ରାଜନୀତିରେ ମାଡ଼ତତ୍ତ୍ୱ

ରାଜନୀତିରେ ମାଡ଼ତତ୍ତ୍ୱ

Share :

ପ୍ରକାଶ ରଥ ଓଡ଼ିଶା ରାଜନୀତିର ଲୋକପ୍ରିୟ ରାଜନେତା ବିଜୁବାବୁ ଶାସନ ପ୍ରକ୍ରିୟାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ କାର୍ଯ୍ୟକଳାପକୁ ଦେଖି ‘କାମ ନ କଲେ ଅଫିସରଙ୍କୁ ବାଡ଼ାଅ’ ବୋଲି ଆହ୍ୱାନ ଦେଇଥିଲେ। ଏବେ କିନ୍ତୁ ଅଫିସରଙ୍କ ନିର୍ଦ୍ଦେଶରେ ରାଜନେତା ମାଡ଼ ଖାଉଛନ୍ତି। ଉତ୍ତର ପ୍ରଦେଶ, ବିହାର ଓ ଦକ୍ଷିଣାଞ୍ଚଳରେ ରାଜନେତାମାନେ ଗ୍ରାମରୁ ଆରମ୍ଭ କରି ରାଜରାସ୍ତା ତଥା ବିଧାନସଭାରେ ମାରପିଟ୍ ହେବାର ଚିତ୍ର ଦେଖିବାକୁ ମିଳିଥାଏ। ବିଦେଶରେ ମଧ୍ୟ ଏହା ସାମାନ୍ୟ କଥା। ଓଡ଼ିଶା ଭଳି ଏକ ଆଧ୍ୟାମିିକ ତଥା ସଂସ୍କୃତି ସମ୍ପନ୍ନ ରାଜ୍ୟରେ ଏହା କ୍ୱଚିତ୍ ଦେଖିବାକୁ ମିଳେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ସମୟରେ କୁଟନୀତି ସହ ମାଡ଼ତତ୍ତ୍ୱକୁ ମଧ୍ୟ କ୍ୱଚିତ୍ ବ୍ୟବହାର କରାଯାଉଥିଲା। ପରବର୍ତ୍ତୀ ସମୟରେ ମହତାବଙ୍କ ପଟ୍ଟଶିଷ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଏହାର ବ୍ୟାପକ ଉପଯୋଗ କରାଗଲା। ବିରୋଧୀଙ୍କ ଠାରୁ ବର୍ତ୍ତିବା ପାଇଁ ହେଉ ବା ସମାଲୋଚକମାନଙ୍କୁ ପରାଭବ ଦେବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ବୋଲି ସମର୍ଥକମାନେ କହୁଥିଲେ। ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମଧ୍ୟ ଏକ ରାଜନୈତିକ ହତ୍ୟା ଥିଲା। ୧୯୯୩ ମସିହାରେ କଂଗ୍ରେସ ଭବନରେ ଦୁଇଗୋଷ୍ଠୀଙ୍କ ଗଣ୍ଡଗୋଳ ରାଜରାସ୍ତାକୁ ଆସିଯାଇ ତତ୍କାଳୀନ ବରିଷ୍ଠ ନେତା ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କୁ ଗୁଣ୍ଡାମାନେ ଶାରୀରିକ ଭାବେ ଆକ୍ରମଣ କରିବା ସହ ତାଙ୍କଠାରୁ ଜିନିଷ ଲୁଟ୍ କରିବା ଅଭିଯୋଗ ହୋଇଥିଲା। ଏଥିସହ ଏହି ଗଣ୍ଡଗୋଳରେ ପିପିଲିର ପୂର୍ବତନ ବିଧାୟକ ବିପିନ ଦାଶ ଓ ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା େବେଳ ଜାନକୀ ବାବୁଙ୍କୁ ମଧ୍ୟ କଲିଙ୍ଗ ବେଲ୍ ସାହାଯ୍ୟରେ ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା ବୋଲି ଅଭିଯୋଗ ଥିଲା। ନିଜର ଦବ୍ଦବା ବଜାୟ ରଖିବା ନିମନ୍ତେ ପୂର୍ବତନ ରେଳମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କୁ ଦଳର ବରିଷ୍ଠ ନେତ୍ରୀଙ୍କ ଇଙ୍ଗିତରେ ବାରମ୍ୱାର ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ମଧ୍ୟ ନିଜ ଦଳର ନେତାମାନେ ଆକ୍ରମଣ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ନିଜ ଘରକୁ ନେଇଯିବାରୁ ସେତେବେଳର କଂଗ୍ରେସ ମୁଖପାତ୍ର ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କୁ ଦଳର ଯୁବବାହିନୀ ମୁଖ୍ୟ ଓ କର୍ମକର୍ତ୍ତାମାନେ ଉଠ୍ବସ କରାଇବା ସହ ତାଙ୍କ ଘରର ଗେଟ୍ ଭାଙ୍ଗି ଦେଇଥିଲେ। ଯାହାଫଳରେ ବୈଷ୍ଣବ ବାବୁ ସ୍ୱର୍ଗତ ପ୍ରଫେସର ମନ୍ମଥ ନାଥ ଦାସ ଓ ବ୍ରଜମୋହନ ମହାନ୍ତି, ବହୁ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଧରି ‘ରାଜ୍ୟ ଅପରାଧୀକରଣ ବିରୋଧୀ ମଞ୍ଚ’ ଗଠନ କରି ଜାନକୀ ବାବୁଙ୍କୁ ବିରୋଧ କରିବା ଆରମ୍ଭ କରିଦେଲେ। ଜାନକୀଙ୍କ ଜାମାତା ପୂର୍ବତନ ଲୋକସଭା ସଦସ୍ୟ ତଥା ବରି ସାମ୍ୱାଦିକ ସୌମ୍ୟ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଓ ସଦସ୍ୟାଙ୍କ ଘରେ ଟେକାମାଡ଼ କରି ଝରକା କବାଟ ଭାଙ୍ଗି ଦିଆଯାଇଥିବା ବେଳେ ଅପରପଟେ ସୌମ୍ୟଙ୍କ ପାଇଁ ଆନ୍ଦୋଳନ କରାଯାଉଥିବା ଅସ୍ଥାୟୀ ଟେଣ୍ଟକୁ ବିରୋଧୀ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା। ୧୯୯୦ ମସିହାରେ ବିଜୁବାବୁଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବା ପରେ ବିଧାନସଭାରେ ଜଣେ ମାନ୍ୟବର ସଭ୍ୟଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲି। କାରଣ ଥିଲା ଉକ୍ତ ମାନ୍ୟବର ସଭ୍ୟ ୧୯୮୯ ମସିହାରେ ଜଣେ ବିଖ୍ୟାତ ବାହୁବଳୀ ଭାବେ ପରିଗଣିତ ଥିଲେ। ସରକାରୀ ଅଫିସରଙ୍କ ମନୋମୁଖୀ କାରଣ ଯୋଗୁ ବିଜୁବାବୁ ବ୍ୟଥିତ ହୋଇ କାମ ନ କଲେ ଅଫିସରଙ୍କୁ ବାଡ଼ାଅ ବୋଲି ଜନତାଙ୍କୁ ଆହ୍ୱାନ ଦେଇଥିଲେ। ଫଳସ୍ୱରୂପ ବିଜୁବାବୁ ନିଜେ ହିଁ ସଚିବାଳୟ କର୍ମଚାରୀମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେଲେ। ନିଜେ ବିଜୁବାବୁ ବେଳେବେଳେ ସର୍ବସାଧାରଣରେ କିଛି କିଛି ବ୍ୟକ୍ତିବିଶେଷଙ୍କୁ ବିରକ୍ତ ହୋଇ ନିଜ ବିରାଟ ହସ୍ତ ସାହାଯ୍ୟରେ କାହାକୁ ଚାପୁଡ଼ାଟେ ତ କାହାକୁ ଧକ୍କାଟିଏ ମାରୁଥିଲେ। କିନ୍ତୁ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତିଟିକୁ ଡ଼ାକି ତାର ସମସ୍ୟାର ତୁରନ୍ତ ସମାଧାନ ମଧ୍ୟ କରୁଥିଲେ। ୧୯୯୫ମସିହାରେ ପୁଣି ନୂତନ ସରକାର ଗଠନ ପରେ ମାଡ଼ତତ୍ତ୍ୱ କ୍ରମଶଃ ଉଗ୍ର ରୂପ ନେଉଥିଲା। ରାଜନୈତିକ ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ଯେନତେନ ପ୍ରକାରେ ଅଟକାଇବା ପାଇଁ ଏହାକୁ ବ୍ୟବହାର କରାଗଲା। ବିଜୁଙ୍କ ଅନ୍ତେ ବିଜୁ ଅନୁଗାମୀମାନେ ନବୀନଙ୍କୁ ରାଜନୀତିକୁ ଆଣି ମୁଖ୍ୟମନ୍ତ୍ରୀ କରାଇଲେ। ରାଜନୀତି ପ୍ରତି ବିତୃଷ୍ଣା ଭାବ ଥିବା ବୋଲି କୁହାଯାଉଥିବା ନବୀନଙ୍କୁ ଆସ୍ତେ ଆସ୍ତେ ଓଡ଼ିଶା ରାଜନୀତି ସୁହାଇଗଲା। ନିରଙ୍କୁଶ ଭାବେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହୋଇରହିଲେ। ରାଜନୀତିର ପଶାପାଲିରେ ବହୁ ବରି ବିଜୁ ଅନୁଗତଙ୍କୁ ଦଳରୁ ଦୂରେଇ ରଖି ସେ ଏକପ୍ରକାର ଶତୃମୁକ୍ତ ହୋଇ ଆଜି ପର୍ଯ୍ୟନ୍ତ ରହିଛନ୍ତି। ନବୀନଙ୍କ ଶାସନ ସମୟ ବଢି ଚାଲୁଥିବାବେଳେ ତାଙ୍କ ଦଳର କିଛି ଯୁବ ବିଧାୟକ ଓ ନେତା ଏହି ମାଡ଼ତତ୍ତ୍ୱକୁ ଏବେ ଆପଣେଇ ନେଇଛନ୍ତି। ଆନ୍ଦୋଳନକାରୀଙ୍କୁ ନିଜେ ବିଧାୟକ ଓ ମନ୍ତ୍ରୀମାନେ ମାଡ଼ ମାରିବା, ନିଜ ନିର୍ବାଚନ ମଣ୍ଡଳୀରେ କର୍ମୀମାନଙ୍କୁ ଗୋଡେ଼ଇ ଗୋଡେ଼ଇ ପିଟିବା ଭଳି କେତେକ ଘଟଣା ବିଜେଡ଼ି ପାଇଁ ଚିନ୍ତାର ବିଷୟ। ନଗଦରେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଜଣେ ବୁଦ୍ଧିଜିବୀ ଭାବେ ପରିଚିତ ଖାରବେଳ ସ୍ୱାଇଁଙ୍କୁ ତାଙ୍କ ପଥପ୍ରାନ୍ତ ସଭାଗୁଡ଼ିକରେ ଯେଭଳି ଭାବେ ଆକ୍ରମଣ କରାଗଲା ଓ ବିଶେଷକରି ରାୟଗଡ଼ା କାଶିପୁରରେ ଶାରୀରିକଭାବେ ଚାପୁଡ଼ା ଓ ବିଧା ମାରି ତାଙ୍କୁ ଆହତ କରାଗଲା, ତାହା ଅତ୍ୟନ୍ତ ଅମାନବୀୟ ଘଟଣା। ଏହି ଘଟଣାକୁ ଓଡ଼ିଶାବାସୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଭିଜିଲାନ୍ସ ତଦନ୍ତ ଦେଇଛନ୍ତି। ନବୀନଙ୍କୁ ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିବା ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଖାରବେଳଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବା ଉଚିତ୍। ଗଣତନ୍ତ୍ରରେ ମାଡ଼ତତ୍ତ୍ୱ ସ୍ପୃହଣୀୟ ନୁହେଁ। ରାଜନୀତିରେ ମତଭେଦ ହୋଇପାରେ, କିନ୍ତୁ ମନଭେଦ ହେବା ଉଚିତ୍ ନୁହେଁ। ବିଜେପୁର ଉପନିର୍ବାଚନରେ ନବୀନଙ୍କୁ ଚପଲ ମାରିବା ଘଟଣା ସେତେବେଳେ ବିଜେଡ଼ି ପାଇଁ ଆଶୀର୍ବାଦ ସ୍ୱରୂପ ହୋଇଥିଲା ଯାହାକି ଏହି ମାଡ଼ତତ୍ତ୍ୱରେ ବିଶ୍ୱାସ କରୁଥିବା ରାଜନେତାମାନଙ୍କୁ ଏକ ଚେତାବନୀ ସଦୃଶ। ଓଡ଼ିଶା ଏକ ଗରିବ ରାଜ୍ୟ ବୋଲି ପ୍ରବାଦ ରହିଛି। କିନ୍ତୁ ଓଡ଼ିଶାବାସୀ ହିଂସାରେ ବିଶ୍ୱାସ କରନ୍ତି ନାହିଁ। ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ ଫୋନ-୯୪୩୭୨୮୫୦୯୨

Share :