ଫିଡେଲ କାଷ୍ଟ୍ରୋ ହେଇପାରିଲେନି ନବୀନ ପଟ୍ଟନାୟକ!

ଫିଡେଲ କାଷ୍ଟ୍ରୋ ହେଇପାରିଲେନି ନବୀନ ପଟ୍ଟନାୟକ!

Share :

ସରଳ କୁମାର ଦାସ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଗଠିତ ଗୋଟିଏ ଉତ୍ସର୍ଗୀକୃତ ବାହିନୀ କିପରି ଚମତ୍କାରିତା ପ୍ରଦର୍ଶନ କରିପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କ୍ୟୁବାର କନରାଡୋ ବେନିତେଜ ବ୍ରିଗେଡ। କ୍ୟୁବା ବିପ୍ଳବ ପରେ ୧୯୫୯ରେ ଫିଡେଲ କାଷ୍ଟ୍ରୋ କ୍ଷମତା ଦଖଲ କଲା ବେଳକୁ ଦେଶରେ ସାକ୍ଷରତା ହାର ୬୦-୭୦ ପ୍ରତିଶତ ଥିଲା। ଯେ ପର୍ଯ୍ୟନ୍ତ ଦେଶର ସବୁ ଲୋକ ସାକ୍ଷର ଓ ଶିକ୍ଷିତ ହୋଇନାହାନ୍ତି, ସେ ଯାଏଁ ସେମାନଙ୍କ ନିକଟରେ ସରକାରଙ୍କ ବାର୍ତ୍ତା ଓ କାର୍ଯ୍ୟକ୍ରମ ସଠିକ ଭାବେ ପହଂଚାଇ ହେବ ନାହିଁ କି ସେମାନେ ସେଥିରୁ ଲାଭ ପାଇପାରିବେ ନାହିଁ ବୋଲି କାଷ୍ଟ୍ରୋଙ୍କର ଦୃଢ ଧାରଣା ଥିଲା। ତେବେ ସେଥିପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା କିପରି ଅପହଂଚ ଅଂଚଳରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ଓ ସେଠାରେ ଥିବା ନିରକ୍ଷରଙ୍କୁ ସାକ୍ଷର କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଏହା ହାସଲ କରିବାର ଲକ୍ଷ୍ୟ ରଖି ୧୯୬୧ ମସିହାକୁ ‘ଶିକ୍ଷା ବର୍ଷ’ ଭାବେ ଘୋଷଣା କରାଗଲା ଓ ‘ଜାତୀୟ ସାକ୍ଷରତା ଅଭିଯାନ’ ସେହି ବର୍ଷ ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ୨୨ ଡିସେମ୍ୱର ଯାଏଁ ଚାଲିଥିଲା। ଗାଁ ଗଣ୍ଡାରେ ସ୍କୁଲ ତିଆରି କରିବା, ନୂଆ ଶିକ୍ଷକମାନଙ୍କୁ ତାଲିମ ଦେବା ଓ ନିରକ୍ଷର ଚାଷୀଙ୍କୁ ସାକ୍ଷର କରିବାର ଲକ୍ଷ୍ୟ ରଖି କାଷ୍ଟ୍ରୋ ସାକ୍ଷରତା ବାହିନୀମାନ ଗଠନ କରି ସେଠାକୁ ପଠାଇଲେ। ଏହି ବାହିନୀଗୁଡିକରେ ଥିଲେ ସହରାଂଚଳର କଳ କାରଖାନାମାନଙ୍କରେ କାମ କରୁଥିବା ହଜାର ହଜାର ଶ୍ରମିକ ଓ ୧୫ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ। ଅନେକଙ୍କ ଭଳି ଏହି ଅଭିଯାନରେ େସ୍ୱଚ୍ଛାସେବୀ ଭାବେ ସାମିଲ ହେବାକୁ ଆଗେଇ ଆସିଲେ ୧୮ ବର୍ଷୀୟ ତରୁଣ କନରାଡୋ ବେନିତେଜ। ଅତି ଗରିବ ପରିବାରରୁ ଆସିଥିବା ବେନିତେଜ ନିଜ ବାଲ୍ୟାବସ୍ଥାରେ ନିଜ ଗୁଜୁରାଣ ମେଂଟାଇବା ପାଇଁ ଜୋତା ପାଲିସ କରିବାଠାରୁ ଆରମ୍ଭ କରି ପାଉଁରୁଟି କାରଖାନାରେ କାମ କରିବା ଭଳି ଅନେକ ଛୋଟ ବଡ଼ କାମ କରି ସାରିଥିଲେ। ତାଙ୍କୁ କିଛିଟା ମୌଳିକ ତାଲିମ ପ୍ରଦାନ କରାଯାଇ ଶିକ୍ଷକ ଭାବେ ଏସକାମ୍ୱ୍ରେ ପାର୍ବତ୍ୟାଂଚଳକୁ ପଠାଗଲା। ସେଠାରୁ ତାଙ୍କୁ ଲା ସିଏରିଟା ନାମକ ଏକ ସ୍ଥାନକୁ ବଦଳି କରାଗଲା ଯେଉଁଠାରେ ୪୪ ଜଣ ଛାତ୍ରଙ୍କୁ ପଢାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହେଲା। କ୍ୟୁବାର ସାକ୍ଷରତା ଅଭିଯାନ ସଫଳ ହେଲେ ସାଧାରଣ ଜନତାଙ୍କ ମଧ୍ୟରେ କାଷ୍ଟ୍ରୋ ତଥା କମ୍ୟୁନିଷ୍ଟମାନଙ୍କ ଗ୍ରହଣୀୟତା ବଢିଯିବାର ଆଶଙ୍କା କରି ଏହାକୁ ଭଣ୍ଡୁର କରିବା ପାଇଁ ଆମେରିକାର ସିଆଇଏ ପକ୍ଷରୁ ଷଡଯନ୍ତ୍ର ହୋଇ ପ୍ରତି-ବିପ୍ଳବୀ (କାଉଂଟର ରିଭଲ୍ୟୁସନାରୀ)ଙ୍କ ସହାୟତାରେ େସ୍ୱଚ୍ଛାସେବୀ ଶିକ୍ଷକମାନଙ୍କୁ ଧମକ ଚମକଠାରୁ ଆରମ୍ଭ କରି ଆକ୍ରମଣ ହେବାକୁ ଲାଗିଲା। ଜାନୁଆରୀ ୪, ୧୯୬୧ରେ ଏହାର ଶିକାର ହେଲେ ବେନିତେଜ। ପ୍ରତିପକ୍ଷର କିଛି ଅସ୍ତ୍ରଶସ୍ତ୍ରଧାରୀ ତାଙ୍କୁ ମାଡ଼ ମାରି ଅପହରଣ କରି ନେଲେ ଓ ତାଙ୍କୁ ପ୍ରତି-ବିପ୍ଳବ ନେତା ରାମିରେଜଙ୍କ ସମ୍ମୁଖରେ ହାଜର କରାଗଲା। ଶିକ୍ଷକତା ଛାଡ଼ି ସେମାନଙ୍କ ସହ ଯୋଗ ଦେଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଗଲା। ସେ ତାହା ଗ୍ରହଣ ନକରି କହିଥିଲେ ଯେ ଯେଉଁ ୪୪ ଜଣ ଛାତ୍ରଙ୍କୁ ପଢାଇବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି ସେମାନଙ୍କୁ ଛାଡ଼ି ସେ ଯାଇପାରିବେ ନାହିଁ। ଏଥିରେ କ୍ଷୁବ୍ଧ ହୋଇ ତାଙ୍କୁ ଓ ଅନ୍ୟ ଜଣେ ଚାଷୀଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଗଲା ଓ ସେମାନଙ୍କ ମୃତଦେହକୁ ଗଛରେ ଟଙ୍ଗାଇ ଦେଇ ପ୍ରତି-ବିପ୍ଳବୀମାନେ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଚାହୁଁଚାହୁଁ ବେନିତେଜଙ୍କ ଚରମ ବଳିଦାନର ସମ୍ୱାଦ ବିଜୁଳି ବେଗରେ ସମଗ୍ର କ୍ୟୁବାରେ ବ୍ୟାପିଗଲା। ଯୁବକଙ୍କ ମଧ୍ୟରେ ଏହି ଘଟଣାର ଏଭଳି ପ୍ରତିକ୍ରିୟା ହେଲା ଯେ ସେମାନେ ସ୍ୱତଃପ୍ରବୃତ୍ତ ଭାବେ ସାକ୍ଷରତା ଅଭିଯାନରେ ଝାସ ଦେଲେ। ଆଉ ସେମାନଙ୍କୁୁ ପ୍ରେରଣା ମିଳିଥିଲା କାଷ୍ଟ୍ରୋଙ୍କର ଚୁମ୍ୱକୀୟ ବ୍ୟକ୍ତିତ୍ୱରୁ। କମ ବୟସ ଯୋଗୁ କ୍ୟୁବା ବିପ୍ଲବରେ ଅଂଶ ଗ୍ରହଣ କରି ପାରି ନଥିବା ଏହି କିଶୋର କିଶୋରୀମାନଙ୍କଠାରେ ସାକ୍ଷରତା ଅଭିଯାନରେ ସାମିଲ ହୋଇ ଦେଶ ପାଇଁ କିଛି କରିବା ଏକ ସୌଭାଗ୍ୟର ବିଷୟ ହୋଇପଡିଲା। ୧୦ରୁ ୧୯ ବର୍ଷ ବୟସର ଏହି ଭଳି ପ୍ରାୟ ଏକ ଲକ୍ଷ େସ୍ୱଚ୍ଛାସେବୀଙ୍କୁ ନେଇ ଗଠିତ ହେଲା କନରାଡୋ ବେନିତେଜ ବ୍ରିଗେଡ। ସେମାନଙ୍କୁ ଉଦବୋଧନ ଦେଇ କାଷ୍ଟ୍ରୋ କହିଥିଲେ, ‘ତୁମେ ପଢାଇବ ଆଉ ତୁମେ ଶିଖିବ।’ ଏହି ସାକ୍ଷରତା ବାହିନୀରେ ସାମିଲ ପ୍ରତ୍ୟେକଙ୍କୁ ମିଳିଥିଲା ଧୂସର ବର୍ଣ୍ଣର ୟୁନିଫର୍ମ, ଗୋଟିଏ କମ୍ୱଳ, ଶୋଇବା ପାଇଁ ଗୋଟିଏ ଦଉଡି ତିଆରି ଝୁଲା, ରାତିରେ ପଢାଇବା ପାଇଁ ଗୋଟିଏ ଗ୍ୟାସ ଲାଇଟ ଓ ଦୁଇଟି ବହି (‘ଆମେ ପଢିବା’ ଓ ‘ଆମେ ଜିତିବା’)। ସେମାନେ ଦେଶ ଗଠନର ଏହି ମହତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ନିଜ ଜୀବନର ଗୋଟିଏ ଲେଖାଏଁ ବର୍ଷ ଦେଶକୁ ଦାନ କରିଥିଲେ। କ୍ୟୁବାର ଜାତୀୟ ସାକ୍ଷରତା ଅଭିଯାନରେ ଥିବା ଚାରୋଟି ବ୍ରିଗେଡରେ ୨ ଲକ୍ଷରୁ ଊର୍ଦ୍ଧ୍ୱ େସ୍ୱଚ୍ଛାସେବୀ ସାମିଲ ହୋଇଥିଲେ। ଏମାନେ ବର୍ଷକ ମଧ୍ୟରେ ଦେଶର ସାତ ଲକ୍ଷରୁ ଊର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କଲେ ଓ ସାକ୍ଷରତା ହାର ବଢି ୯୬ ପ୍ରତିଶତରେ ପହଂଚିଲା। ପୂର୍ବେ ପିଲାଙ୍କୁ ପଢାଇବା ପାଇଁ ଗାଁଗଣ୍ଡାରେ ଶିକ୍ଷକଙ୍କ ଅଭାବ ଥିଲା। ଅଭିଯାନର ଫଳସ୍ୱରୂପ ଶିକ୍ଷକଙ୍କ ଉପଲବ୍ଧତା ପ୍ରାୟ ୧୧ଗୁଣ ବଢିଗଲା। ଘରୋଇ ଶିକ୍ଷାଦାନ ବ୍ୟବସ୍ଥା ଯୋଗୁ ଅନେକ ପିଲା ଶିକ୍ଷା ପାଇବାରୁ ବଂଚିତ ହେଉଥିଲେ। ଶିକ୍ଷାଦାନ ବ୍ୟବସ୍ଥା ଜାତୀୟକରଣ ହେବାରୁ ସ୍କୁଲମାନଙ୍କରେ ଅଧିକ ଛାତ୍ର ପଢିବାର ସୁଯୋଗ ପାଇଲେ ଓ ୧୯୮୬ ସୁଦ୍ଧା ଦେଶରେ ଶତ ପ୍ରତିଶତ ସ୍କୁଲ ଯିବା ବୟସର ପିଲା ସ୍କୁଲରେ ନାମ ଲେଖାଇଲେ। ବିଶେଷ ବଜେଟୀୟ ଆବଂଟନ ନଥାଇ ଜଣେ ନେତା ନିଜର ଚୁମ୍ୱକୀୟ ନେତୃତ୍ୱର ଆକର୍ଷଣରେ ଦେଶ ଗଠନ କରିବା ପାଇଁ ଦେଶବାସୀଙ୍କୁ େସ୍ୱଚ୍ଛାକୃତ ସେବା ପ୍ରଦାନ କରିବା ପାଇଁ କିପରି ଆକୃଷ୍ଟ କରିପାରେ, କାଷ୍ଟ୍ରୋ ହିଁ ତାହାର ଏକ ଜ୍ୱଳନ୍ତ ଉଦାହରଣ। ଓଡିଶାର ପଂଚାୟତ ଓ ପୌରାଂଚଳରେ ସରକାରଙ୍କ ଦ୍ୱାରା ୮୦୦୦ ‘ବିଜୁ ଯୁବ ବାହିନୀ’ ଗଠନ ହେବା କଥା ଘୋଷଣା ହେବା ପରେ ଏଥିରେ ପ୍ରାୟ ୫ ଲକ୍ଷ ଯୁବକ ଯୁବତୀ ଯୋଗ ଦେଇ ସାରିଲେଣି। ସଦସ୍ୟମାନଙ୍କୁ କୌଣସି ଦରମା ବା ଭତ୍ତା ମିଳିବାର ବ୍ୟବସ୍ଥା ନଥିଲେ ମଧ୍ୟ ପ୍ରତି ଯୁବ ବାହିନୀକୁ ବାର୍ଷିକ ଦେଢ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ, ଯେଉଁଥିପାଇଁ ସରକାର ଆଗାମୀ ୩ ବର୍ଷରେ ୪୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ଏମାନଙ୍କୁ କଳା, ସଂସ୍କୃତି, ଖେଳ, ସମାଜ ସେବା ଆଦି ବିଭିନ୍ନ କାର୍ଯ୍ୟରେ େସ୍ୱଚ୍ଛାକୃତ ଭାବେ ସେବା ପ୍ରଦାନ କରିବାକୁ ପ୍ରବର୍ତ୍ତାଇବାର ଲକ୍ଷ୍ୟ ଥିଲେ ମଧ୍ୟ ଯୁବ ବାହିନୀର ନିଜସ୍ୱ ସେପରି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥିବାରୁ ଏମାନଙ୍କ ନିକଟରେ ଯୋଜନାବଦ୍ଧ ଢଙ୍ଗରେ କିଛି କରିବା ପାଇଁ ନାହିଁ ଓ ପ୍ରତ୍ୟେକେ ନିଜ ନିଜ ଅନୁସାରେ ବିକ୍ଷିପ୍ତ ଢଙ୍ଗରେ କିଛି କରୁଛନ୍ତି, ଯାହା ହୁଏତ ଦୃଶ୍ୟମାନ ହେଉନାହିଁ ଅଥବା ତାର ସୁଫଳ ମାପି ହେଉନାହିଁ। ଫଳରେ ଉଭୟ ଅର୍ଥ ଓ ଯୁବକଙ୍କର ଶକ୍ତି ଓ ସମୟର ଅପଚୟ ହେଉଛି। ଏହା ଏକ ଯୋଜନାବଦ୍ଧ ଢଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାରେ ବିନିଯୋଗ କରାଗଲେ ତାହା ରାଜ୍ୟ ଗଠନରେ ସହାୟକ ହୁଅନ୍ତା। ଉଦାହରଣ ସ୍ୱରୂପ ନବରଙ୍ଗପୁର, ମାଲକାନଗିରି ଭଳି ଜିଲ୍ଲାରେ ଏବେ ମଧ୍ୟ ନିରକ୍ଷରତା ଏକ ମୁଖ୍ୟ ସମସ୍ୟା ହୋଇ ରହିଥିବାରୁ ବର୍ଷକ ମଧ୍ୟରେ ତାହା ଦୂର କରି ଶତ ପ୍ରତିଶତ ସାକ୍ଷରତା ହାସଲ କରିବାକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇପାରେ। ‘ବିଜୁ ଯୁବ ବାହିନୀ’ ଶାସକ ଦଳର ହାତ ବାରିସୀ ସାଜିଛି ବୋଲି ନିକଟରେ ବିରୋଧୀ ଦଳର ନେତା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ ସତ୍ୟତା ଥାଉ କି ନଥାଉ, ସରକାରୀ ଛାପ ଲଗାଇ ନିଜର ପତିଆରା ଦେଖାଇବାକୁ ବ୍ୟସ୍ତ ମୁଷ୍ଟିମେୟ ଅସାମାଜିକ ଯୁବକ ଏଥିରେ ସାମିଲ ହୋଇଥିବାରୁ ସେମାନଙ୍କ ଅଶୋଭନୀୟ ଆଚରଣ ଯୋଗୁୁ ‘ବିଜୁ ଯୁବ ବାହିନୀ’ ବାରମ୍ୱାର ବିବାଦ ଘେରକୁ ଆସି ଏହାର ବିଶ୍ୱସନୀୟତା ହରାଉଛି। କ୍ରମଶଃ ‘ବିଜୁ’ ନାମ ସଂଯୁକ୍ତ ଯେ କୌଣସି ଯୋଜନା ବା କାର୍ଯ୍ୟକ୍ରମ ଏକ ଦଳୀୟ କାର୍ଯ୍ୟକ୍ରମର ଭ୍ରମ ସୃଷ୍ଟି କରୁଥିବାରୁ ଏହା ସମାବେଶୀ ହୋଇ ପାରୁନାହିଁ, ଯାହା ପରୋକ୍ଷରେ ବିଜୁବାବୁଙ୍କ ପ୍ରତି ଅସମ୍ମାନ ଭଳି ମନେ ହେଉଛି। ତେଣୁ ଏହି ଯୁବ ବାହିନୀର ନାମ ପରିବର୍ତ୍ତନ କରି ‘ଓଡିଶା ଯୁବ ବାହିନୀ’ ବା ବାଜି ରାଉତଙ୍କ ଭଳି ଓଡ଼ିଶାର ଜଣେ ପ୍ରେରଣାଦାୟକ ବାଳକଙ୍କ ନାମାନୁସାରେ ‘ବାଜି ଯୁବ ବାହିନୀ’ ରଖାଗଲେ ତାହା ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବା ସହ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ ଓ ଏଥି ସହ ସାମିଲ ହେଉଥିବା ରାଜ୍ୟର ଯୁବକମାନେ ଦଳୀୟ ରାଜନୀତିର ଊର୍ଦ୍ଧ୍ୱକୁ ଉଠି କନରାଡୋ ବେନିତେଜ ବ୍ରିଗେଡ ପରି ନିଜକୁ ଦେଶ ଗଠନରେ ନିୟୋଜିତ କରି ପାରିବେ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ, ଭୁବନେଶ୍ୱର- ୭୫୧୦୧୨ ମୋ-୯୪୩୭୦୩୮୦୧୫

Share :