ଗୀତା ମେହେଟ୍ଟାଙ୍କ ପଦ୍ମଶ୍ରୀ ରାଜନୀତି

ଗୀତା ମେହେଟ୍ଟାଙ୍କ ପଦ୍ମଶ୍ରୀ ରାଜନୀତି

Share :

ଦେବେନ୍ଦ୍ର ପୃଷ୍ଟି ‘ଭାରତ ସରକାର ମୁଁ ପଦ୍ମ ପୁରସ୍କାର ପାଇବା ଯୋଗ୍ୟ ବୋଲି ବିଚାର କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନବୋଧ କରୁଛି କିନ୍ତୁ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ସମସ୍ତେ ଭୁଲ ବୁଝି ପାରନ୍ତି ଯାହା ସରକାର ଓ ମୋ ପାଇଁ ଝିଂଝଟ ସୃଷ୍ଟି କରିପାରେ ଯେଉଁଥିପାଇଁ ମତେ ପରେ ପସ୍ତେଇବାକୁ ପଡ଼ିପାରେ। ତେଣୁ ଗଭୀର ଦୁଃଖର ସହିତ ମୁଁ ଏହି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରୁଛି।’ ୨୦୧୯ ଜାନୁଆରୀ ୨୫ ତାରିଖ ସନ୍ଧ୍ୟାରେ ନିଉ ୟର୍କରୁ ଏଭଳି ଏକ ବିବୃତି ଜାରି କରିଥିଲେ ଗୀତା ମେହେଟ୍ଟା, ବିଜୁ ପଟ୍ଟନାୟକଙ୍କ ଝିଅ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ। ଗୀତାଙ୍କର ଏହି ନିଷ୍ପତ୍ତିକୁ ନେଇ ରାଜ୍ୟରେ ରାଜନୀତିକ ବିତର୍କ ସୃଷ୍ଟି ହୋଇଛି। ଅଣଓଡ଼ିଆ ପ୍ରକାଶକ ସନି ମେହେଟ୍ଟାଙ୍କୁ ବିବାହ କରିଥିବା ଗୀତା ସ୍ବାମୀଙ୍କ ସହିତ ଆମେରିକାରେ ବସବାସ କରୁଛନ୍ତି। ୧୯୭୦ ଦଶକରେ ସେ ବିବିସି ଓ ଅନ୍ୟ କେତେକ ଟେଲିଭିଜନ ସଂସ୍ଥା ପାଇଁ କାର୍ଯ୍ୟ କରିଥିଲେ। ସେହି ସମୟରେ ସ ବାଂଲାଦେଶ ଯୁଦ୍ଧ ଉପରେ ଅ୍ରନେକ ରିପୋର୍ଟ ଓ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରିଥିଲେ। ସେ ମୋଟ ଉପରେ ୧୪ଟି ପ୍ରାମାଣିକ ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି। ସେହିପରି ସେ କର୍ମ କୋଲା, ଏ ରିଭର ସୂତ୍ର, ଇଟର୍ନାଲ ଗଣେଣ, ସ୍ନେକ୍ସ ଆଣ୍ଡ ଲାଡର୍ସ ଆଦି କେତେକ ପୁସ୍ତକ ରଚନା କରିଛନ୍ତି। ୨୦୧୯ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଭାରତ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ୯୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବାକୁ ନିଷ୍ପତ୍ତି ଘୋଷଣା କରିଥିଲେ। ଏହି ଘୋଷଣାର କିଛି ସମୟ ମଧ୍ୟରେ ଗୀତା ମେହେଟ୍ଟା ତାହାକୁ ଗ୍ରହଣ କରିବେ ନାହିଁ ବୋଲି ବିବୃତି ଜାରି କରିଥିଲେ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ଜନତା ପାର୍ଟିର ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଷ୍ଟ୍ରୀୟ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା ରାଷ୍ଟ୍ର ପ୍ରତି ଅପମାନ। ପୁରସ୍କାର ଗ୍ରହଣ ନକରିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି କିନ୍ତୁ ଭାଇଙ୍କ ରାଜନୀତିକ ସ୍ବାର୍ଥର ସୁରକ୍ଷା କରିବାକୁ ଯାଇଁ ପୁରସ୍କାର ଗ୍ରହଣ ନକରିବା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦୀତ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଗୀତା ମେହେଟ୍ଟାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ଭାରତ ସରକାର ବିଜେପି ଓ ବିଜେଡି ମଧ୍ୟରେ ଥିବା ସଂପର୍କକୁ ପଦାରେ ପକେଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସନ୍ତୁଷ୍ଟ କରିବା ପାଇଁ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ଗୀତାଙ୍କୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳର ପ୍ରବକ୍ତା ପ୍ରତାପ ଦେବ କହିଛନ୍ତି ଯେ ଗୀତାଙ୍କ ବ୍ୟକ୍ତିତ୍ବ ଓ ସାହିତ୍ୟ ପ୍ରତି ଅବଦାନକୁ ସ୍ବୀକୃତି ଦେଇ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇ ମନୋନୀତ କରିଥିଲେ। ତାହାକୁ ସେ ଗ୍ରହଣ କରିବା ବା ନକରିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିରେ ଦଳର କୌଣସି ଭୂମିକା ନାହିଁ। ଗୀତାଙ୍କ ପୁରସ୍କାର ସଂପର୍କରେ କିନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମ୍ବାଦିକମାନେ ତାଙ୍କୁ ଏ ସଂପର୍କରେ ପ୍ରଶ୍ନ କରିବାରୁ ସେ ଇଂରାଜୀ ଭାଷାରେ କହିଥିଲେ ଯେ ଆଇ କଂଗ୍ରାଚୁଲେଟ ଅଲ୍ ଓଡ଼ିଆଜ ହୁ ଗେଟ ପଦ୍ମଶ୍ରୀ ଅର୍ଥାତ ସେ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସମସ୍ତ ଓଡ଼ିଆଙ୍କୁ ଅଭିନନ୍ଦନ ଜଣେଇଥିଲେ। କିନ୍ତୁ ଗୀତାଙ୍କ ନାମ ନେଇ ନଥିଲେ। ଜାଣିବା ଶୁଣିବା ମହଲରୁ ଜଣାପଡ଼ିଛି ଯେ ଗୀତା ମେହେଟ୍ଟା ଏହି ପୁରସ୍କାର ଗ୍ରହଣ କରିଥିଲେ ବିଜେପି-ବିଜେଡି ସଂପର୍କ ନେଇ ଚର୍ଚ୍ଚା ସୃଷ୍ଟି କରିବାର ଆଶଙ୍କା ଥିଲା। ଗୀତା ସମ୍ଭବତ! ଏଇ ଆଶଙ୍କା କରୁଥିଲେ। ସହଜରେ ତ ବିଜେପି ଓ ବିଜେଡି ମଧ୍ୟରେ ଭିତିରି ସଂପର୍କ ରହିଛି ବୋଲି ରାଜନୀତିକ ମହଲରେ ଆଲୋଚିତ ହେଉଛି। ବିଜୁ ଜନତା ଦଳର ସାଂସଦମାନେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଅନେକ ନୀତି ଓ ନିଷ୍ପତ୍ତିକୁ ସମର୍ଥନ ଜଣେଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ରାଷ୍ଟ୍ରପତି ନିର୍ବାଚନ, ଜିଏସଟି, ସର୍ଜିକାଲ ଷ୍ଯ୍ରାଇକ ଆଦି କେନ୍ଦ୍ରର ଅନେକ ନିଷ୍ପତ୍ତିକୁ ଖୋଦ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣେଇଛନ୍ତି। ରାଜ୍ୟ ସ୍ତରୀୟ କଂଗ୍ରେସ ନେତାମାନେ ଏପରି ବାରମ୍ବାର ଅଭିଯୋଗ କରି ଆସୁଥିଲେ। ୨୦୧୯ ଜାନୁଆରୀ ୨୫ ତାରିଖରେ ଭୁବନେଶ୍ବର ନିକଟସ୍ଥ ତମାଣ୍ଡୋ ପଡ଼ିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେବା ଅବସରରେ ନରେନ୍ଦ୍ର-ନବୀନ ସଂପର୍କକୁ ସମାଲୋଚନା କରିଥିଲେ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ। ସେ କହିଥିଲେ, ଚୌକିଦାର ତ ଚୋର, ଏଠି ବି ଅନେକ ଚୋରୀ ହେଉଛି। ରାଫେଲ ଦୁର୍ନୀତି ନେଇ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାକୁ ଯାଇଁ ଚୌକିଦାର ହି ଚୋର୍‌ ହୈ ସ୍ଲୋଗାନ ବାହାର କରିଛନ୍ତି। ଓଡ଼ିଶାରେ ଚିଟ୍‌ ଫଣ୍ଡ ଓ ଖଣି ଆଦି ଦୁର୍ନୀତି କଥା ଉଠେଇ ସେ କହିଥିଲେ ଯେ ଚୌକିଦାର ବଟନ୍‌ ଟିପିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଉଠୁଛନ୍ତି, ସେ ପୁଣି ବଟନ ଟିପିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବସୁଛନ୍ତି। କାରଣ ଚିଟ୍‌ ଫଣ୍ଡ ଆଦି ଦୁର୍ନୀତି ଯୋଗୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ରିମୋଟ ପ୍ରଧାନମନ୍ତ୍ରୀଙ୍କ ହାତରେ ରହିଛି। ୨୦୧୯ ସାଧାରଣ ନିର୍ବାଚନ ପରେ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ସରକାର ଗଠନ ପାଇଁ ଯଦି ନବୀନ ପଟ୍ଟନାୟକଙ୍କ ସମର୍ଥନ ଆବଶ୍ୟକ ହୁଏ ସେ ତାହା ଯୋଗେଇଦେବେ। ଏବେ ରାଜ୍ୟ ରାଜନୀତିରେ ଏପରି ଏକ ଧାରଣା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଗୀତା ମେହେଟ୍ଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥାନ୍ତା। ତେଣୁ ସେ ନିଜ ସାନଭାଇ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସ୍ବାର୍ଥର ସୁରକ୍ଷା ପାଇଁ ଏହି ପୁରସ୍କାର ଗ୍ରହଣ କଲେନି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଅନେକ ବିଳମ୍ବରେ ପଦ୍ମ ପୁରସ୍କାର ପାଇଁ ଗୀତାଙ୍କ ନାମ ଚୟନ କରାଯାଇଛି ବୋଲି କୁହାଯାଉଛି। ତାଙ୍କର କର୍ମ କୋଲା ପୁସ୍ତକ ପ୍ରକାଶ ପାଇଥିଲା ୧୯୭୯ ମସିହାରେ। ସେ ବାଂଲାଦେଶ ଯୁଦ୍ଧର ସାମ୍ବାଦିକ ଥିଲେ ୧୯୭୧ ମସିହାରେ। ତାଙ୍କର ଅନ୍ୟ ଏକ ପୁସ୍ତକ ରାଜ୍‌ ପ୍ରକାଶ ପାଇଥିଲା ୧୯୮୯ରେ। ଏ ରିଭର ସୂତ୍ର ପ୍ରକାଶ ପାଇଥିଲା ୧୯୯୩ ମସିହାରେ। ତେଣୁ ଏବେ ୨୦୧୯ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯିବା ଅନେକ ବିଳମ୍ବର କଥା ବୋଲି କୁହାଯାଉଛି। ସେହିପରି ବିଜେଡି ନେତାମାନେ ଗୀତାଙ୍କ ବାପା ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ମାନ ଦେବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏଥର ଭାରତ ସରକାର ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ମରଣୋତ୍ତର ଭାବେ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାରଙ୍କ ପୂର୍ବୋଦୟ ନୀତି ଅନୁସାରେ ପଶ୍ଚିମ ବଙ୍ଗର ପ୍ରଣବ ମୁଖାର୍ଜୀ ଓ ଆସାମର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ବୋଲି କୁହାଯାଉଛି। ଏହି ଦୁଇ ନିଷ୍ପତ୍ତି ଯୋଗୁଁ ପଶ୍ଚିମ ବଙ୍ଗ ଓ ଆସାମରେ ଭାରତୀୟ ଜନତା ପାର୍ଟିର ସ୍ଥିତି ସୁଦୃଢ଼ ହେବ ବୋଲି ଆକଳନ କରାଯାଉଛି। ବିଜୁବାବୁଙ୍କୁ ଭାରତ ରତ୍ନ ଦେବା ପରିବର୍ତ୍ତେ ତାଙ୍କ ଝିଅ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପ୍ରଦାନ କରି ଓଡ଼ିଶାରେ ମଧ୍ୟ ବିଜେପି ନିଜର ସମର୍ଥନ ଭିତ୍ତି ବଢ଼ାଇବାକୁ ଉଦ୍ୟମ କରିଛି ବୋଲି ବିଜେପି ବିରୋଧୀ ରାଜନୀତିକ କର୍ମୀମାନ ମତ ପ୍ରକାଶ କରୁଛନ୍ତି।

Share :