କର୍ପୋରେଟ୍‍ ପାଣ୍ଠି ଏବଂ ନିର୍ବାଚନୀ ସଂସ୍କାର!

କର୍ପୋରେଟ୍‍ ପାଣ୍ଠି ଏବଂ ନିର୍ବାଚନୀ ସଂସ୍କାର!

Share :

ସୂର୍ଯ୍ୟମଣି ମିଶ୍ର ରାଜନୈତିକ ଦଳକୁ ନିଜ ଖର୍ଚ୍ଚ ପାର୍ଟି ବାହାରୁ ଯୋଗାଡ଼ କରିବାକୁ ପଡ଼େ । ଏହି ଖର୍ଚ୍ଚ ବିଶେଷତଃ ନିର୍ବାଚନ ନିମନ୍ତେ । ଆଗାମୀ ନିର୍ବାଚନ ମଇ ୨୦୧୯ ଆରମ୍ଭରୁ ନିର୍ଦ୍ଧାରିିିତ ହେବ । ଏଥିପାଇଁ ଜାତୀୟ ରାଜନୈତିକ ଦଳ ଏବଂ ଆଞ୍ଚଳିକ ଦଳଗୁଡ଼ିକ ନିର୍ବାଚନୀ ଖର୍ଚ୍ଚ ଯୋଗାଡ଼ରେ ଲାଗିଛନ୍ତି । ନିର୍ବାଚନୀ ଖର୍ଚ୍ଚ ଉପଲବ୍ଧ ପାଇଁ ସାମ୍ବିଧାନିକ ବ୍ୟବସ୍ଥାରେ ଉପାୟ ଉପଲବ୍ଧ ହୋଇନାହିଁ । ଦଳଗୁଡ଼ିକ ପକ୍ଷରୁ ପୁଞ୍ଜିପତିବର୍ଗ (କର୍ପୋରେଟ୍‍ ହାଉସ୍‍)ଠାରୁ ଘୋଷିତ ଏବଂ ଅଘୋଷିତ ଭାବେ ଆଣିଥାନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିକଟରେ କହିଛନ୍ତି ଯେ, ବିଜେପିରେ ଏବେ ଏଗାର କୋଟି ସଦସ୍ୟ ଅଛନ୍ତି । କେବଳ ଭାରତ ନୁହେଁ ବିଶ୍ୱର ସର୍ବ ବୃହତ୍ତ ଦଳ ଭାବେ ଛିଡ଼ା ହୋଇଛି ବିଜେପି । ଏପରି ତଥ୍ୟ ଦେବା ପଛରେ ନିର୍ବାଚନୀ ପାଣ୍ଠି ସଂଗ୍ରହ ଯେ ମୁଖ୍ୟ ଲକ୍ଷ୍ୟ ଏହାକୁ ଅସ୍ୱୀକାର କରାଯାଇନପାରେ । ବିଜେପି କ୍ଷମତାକୁ ଆସିବା ପରେ ଦଳର ଭବ୍ୟ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଉଦ୍‍ଘାଟିତ ହେଲା ଏବଂ ଦଳ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟଗୁଡ଼ିକରେ କାର୍ଯ୍ୟାଳୟ ନିମନ୍ତେ ଜମି କିଣାଗଲା । ବିଜେପି ଯେ କେବଳ ଦଳୀୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜମି କିଣିଛି ତାହା ନୁହେଁ, ପୂର୍ବରୁ କଂଗ୍ରେସ ଏବଂ ସିପିଆଇଏମ୍‍ ଭଳି ଦଳଗୁଡ଼ିକ ପକ୍ଷରୁ କାର୍ଯ୍ୟାଳୟ ନିମନ୍ତେ ଜମିକିଣା ବା ସଂଗ୍ରହ କରାଯାଇଥିବା ବିଷୟ ଅଛପା ନୁହେଁ । ନିର୍ବାଚନକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ୩୦ ବଡ଼ ପୁଞ୍ଜିପତିଙ୍କ ସହ ବୈଠକ କରିଛନ୍ତି । ଦେଶର ପୁଞ୍ଜିପତିବର୍ଗ ବା କର୍ପୋରେଟ୍‍ ହାଉସ୍‍ କେବଳ ବିଜେପିକୁ ନୁହେଁ କଂଗ୍ରେସ ଦଳକୁ ମଧ୍ୟ ପାଣ୍ଠି ଯୋଗାଇଥାନ୍ତି । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ମହାମେଣ୍ଟ କ୍ଷମତାକୁ ଆସିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ । ଏହାକୁ ଆଖି ଆଗରେ ରଖି କିଛି କର୍ପୋରେଟ ହାଉସ୍‍ କଂଗ୍ରେସ ଦଳ ସହ ସଂପର୍କରେ ଅଛନ୍ତି । ରାଜନୈତିକ ଦଳଗୁଡ଼ିକ ଏକଥା କହିଥାନ୍ତି ଯେ ତାଙ୍କ ଦଳ ପାର୍ଟି ସଦସ୍ୟ ଏବଂ ସମର୍ଥକଙ୍କ ବାର୍ଷିକ ଚାନ୍ଦା ଆଧାରରେ ପରିଚାଳିତ ହେଉଛି । ଏହା କେବଳ ଔପଚାରିକତା । ପୁଞ୍ଜିପତିଙ୍କଠାରୁ ବିଜେପି-କଂଗ୍ରେସ ଦଳ ଯେ କେବଳ ଚାନ୍ଦା ଆଣିଥାନ୍ତି ତାହା ନୁହଁ କମ୍ୟୁନିଷ୍ଟ ଦଳ ମଧ୍ୟ ଘୋଷିତ ଏବଂ ଅଘୋଷିତ ଭାବେ ଚାନ୍ଦା ଆଣିଥାନ୍ତି ଦଳର ଅର୍ଥ ବୃଦ୍ଧି ପାଇଁ ପୁଞ୍ଜି ବଜାରରେ ସଂଗୃହୀତ ଅର୍ଥକୁ ଲଗାଇଥାନ୍ତି । ଆସୋସିଏସନ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମ (ଏଡିଆର୍‍) ସଂସ୍ଥା ପକ୍ଷରୁ ରାଜନୈତିକ ଦଳଗୁଡ଼ିକର ନିର୍ବାଚନୀ ପାଣ୍ଠି ସଂପର୍କିତ ସମୀକ୍ଷା ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ସରକାର ଗଢ଼ିଥିବା ‘ଆମ୍‍ ଆଦ୍‍ମୀ ପାର୍ଟି’ (ଆପ୍‍) ୨୦୧୭ରେ ୩୮୬୫ ଜଣ ଚାନ୍ଦା ଦାତାଙ୍କଠାରୁ ୨୪.୭୩ କୋଟି ଟଙ୍କା ଆଣିଛି । ‘ଆପ୍‍’ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଦଳ ପାଇଁ ବିଦେଶରୁ ହାରାହାରି ୯ କୋଟି ଟଙ୍କାର ଚାନ୍ଦା ମିଳିଛି । ଦେଶର ଆଞ୍ଚଳିକ ଦଳଗୁଡ଼ିକୁ ମୋଟ ୯୧.୩୭ କୋଟି ଟଙ୍କା ମିଳିଛି । ଶିବସେନାକୁ ୨୫ କୋଟି ଟଙ୍କାର ଚାନ୍ଦା ୨୦୧୭ରେ ମିଳିଥିବା ବେଳେ, ଶିରୋମଣି ଅକାଳୀ ଦଳକୁ ୧୫ କୋଟି ଟଙ୍କାର ଚାନ୍ଦା ମିଳିଛି । ୨୦୧୫-୧୭ ମଧ୍ୟରେ ରାଜନୈତିକ ଦଳକୁ କର୍ପୋରେଟ୍‍ ଫଣ୍ଡିଂ ଥିଲା ୬ ଅରବ ୩୬ କୋଟି ୮୮ ଲକ୍ଷ ଟଙ୍କା । ସରକାର ଏହି ସମୟ ମଧ୍ୟରେ କର୍ପୋରେଟ୍‍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଟିକସରେ ଛାଡ଼ କରିଛନ୍ତି ୬୦ ଖରବ ୫୪ ଅରବ ୪୮ କୋଟି ଟଙ୍କା । ତେଣୁ ଏହି ପ୍ରକ୍ରିୟାକୁ କ’ଣ କହିବା? ଏ ସଂପର୍କରେ ମନରେ ଉଠୁଥିବା ପ୍ରଶ୍ନକୁ ବୁଝିବା ପାଇଁ ଆବଶ୍ୟକ ଏହା ଯେ ‘କର୍ପୋରେଟ୍‍ ମଡେଲ୍‍ ହିଁ ଦେଶର ଆର୍ଥିକ ମଡେଲ୍‍’ । ୨୦୧୩ରୁ ୨୦୧୫ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ପାଇଁ କର୍ପୋରେଟ୍‍ ଫଣ୍ଡିଂ ଥିଲା ଏହିପରି । ଭାରତୀ ଏୟାର୍‍ଟେଲ୍‍ (୫୩,୦୦,୮୦,୦୦୦), ଡିଏଲ୍‍ଏଫ୍‍ (୪୫,୦୧,୦୦,୦୦୦), ଇଣ୍ଡିଆ ବୁଲ୍ସ ହାଉସିଂ ଫାଇନାନ୍ସ ଲିଃ (୪୦,୦୦,୦୦,୦୦୦), ଜେଏସ୍‍ଡବ୍ଲୁ ଷ୍ଟିଲ୍‍ ଲିଃ (୨୫,୦୦,୦୦,୦୦୦), ହିରୋ ମୋଟୋକାର୍ପ ଲିଃ (୧୯,୦୦,୪୦,୦୦୦), ଟାଟା ଷ୍ଟିଲ୍‍ (୧୪,୧୩,୪୫,୬୫୯), ଭାରତୀ ଇମ୍ଫ୍ରା ଲିଃ (୧୨,୦୦,୮୦,୦୦୦), ଡିଏଲ୍‍ଏଫ୍‍ ସାଇବର ସିଟି ଡେଭ୍‍ଲପର୍ସ ଲିଃ (୧୨,୦୦,୫୦,୦୦୦) ଟୌରଣ୍ଟ ପାୱାର୍‍ ଲିଃ (୧୦,୦୦,୦୦,୦୦୦), ଜେଏମ୍‍ଏମ୍‍ସିଓ (୬,୦୦,୪୫,୦୦୦) ଜୁବୁଲୟଣ୍ଟ ଫୁଡ୍‍ ୱାର୍କ୍ସ ଲିଃ (୫,୦୦,୦୦,୦୦୦) ଭଳି ୩୪ କର୍ପୋରେଟ୍‍ ହାଉସ୍‍ ଯେଉଁମାନେ ୧ କୋଟିରୁ ଅଧିକ ଟଙ୍କା ଚାନ୍ଦା ଦେଇଛନ୍ତି ବା ପଲିଟିକାଲ୍‍ ଫଣ୍ଡିଂ କରିଛନ୍ତି । ୨୦୧୩ ରୁ ୨୦୧୭ ମଧ୍ୟରେ କର୍ପୋରେଟ୍‍ ପକ୍ଷରୁ ପଲିଟିକାଲ୍‍ ଫଣ୍ଡିଂ ଥିଲା ୮ ଅରବ ୯୯ କୋଟି ୬୫ ଲକ୍ଷ ଟଙ୍କା । ପ୍ରଶ୍ନ ଉଠୁଛି କର୍ପୋରେଟ୍‍ର ପଲିଟିକାଲ୍‍ ଫଣ୍ଡିଂ କ’ଣ ଗଣତନ୍ତ୍ରକୁ ଜୀବନ୍ତ ରଖିବ! ଏହା ଜାଣିରଖିବା ଉଚିତ ହେବ ଯେ କର୍ପୋରେଟ୍‍ ହାଉସ୍‍ଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଇ ନିଜର ଲାଭରେ ଲାଭ ଗୋଟାଉଛନ୍ତି ଅର୍ଥାତ୍‍ ମୁନାଫା । ସତ୍ୟା ଟ୍ରଷ୍ଟରେ ୨୬ କର୍ପୋରେଟ୍‍, ଟାଟା ନିଜର ୮ କମ୍ପାନୀକୁ ନେଇ ପ୍ରେଗ୍ରେସିପ୍‍ ଟ୍ରଷ୍ଟ ଗଠନ କରିଛି । ବଜାଜ୍‍ ଇଣ୍ଡଷ୍ଟ୍ରି ନିଜର ବଜାଜ୍‍ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ଗଠନ କରିଛି । ଜେନେରାଲ୍‍ ଟ୍ରଷ୍ଟରେ କର୍ପୋରେଟ୍‍ ନାମ ନାହିଁ । କେବଳ ଜେନେରାଲ୍‍ ଇଲେକ୍ଟୋରାଲ୍‍ ନାମରେ ରାଜନୈତିକ ଦଳକୁ ଫଣ୍ଡିଂ କରାଯାଉଛି । ଏହି ସମସ୍ତ ଟ୍ରଷ୍ଟରେ ଦେଶର ୫୧ କର୍ପୋରେଟ୍‍ ବା ଔଦ୍ୟୋଗିକ ବିଜିନେସ୍‍ ହାଉସ୍‍ ଯେଉଁମାନେ ରାଜନୈତିକ ଦଳକୁ ପାଣ୍ଠି ଯୋଗାଇଥାନ୍ତି । ଏହି ଟ୍ରଷ୍ଟ ମୁଖ୍ୟତଃ ଦିଲ୍ଲୀରେ ଅଛି । ଦିଲ୍ଲୀରୁ ଗତବର୍ଷ ୨,୯୦,୯୦,୦୦,୦୦୦ କୋଟି ଟଙ୍କା ରାଜନୈତିକ ଦଳକୁ ଫଣ୍ଡିଂ ହୋଇଥିଲା । ମହାରାଷ୍ଟ୍ରରୁ ୧,୧୨,୩୧,୦୦,୦୦୦ର କର୍ପୋରେଟ୍‍ ଫଣ୍ଡିଂ ହୋଇଥିôବା ବେଳେ, ଉତ୍ତର ପ୍ରଦେଶରୁ ୨୦,୨୨,୦୦,୦୦୦ର କର୍ପୋରେଟ୍‍ ଫଣ୍ଡିଂ, ପଶ୍ଚିମବଂଗରୁ ୧୪,୬୩,୦୦,୦୦୦ ଟଙ୍କାର କର୍ପୋରେଟ୍‍ ଫଣ୍ଡିଂ ହୋଇଥିବା ବେଳେ ହରିୟାଣାରୁ ୧୧,୬୫,୦୦,୦୦୦ ଟଙ୍କାର କର୍ପୋରେଟ୍‍ ଫଣ୍ଡିଂ ହୋଇଥିଲା । ପୃଥକ-ପୃଥକ ରାଜ୍ୟ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ କର୍ପୋରେଟ୍‍ ଫଣ୍ଡିଂ ହେଉଛି । ୨୦୧୬-୧୭ରେ ୯୧,୯୯,୦୦,୦୦୦ ଟଙ୍କାର ଫଣ୍ଡିଂର ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇନାହିଁ । ଏତେ ଟଙ୍କା କର୍ପୋରେଟ୍‍ ହାଉସ୍‍ଗୁଡ଼ିକ ପକ୍ଷରୁ ରାଜନୈତିକ ଦଳକୁ ଚାନ୍ଦା ଦିଆଯାଉଛି । ଏହା ବଦଳରେ ସରକାର କର୍ପୋରେଟ୍‍ ହାଉସ୍‍କୁ କ’ଣ କିଛି ଦେଉନାହାନ୍ତି? ଅର୍ଥାତ୍‍ ସରକାରଠାରୁ ଲାଭ କ’ଣ ପାଉଛନ୍ତି କର୍ପୋରେଟ୍‍ ହାଉସ୍‍? ଉତ୍ତର ହେଲା ୨୦୧୫-୧୬ ଆର୍ଥିକ ବର୍ଷରେ କର୍ପୋରେଟ୍‍ ହାଉସ୍‍୍‍୍‍ ୪୭ କୋଟି ୫୦ ଲକ୍ଷ ଟଙ୍କା ପଲିଟିକାଲ୍‍ ଫଣ୍ଡିଂ କରିଥିବା ବେଳେ, କର୍ପୋରେଟ୍‍ ହାଉସ୍‍କୁ ଏହି ବର୍ଷରେ ପ୍ରତ୍ୟକ୍ଷ-ପରୋକ୍ଷ ଟିକସ୍‍ରେ ୨୮ ଖରବ ୭୧ ଅରବ ଟଙ୍କାର ଛାଡ଼ ମିଳିଥିଲା । ଏହିପରି ୨୦୧୬-୧୭ରେ କର୍ପୋରେଟ୍‍ ହାଉସ୍‍ଗୁଡ଼ିକ ୫ ଅରବ ୮୯ କୋଟି ୩୮ ଲକ୍ଷ ଟଙ୍କା ପଲିଟିକାଲ୍‍ ଫଣ୍ଡି କରିଥିବା ବେଳେ ଏହି ବର୍ଷ ୨୦୧୬-୧୭ରେ ୩୧ ଖରବ ୩୩ ଅରବ ୪୮ କୋଟି ଟଙ୍କାର ପ୍ରତ୍ୟକ୍ଷ-ପରୋକ୍ଷ ଟିକସ ଛାଡ଼ କରାଯାଇଛି । ମୁକ୍ତ ଭାବେ ଟ୍ରଷ୍ଟ ପଲିଟିକାଲ ଫଣ୍ଡିଂ ଦେଉଛି । ଆଉ ମୁକ୍ତଭାବେ ସରକାର ମଧ୍ୟ କର୍ପୋରେଟ ହାଉସର ଟିକସ୍‍ ଛାଡ଼ କରୁଛନ୍ତି । ଗଣତନ୍ତ୍ରରେ ଲୋକ ସରକାର ଗଠନ କରୁଛନ୍ତି । ସରକାର ଲୋକଙ୍କ ପାଇଁ କାମ କରନ୍ତି । କାହିଁକିନା କର୍ପୋରେଟ ମଡେଲ୍‍କୁ ମୁନାଫା ପହଞ୍ଚାଇବା ସରକାରଙ୍କ ପାଇଁ ଜରୁରୀ ଆବଶ୍ୟକତା ତ ନିଶ୍ଚୟ । କର୍ପୋରେଟ୍‍ ଫଣ୍ଡିଂ ନିର୍ବାଚନକୁ ମହଙ୍ଗା କରିବା ରାଜନୈତିକ ଦଳ ପାଇଁ ଆବଶ୍ୟକତା । ମହଙ୍ଗା ନିର୍ବାଚନ ଗଣତନ୍ତ୍ରର ନାମନେଇ ବେପାରରେ ପରିବର୍ତ୍ତନ ହୋଇଥିବା ନେଇ ହିଁ ସନ୍ଦେହରେ କୁହାଯାଇପାରେ । ଚାହାଁନ୍ତୁ ବା ନ ଚାହାଁନ୍ତୁ ଦେଶର ନିର୍ବାଚନ ଅର୍ଥନୀତି ଏପରି ମଡେଲ୍‍ ତିଆରି ହୋଇଯାଇଛି । ବିନା ପୁଞ୍ଜିର ନିର୍ବାଚନ ଲଢ଼ିବା କଷ୍ଟ । ନିର୍ବାଚନ ପାଇଁ ପାଣ୍ଠି ବା ଫଣ୍ଡିଂ ନାହିଁତ ନିର୍ବାଚନରେ ବିଜୟୀ ହେବା ଆହୁରି କଷ୍ଟ । ବଜାଜ୍‍ ଇଲେକ୍ଟୋରାଲ ଟ୍ରଷ୍ଟ ଦିଲ୍ଲୀ ନିର୍ବାଚନରେ କେବଳ ଆମ ଆଦମୀ ପାର୍ଟିକୁ ୩ କୋଟି ୫ ଲକ୍ଷ ଟଙ୍କା ଦେଇଥିଲା । ଜେନେରାଲ ଇଲେକ୍ଟୋରାଲ୍‍ ଟ୍ରଷ୍ଟ ଓଡ଼ିଶା ନିର୍ବାଚନ ସମୟରେ ବିଜେଡ଼ିକୁ ୧୮ କୋଟି, ଶିବସେନାକୁ ୨ କୋଟି ଟଙ୍କା ଦେଇଥିଲା । କର୍ପୋରେଟ୍‍ ହାଉସ୍‍ ନିଜର ବେପାରରେ ରାଜନୈତିକ ହସ୍ତକ୍ଷେପକୁ ନିୟନ୍ତ୍ରିଣ କରିବା ପାଇଁ ରାଜନୈତିକ ଫଣ୍ଡିଂ ବ୍ୟବସ୍ଥା କରିଛି । ରାଜନୈତିକ ଦଳ କର୍ପୋରେଟ୍‍ ଫଣ୍ଡିଂ ନ ଦେଲେ କାମ କରିପାରିବେ ନାହିଁ ଏହା ଅଘୋଷିତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ନିର୍ବାଚନୀ ଆର୍ଥିକ ମଡେଲ୍‍ ହିଁ ଦେଶ ଅର୍ଥ ବ୍ୟବସ୍ଥାର ଶେଷ ସତ୍ୟ । ଅର୍ଥାତ୍‍ ଗୋଟିଏ ପକ୍ଷରେ କର୍ପୋରେଟ୍‍ ରାଜନୈତିକ ଦଳକୁ ପାଣ୍ଠି ଯୋଗାଇ ନିଜର ମୁନାଫା ବଢ଼ାଉଛି ଏବଂ ଅନ୍ୟପକ୍ଷରେ ପାଣ୍ଠିଯୋଗାଇ ନିଜ ବେପାର ରାସ୍ତାରେ କୌଣସି କ୍ଷତି ନ ଘଟିବା ପାଇଁ ସ୍ଥିତି ତିଆରି କରୁଛନ୍ତି । ଦେଶ ଏବଂ ନିର୍ବାଚନୀ ବିଜୟ - ପରାଜୟରେ ଫସି ଯାଇଛି । କର୍ପୋରେଟ୍‍ ସବୁଠୁ ବଡ଼ ଖେଳାଳୀ ଭୂମିକାରେ ବିଶ୍ୱର ସର୍ବ ବୃହତ୍ତ ଗଣତାନ୍ତ୍ରିକ ଦେଶରେ ଏହା ହେଉଛି ଅପ୍ରିୟ ସତ୍ୟ । ସବୁ ରାଜନୈତିକ ଦଳ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛନ୍ତି କିନ୍ତୁ ନିର୍ବାଚନରେ ଜିତିବା ପାଇଁ ଅଜ୍ଞାତ ସ୍ୱଚ୍ଛ ଚାନ୍ଦା ଆଣୁଛନ୍ତି । ସୂଚନା ଆଇନର ଅନ୍ତର୍ଭୁକ୍ତ ହୋଇ ଦଳର ସ୍ୱଚ୍ଛତାକୁ ପ୍ରମାଣିତ କରିବାକୁ ଚାହୁଁନାହାଁନ୍ତି । ଜଣାଶୁଣା ବୁଦ୍ଧିଜୀବୀ ଡଃ ଶ୍ୟାମ ପିତ୍ରୋଡା କିଛି ବର୍ଷ ପୂର୍ବରୁ ଗୋଟିଏ ପ୍ରସ୍ତାବ ନିର୍ବାଚନ କମିଶନଙ୍କୁ ଦେଇଥିଲେ ଯେ, ପଞ୍ଜିକୃତ ଏବଂ ମାନ୍ୟତା ପ୍ରାପ୍ତ ରାଜନୈତିକୁ କଂପାନୀ ଅଧିନିୟମର ଏବଂ ବିଶେଷ ଅଧିନୀୟମ ସେକ୍‍ସନ ୨୦ ଓବିକେ ଅନୁଯାୟୀ କିଛି ଧର୍ମାର୍ଥନ୍ୟାସ ଭଳି ‘ନଟ୍‍ ଫର ପ୍ରଫିଟ୍‍’ କଂପାନୀରେ ପରିଣତ କରାଯାଉ । ଦଳର କାରବାରକୁ ସେୟାର ବଜାରରେ ସୂଚୀବଦ୍ଧ କରାଯାଉ । ଏହାଦ୍ୱାରା ନିର୍ବାଚନରେ ସ୍ୱଚ୍ଛତା ଆସିବ । ଦଳର ସଦସ୍ୟ-ସମର୍ଥକ ସେୟାର ବଜାରରୁ ସେୟାର କିଣି ରାଜନୈତିକ କଂପାନୀରେ ନିର୍ବାଚନ ଲଢ଼ିବେ କି ନଲଢ଼ିବେ ତାହା ସ୍ଥିର କରିବେ । କିନ୍ତୁ ପ୍ରସ୍ତାବ କାର୍ଯ୍ୟକାରୀ ହେଲାନାହିଁ । ୨୩ ଡିସେମ୍ବର ୧୯୭୮ରେ ତତ୍‍କାଳୀନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ସମାବେଶ ଆୟୋଜନ କରି ଧନ ସଂଗ୍ରହ ଥଳି ବ୍ୟବହାର ଆରମ୍ଭ କରିଥିଲେ । ଜନ ସମାବେଶରୁ ସଂଗୃହୀତ ଅର୍ଥରୁ ଶ୍ରୀ ସିଂହ କୃଷକ ଟ୍ରଷ୍ଟ ପ୍ରତିଷ୍ଠା କରିବା ସହ ‘ଅସଲି ଭାରତ’ ପ୍ରକାଶ କରିଥିଲେ । ଦଳରେ ସ୍ୱଚ୍ଛତା, ନିର୍ବାଚନରେ କଳା ଟଙ୍କାର ପ୍ରଭାବକୁ ନିୟନ୍ତ୍ରଣ ପାଇଁ ଏହା ଥିଲା ଚରଣ ସିଂହଙ୍କ ଉଦ୍ୟମ । କିନ୍ତୁ ଏବେ ପାଣ୍ଠି ସଂଗ୍ରହ ବ୍ୟବସ୍ଥାକୁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଏପରି କାର୍ଯ୍ୟକାରୀ ହେଉଛି ମୁନାଫା ଖୋର । କଳା ବଜାରୀ-ଆର୍ଥିକ ଅପରାଧୀ ରାଜନୈତିକ ଦଳକୁ ଚାନ୍ଦା ଦେଇ ନିଜର କଳା ସାମ୍ରାଜ୍ୟକୁ ସୁରକ୍ଷିତ କରୁଛନ୍ତି । ଏହା ଦେଶର ସୁସ୍ଥ ନିରପେକ୍ଷ ନିର୍ବାଚନୀ ବ୍ୟବସ୍ଥା ପାଇଁ ଯେପରି ଆହ୍ୱାନର ବାର୍ତ୍ତା ଦେଉଛ-ଠିକ୍‍ ସେହିପରି ଗଣତନ୍ତ୍ର ପ୍ରତି!! ସାମ୍ବାଦିକ, ଭୁବନେଶ୍ୱର ମୋ : ୯୪୩୮୦୦୬୨୧୫

Share :