାଲ କରିଥାନ୍ତେ, ମାନେ ପପୁ ପମ ପମ ମାନ୍ୟବର ବିଧାୟକ ହେଇଥାନ୍ତେ ତାହାଲେ??? ଅଳ୍ପ କହିଲି ବେଶୀ ବୁଝିବେ। ଆଇନ ତା ବାଟରେ ଯାଉ ଆଜ୍ଞା, ଆପଣ ବି ଚାହାନ୍ତି ଆଉ ମୁଁ ବି। ଫରକ ଏତିକି ‘କଳାର କଳଙ୍କ’ ‘ଫସିଗଲା ରଙ୍ଗିଲା ଟୋକା’ ଇତ୍ୟାଦି ଇତ୍ୟାଦି ଫେସବୁକରେ ଲେଖିଲା ବେଳେ ମୁଁ ଟିକେ ନିଜକୁ ପଚାରେ। ମତେ ଲାଗୁଛି ଆପଣ ବି ପଚାରୁଥିବେ। ହେଲେ କ’ଣ ଗୋଟେ ଲେଖିବାକୁ ପଡିବ ନହେଲେ ପଇତା ମାରା ହେଇଯିବ ବୋଲି ଭାବି ହୁଏତ ଏମିତି ଲେଖି ଦଉଥିବେ।

Share :