ନଥାଉ ପଛେ ମୋର ବିହଙ୍ଗ ପକ୍ଷ

ନଥାଉ ପଛେ ମୋର ବିହଙ୍ଗ ପକ୍ଷ

ସରଳ କୁମାର ଦାସ ପକ୍ଷୀଟିଏ ଭଳି ଆକାଶ ମାର୍ଗରେ ଉଡ଼ି ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥାଏ, ଆଉ ସେହି ଇଚ୍ଛା ଯଦି ସରକାରୀ ତହବିଲରୁ ଖର୍ଚ୍ଚ ହୋଇ ପୂରଣ ହୋଇପାରିଲା, ତେବେ ତାଠାରୁ ଭଲ ଆଉ କ’ଣ? ଏଇ ନିକଟରେ ଓଡିଶାର ରାଜ୍ୟପାଳ ହେଲିକପ୍ଟର ଯୋଗେ ହରିଆଣାର ସୀର୍ସାକୁ ଯାଇ ଗସ୍ତ ଖର୍ଚ୍ଚ ୪୬ ଲକ୍ଷ ୧୮ ହଜାର ଟଙ୍କା ହେବା ଓ ତାପରେ ରାଜ୍ୟ ସରକାରଙ୍କ ଦ୍ୱାରା ସେ ନେଇ ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହ ପତ୍ରାଳାପ ହୋବା ପରେ ସାଧାରଣରେ ଚର୍ଚ୍ଚା ହେବାକୁ ଲାଗିଲା। ତେବେ ମୁଖ୍ୟ ଶାସନ ସଚିବଙ୍କ ଦୁଃଖ ପ୍ରକାଶ ପରେ ଚର୍ଚ୍ଚାରେ ବିରାମ ଲାଗିଲା। ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧିକୁ ଏଡାଇବା ପାଇଁ ସରକାର ହୁଏତ ଚୁପ ରହିବା ସ୍ୱାଭାବିକ। କିନ୍ତୁ ରାଜକୋଷରୁ କରଦାତାଙ୍କ ଅର୍ଥର ଅପଚୟ ହୋଇଥିବାରୁ ଲୋକେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ କି? ଓଡିଶାର ରାଜ୍ୟପାଳ ଜୁନ ୧୦, ୨୦୧୮ରେ ତାଙ୍କ ବାସସ୍ଥାନ ହରିଆଣାର ସୀର୍ସା ଗସ୍ତରେ ଯାଇଥିବା ବେଳେ ଦୁଇଟି ହେଲିକପ୍ଟର ବ୍ୟବହାର ହୋଇଥିଲା। ସେ ଦିଲ୍ଲୀ ପର୍ଯ୍ୟନ୍ତ ଲିଗେସୀ-୬୫୦ ଜେଟରେ ଓ ସେଠାରୁ ସୀର୍ସା ଯାଏଁ ଅନ୍ୟ ଏକ ହେଲିକପ୍ଟରରେ ଯାଇଥଲେ। ସେହିପରି ୧୩ ଜୁନରେ ସୀର୍ସାରୁ ଦିଲ୍ଲୀ ଯାଏଁ ହେଲିକପ୍ଟରରେ ଆସି ଦିଲ୍ଲୀରୁ ପୂର୍ବୋକ୍ତ ଜେଟରେ ଫେରିଥିଲେ। ଏହି ଯାତ୍ରା ପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ଆସିବା ବାବଦ ୪୧ଲକ୍ଷ ୧୮ ହଜାର ଟଙ୍କା ଓ ଦିଲ୍ଲୀରୁ ସୀର୍ସା ଯିବା ଆସିବା ବାବଦ ୫ ଲକ୍ଷ ଟଙ୍କା, ଏହିପରି ରାଜକୋଷରୁ ସର୍ବମୋଟ ୪୬ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟ ହେଲା। ଭୁବନେଶ୍ୱରରୁ ଦିଲ୍ଲୀକୁ ପ୍ରତ୍ୟହ ୧୨ଟି ବିମାନ ଚଳାଚଳ କରିଥାଏ। ବିଜନେସ ଶ୍ରେଣୀରେ ଦିଲ୍ଲୀ ଟିକଟର ମୂଲ୍ୟ ସର୍ବାଧିକ ୩୦ ହଜାର ଟଙ୍କା ହୋଇଥିବାରୁ ସର୍ବୋଚ୍ଚ ଶ୍ରେଣୀରେ ଯିବା ଆସିବା ଖର୍ଚ୍ଚ ୬୦ ହଜାର ଟଙ୍କା ହୋଇଥାନ୍ତା। ଦିଲ୍ଲୀରୁ ସୀର୍ସାର ଦୂରତା ୨୬୨ କିଲୋମିଟର ଓ ସଡକ ଯୋଗେ ସର୍ବାଧିକ ୫ ଘଂଟା ସମୟ ଲାଗିଥାଏ। ଗୋଟିଏ ସୌଖୀନ ଗାଡିରେ ଯାଇଥିଲେ ଯିବା ଆସିବା ବାବଦକୁ ହୁଏତ ୪୦ ହଜାର ଟଙ୍କା, ଏହିପରି ସମୁଦାୟ ଖର୍ଚ୍ଚ ଏକ ଲକ୍ଷ ଟଙ୍କା ହୋଇଥାନ୍ତା। ଅର୍ଥାତ, କରଦାତାଙ୍କ ୪୫ ଲକ୍ଷ ୧୮ ହଜାର ଟଙ୍କା ସଂଚୟ ହୋଇପାରିଥାନ୍ତା। ଅବଶ୍ୟ ମହାମହିମଙ୍କର ଆଠ ଘଂଟା ସମୟ ସଂଚୟ ହୋଇଥିବ। ଉଲ୍ଲେଖଯୋଗ୍ୟ, ସେ ଯେଉଁ ସଂସ୍କାରରୁ ଆସିଛନ୍ତି ସେଥିରେ ଦେଶ ଓ ଜନତାଙ୍କ ସ୍ୱାର୍ଥ ବ୍ୟକ୍ତି ସ୍ୱାର୍ଥଠାରୁ ଆଗରେ ବୋଲି କୁହାଯାଇଥାଏ। ଏହିପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ନିୟୁ ଜର୍ସି ରାଜ୍ୟରେ ଘଟିଥିଲା। ମେ ୩୧, ୨୦୧୧ରେ ସେଠାକାର ଗଭର୍ଣ୍ଣର ରିପବ୍ଲିକାନ ଦଳର ଖ୍ରୀସ ଖ୍ରୀଷ୍ଟି ତାଙ୍କ ପୁଅ ଭାଗ ନେଉଥିବା ଏକ ବେସବଲ ମ୍ୟାଚ ଦେଖିବାକୁ ରାଜ୍ୟ ପୋଲିସର ଏକ ହେଲିକପ୍ଟର ଯୋଗେ ୭୫ ମାଇଲ ଦୂରରେ ଥିବା ସ୍କୁଲକୁ ଯାଇଥିଲେ। କରଦାତାଙ୍କ ଅର୍ଥରେ ଗଭର୍ଣ୍ଣର ଅଏସ କରୁଛନ୍ତି ବୋଲି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଜୁନ ୧ ତାରିଖରେ କାର୍ଯ୍ୟଟିକୁ ଉଚିତ ବୋଲି ଦର୍ଶାଇ ଗଭର୍ଣ୍ଣରଙ୍କ ମୁଖପାତ୍ର ବିବୃତି ଦେଲେ। ଫଳରେ ଗଭର୍ଣ୍ଣରଙ୍କ କାର୍ଯ୍ୟ ବିରୁଦ୍ଧରେ ଜନମତ ଏତେ ପ୍ରବଳ ହେଲା ଯେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ହେଲିକପ୍ଟରଟିକୁ ବ୍ୟବହାର କରିଥିବା ସ୍ୱୀକାର କରି ଗଭର୍ଣ୍ଣର ତା ପରଦିନ ରାଜ୍ୟ ରାଜକୋଷକୁ ସମ୍ପୂର୍ଣ୍ଣ ଦେୟ ଫେରସ୍ତ କରିଥିଲେ। ତାପରେ ମୁଖପାତ୍ର ଦେଇଥିବା ବିବୃତିଟି ପ୍ରଣିଧାନ ଯୋଗ୍ୟ। ‘ଏହି ଧରଣର କାର୍ଯ୍ୟ ସହ ସଂଶ୍ଳିଷ୍ଟ ସମ୍ୱେଦନଶୀଳ ପ୍ରସଙ୍ଗକୁ ଗଭର୍ଣ୍ଣର ବେଶ ଭଲ ଭାବେ ହୃଦୟଙ୍ଗମ କରନ୍ତି ଓ ଏହା ଯେପରି ସର୍ବସାଧାରଣଙ୍କ ଧ୍ୟାନ ବିକେନ୍ଦ୍ରିତ ନ କରେ ସେଥିପାଇଁ ସେ ତାଙ୍କ ନିକଟରେ କଟିବଦ୍ଧ’। ଉଲ୍ଲେଖଯୋଗ୍ୟ, ସେଠାକାର ଗଭର୍ଣ୍ଣର ମନୋନୀତ ନ ହୋଇ ନିର୍ବାଚିତ ହୋଇଥାନ୍ତି। ପରେ ଏହି ଘଟଣା ତାଙ୍କ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୟନରେ ଅନ୍ତରାୟ ସୃଷ୍ଟି କରିଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଦ୍ୱାରା ହେଲିକପ୍ଟରର ବହୁଳ ବ୍ୟବହାର ପରିଲକ୍ଷିତ ହେଉଛି। ଗତ ଫେବୃଆରୀ ୩, ୨୦୧୬ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା କଟକକୁ ହେଲିକପ୍ଟର ଯୋଗେ ଯିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହିପରି ଜୁନ ୧୬, ୨୦୧୮ରେ ଜଣେ ଯୁବ ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ବିଜୁ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ହେଲିକପ୍ଟରର ବ୍ୟବହାର କରିବା ଭଳି ଅନେକ ଉଦାହରଣ ରହିଛି। କେବଳ ଗତ ତିନି ବର୍ଷ (୨୦୧୫ରୁ ୨୦୧୭) ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ହେଲିକପ୍ଟର ଯାତ୍ରା ବାବଦକୁ ୨୬ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏପରିକି ମାଓବାଦୀ ଦମନ ପାଇଁ ଉଦ୍ଦିଷ୍ଟ ହେଲିକପ୍ଟରର ଅପବ୍ୟବହାର ହୋଇଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଫେବୃଆରୀ ୨୦୧୩ରୁ ସେପ୍ଟେମ୍ୱର ୨୦୧୫ ମଧ୍ୟରେ ୩୪୧ ଥର ହେଲିକପ୍ଟରର ବ୍ୟବହାର ହୋଇଥିଲେ ମଧ୍ୟ ମାତ୍ର ୫୩ ଥର ମାଓବାଦୀ ଗତିବିଧି ନିୟନ୍ତ୍ରଣ ପାଇଁ ହୋଇଛି। ୨୦୧୪ ମସିହା ଜୁଲାଇ ମାସ ଖଣି ଦୁର୍ନୀତିରେ ନିନ୍ଦିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର ଏକ ହେଲିକପ୍ଟର ଯୋଗେ ପାଂଚ ଜଣ ସାଂସଦ ଦିଲ୍ଲୀ ଯାଇଥିବାର ଅଭିଯୋଗ ଉଠିଥିଲା। ସେହିପରି ଫେବୃଆରୀ ୨୦୧୮ରେ ନବରଙ୍ଗପୁର ସାଂସଦ ଓ ମାଲକାନଗିରି ବିଧାୟକ ହେଲିକପ୍ଟର ଯୋଗେ ମାଲକାନଗିରିର ଏକ ଗାଁକୁ ମନ୍ଦିର ପ୍ରତି। ଉତ୍ସବରେ ଯୋଗ ଦେବାକୁ ଯାଇ ବିବାଦରେ ପଡିଥିଲେ, କାରଣ ଉଡାଣର ସମସ୍ତ ଖର୍ଚ୍ଚ ଜଣେ କଂଟ୍ରାକ୍ଟର ବହନ କରିଥିଲେ। କେତେକଙ୍କ ମତରେ ଜରୁରୀ ସମୟରେ ରାଜନେତାମାନେ ବ୍ୟବସାୟୀ ଓ ଶିଳ୍ପୋଦ୍ୟୋଗୀଙ୍କଠାରୁ ସାହାଯ୍ୟ ମାଗିଥାନ୍ତି, ଆଉ ସେଥିରେ କିଛି ଭୁଲ ନାହିଁ। କିନ୍ତୁ ନିର୍ବାଚିତ ପ୍ରତିନିଧିମାନେ ବ୍ୟକ୍ତିବିଶେଷ, ବ୍ୟବସାୟ ବା ଶିଳ୍ପ ସଂସ୍ଥାଙ୍କ ସହଯୋଗ ଓ ଆତିଥ୍ୟ ଗ୍ରହଣ କରିବା ନୈତିକତା ଦୃଷ୍ଟିରୁ ସମୀଚୀନ କି? ଏହାଦ୍ୱାରା ସେମାନେ ସେହି ବ୍ୟକ୍ତି ବା ସଂସ୍ଥା ନିକଟରେ ପରୋକ୍ଷରେ ଋଣୀ ହୋଇଥାନ୍ତି ଓ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାର ପ୍ରତିଦାନ ଆଶା (କୁଇଡ ପ୍ରୋ କୁଓ) ରହିବା ସ୍ୱାଭାବିକ। ଏବର ମୁଖ୍ୟମନ୍ତ୍ରୀ ଶାସନକୁ ଆସିଲା ପରେ ଓଡିଶା ସରକାରଙ୍କ ନିଜସ୍ୱ ହେଲିକପ୍ଟରଟିକୁ ହଟାଇ ଦିଆଗଲା। ରାଜ୍ୟ ସରକାର ବାଙ୍ଗାଲୋରସ୍ଥିତ ଡେକାନ ଚାର୍ଟରସ କମ୍ପାନୀଠାରୁ ଏକ ହେଲିକପ୍ଟର ଲିଜ୍ ସୂତ୍ରରେ ଆଣି ବ୍ୟବହାର କରୁଛନ୍ତି। ସେଥିପାଇଁ ଚାଲୁ ନ ଚାଲୁ କମ୍ପାନୀକୁ ମାସିକ ୫୨ ଲକ୍ଷ ଟଙ୍କା ଭଡା ଆକାରରେ ଦେବାକୁ ପଡୁଛି, ଚାଲିଲେ ତେଲ ଖର୍ଚ୍ଚ ସ୍ୱତନ୍ତ୍ର। ଏମିତି ମାସିକ ହାରାହାରି ୭୦ ଲକ୍ଷ ଟଙ୍କା ଓ ବାର୍ଷିକ ପ୍ରାୟ ୮ କୋଟି ଟଙ୍କା ରାଜକୋଷରୁ ଯାଉଛି। ମୁଖ୍ୟମନ୍ତ୍ରୀ କୌଣସି ପାଖ ସ୍ଥାନକୁ ହେଲିକପ୍ଟରରେ ଗଲେ ଆଲୋଚନା ହୋଇଥାଏ। ଆରେ ବାବୁ, ଯଦି ନ ଚାଲିଲେ ବି କମ୍ପାନୀକୁ ପ୍ରତିଦିନ ପ୍ରାୟ ଦୁଇ ଲକ୍ଷ ଟଙ୍କା ଗଣିବାକୁ ହେଉଛି, ତେଲ ପକାଇ ଭେଡାଏ ବୁଲି ଆସିଲେ କ୍ଷତି କଣ ! ହେଲିକପ୍ଟର ବାବଦ ଖର୍ଚ୍ଚ ବଢୁଥିବା ଦେଖି ବିଧାନସଭାର ଏକ ଗୃହ କମିଟି ମାର୍ଚ୍ଚ ୨୦୧୫ରେ ଏକ ହେଲିକପ୍ଟର କିଣିବା ସପକ୍ଷରେ ସୁପାରିଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର, ଛତିଶଗଡ ଭଳି କେତେକ ରାଜ୍ୟଙ୍କର ନିଜସ୍ୱ ହେଲିକପ୍ଟର ଥିବା ବେଳେ ଅନ୍ୟ କିଛି ରାଜ୍ୟ ଓଡିଶା ଭଳି ଲିଜ୍ ସୂତ୍ରରେ ଘରୋଇ କମ୍ପାନୀଙ୍କଠାରୁ ହେଲିକପ୍ଟର ନେଉଛନ୍ତି। ‘ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଂଘି ଭୀଷଣ ଗିରି ସାଗର ବକ୍ଷ’, ପଦକ ଲେଖିଲା ବେଳେ କବି ହୁଏତ କଳ୍ପନା କରି ନଥିବେ ଯେ ଦିନେ ନେତାଙ୍କର ଉଡିବା ପାଇଁ ଆଉ ଡେଣା ଦରକାର ହେବ ନାହିଁ। ବରଂ କରଦାତାଙ୍କ ଅର୍ଥରେ ସେମାନଙ୍କ ଦେହରେ ଏମିତି ଯନ୍ତ୍ରଚାଳିତ ଡେଣା ଖଞ୍ଜି ହୋଇଯିବ ଯେ ସେମାନେ ଅନାୟାସରେ ଆକାଶ ମାର୍ଗରେ ବିଚରଣ କରିବାକୁ କୁଣ୍ଠାବୋଧ କରିବେ ନାହିଁ। ଅବଶ୍ୟ ଜରୁରୀ ସମୟରେ ଦୁର୍ଗମ ଅଂଚଳରେ ତୁରନ୍ତ ପହଂଚିବା ଲାଗି ହେଲିକପ୍ଟରର ଉପଯୋଗ ପ୍ରୟୋଜନ। ତେବେ ସର୍ବସାଧାରଣଙ୍କ ଗୋଚରାର୍ଥେ ତିନି ମାସରେ ଅନ୍ତତଃ ଥରେ ହେଲିକପ୍ଟର ଯାତ୍ରା ସଂକ୍ରାନ୍ତୀୟ ସମସ୍ତ ବିବରଣୀ ସରକାରୀ ଓ୍ଵେବସାଇଟରେ ପ୍ରକାଶ ପାଇଲେ ହେଲିକପ୍ଟରର ଅବିଚାରିତ ବ୍ୟବହାର ଉପରେ ନିୟନ୍ତ୍ରଣ ଲାଗିପାରନ୍ତା ? ଉଚ୍ଚ ପଦପଦବୀରେ ଅଧି ିତ ଶାସକ ପ୍ରଶାସକମାନେ ଏ ଧରଣର ଯାତ୍ରାକୁ ସେମାନଙ୍କ ପାତ୍ରତା (ଏନଟାଇଟଲମେଂଟ) ବୋଲି ଧରି ନେବା ହୁଏତ ବିଧିସମ୍ମତ ହୋଇପାରେ, କିନ୍ତୁ ନିରୀକ୍ଷଣ କଲେ କେତେକ କ୍ଷେତ୍ରରେ ତାହା ଅନୈତିକ ମନେହେବ। କୌଣସି କାର୍ଯ୍ୟ ବିଧିସମ୍ମତ ହେବା ଯେତିକି ଜରୁରୀ, ତାଠାରୁ ବେଶି ଜରୁରୀ ଅନୈତିକ ନହେବା। ତଦ୍ଦ୍ୱାରା ଅଧସ୍ତନଙ୍କ ଉପରେ ତାର ଭଲ ପ୍ରଭାବ ପଡି ସେମାନେ ମିତବ୍ୟୟୀ ହେବା ପାଇଁ ପ୍ରେରଣା ପାଇଥାନ୍ତି। ହେଲିକପ୍ଟର ଯାତ୍ରା ହେଉ ବା ହେଲିକପ୍ଟର କିଣା, ସରକାରଙ୍କ ନିଷ୍ପତି ରାଜ୍ୟସ୍ୱାର୍ଥକୈନ୍ଦ୍ରିକ ହେବ ବୋଲି ଆଶା କରାଯାଏ। ନୂଆପଲ୍ଲୀ, ଭୁବନେଶ୍ୱର ଫୋ-୯୪୩୭୦୩୮୦୧୫

Share :