ତିମି ରକ୍ତରେ ଲାଲ ହୁଏ ସମୁଦ୍ର

ତିମି ରକ୍ତରେ ଲାଲ ହୁଏ ସମୁଦ୍ର

Share :

ସାରା ବିଶ୍ୱରେ ୧୯୮୦ ମସିହାରୁ ନିଷିଦ୍ଧ ହେଲାଣି ତିମି ଶିକାର । କିନ୍ତୁ ୟୁରୋପରେ ଏମିତି ଏକ ଦେଶ ଅଛି ଯେଉଁଠି ଏବେ ବି ଖାଦ୍ୟ ଓ ମନୋରଞ୍ଜନ ପାଇଁ ଶହଶହ ସଂଖ୍ୟାରେ ତିମି ଶିକାର କରାଯାଉଛି । ପ୍ରାୟ ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ଏହି ଦେଶରେ ଶହଶହ ଲୋକ ଏକାଠି ମିଶି ତିମି ଶିକାର କରିଥାନ୍ତି । ଆଉ ଏଇ ତିମିଙ୍କ ରକ୍ତରେ ଲାଲ ହୋଇଯାଏ ସମୁଦ୍ର । ଦେଶଟିର ନାଁ ଫାରୋ ଆଇଲାଣ୍ଡ ବା ଫାରୋ ଦ୍ୱୀପପୁଞ୍ଜ । ଉତ୍ତର ଆଟଲାଣ୍ଟିକ ମହାସାଗରରେ ସ୍କଟଲାଣ୍ଡ ଉପକୂଳରୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ମାତ୍ର ୩୨୦ କିଲୋମିଟର ସମୁଦ୍ର ଯାତ୍ରା କଲେ ପଡ଼େ ଏହି ଦେଶ । ଏହା ଠିକ୍ ନରୱେ ଓ ଆଇସଲାଣ୍ଡର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । କ୍ଷେତ୍ରଫଳ ୧୪୦୦ ବର୍ଗ କିଲୋମିଟର । ଜନସଂଖ୍ୟା ୫୦ ହଜାର । ଦେଶଟି ପୂର୍ବରୁ ନରୱେ ଅଧୀନରେ ଥିଲା । କିନ୍ତୁ ୧୮୧୪ ମସିହାରେ ଏକ ଚୁକ୍ତି ବଳରେ ଡେନମାର୍କ ଅଧୀନକୁ ଯାଇଛି । ଏବେ ବି ଏହା ଡେନମାର୍କ ରାଜତନ୍ତ୍ର ମଧ୍ୟରେ ରହିଛି । ହେଲେ ଏହା ଏକ ସ୍ୱୟଂଶାସିତ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି । କିଙ୍ଗଡମ୍ ଅଫ୍ ଡେନମାର୍କ କେବଳ ପ୍ରତିରକ୍ଷା, ବିଦେଶ ନୀତି ଓ ପୁଲିସ ପରି କେତେକ ବିଷୟ ନିୟନ୍ତ୍ରଣ କରୁଛି । ଅନ୍ୟଥା ଫାରୋ ଦ୍ୱୀପପୁଞ୍ଜ ଅନ୍ୟ ସବୁ କ୍ଷେତ୍ରରେ ସ୍ୱାଧୀନ ଓ ସ୍ୱତନ୍ତ୍ର । ଏହି ଦ୍ୱୀପଦେଶରେ ପ୍ରାୟ ପ୍ରତି ଗ୍ରୀଷ୍ମ ଋତୁରେ ଅନୁଷ୍ଠିତ ହୁଏ ତିମି ଶିକାର । କହିବାକୁ ଗଲେ ଏହା ଏକ ପର୍ବ । ଓଡ଼ିଶାର ବଲାଙ୍ଗୀରରେ ହେଉଥିବା ଶୁଲିଆ ଯାତ୍ରା କିମ୍ବା ଶିମିଳିପାଳରେ ହେଉଥିବା ଶିକାର ପରି । ଏଠାରେ ଲୋକମାନେ ଶହଶହ ସଂଖ୍ୟାରେ ମେଳି ହୋଇ ଗଭୀର ସମୁଦ୍ରରୁ ତିମିମାନଙ୍କୁ ଅଡ଼େଇ ଆଣନ୍ତି ଉପକୂଳକୁ । ସେଠାରେ ସେମାନଙ୍କୁ ନିର୍ବିଚାରରେ ହତ୍ୟା କରାଯାଏ । ତିମିଙ୍କ ରକ୍ତରେ ଲାଲ ହୋଇଯାଏ ସମୁଦ୍ର ଜଳ । ବଡ଼ ଭୟଙ୍କର ଦୃଶ୍ୟ ଇଏ । ଏହା ବିରୋଧରେ ଅନେକ ସମ୍ବେଦନଶୀଳ ବ୍ୟକ୍ତି ଓ ସଂସ୍ଥା ମତ ପ୍ରକାଶ କଲେଣି । କିନ୍ତୁ ଫାରୋ ଦ୍ୱୀପପୁଞ୍ଜରେ ତିମି ଶିକାର ବେଆଇନ ଘୋଷିତ ହୋଇନାହିଁ । ବରଂ ତିମି ଶିକାର ପାଇଁ ସରକାର ଲାଇସେନ୍ସ ପ୍ରଦାନ କରନ୍ତି । ତାଲିମ ବି ଦିଅନ୍ତି । ବିନା ତାଲିମ ଓ ଲାଇସେନ୍ସରେ ଅବଶ୍ୟ ସେ ଦେଶରେ କେହି ତିମି ଶିକାର କରିପାରିବେ ନାହିଁ । ଏହି ଦ୍ୱୀପଦେଶର ଭାଗାର ଦ୍ୱୀପକୁ ବୁଲିବାକୁ ଯାଇଥିବାବେଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆଲାଷ୍ଟେର ୱାର୍ଡ଼ ସାଣ୍ଟାଭାଗୁର ଉପସାଗରରେ ଏଭଳି ରକ୍ତାକ୍ତ ଦୃଶ୍ୟର ଚିତ୍ର ଉତ୍ତୋଳନ କରିଥିଲେ । ତାହାକୁ ନେଇ ୟୁରୋପ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଅନେକ ରିପୋର୍ଟ ପ୍ରକାଶ ପାଇଲାଣି । ଅନ୍ୟ କେତେକ ଗଣମାଧ୍ୟମ ବ୍ୟକ୍ତି ମଧ୍ୟ ଏହା ଉପରେ ପ୍ରାମାଣିକ ଚିତ୍ର ନିର୍ମାଣ କରିଛନ୍ତି । ତଥାପି ଗଣ ତିମି ଶିକାରକୁ ନିଷିଦ୍ଧ କରିନାହାନ୍ତି ଫାରୋ ଆଇଲାଣ୍ଡ ସରକାର । ଫାରୋ ସରକାର କୁହନ୍ତି କାହିଁ କେଉଁ କାଳରୁ ତିମି ମାଂସ ଓ ଚର୍ବି ଫରୋ ଲୋକମାନଙ୍କର ପ୍ରିୟ ଖାଦ୍ୟ ଭାବେ ବ୍ୟବହୃତ ହୋଇଆସୁଛି । ଲୋକମାନେ ତିମି ଶିକାର କରି ତା’ର ମାଂସ ଓ ଚର୍ବି ବା ଦେହର ଅନ୍ୟ ଅଂଶକୁ ଅର୍ଥ ପାଇଁ ବିକ୍ରି କରନ୍ତି ନାହିଁ । ସେସବୁକୁ ନିଜନିଜ ବ୍ୟବହାର ପାଇଁ ବାଣ୍ଟି ନିଅନ୍ତି । ସେମାନେ ଯଦି ଏହା ନକରିବେ ତେବେ ସେମାନଙ୍କୁ ବାହାରୁ ଆମଦାନି କରିବାକୁ ପଡ଼ିବ । ନହେଲେ ସେମାନେ ଖାଇବେ କ’ଣ? ଇଂଲଣ୍ଡର ବ୍ଲୁ ପ୍ଲାନେଟ ସୋସାଇଟି, ସମେତ ଅନ୍ତର୍ଜାତୀ ସ୍ତରର ପିପୁଲ ଫର୍ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ ବା ପେଟା, ହ୍ୟୁମାନ୍ ସୋସାଇଟି ଇଣ୍ଟର୍ନେସନାଲ ଏବଂ ହ୍ୱେଲ ଆଣ୍ଡ ଡଲ୍ଫିନ୍ କନ୍ଜରଭେସନ ସୋସାଇଟି ଭଳି ବହୁ ସଂସ୍ଥା ଏହା ବିରୋଧରେ ମତ ପ୍ରକାଶ କରୁଛନ୍ତି । ସେମାନେ ଏହାକୁ ଏକ ପ୍ରାଚୀନ ଦେଶ ଓ ଏହା ଏକବିଂଶ ଶତାବ୍ଦୀରେ ଯୋଗଦେବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି । କେତେକ କହିଛନ୍ତି, ଏମାନଙ୍କର ତିମି ପ୍ରତି ସମ୍ମାନ ନାହିଁ, ସମ୍ବେଦନା ନାହିଁ । ଏହା ସେମାନଙ୍କ ପାଇଁ ଏକ ମନୋରଞ୍ଜନ ହୋଇଯାଇଛି । ପେଟାର ଦାବି ହେଲା ତିମିମାନେ ହେଉଛନ୍ତି ଅତ୍ୟନ୍ତ ବୁଦ୍ଧିମାନ । ସେମାନେ ମଣିଷ ପରି ଭୟ ଓ ଯନ୍ତ୍ରଣା କ୩ଣ ଅନୁଭବ କରନ୍ତି । ତଥାପି ଫାରୋବାସୀ ନିଜ ପରମ୍ପରା ଭାଙ୍ଗି ନାହାନ୍ତି । ଡେନମାର୍କ ରାଜଶାସନାଧୀନ ଥିଲେ ହେଁ ତାଙ୍କ ଦେଶ ସ୍ୱାଧୀନ । ତାଙ୍କ ସରକାର ସ୍ୱତନ୍ତ୍ର । ସେମାନେ ୟୁରୋପୀୟ ୟୁନିଅନର ସଦସ୍ୟ ନୁହନ୍ତି । ତେଣୁ ବିଶ୍ୱର କୌଣସି ଆଇନ ସେମାନଙ୍କ ପ୍ରତି ଲାଗୁ ହୁଏନି । ତାଙ୍କ ସରକାର ପ୍ରଣୟନ କରିଥିବା ଆଇନ ଅନୁସାରେ ତିମି ଶିକାର କରିବାର କୌଶଳ ସଂପର୍କରେ ତାଲିମ ନେଇଥିବା ଏବଂ ଶିକାର ପାଇଁ ଲାଇସେନ୍ସ ପାଇଥିବା ଲୋକମାନେ ହିଁ ଗଣଶିକାରରେ ସାମିଲ ହୋଇପାରିବେ । ତିମିମାନଙ୍କୁ ପୁଣି ଅଧିକ ଯନ୍ତ୍ରଣା ଦେଇ ଶିକାର କରାଯିବ ନାହିଁ । ସେଥିପାଇଁ ସେମାନଙ୍କୁ ଗଭୀର ସମୁଦ୍ରରୁ ଏକ ହୁକ ସାହାଯ୍ୟରେ କୂଳକୁ ଆଣି ସେମାନଙ୍କର ମେରୁଦଣ୍ଡକୁ ଜୋର୍ରେ ଆଘାତ ଦେବାକୁ ହେବ । ସେଇ ଆଘାତରେ ତିମିଟି ଅଚେତ ହୋଇ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଯନ୍ତ୍ରଣାଶୂନ୍ୟ ଅବସ୍ଥାରେ ପ୍ରାଣ ହରାଇଥାଏ ।

Share :