ପ୍ରତିବାଦ ସାହିତ୍ୟ ସ୍ରଷ୍ଟା ଗିରିଶ କନ୍ନଡ଼ଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରତିବାଦ ସାହିତ୍ୟ ସ୍ରଷ୍ଟା ଗିରିଶ କନ୍ନଡ଼ଙ୍କୁ ଶ୍ରଦ୍ଧାଞ୍ଜଳି

Share :

ପ୍ରସିଦ୍ଧ କନ୍ନଡ଼ ଲେଖକ, କଳାକାର, ନାଟ୍ୟକାର ତଥା ନିର୍ଦ୍ଦେଶକ ଗିରିଶ କନ୍ନଡ଼ଙ୍କ ମୃତ୍ୟୁରେ ଦେଶବାସୀ ଜଣେ ସମାଜ ସଂସ୍କାରକ, ଜନବାଦୀ ବୁଦ୍ଧିଜୀବୀ ତଥା ବିଶିଷ୍ଟ ଲେଖକ ଓ ନାଟ୍ୟକାରଙ୍କୁ ହରାଇଲେ। ସେହି ମହାନ୍ ନାୟକଙ୍କ ସ୍ମୃତିରେ ଲୋହିଆ ଏକାଡେମୀଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଓ ମାନସ ରଞ୍ଜନ ପଟ୍ଟନାୟକ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ‘ଅକ୍ଷର’ର ସମ୍ପାଦକ ତଥା ସ୍ତମ୍ଭକାର ଅମୀୟ ପାଣ୍ଡବ। କବି କେଦାର ମିଶ୍ର, ନାଟ୍ୟ ଚେତନାର ନିର୍ଦ୍ଦେଶକ ସୁବୋଧକାନ୍ତ ପଟ୍ଟନାୟକ, ନାଟ୍ୟକାର ନାରାୟଣ ପତି, ପୂର୍ବତନ ପୋଲିସ୍ ନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ବରିଷ୍ଠ ସାମ୍ୱାଦିକ ରବି ଦାସ, ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ ଓ ଆଡ଼ଭୋକେଟ ଶୀଳଭଦ୍ର ଶାସ୍ତ୍ରୀ ଯୋଗ ଦେଇ କହିଥିଲେ ଯେ, ଆଜିର ପରିସ୍ଥିତିରେ ଦେଶରେ ଯେପରି ଧର୍ମନିରପେକ୍ଷତା ଓ ଗଣତାନ୍ତ୍ରିକ ଅଧିକାର ଉପରେ ଆକ୍ରମଣ ହେଉଛି ତା’ର ପ୍ରତିବାଦ ସହ ଭିନ୍ନମତ ପ୍ରକାଶ କରିବା ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ତାଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ। ଭାରତୀୟ ସମ୍ୱିଧାନରେ ଥିବା ସମସ୍ତ ମୂଲ୍ୟବୋଧର ସୁରକ୍ଷା ପାଇଁ ଗିରିଶ କନ୍ନଡ଼ ଜୀବନର ଶେଷ ନିଃଶ୍ୱାସ ଯାଏ ପ୍ରତିବଦ୍ଧତାର ସହ କଳା ପ୍ରଦର୍ଶନ କରି ସାହିତ୍ୟ ସୃଷ୍ଟି କରିଚାଲିଥିଲେ। ଏହି ସ୍ମୃତିସଭାରେ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ, ସୁଧୀର ପଟ୍ଟନାୟକ, ରବି ବେହେରା, ତୁଷାରକାନ୍ତ ଶତପଥୀ, ରାଧାକାନ୍ତ ସେଠି, ସ୍ୱୟଂପ୍ରଭା ପାଢ଼ୀ, ସ୍ୱାତୀ ମିଶ୍ର, ସୋମା ଜେନା ଓ ଅଭିରାମ ମଲ୍ଳିକ ପ୍ରମୁଖ ବ୍ୟକ୍ତିମାନେ ଯୋଗଦାନ କରିଥିଲେ।

Share :