ସୁବାସ ମହକିବ କି?

ସୁବାସ ମହକିବ କି?

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁରରେ ରାଜନେତା ରାତିପାହିଲେ କିଏ କେତେବେଳେ କ’ଣ କହି ପକାଉଛି ତା’ରି ଉପରେ ତର୍ଜମା ମଧ୍ୟ ଜୋର ଧରିଛି। ଏଠାରେ ରାଜନୀତିର ଅର୍ଥ କେବଳ ବିଜୁ ଜନତା ଦଳର କ୍ଷମତାଧୀନ କିଛି ହାତଗଣତି ନେତାଙ୍କ ଭିତରେ ସୀମିତ ରହିଆସୁଥିଲା ବେଳେ ବର୍ତ୍ତମାନ ନବୀନ ବାବୁଙ୍କ କରିସ୍ମା ଦୁଇଦଶନ୍ଧିର ଦେଖି କର୍ପୋରେଟରମାନେ ମଧ୍ୟ ବିଧାୟକ ହେବାକୁ କେବଳ ସ୍ୱପ୍ନ ଦେଖୁନାହାନ୍ତି ବରଂ କ୍ଷମତାଧାରୀମାନେ ମଧ୍ୟ ନିଜ ନିଜର ମନକଥା କହିପକାଇ ଏକ ରୋଚକ କାହାଣୀ ରଚନା କରିବାକୁ ମନସ୍ଥ କରି ସାରିଛନ୍ତି। କୋଡ଼ିଏ ବର୍ଷରେ ନବୀନ ବାବୁଙ୍କ ରାଜନୀତି ଆଜି ତାଙ୍କୁ ଶୀର୍ଷସ୍ଥାନରେ କେବଳ ପହଞ୍ଚାଇନି ବରଂ ପୋଖତ ରାଜନୈତିକ ଚିତ୍ରରେ ଦେଇଛି ଭିନ୍ନ ପରିଚୟ। ଶ୍ରେଷ୍ଠ ପ୍ରଶାସକଙ୍କ ଜିଲ୍ଲାରେ ସର୍ବାଧିକ ସମୟ ବିଧାୟକ ହୋଇ ଖଲିକୋଟ ରାଣୀଙ୍କ ସ୍ଥାନ ମନ୍ତ୍ରୀ ପଦକୁ ପଦୋନ୍ନତି ପାଇନାହିଁ। ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ୫ ଥର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇପାରି ନାହାନ୍ତି। ସେ ଷଷ୍ଠ ଥର ପାଇଁ ବିଧାୟକ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ଆଉ କୌଣସି ନୂଆମୁହଁ ଚିହ୍ନଟ କରି ନବୀନ ସୁନାକଳସ ଢ଼ାଳିବେ ଏହା ସଂଶୟ ଘେରରେ। ଗଂଜାମରେ ବିଜୁ ଜନତା ଦଳର ସଭାପତି ଭାବରେ ତିନି ତିନି ଥର ସୁବାସ ମହାରଣା ରହି ଶେଷରେ ବିଡ଼ିଏ ଅଧ୍ୟକ୍ଷ ଭାର ଗ୍ରହଣ କରିଲେ ସୁଦ୍ଧା ସେଇ ପଦବୀ ଓ କ୍ଷମତାରେ ଆଦୌ ସନ୍ତୋଷ ସେ ନିଜେ ନୁହନ୍ତି କି ସହରବାସୀଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହୋଇନାହାନ୍ତି। ଗଛ ମଣିଷ ସବୁବେଳେ ଧଳା କପଡ଼ା ସହ ହସହସ ମୁହଁରେ କିନ୍ତୁ ରାତିରୁ ରାତିଯାଏ ମଂଚରେ କେଉଁଠି ନା କେଉଁଠି ଛାପ ଛାଡ଼ି ଦିଅନ୍ତି ଏବଂ ରାତି ପାହିଲେ ସୁବାସ ମହାରଣାଙ୍କ କଥା ବ୍ରହ୍ମପୁର ବଡ଼ମେଡ଼ିକାଲ୍ ଷ୍ଟାଡ଼ିୟମରୁ ନେଇ ବିଭିନ୍ନ ସାଂସ୍କୃତିକ ମଂଚରେ ସଂପର୍କ ଯୋଡ଼ି ହୋଇଯାଏ। ସହର ସାରା ଲଣ୍ଡା ଘର ଭିତରେ ଗଛଗୁଡ଼ାକ ହସୁନାହାନ୍ତି କିନ୍ତୁ ଗଛମଣିଷ ମୁହଁରେ ହସ ଦେଖିଲେ ରାଜନୀତିରେ ତାଙ୍କର ଚମକ ଅମଳିନ। ଏମିତି ଏକ ମଣିଷର ରୁଚି ମଧ୍ୟ ରହିବା ସ୍ୱାଭାବିକ ଯେ କ୍ଷମତା ଯଦି ପାଦ ଚୁମିବ ଛାଡ଼ିବ ବା କିଏ ? ଏଇ ଆଧାରରେ ସୁବାସ ମହାରଣା ମନକଥା ଶୁଣାଇ କହିଦେଲେ ଯେ ମୁଁ ବ୍ରହ୍ମପୁର ମହାନଗର ମେୟର ପାଇଁ ସ୍ୱପ୍ନ ଦେଖିବାରେ କିଛି ଅସୁବିଧା ନାହିଁ। ଏପରି ଗୋଟିଏ ସୁସମ୍ୱାଦ ତାଙ୍କ ଶିବିରକୁ ଆଶ୍ୱସ୍ତି କରିଥିବାବେଳେ ଅନ୍ୟପକ୍ଷଙ୍କ ଶିରୋନାସ୍ତି ଶିର ପୀଡ଼ା ସମାନ ବେଦନା ଅସମ୍ଭାଳ କରିବାକୁ ଯାଉଛି। ସହରରେ ଟି. ଅନୀଲ କୁମାର, ଟି. ଗୋପୀ, ସଂଘମିତ୍ରା ଦଳେଇ, ବିକ୍ରମ ପଣ୍ଡା, ମମତା ବିଷୋୟୀଙ୍କ ପରି ଟାଣୁଆ ନେତାନେତ୍ରୀଙ୍କ ସ୍ଥାନ ଆଗାମୀ ନିର୍ବାଚନରେ କ’ଣ ହେବ। ବ୍ରହ୍ମପୁର ବିଧାୟକ ହସି ହସି ଟିକିଏ ଖଣ୍ଡିଏ ସୁରକ୍ଷିତ କରିନେଲେ ବିଧାନସଭା ପ୍ରାର୍ଥୀ ଭାବରେ ହୁଏତ ବିଜେଡ଼ିର କସରତ କମିଯିବ ନଚେତ୍ ଝାଳ ବୁହାଇ ଦେବାକୁ ଅନେକ ନେତା ତପିରତା ଦେଖାଇବାକୁ ମନ ବଳାଇବେ। କାରଣ ଗଂଜାମ ରାଜନୀତିରେ ନବୀନ ବାବୁଙ୍କ କଥାଠାରୁ ଅଧିକ ତୃତୀୟ ମହଲାର କଥା ଗୁରୁତ୍ୱ ବ୍ୟର୍ଥ କରିବା। ସୁବାସ ମହାରଣା, ଡ. ପ୍ରଦୀପ ପାଣିଗ୍ରାହୀ, ସଂଘମିତ୍ରା ଦଳେଇ, ପି. ଅନୀଲ ଏମାନେ ନିଶ୍ଚୟ ନିଜ ନିଜର ପେଡ଼ି ଖୋଲିବାକୁ ମାନସିକ କରୁଥିବେ। ବିକାଶ ସହରର ହେଉକି ନହେଉ ଏମାନଙ୍କ କ୍ଷମତାଭୋଗର ନିଶା କେବେ ବି କମ୍ ନୁହେଁ। ଖୁସୀ କରିବାକୁ ନବୀନଙ୍କ କୂଟନୀତି ଏଇ ୨୦୧୯ ନିର୍ବାଚନରେ ଫେଲ୍ ମାରିଲେ ବିପର୍ଯ୍ୟୟ ଡ଼ାକି ଆଣିବେ ଆଗାମୀ ମହାନଗର ନିର୍ବାଚନରେ। ମହାନଗର ନିର୍ବାଚନ ସମୟର ୱାର୍ଡ଼ ପିଛା ଆଶାୟୀ ସଂଖ୍ୟା ୧୦-୨୦ କର୍ପୋରେଟର ରହି ନିଜ ନିଜର ଗୋଟିଏ ଗୋଟିଏ ଭାବମୂର୍ତ୍ତି ତିଆରି କରିବା ସହ ଲୋକଙ୍କ ନିକଟତର ହେଲା ବେଳକୁ ଜାନବିଲ୍ ଜଳ ଯଦି ସହରକୁ ନ ମିଳିବ, ରାସ୍ତା ସାହିଗୁଡ଼ିକ କେବଳ ଖୋଳି ପକାଇ ପବନ ପୁରାଇବା ସାର ହେବ। ବ୍ରହ୍ମପୁର ରାଜନୀତି ଗରମ ନୁହେଁ ବରଂ ଅନେକ କ୍ଷେତ୍ରରେ ବିଲ୍ଫୋରଣ ହେବାର ସମ୍ଭାବନା ଅଧିକ। ବିଜେଡ଼ିର ଅନ୍ତର୍ବନ୍ଦ ଶୀତଳ ଯୁଦ୍ଧକୁ ଡ଼ାକି ଆଣିବା ପାଇଁ ନବୀନ ଯଦି ମସୁଧା ନକରି ନିଜର ଗୋଟି ଚାଳନାରେ କିଛି ସକ୍ ଟ୍ରିଟ୍ମେଣ୍ଟ କରିବେ ଅନେକ ନେତା ଡ଼ିଆଁ ଡେ଼ଇଁ ହୋଇ ଖସିବାର ସମ୍ଭାବନା ଅଧିକ। କଂଗ୍ରେସରେ ରହି ବିଜେଡ଼ିର ସଂପର୍କ ସୁଦୃଢ଼ କରୁ କରୁ ଦୁଇ ତିନିନେତା ଧଶେଇ ପଶିଲେ ବିଜେଡ଼ିରେ। ଏମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡାଙ୍କ ସ୍ଥାନ ମଧ୍ୟ ଅସୁରକ୍ଷିତ ବୋଲି କୁହାନଯାଇପାରେ କାରଣ ଏମାନଙ୍କୁ ଦୂରେଇ ଯଦି କଂଗ୍ରେସର କମ କିନ୍ତୁ ବିଜେଡ଼ିରେ ସାମିଲ କରି ବଡ଼ ସମସ୍ୟା ମଧ୍ୟ ଟାଣିହୋଇଯାଇଛି। ସମସ୍ତଙ୍କ ମନ ଜିଣିବା ପୂର୍ବରୁ ବିଡ଼ିଏ ଚେୟାରମ୍ୟାନଙ୍କ ମନକଥା ଶୁଣିଲା ପରେ ସବୁ ଆଶା ସ୍ୱପ୍ନ ମିଳେଇ ଯିବାର ସମ୍ଭାବନା ଅଧିକ କିଛି ନେତାଙ୍କର କାରଣ କ୍ୟାରିୟରରେ ଭଲ ଓ ଏହା ସହ ନାମକରା ନେତା ଭିତରେ ସୁବାସ। ସୁବାସ ଓ ନବୀନ ନିବାସରେ ମଧ୍ୟ ତାଙ୍କ ସୁବାସର ମହକ ସତେଜ। ଆଗାମୀ ଦିନରେ ବିଧାୟକ ଓ ମେୟର ପଦ ନିଶ୍ଚୟ ବିଜେଡ଼ି ପାଇଁ ଏକ ବିବାଦୀୟ ପଦବୀ ବୋଲି କହିଲେ ଅତ୍ୟୁକ୍ତି ହେବନି। ଲଢ଼େଇ ହେବ ଜୋର୍ ଯାର ମୂଲକ ତାର।

Share :