ବିଜେଡି ଭୋଗିବ ବିପର୍ଯ୍ୟୟ!

ବିଜେଡି ଭୋଗିବ ବିପର୍ଯ୍ୟୟ!

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ଜାନୁଆରୀ ୩୧ ତାରିଖରେ ୨୦୧୯ ସାଧାରଣ ନିର୍ବାଚନ ସଂପର୍କୀତ ଏକ ଜନମତ ସର୍ବେକ୍ଷଣ ରିପୋର୍ଟ ପ୍ରକାଶ ପାଇଛି। ଦେଶର ଏକ ଅଗ୍ରଣୀ ନ୍ୟୁଜ ଚାନେଲ ଟାଇମ୍ସ ନାଓ ଅନ୍ୟ ଏକ ସଂସ୍ଥାର ସହଯୋଗରେ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରିଛି। ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଜାତୀୟ ସ୍ତରରେ ବିଜେପି ନେତୃତ୍ବାଧୀନ ଏନଡିଏ ପ୍ରାୟ ୮୬ ଆସନ ହରାଇ ସରକାର ଗଠନଠାରୁ ୨୨ଟି ଆସନ ପଛରେ ରହିଯିବ। ତେବେ କଂଗ୍ରେସ ନେତୃତ୍ବାଧୀନ ଉପା ମଧ୍ୟ ସରକାର ଗଠନ କରିପାରିବ ନାହିଁ। ଏହି ମେଣ୍ଟ ସର୍ବାଧିକ ୧୪୬ ଆସନ ପାଇପାରେ। ଏଭଳି ସ୍ଥଳେ ଏନଡିଏ ଓ ଉପାରୁ ସମଦୂରତ୍ବ ରକ୍ଷା କରୁଥିବା ଦଳଗୁଡ଼ିକ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। ଏହି ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାର ଶାସକ ବିଜୁ ଜନତା ଦଳ ସାମ୍ନା କରିବାକୁ ଥିବା ବିପର୍ଯ୍ୟୟ ସଂପର୍କରେ ମଧ୍ୟ ଆଭାସ ପ୍ରଦାନ କରିଛି। ଭିଏମଆର ନାମକ ଏକ ସଂସ୍ଥାର ସହଯୋଗରେ ଟାଇମ୍ସ ନାଓ ଇଂରାଜୀ ନ୍ୟୁଜ ଚାନେଲ ପ୍ରକାଶ କରିଥିବା ଜନମତ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏ ମୋଟ ଉପରେ ୨୫୨ଟି ଲୋକସଭା ଆସନରେ ବିଜୟୀ ହେବ। ୨୦୧୪ ନିର୍ବାଚନରେ ଏନଡିଏର ଆସନ ସଂଖ୍ୟା ଥିଲା ୩୩୬। ସରକାର ଗଠନ କରିବା ପାଇଁ ଲୋକସଭାରେ ୨୭୨ ଆସନ ଆବଶ୍ୟକ। ଅନ୍ୟପକ୍ଷରେ କଂଗ୍ରେସ ନତୃତ୍ବାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ ବା ଉପା ଏଥର ପୂର୍ବାପେକ୍ଷା ୮୬ ଆସନ ଅଧିକ ପାଇବ ବୋଲି ଆକଳନ କରାଯାଇଛି। ୨୦୧୪ ନିର୍ବାଚନରେ ଉପା ମୋଟ ୬୦ ଲୋକସଭା ଆସନ ପାଇଥିଲାବେଳେ ୨୦୧୯ରେ ଏହାର ଆସନ ସଂଖ୍ୟା ୧୪୬କୁ ବୃଦ୍ଧି ପାଇପାରେ। ତେବେ ସରକାର ଗଠନ ପାଇଁ ଆହୁରି ୧୨୬ ଆସନ ଆବଶ୍ୟକ। ଏପରି ସ୍ଥଳେ ଉଭୟ କଂଗ୍ରେସ ଓ ବିଜେପ ମେଣ୍ଟଠାରୁ ଦୂରେଇ ରହିଥିବା ଦଳଗୁଡ଼ିକ ଏଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। ସେପରି କେତେକ ଦଳ ହେଲ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ୱାଇଏସଆର କଂଗ୍ରେସ, ବିଜୁ ଜନତା ଦଳ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି। ଟାଇମ୍ସ ନାଓ ଜନମତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ମେଣ୍ଟ ୫୧ ଲୋକସଭା ଆସନ ହାସଲ କରିବ। ସେହିପରି ପଶ୍ଚିମ ବଙ୍ଗର ତୃଣମୂଳ କଂଗ୍ରେସ ୩୨ ଓ ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ ୨୩ ଆସନ ପାଇବାର ସମ୍ଭାବନା ଅଛି। ସେହିପରି ବିଜୁ ଜନତା ଦଳ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିର ସଦସ୍ୟ ସଂଖ୍ୟା ୨୦ ଛୁଇଁ ପାରେ। ଏହି ଦଳଗୁଡ଼ିକ ମଧ୍ୟରୁ ୱାଇଏସଆର କଂଗ୍ରେସ ଏନଡିଏକୁ ସମର୍ଥନ କରିପାରେ। କାରଣ ଏହାର ବିରୋଧୀ ତେଲୁଗୁ ଦେଶମ ପାର୍ଟି କଂଗ୍ରେସ ମେଣ୍ଟକୁ ସମର୍ଥନ କରିବାର ସମ୍ଭାବନା ଅଛି ଏବଂ ଆନ୍ଧ୍ର ରାଜନୀତି ଦୃଷ୍ଟିରୁ ଏ ଦୁଇ ଦଳ ଗୋଟିଏ ମେଣ୍ଟରେ ରହିବା ସମ୍ଭବ ନୁହେଁ। ସେହିପରି ବିଜୁ ଜନତା ଦଳ ପୂର୍ବରୁ ଏନଡିଏର ସଦସ୍ୟ ଥିଲା ଓ ଏବେ ମଧ୍ୟ ଏନଡିଏ ସରକାରକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଯୋଗାଇ ଦେଉଛି। ତେଣୁ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯଦି କିଛି ଆସନ ନିଅଣ୍ଟ ପଡ଼ିବ ତେବେ ବିଜୁ ଜନତା ଦଳ ତାହା ଯୋଗାଇବାର ସମ୍ଭାବନା ଅଧିକ। ଟିଆରଏସ ମଧ୍ୟ ଏନଡିଏକୁ ସମର୍ଥନ କରିବ। ଏହି ଆକଳନ ଯଦି ସତ ହୁଏ ତେବେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଗଠନ କରିପାରିବ ନାହିଁ। ଏହି ମେଣ୍ଟ ସରକାର ଗଠନ କରିବାକୁଆହୁରି ୧୨୬ ଆସନ ଆବଶ୍ୟକ କରିବ। ଏସପି-ବିଏସପି ୫୧ ଆସନର ସମର୍ଥନ ଘୋଷଣା କଲେ ବି ଆହୁରି ୭୫ ଆସନ ଆବଶ୍ୟକ। ତୃଣମୂଳ କଂଗ୍ରେସ ଓ ବିଜେଡି ଆସନ ସଂଖ୍ୟା ଏତେ ହେବ ନାହିଁ। ଟାଇମ୍ସ ନାଓର ଏହି ଜନମତ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଦଳକୁ ପଛରେ ପକାଇଦେବ। ବିଜେପି ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର, ରାଜସ୍ଥାନ ଆଦି ରାଜ୍ୟରେ ୨୦୧୪ ନିର୍ବାଚନ ଅପେକ୍ଷା କମ୍‌ ଆସନ ପାଇବ। କିନ୍ତୁ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ତ୍ରିପୁରାରେ ଅଧିକ ଆସନ ପାଇବ। ୨୦୧୪ ମସିହାରେ ବିଜେପି ପଶ୍ଚିମ ବଙ୍ଗରେ ମାତ୍ର ୨ ଆସନ ପାଇଥିବାବେଳେ ୨୦୧୯ର ୯ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ତ୍ରିପୁରାରେ ପୂର୍ବଥର ଖାତା ଖୋଲି ନଥିଲା। ଏଥର ସେଠାରୁ ୨ଟି ଆସନ ପାଇବ। ସବୁଠୁଁ ଚମକପ୍ରଦ ଆକଳନ ପ୍ରକାଶ ପାଇଛି ଓଡ଼ିଶା ସଂପର୍କରେ। ୨୦୧୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ମାତ୍ର ଗୋଟିଏ ଆସନ ହାସଲ କରିଥିଲା। ଏଥର ଏହି ଦଳ ଓଡ଼ିଶାରୁ ୧୩ଟି ଲୋକସଭା ଆସନ ହାସଲ କରିବ ବୋଲି ଆକଳନ କରାଯାଇଛି। ବାକି ୮ ଆସନ ବିଜେଡି ଓ କଂଗ୍ରେସ ମଧ୍ୟରେ ଭାଗ ହେବ। ଗତ ଥର ଓଡ଼ିଶାରେ ବିଜୁ ଜନତା ଦଳ ୨୦ ଆସନ ପାଇଥିଲାବେଳେ ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଯଦି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୩ ଲୋକସଭା ଆସନରେ ବିଜୟୀ ହୁଏ ତେବେ ବିଧାନସଭା ଆସନ ସଂଖ୍ୟା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଓଡ଼ିଶାରେ ପ୍ରତି ଲୋକସଭା ନିର୍ବଚନ ମଣ୍ଡଳୀ ମଧ୍ୟରେ ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଯେଉଁ ୧୩ ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟରମାନେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟ ଦେବେ ସେମାନେ ନିଜନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ଭୋଟ ଦେବାର ସମ୍ଭାବନା ଅଧିକ। କାରଣ ଓଡ଼ିଶାରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ଭୋଟ ହେବ। ଓଡ଼ିଶାର ସରଳ ଭୋଟରମାନେ ଲୋକସଭା ପାଇଁ ବିଜେପିକୁ ଓ ବିଧାନସଭା ପାଇଁ ବିଜେଡିକୁ ବାଛିବା କଷ୍ଟକର। ଯଦି ଭୋଟରମାନେ ନିଜ ନିଜ ଭୋଟକେନ୍ଦ୍ରରେ ଏମପି ପାଇଁ ବିଜେପିକୁ ଓ ଏମଏଲଏ ପାଇଁ ବିଜେଡିକୁ ଭୋଟ ନଦେଇ ଉଭୟ ପାଇଁ ବିଜେପିକୁ ଭୋଟ ଦେଲେ ତେବେ ସଡ଼ିଶା ବିଧାନସଭାର ଚିତ୍ର ବଦଳିଯାଇପାରେ। ସେ ସ୍ଥଳେ ବିଜେପି ଅନ୍ୟୁନ ୯୧ ଆସନ ହାସଲ କରି ସରକାର ଗଠନ କରିପାରେ। ବିଜେଡି ଯଦି ବି ୮ ଲୋକସଭା ଆସନ ପାଏ ଏହାର ବିଧାୟକ ସଂଖ୍ୟା ୫୬କୁ ଖସି ଆସିପାରେ। ତେବେ, ଓଡ଼ିଶାର ସାଂପ୍ରତିକ ରାଜନୀତିକ ସ୍ଥିତି ଯାହା ସେଥିରେ ଟାଇମ୍ସ ନାଓର ଏହି ଆକଳନ ସଂପୂର୍ଣ୍ଣ ସତ ହେବ ବୋଲି କେହି ବିଶ୍ବାସ କରିବେ ନାହିଁ। ଏଠି କଂଗ୍ରେସ ପାର୍ଟି ପର୍ଯ୍ୟାୟକ୍ରମେ ବିଜେଡିରେ ବିଲୀନ ହେବାରେ ଲାଗିଛି। ଏହାର ସବୁ ବଡ଼ ବଡ଼ ନେତା ଦଳ ଛାଡ଼ି ବିଜେଡିରେ ମିଶୁଥିବାବେଳେ ରାଜ୍ୟ ରାଜନୀତିରେ ଏହି ଦଳ ଅପାଙ୍‌କ୍ତେୟ ହୋଇଯାଉଛି। ନେତାମାନେ ଦଳତ୍ୟାଗ କରି ପଳାଉଥିବାବେଳେ କଂଗ୍ରେସ କର୍ମୀମାନେ କେତେ ଦିନ ଯାଏଁ ଦଳୀୟ ପତାକା ଟେକି ଧରିଥିବେ? ତେଣୁ ଅଧିକାଂଶ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀମାନେ ମଧ୍ୟ ବିଜେଡିରେ ସାମିଲ ହୋଇଗଲେଣି। ବିଜେଡି କର୍ମୀ ଓ ନେତାଙ୍କ ପ୍ରତି ବିମୁଖ ହେଉଥିବା ନିର୍ଦ୍ଦଳୀୟ ଭୋଟରମାନେ କଂଗ୍ରେସ କର୍ମୀ ଓ ନେତାଙ୍କ ଭିତରେ ଭଲ ବିଜେଡିର ବାସ୍ନା ପାଇଲେ ସେମାନଙ୍କୁ ଭୋଟ ଦେବା ବିଚିତ୍ର ନୁହେଁ। ସମ୍ଭବତ! ଏହି ଆକଳନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଂଗ୍ରେସ ନେତାମାନଙ୍କୁ ବିଜେଡି ଲାଭ ପାଇଁ ଶିକାର କରିବାରେ ଲାଗିଛନ୍ତି। ସେ ଜାଣିଛନ୍ତି ଯେ ଅନେକ ସ୍ଥାନରେ ବିଜେଡି ବିଧାୟକ, ସାଂସଦ ଓ ଅନ୍ୟ ନେତା ଓ ଜନ ପ୍ରତିନିଧିମାନେ ଦୁର୍ନୀତି କରି ବଦନାମ ହୋଇସାରିଛନ୍ତି। ସେମାନଙ୍କୁ ପ୍ରାର୍ଥୀ କଲେ ପରାଜୟ ସୁନିଶ୍ଚିତ। ତେଣୁ ସେ ଏଥର କଂଗ୍ରେସର ବିଜୟ ସମ୍ଭାବନା ଥିବା ନେତାମାନଙ୍କୁ ବିଜେଡି ପ୍ରାର୍ଥୀ କରାଇ ଭୋଟରଙ୍କର ଅସନ୍ତୋଷକୁ ସନ୍ତୋଷରେ ପରିଣତ କରିବାର କୌଶଳ କରିପାରନ୍ତି। ତା’ଛଡ଼ା ୨୦୧୯ ନିର୍ବାଚନ ଜିତିବା ପାଇଁ ନବୀନବାବୁ ରାଜ୍ୟର ୪.୫ କୋଟି ଲୋକଙ୍କ ପାଇଁ ଯୋଜନା ଘୋଷଣା କରିସାରିଲେଣି। ରାଜ୍ୟର ୪.୪ କୋଟି ଲୋକ ଏବେ ଟଙ୍କକିଆ ଚାଉଳର ହିତାଧିକାରୀ। ଏହା ଏକ କେନ୍ଦ୍ରୀୟ ଯୋଜନା ହେଲେ ବି ନବୀନବାବୁ ଏହାର ସର୍ବାଧିକ ରାଜନୀତିକ ଫାଇଦା ଉଠାଉଛନ୍ତି। ରାଜ୍ୟର ୪୮ ଲକ୍ଷ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ପରିମାଣ ବୃଦ୍ଧି କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଥିବା ପ୍ରାୟ ୬୦ ଲକ୍ଷ ମହିଳାଙ୍କ ପାଇଁ କିଛି ନଗଦ ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୭୦ ଲକ୍ଷ କୃଷକଙ୍କ ପାଇଁ ଜଣକା ତିନି ବର୍ଷରେ ୨୫ ହଜାର ଟଙ୍କା ପାଇବାକୁ କାଳିଆ ଯୋଜନା ଘୋଷଣା କରାଯାଇଛି। ଲକ୍ଷାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି କରାଯାଇଛି। ଏହାର ଫାଇଦା ମଧ୍ୟ ବିଜେଡି ନେବ। ଏହିପରି ବହୁ ଯୋଜନାର ରାଜନୀତିକ ଫାଇଦା ବିଜେଡିକୁ ମିଳିବ ବୋଲି ରାଜନୀତିକ ସମୀକ୍ଷକମାନେ ମତ ଦିଅନ୍ତି। ଅପରପକ୍ଷରେ ୨୦୧୭ ପଂଚାୟତିରାଜ ନିର୍ବଚନରେ କଂଗ୍ରେସକୁ ପଛକୁ ଠେଲି ଦୁଇ ନମ୍ବର ଦଳ ହିସାବରେ ପ୍ରତିଷ୍ଠାଲାଭ କରିଥିବା ଭାରତୀୟ ଜନତା ପାର୍ଟି ଶାସକ ବିଜୁ ଜନତା ଦଳ ସହିତ କି ପ୍ରକାର ସଂପର୍କ ରଖିବ ସେନେଇ ଏବେ ଭୋଟର ଟିକେ ଦ୍ବନ୍ଦ୍ବରେ ପଡ଼ିଥିବାରୁ ଦଳର ନିର୍ବାଚନୀ ପରିଣାମ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟର ଅନେକ ଅଂଚଳରେ ବିଜେଡିକୁ କୋଣଠେସା କରିବାରେ ସଫଳ ହୋଇଥିଲେ। ମାତ୍ର, ତାଙ୍କର ରାଜନୀତିକ ଅଭ୍ୟୁଦୟକୁ ସମ୍ଭବତଃ ଦଳର କେତେକ ନେତା ପୂର୍ଣ୍ଣପ୍ରାଣରେ ସମର୍ଥନ କରିପାରିଲେ ନାହିଁ କିମ୍ବା ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ବିଜେପିର ନିଷ୍ଠାପର କର୍ମୀଙ୍କ ମଧ୍ୟରେ ପୂର୍ବ ଉତ୍ସାହ ଟିକେ କମିଯାଇଥିବା ଲକ୍ଷ୍ୟ କରାଯାଉଛି। ବିଜେଡି-ବିଜେପି ଭାଇଭାଇ ବୋଲି କଂଗ୍ରେସ ଚଳାଇଥିବା ପ୍ରଚାରର ପ୍ରଭାବ ମଧ୍ୟ କେତେତ ଅଂଚଳରେ ପଡ଼ିପାରେ। ପରିବର୍ତ୍ତନବାଦୀ ଲୋକେ ଯଦି ବୁଝିଯିବେ ଯେ ବିଜେପିକୁ ଭୋଟ ଦେଲେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ତେବେ ବିଜେପକୁ ଯାଉଥିବା ଭୋଟ କଂଗ୍ରେସ ସପକ୍ଷରେ ପଡ଼ିପାରେ। ସେ କ୍ଷେତ୍ରରେ ପରିଣାମ ଅନ୍ୟ ପ୍ରକାର ହେବ।

Share :