ଗୋସାଇଁ ଗଣନା : ଗୋଚର ହେବ ଗଙ୍ଗା !

ଗୋସାଇଁ ଗଣନା : ଗୋଚର ହେବ ଗଙ୍ଗା !

Share :

ବିଭୂତି ପତି ଭାରତରେ ଗଙ୍ଗା ଅବବାହିକାର ତଳମୁଣ୍ଡରେ ରହୁଥିôବା ଲକ୍ଷ ଲକ୍ଷ ଲୋକଙ୍କୁ ଆଗାମୀ ତିନି ଦଶନ୍ଧିରେ ଖାଦ୍ୟାଭାବର ସମ୍ମୁଖୀନ ହେବାକୁ ପଡ଼ିପାରେ । ମାତ୍ରାତିରିକ୍ତ ଭୂତଳ ଜଳ ଆହରଣ ଏବଂ ଭୂତଳ ଜଳସ୍ତରର ଉଦ୍ବେଗଜନକ ହ୍ରାସ ସମେତ ଅନ୍ୟାନ୍ୟ କାରଣଗୁଡିକ ଯୋଗୁ ଏହି ମହାନ ନଦୀର ଜଳପ୍ରବାହ ଓ ଜଳସ୍ରୋତର ଉତ୍ସ ଯଦି ବୃଦ୍ଧି ନହୁଏ ତଥା ଜଳପ୍ରବାହ ଓ ଏହାର ଉତ୍ସକୁ ସୁରକ୍ଷିତ ରଖାନଯାଏ ତେବେ ଗଙ୍ଗା ଗୋଚର ହେବାକୁ ଆଉ ବେଶିଦିନ ଲାଗିବ ନାହିଁ ବୋଲି ବିଶିଷ୍ଟ ବୈଜ୍ଞାନିକ ଏବଂ ଗବେଷକ ପ୍ରଫେସର ଗୋସାଇଁଙ୍କ ଗବେଷଣାତ୍ମକ ଗଣନା ସତର୍କ କରିଦେଲାଣି । ଗଙ୍ଗାର ଜଳ ପ୍ରବାହ ହ୍ରାସ ପାଇବା ଫଳରେ ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ହାସଲ ମଧ୍ୟ ବାଧିତ ହୋଇପାରେ ବୋଲି ସାଇଣ୍ଟିଫିକ୍ ରିପୋର୍ଟରେ ପ୍ରକାଶିତ ଗବେଷଣାର ଅନୁଧ୍ୟାନରେ ଗବେଷକମାନେ କହିଛନ୍ତି । ଏହି ଗବେଷଣାରେ ବାରଣାସୀ ନଗରୀ ଓ ବଙ୍ଗୋପସାଗର ମଧ୍ୟବର୍ତ୍ତୀ ଭାଗର ଗଙ୍ଗାନଦୀକୁ ଅନୁଧ୍ୟାନ କଲେ ପୂର୍ବାନୁମାନ କରାଯାଉଛି ଯଦି ବର୍ତ୍ତମାନଠାରୁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଗଙ୍ଗା ନଦୀର ପ୍ରବାହ ପାଇଁ ଭୂତଳ ଜଳର ଅବଦାନ କ୍ରମାଗତ ଭାବେ କମିଯିବ । ‘ଏଯାବତ୍ ବିଗତ ତିନି ଦଶନ୍ଧିରେ ନଦୀର ପ୍ରବାହ ସକାଶେ ଭୂତଳ ଜଳର ଅବଦାନ ଗ୍ରୀଷ୍ମ ଋତୁରେ ୫୦% କମିଯାଇଛି । ୧୯୭୦ ଦଶକର ଗ୍ରୀଷ୍ମ ମାସଗୁଡ଼ିକ ପରିସ୍ଥିତି ତୁଳନାରେ ଗଙ୍ଗାର ପ୍ରବାହକୁ ଭୂତଳ ଜଳର ଅବଦାନ ୭୫% କମିଯାଇଛି,’ ବୋଲି କୁହନ୍ତି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡ଼ଗପୁରର ଆସୋସିଏଟ୍ ପ୍ରଫେସର ତଥା ଗବେଷଣା ରିପୋର୍ଟର ମୁଖ୍ୟ ଗବେଷକ ଅଭିଜିତ୍ ମୁଖାର୍ଜୀ । ଏହି ଗବେଷଣାର ମଡ଼େଲରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ପ୍ରଭାବକୁ ହିସାବକୁ ନିଆଯାଇ ନାହିଁ । ତେବେ ଗବେଷକମାନଙ୍କର କହିବା କଥା ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବିଚାରକୁ ନେଲେ ପରିସ୍ଥିତି ବର୍ତ୍ତମାନର ଆକଳନ ତୁଳନାରେ ଗଙ୍ଗା ପାଇଁ ଆହୁରି ଅଧିକ ନୈରାଶ୍ୟଜନକ ଓ ଭୟାବହ ହୋଇପାରେ । ଗଙ୍ଗାନଦୀର ୨,୫୨୫କି.ମି. (୧,୫୯୬ ମାଇଲ) ଦୀର୍ଘ ଗତିପଥ ଗଙ୍ଗା ଅବବାହିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା, ହିମାଳୟ ପର୍ବତମାଳାର ହିମବାହ ତରଳିବା ଏବଂ ଭୂତଳ ଜଳର ନିଷ୍କାସନ ଦ୍ୱାରା ପରିପୁଷ୍ଟ ହୋଇଥାଏ । ଗ୍ରୀଷ୍ମ ଋତୁରେ କିମ୍ବା ଅଣମୌସୁମୀ ମାସଗୁଡ଼ିକରେ ନଦୀକୁ ଭୂତଳ ଜଳର ଅବଦାନ (ନଦୀ ଶଯ୍ୟାର ପ୍ରବାହ ଅର୍ଥାତ୍ ବେସ୍ ଫ୍ଲୋ) କେତେକାଂଶରେ ୩୦% ହୋଇପାରେ ଏବଂ ଅନ୍ୟ କେତେକ ଭାଗରେ ୬୦%ରୁ ୭୦% ପର୍ଯ୍ୟନ୍ତ ହୋଇପାରେ । ଭୂତଳ ଜଳ (ପ୍ରାୟ ୭୦%) ଏବଂ ନଦୀ ଜଳ (୩୦%)ର ମିଳିତ ଉପଲବ୍ଧତା ପ୍ରକୃତରେ ଖାଦ୍ୟପଦାର୍ଥ ଉତ୍ପାଦନ କରୁଥିôବା କୃଷି ବ୍ୟବସ୍ଥାକୁ ଚଳାଇଥାଏ । ଗବେଷକମାନେ ଆକଳନ କରିଛନ୍ତି ଯେ ସଂପ୍ରତି ଫସଲ ପାଇଁ ଗବେଷଣା କ୍ଷେତ୍ରରେ ମୋଟ ଜଳସେଚନର ମାତ୍ର ୨୭% ଭୂପୃଷ୍ଠ ଜଳଦ୍ୱାରା ହୋଇଥାଏ । ଏହାର ଅର୍ଥ ହେଲା ଯେ ଗଙ୍ଗା ନଦୀରେ ଜଳପ୍ରବାହ କମିଗଲେ ଭୂପୃଷ୍ଠ ଜଳ ଆଧାରିତ ଜଳ ସକାଶେ ଉପଲବ୍ଧ ଜଳର ପରିମାଣ ବ୍ୟାପକ ରୂପେ ହ୍ରାସ ପାଇବ ଏବଂ ଏହାଫଳରେ ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ କମିଯିବାର ଆଶଙ୍କା ରହିଛି । ପୂର୍ବାନୁମାନରୁ ଜଣାପଡ଼ିଛି ଯେ ପରବର୍ତ୍ତୀ କେଇ ଦଶନ୍ଧି ମଧ୍ୟରେ ଯଥେଷ୍ଟ ଖାଦ୍ୟ ଉପଲବ୍ଧ ନହେବା ଯୋଗୁଁ ୧୧.୫ କୋଟି ଲୋକ ପ୍ରଭାବିତ ହେବେ । ସ୍ଥିତାବସ୍ଥା ବଜାୟ ରହିବା ଦୃଶ୍ୟପଟ୍ଟରେ ମଧ୍ୟ ଖାଦ୍ୟ ଉତ୍ପାଦନ ହ୍ରାସ ପ୍ରକ୍ରିୟା ଭବିଷ୍ୟତର ଆହୁରି ବେଶୀ ହେବ ଏବଂ ଏପରି ସମ୍ଭାବନା ମଧ୍ୟ ରହିଛି ଯେ ଗଙ୍ଗା ଜଳ ପ୍ରବାହ ଓଲଟା ପ୍ରବାହିତ ହୋଇ ଭୂତଳ ଜଳରେ ମିଶିବ । ଏହି ପ୍ରକ୍ରିୟାକୁ ଝରଣାର ପ୍ରବାହକୁ ହାତେଇବା ବୋଲି କୁହାଯାଏ । ଏକ ଦୁଃଖଦ ଘଟଣା : ‘ଉଭୟ ଭୂପୃଷ୍ଠ ଜଳ ଓ ଭୂତଳ ଜଳକୁ ନଷ୍ଟ କରିବା ହେଉଛି ଏକ ପ୍ରକୃତ ଦୁଃଖଦ ଘଟଣା’ ବୋଲି କୁହନ୍ତି ଉପମନ୍ୟୁ ଲାଲ, ଯିଏକି ଯୁ୍କ୍ତରାଷ୍ଟ୍ର ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଥିôବା କଲମ୍ବିଆ ୱାଟର ସେଣ୍ଟରର ନିର୍ଦ୍ଦେଶକ । ଜଳସେଚନ ଯୋଗୁଁ ଫସଲ ଉତ୍ପାଦନ କ୍ଷେତ୍ରରେ ସେପରି କୌଣସି ବିଶେଷ ଅଭିବୃଦ୍ଧି ଘଟୁନାହିଁ, ଯାହା କି ଅନ୍ୟ ରାଜ୍ୟଗୁଡ଼ିକରେ ଘଟୁଛି । କୃଷି ସଂପ୍ରସାରଣର ଅଭାବ ଏବଂ ଉନ୍ନତ କୃଷିକାର୍ଯ୍ୟ ସକାଶେ ଉପଯୁକ୍ତ ଅନୁଷ୍ଠାନର ଅଭାବ ଯୋଗୁଁ ଏପରି ଘଟୁଛି । ଫସଲରୁ ହେଉଥିବା ଅମଳ ବାସ୍ତବରେ ଅନେକ କମ୍ । ଅଧିକ ଉତ୍ପାଦନ ହେଉଥିବା ଭାରତର ଆଗଧାଡ଼ିର ପ୍ରଦେଶଗୁଡ଼ିକ ତୁଳନାରେ ଏହି ଅଞ୍ଚଳରେ ଧାନ ଓ ଗହମ ଉତ୍ପାଦନ ୫୦%ରୁ ମଧ୍ୟ କମ । ବାସ୍ତବରେ ଯଦି ବିପୁଳ ପରିମାଣର ଜଳ ଆହରଣ କରାଯାଉଛି ଏବଂ ତାହା ଫଳରେ ଆଶା କରାଯାଉଥିବା ଫସଲ ଉତ୍ପାଦନ ଦୁଇଗୁଣ ହେଉନାହିଁ, ତେବେ ଦୁଃଖଦ ଘଟଣାଟି ହେଲା ଯେ ଜଳକୁ ପ୍ରକୃତରେ ନଷ୍ଟ କରିଦିଆଯାଉଛି । ଏକଥା ଖୁବ୍ ସମ୍ଭବ ଯେ ଉପର ମୁଣ୍ଡରେ ଜଳ ଅପସାରଣ ଯୋଗୁ ମୌସୁମୀ ମାସଗୁଡ଼ିକରେ ଭୂତଳ ଜଳର ପୁନଃ ଭରଣକୁ ଯଥେଷ୍ଟ କମାଇ ଦେବାରେ ସହାୟକ ହେଉଛି । ଫଳସ୍ୱରୂପ ଭୂତଳ ଜଳସ୍ତର କମିଯାଉଛି ଏବଂ ଅଣମୌସୁମୀ ମାସମାନଙ୍କର ବେସ୍ ଫ୍ଲୋ କମିଯାଉଛି ବୋଲି କହିଛନ୍ତି ପ୍ରଫେସର ଲାଲ । ଆଇ.ଆଇ.ଟି. ଦିଲ୍ଲୀର ପ୍ରଫେସର ଏ.କେ.ଗୋସାଇଁ କହିଛନ୍ତି, ‘ଗଙ୍ଗା ନଦୀ ଅବବାହିକାରେ ଦୀର୍ଘକାଳୀନ ଭାବେ ଭୂତଳ ଜଳର ଆହରଣ ଅପ୍ରତିହତ ରହିବା ଫଳରେ ଅଣମୌସୁମୀ ମାସଗୁଡ଼ିକରେ ନଦୀର "ବେସ୍ ଫ୍ଲୋ' କୁ ଦ୍ରୁତ କମାଇ ଦେଇଛି’ । ପ୍ରଚୁର ପରିମାଣର ଜଳ ପୁନଃଭରଣ ହେଉଥିଲେ ମଧ୍ୟ ବୃଷ୍ଟିପାତ ଯୋଗୁଁ ସ୍ୱାଭାବିକ ରୂପେ ପୁନଃଭରଣ ହେଉଥିବା ଜଳର ପରିମାଣଠାରୁ ଅଧିକ ଜଳ ଆହରଣ କରାଯାଉଛି । ଆମେ ଭୂତଳ ଉତ୍ସରୁ ଜଳଉତ୍ତୋଳନ କରୁଛେ, ଯାହାର ଆଉ କେବେ ଭରଣ ମଧ୍ୟ ହୋଇନପାରେ ଏବଂ ଫଳସ୍ୱରୂପ ବିଗତ ବର୍ଷମାନଙ୍କରେ ଭୂତଳ ଜଳସ୍ତର କ୍ରମାଗତଭାବେ କମିବାରେ ଲାଗିଛି ବୋଲି ପ୍ରଫେସର ଗୋସାଇଁ ମତ ଦେଇଛନ୍ତି । ପ୍ରଫେସର ଗୋସାଇଁ ଦର୍ଶାଇଛନ୍ତି, ଭୂତଳ ଜଳ ଦୀର୍ଘ କାଳ ପାଇଁ ଆମର ଆବଶ୍ୟକତା ମେଣ୍ଟାଇପାରିବ ନାହଁ । ଏହାର ମୁଖ୍ୟ କାରଣ ହେଲା କୃଷି ଏବଂ କୃଷି କ୍ଷେତ୍ରରେ ଜଳ ବ୍ୟବହାରର ଦକ୍ଷତାର ଅଭାବ । ଆଜିର ଦିନରେ କୃଷି କ୍ଷେତ୍ରରେ ଜଳ ବ୍ୟବହାର ଦକ୍ଷତା ମାତ୍ର ୩୫% । ଉପଲବ୍ଧ ଜଳର ୮୦ରୁ ୮୫% ଏହି କ୍ଷେତ୍ରରେ ହିଁ ବ୍ୟବହୃତ ହେଉଛି । ଗଙ୍ଗାରେ ବିପୁଳ ଜଳ ରହିଛି । ଯଦି ଜଳ ବ୍ୟବହାର ଦକ୍ଷତାକୁ ୩୦% ରୁ ୬୦%କୁ ବଢ଼ାଇ ଦିଆଯାଇପାରିବ ତେବେ ଉପଲବ୍ଧ ଜଳର ପରିମାଣ ଦ୍ୱିଗୁଣିତ ହୋଇଯିବ । ଘରୋଇ ବା ଶିଳ୍ପ ପାଇଁ ବ୍ୟବହୃତ ଜଳର ପରିମାଣ ନଗଣ୍ୟ । ଆମେ ଯଦି ବାସ୍ତବରେ ଏହି ବ୍ୟବସ୍ଥା ସକାଶେ କିଛି ଫଳପ୍ରଦ କାମ କରିବାକୁ ଚାହୁଁଛନ୍ତି ତେବେ ଆମକୁ ଜଳ ବ୍ୟବହାର ଦକ୍ଷତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କେନାଲଗୁଡ଼ିକର ରକ୍ଷଣାବେକ୍ଷଣ ଓ ନିୟନ୍ତ୍ରଣର ଅଭାବ ତଥା ବିନା ମୂଲ୍ୟରେ ଜଳ ଯୋଗାଣ ଯୋଗୁଁ ମଧ୍ୟ କେନାଲ ମାଧ୍ୟମରେ ଜଳ ଯୋଗାଣକୁ ଭରସା କରି ନହେବାର ପରିସ୍ଥିତି ସୃଷ୍ଟି କରିଛି । ଏପରି ପରିସ୍ଥିତି ଜଳସେଚନ ସକାଶେ ଭୂତଳ ଜଳର ନିଷ୍କାସନକୁ ପ୍ରୋତ୍ସାହିତ କରିଛି । ପମ୍ପ୍ ଯୋଗେ ଭୂତଳ ଜଳର ଆହରଣ ନିର୍ଭରଯୋଗ୍ୟ ଜଳ ଯୋଗାଣ ସମ୍ଭବ କରିଥାଏ । ଏହି ସବୁ ଅଞ୍ଚଳରେ କେତେକ ରାଜ୍ୟ ସରକାର ଭୂତଳ ଜଳ ଉତ୍ତୋଳନ ସକାଶେ ସୌରଶକ୍ତିର ବ୍ୟବହାରକୁ ଉତ୍ସାହିତ କରୁଥିବା ଯୋଗୁ ବ୍ୟବହାରକାରୀର ବିଚାରରେ ଭୂତଳ ଜଳର ଅସୀମିତ ଯୋଗାଣ ହୋଇପାରିବ ବୋଲି ଧାରଣା ସୃଷ୍ଟି ହୋଇଛି । ଏଥିରୁ ଏକଥା ସ୍ପଷ୍ଟ ଯେ ଏବେ ଭୂପୃଷ୍ଠ ଜଳସେଚନ ତୁଳନାରେ ଭୂତଳ ଜଳସେଚନର ବ୍ୟାପକତା ବର୍ତ୍ତମାନ ଯଥେଷ୍ଟ ଅଧିକ । ଏହା ହିଁ ଭବିଷ୍ୟତର ଭୟଙ୍କର ବିପଦକୁ ଗଙ୍ଗା ପାଇଁ ଡାକିଆଣୁଛି । ଉନ୍ନତତର କୃଷି ପ୍ରଣାଳୀ ଯୋଗୁଁ ଏହି ଅଞ୍ଚଳରେ ଫସଲ ଅମଳ ଦୁଇଗୁଣ ବା ତିନିଗୁଣ ହୋଇଯାଆନ୍ତା, ତେବେ ଜାତୀୟ ସ୍ତରରେ ଖାଦ୍ୟଶସ୍ୟ ଉତ୍ପାଦନ ଯଥେଷ୍ଟ ବଢ଼ିଯାଆନ୍ତା । ଏହାଫଳରେ ଶୁଷ୍କ ଉତ୍ତର ପଶ୍ଚିମ ଏବଂ ଦେଶର ଦକ୍ଷିଣାଞ୍ଚଳରେ ସରକାରଙ୍କ ଦ୍ୱାରା ଚଲାଯାଉଥିôବା ସବ୍ସିଡ଼ିଯୁକ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥା ସକାଶେ ଏହି ସବୁ ଅଞ୍ଚଳରୁ ହିଁ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ୬୦% ଖାଦ୍ୟ ଶସ୍ୟ ସଂଗୃହୀତ ହୋଇଥାଏ । ଏହାଦ୍ୱାରା ଏହି ଅଞ୍ଚଳ ତୁଳନାରେ ଖୁବ୍ ଭଲ ଉତ୍ପାଦନ ହେଉଥିôବା ଏହି କ୍ଷେତ୍ରରେ ଦୀର୍ଘକାଳୀନ ଭୂତଳ ଜଳ ବିପତ୍ତିକୁ ମଧ୍ୟ ଏଡ଼ାଇ ଦିଆଯାଇପାରନ୍ତା ବୋଲି ଉପରୋକ୍ତ ବୈଜ୍ଞାନିକମାନେ ମତ ଦେଇଛନ୍ତି । ପ୍ରଦୂଷଣର ଅପସାରଣ ମଧ୍ୟ ପ୍ରଭାବିତ : ଗବେଷକମାନେ କହିଛନ୍ତି ଯେ ଗଙ୍ଗାର ଜଳପ୍ରବାହ କମିଯିବା ଫଳରେ ଏହା ଗଙ୍ଗା ନଦୀର ପ୍ରଦୂଷଣ ସ୍ତରକୁ ମଧ୍ୟ ପ୍ରଭାବିତ କରିିଛି । ଏବେ ଗଙ୍ଗା ବିଶ୍ୱର ସର୍ବାଧିକ ପ୍ରଦୂଷିିତ ଆନ୍ତର୍ଜାତିକ ନଦୀଗୁଡ଼ିକ ମଧ୍ୟରେ ଅନ୍ୟତମ । ନଦୀର ଜଳପ୍ରବାହ ଯେତେ କମିବ, ପ୍ରଦୂଷକର ଘନତ୍ୱ ସେତେ ବଢ଼ିବ ଏବଂ ପ୍ରଦୂଷକକୁ ସଫା କରିବା ଆହୁରି କଷ୍ଟସାଧ୍ୟ ହୋଇପଡ଼ିବ । ଦକ୍ଷିଣ ଏସୀୟ ରାଷ୍ଟ୍ରମାନେ ମିଳିତ ଜାତିସଂଘର ସତତ ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଉଦ୍ୟମ କରୁଛନ୍ତି । ଏହାର ଲକ୍ଷ୍ୟଗୁଡ଼ିକ ମଧ୍ୟରେ ଜଳ ଓ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜଳାଭାବକୁ କମାଇବା ଅନ୍ତର୍ଭୁକ୍ତ । ମାତ୍ର ଖରାଦିନେ ନଦୀର ପ୍ରବାହ କମିଯିବା ଫଳରେ ତଥା ଭୂତଳ ଜଳର ପରିମାଣ କମିଯିବା ଯୋଗୁଁ ୨୦୩୦ ସୁଦ୍ଧା ଲକ୍ଷ୍ୟଗୁଡ଼ିକୁ ହାସଲ କରିବା କ୍ଷେତ୍ରରେ ଆଞ୍ଚଳିକ ନୀତି ନିର୍ଦ୍ଧାରକମାନଙ୍କର କାର୍ଯ୍ୟ ଆହୁରି କଷ୍ଟଦାୟକ ହୋଇଯାଉଛି । ଆଞ୍ଚଳିକ ସ୍ତରରେ ଜଳର ଆବଣ୍ଟନ ସକାଶେ ଭାରତ ଓ ବାଂଲାଦେଶ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି । ଗଙ୍ଗାନଦୀ ବଙ୍ଗୋପସାଗରରେ ପଡ଼ିବା ପୂର୍ବରୁ ଗଙ୍ଗା ଏହି ଦୁଇଦେଶ ମଧ୍ୟରେ ପ୍ରବାହିତ ହୁଏ । ଉଭୟ ଦେଶର ସ୍ଥାନୀୟଭାବେ ମାତ୍ରାଧିକ ଭୂତଳଜଳ ଆହରଣ ଫଳରେ ସମଗ୍ର ଗଙ୍ଗା ଅବବାହିକାରେ ନଦୀର ପ୍ରବାହ ପ୍ରଭାବିତ ହେଉଛି । ଉଭୟ ଦେଶର ନୀତି ନିର୍ଦ୍ଧାରକମାନେ ଭୂତଳ ଜଳର ଆହରଣ ଏବଂ ମୋଟାମୋଟି ଭାବେ ଜଳ ବ୍ୟବହାରକୁ ଯାଞ୍ଚ କରିବା ତଥା ଭୂତଳଜଳ ଆହରଣକୁ ନିୟନ୍ତ୍ରଣ ସକାଶେ ପରସ୍ପର ସହ ସହଯୋଗ କରିବା ପାଇଁ ସେମାନେ ମତ ଦେଇଛନ୍ତି । ପ୍ରଫେସର ୱାଡ଼ା କହିଛନ୍ତି, ‘ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡ ଅଞ୍ଚଳ ଉନ୍ନତତର ଜଳ ଆବଣ୍ଟନ ନୀତିର ବୋଝକୁ ସମାନ ଭାବରେ ବହନ କରିବା ଆବଶ୍ୟକ । ଉଭୟ ରାଷ୍ଟ୍ର ପରସ୍ପର ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବା ପରିସ୍ଥିତିରେ ସୁଧାର ଆଣିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ପୃଷ୍ଠଭୂମିରେ ପରିସ୍ଥିତିରେ ପରିବର୍ତ୍ତନ ନହେଲେ, ଜଳାଭାବ ଆହୁରି ଉକ୍ରଟ ହେବ’ । ଭୂତଳ ଜଳ ଆହରଣର ସୀମା ନିର୍ଦ୍ଧାରଣ : ଗଙ୍ଗା ଏକ ଆନ୍ତର୍ଜାତିକ ନଦୀ ହୋଇଥିବାରୁ ଏଥିରେ ଜଳସ୍ତର ଓ ଏହାର ଜଳ ନିଷ୍କାସନ ଆଞ୍ଚଳିକ ରାଜନୀତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ । ସର୍ବସାଧାରଣରେ ଏ ସଂପର୍କିତ ତଥ୍ୟ ମିଳିବା କ୍ୱଚିତ୍ ସମ୍ଭବ ହୋଇଥାଏ । ତଥ୍ୟର ଅଭାବ ସତ୍ତେ୍ୱ ଏହି ଗବେଷଣା ପ୍ରଥମଥର ସକାଶେ ପରିମାଣ ଆଧାରରେ ଆଜିକାଲି ଗ୍ରୀଷ୍ମ ଋତୁରେ ଗଙ୍ଗାନଦୀ ଶୁଖିଯିବାକୁ ଗାଙ୍ଗେୟ ଅବବାହିକାର ଉତ୍ତର ଭାରତରେ ଥିବା ଭୂତଳ ଜଳଭଣ୍ଡାରଗୁଡ଼ିକ ରିକ୍ତ ହୋଇଥିବା ସହିତ ଯୋଡ଼ିଛି ଏବଂ ମାତ୍ରାତିରକ୍ତ ଭୂତଳ ଜଳ ଆହରଣ ଏହାର କାରଣ ବୋଲି ଦର୍ଶାଇଛି । ପୂର୍ବାନୁମାନ କରିବା ସକାଶେ ଗବେଷକଦଳ ଉପଗ୍ରହ ତଥ୍ୟର ବିଶ୍ଲେଷଣ କରିବା, ଗଙ୍ଗାନଦୀର ଜଳପ୍ରବାହକୁ ସିଧାସଳଖ ମାପିବା ତଥା ଭୂତଳ ଜଳସ୍ତରର ଆକଳନ କରିବା ସଙ୍ଗେ ସଙ୍ଗେ ମଡେଲର ସାହାଯ୍ୟ ନେଇଛନ୍ତି ଓ ଜଳର ରାସାୟନିକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ସାଧାରଣଭାବେ ସରକାରୀ ଓ ଅଣସରକାରୀ ସଂସ୍ଥାଗୁଡିକଦ୍ୱାରା ଜଳ ଆକଳନ ବେଳେ "ବେସ୍ ଫ୍ଲୋ'କୁ ବିଚାରକୁ ନିଅନ୍ତି ନାହିଁ । ତେଣୁ ଏହା ମୋଟାମୋଟି ଭାବେ ଅଦୃଶ୍ୟକାରକ ହୋଇ ରହିଥାଏ । ଭୂତଳ ଜଳ ନଦୀକୁ କେତେ ଜଳ ଦେଉଛି, ସିଧାସଳଖ ଭାବେ ସେକଥା ମାପିବା କଷ୍ଟସାଧ୍ୟ । ଏକ ସ୍ୱଳ୍ପକାଳୀନ ଉପାୟ ହିସାବରେ ଭୂତଳ ଜଳ ଆହରଣ ସକାଶେ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ପ୍ରଫେସର ମୁଖାର୍ଜ୍ଜୀ ତାଙ୍କ ଗବେଷଣାରେ ମତ ଦେଇଛନ୍ତି । ଧାନ ପରି ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ସହିତ ଅଧିକ ଜଳ ଆବଶ୍ୟକ କରୁନଥିବା ଫସଲ ଅଦଳବଦଳ କରି ଚାଷ କରାଯିବା ଫଳରେ ଏକଥା ହାସଲ କରାଯାଇ ପାରିବ । ଦୀର୍ଘ କାଳୀନ ଭିତ୍ତିରେ ନଦୀର ବିଭିନ୍ନ ଖଣ୍ଡ ପାଇଁ ଭୂତଳ ଜଳ ଏବଂ ଗଙ୍ଗା ମଧ୍ୟ ଜଳର ଆଦାନ ପ୍ରଦାନ ସଂପର୍କରେ ଗଭୀର ଗବେଷଣା କରାଯିବା ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ସୁଶାସନ ଦ୍ୱାରା ଜଳ ଉପଲବ୍ଧତା ବଢ଼ାଇବା ଦରକାର । ନ୍ୟାୟୋଚିତ ଭୂତଳ ଜଳର ବ୍ୟବହାର ସକାଶେ ନୀତିନିୟମ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯଦ୍ଦ୍ୱାରା ଚାହିଦା ଓ ଉପଲବ୍ଧତା ମଧ୍ୟରେ ସନ୍ତୁଳନ ବଜାୟ ରଖାଯାଇ ପାରିବ । ଏହି ଆହ୍ୱାନ ଦେଇଛନ୍ତି ପ୍ରଫେସର ଗୋସାଇଁ । ଏହାର ଅର୍ଥ ହେଲା, ଏକଥା ନିର୍ଦ୍ଦିଷ୍ଟ କରିବାକୁ ପଡ଼ିବ ଯେ କେଉଁ ପ୍ରକାରର ଫସଲ ଜଣେ ଚାଷ କରିପାରିବ, ଜଣେ କେତେ ଜଳ ଆହରଣ କରିପାରିବ ଏବଂ ଏହା ସହିତ ବିଭିନ୍ନ ପ୍ରସଙ୍ଗ ସହ ଜୀବିକା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ଜଣେ ଯଦି ଏହି ସବୁ ପ୍ରକ୍ରିୟାଗୁଡ଼ିକର ଉପଯୁକ୍ତ ରୂପାୟନ କରେ ତେବେ ଜୀବିକା ପ୍ରଭାବିତ ହେବନାହିଁ ମାତ୍ର ଜଳ ଅପଚୟକୁ କମାଯାଇ ପାରିବ । ଉଦାହରଣ ସ୍ୱରୂପ, ଜଣେ ଚାଷୀର ଏପରି ଏକ ଫସଲ ଚାଷ କରୁଥିବ ଯାହା ଅଧିକ ଜଳ ଆବଶ୍ୟକ କରେ । ଯଥେଷ୍ଟ ପରିମାଣର ଜଳ ବିନା କୃଷକ ଜଣକ ସେହି ଫସଲ ଚାଷ କରିବାକୁ ଚାଲୁ ରଖିପାରିବେ ନାହିଁ ଏବଂ ଫଳସ୍ୱରୂପ ଚାହିଦା ଓ ଯୋଗାଣର ତାରତମ୍ୟର ଭରଣା କରିବା ସକାଶେ ସେ ଭୂତଳ ଜଳରୁ ତାହା ଆହରଣ କରିବେ । ଚାଷୀ ପାଇଁ ଯେତେବେଳେ ଜଳ ଉପଲବ୍ଧ ହେଉନାହିଁ, ସେତେବେଳେ ସେ ନଳକୂଅ ଖୋଳୁଛି ଏବଂ ଭୂତଳ ଜଳ ଆହରଣ କରୁଛି । ଫଳସ୍ୱରୂପ ଭୂତଳ ଜଳସ୍ତର କମୁଛି ଏବଂ ଜଳ ଉତ୍ତୋଳନ କରିବା କ୍ରମାଗତ ଭାବେ ଅଧିକ ଖର୍ଚ୍ଚ ବହୁଳ ହୋଇଯାଉଛି । ଚାଷୀ ବ୍ୟାଙ୍କରୁ ଋଣ ନେବାର କାରଣ ମଧ୍ୟରେ ଏହା ଅନ୍ୟତମ । ସେ ଯେତେବେଳେ ଜମିରେ ବିହନ ବୁଣନ୍ତି, ସେତେବେଳକୁ ଭୂତଳ ଜଳସ୍ତର ତଳକୁ ଖସିଗଲାଣି । ସାମୂହିକ ଭାବେ ସଭିଏଁ ଜଳ ଆହରଣ କରିବା ଫଳରେ ଏପରି ହେଉଛି । ତେଣୁ ଗରିବ କୃଷକଟି ସେହି ଜଳକୁ ବ୍ୟବହାର କରିବାରେ ସମର୍ଥ ହେଉନାହିଁ ଏବଂ ଏହା କୃଷକ-କୃଷକ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି କରୁଛି । ସେହି ଅଞ୍ଚଳରେ କୃଷି ପାଇଁ ଖରାଦିନେ ଜଳସେଚନ ଜଳର ଚାହିଦା ହଠାତ୍ ବଢିଯିବା ଫଳରେ ସଂଖ୍ୟାଭିତ୍ତିକ ମଡେଲ ଏକ ଉପଯୋଗୀ ସାଧନ ହୋଇପାରେ । ଏହା କେବଳ ଯେ ମାଟି ତଳେ ଥିବା ଭୂତଳ ଜଳତନ୍ତ୍ରକୁ ବୁଝିବା ସକାଶେ ଖୋରାକ୍ ଯୋଗାଇବ ତା ନୁହେଁ ବରଂ ଗଙ୍ଗା ଅବବାହିକାରେ କିପରି ପ୍ରଭାବ ପଡ଼ିବ ସେକଥା ବୁଝିବାରେ ମଧ୍ୟ ସହାୟକ ହେବ । ଏହା ପରିଚାଳନା ଏବଂ ନୀତି ସ୍ତରୀୟ ହସ୍ତକ୍ଷେପ ସକାଶେ ଆବଶ୍ୟକୀୟ ତଥ୍ୟରୂପେ ବିନିଯୋଗ କରାଯାଇ ପାରିବ । ଗଙ୍ଗାର ଜଳ ବ୍ୟବହାର ସକାଶେ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରିବାକୁ ପଡ଼ିବ, ଏହାକୁ ରୂପାୟିତ କରିବାକୁ ପଡ଼ିବ ଏବଂ ମାର୍ଗ ଦର୍ଶିକାମାନ ପ୍ରସ୍ତୁତ କରିବାକୁ ପଡ଼ିବ । ଗଙ୍ଗା ଅବବାହିକାରେ ଥିବା ୧୧ଟି ରାଜ୍ୟ ମିଳିତ ଭାବେ ଏ ସଂପର୍କରେ ଗଭୀର ଆଲୋଚନା କରିବା ଆବଶ୍ୟକ । ପ୍ରତ୍ୟେକ ରାଜ୍ୟକୁ ଅଲଗା ଅଲଗା ବିଚାର କଲେ ମଧ୍ୟ ଏହି ରାଜ୍ୟଗୁଡ଼ିକ ଏପରି କିଛି କରିପାରିବେ ନାହିଁ ଯାହା ସେହି ରାଜ୍ୟର ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି । ଆମ ପାଇଁ ଗଙ୍ଗା ନଦୀ ଅବବାହିକା ପ୍ରାଧିକରଣ ରହିଛି ମାତ୍ର ଆମେ ତାକୁ ସକ୍ରିୟ କରିପାରିବା ନାହିଁ । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି ଏବଂ ସମାଜ ଓ ସରକାର ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ସମସ୍ୟାକୁ ଠିକ୍ ଭାବରେ ବୁଝିବା ଏକାନ୍ତ ଜରୁରୀ । ଏହା ନହେଲେ ପ୍ରଫେସର ଗୋସାଇଁଙ୍କ ଗଣନା ସତ ହୋଇ ନିକଟ ଭବିଷ୍ୟତରେ ଗଙ୍ଗା ଗୋଚର ହେବ । ସମୟ ଆସିଛି ଗଙ୍ଗାର ଗୁହାରୀକୁ ସରକାରଙ୍କୁ ଶୁଣିବାକୁ ପଡ଼ିବ ନହେଲେ ସରସ୍ୱତୀ ଭଳି ଗଙ୍ଗା ମଧ୍ୟ ଗବେଷଣା ତଥ୍ୟ ହୋଇ ରହିଯିବ । ସଫଦରଜଙ୍ଗ ଏନକ୍ଲେଭ, ନୂଆଦିଲ୍ଲୀ ମୋ- ୯୯୧୦୭୪୦୮୩୯

Share :