Breaking News
ଗଙ୍ଗା ବହୁଛ କାହିଁ?

ଗଙ୍ଗା ବହୁଛ କାହିଁ?

ଦେବେନ୍ଦ୍ର ପୃଷ୍ଟି ‘ହମ୍ ଉସ୍ ଦେଶ କେ ବାସୀ ହେଁ ଜିସ୍ ଦେଶମେଁ ଗଙ୍ଗା ବହତି ଋଷିୟୋଁ କେ ସଙ୍ଗ ରହନେବାଲୀ ପତିତୋ କେ ସଙ୍ଗ ରହତି ନା ତୋ ହୋଠୋଁ ପେ ସଚ୍ଚାଇ ନହି ଦିଲ୍ ମେ ସଫାଇ କର କେ ଗଙ୍ଗା କୋ ଖରାବ ଦେତେ ଗଙ୍ଗା କି ଦୁହାଇ କରେ କ୍ୟା ବିଚାରୀ ଇସେ ଅପନେ ହି ଲୋଗ ଡୁବୋତେ ରାମ ତେରି ଗଙ୍ଗା ମୈଲି ହୋ ଗୟି ପାପିୟୋଁ କେ ପାପ ଧୋତେ ଧୋତେ।’ ଗୀତିକାର ଓ ସଙ୍ଗୀତକାର- ରବୀନ୍ଦ୍ର ଜୈନ। ଗାୟକ- ସୁରେଶ ୱାଦେକର। ଫିଲ୍ମ- ରାମ ତେରୀ ଗଙ୍ଗା ମୈଲି ହୋ ଗୟି। ଏଇ ଗୀତ ପଦକରେ ହିଁ ଲୁଚି ରହିଛି ଗଙ୍ଗାର ଦୁରବସ୍ଥା। ଗଙ୍ଗା କେତେ ପବିତ୍ର ଥିଲା! ଗଙ୍ଗା କେତେ ପ୍ରଦୂଷିତ ହୋଇଯାଇଛି! ପ୍ରତୀକାତ୍ମକ ଭାବେ ଏଇ କଥା ଜଣେଇବାକୁ ରାଜ କପୁର ତିଆରି କରିଥିଲେ ଏଇ ଫିଲ୍ମଟି। ବର୍ଷ ଥିଲା ୧୯୮୫। ଇତିମଧ୍ୟରେ ବିତିଗଲାଣି ୩୩ ବର୍ଷ। କିଛି ବଦଳିଛି କି ଗଙ୍ଗାର ଅବସ୍ଥା? କେତେ ନିର୍ମଳ ହୋଇଛି ଗଙ୍ଗା? ଫିଲ୍ମର କାହାଣୀ ଏଇପରି: ଗଙ୍ଗୋତ୍ରୀ ନିକଟରେ ବାସ କରନ୍ତି ଗଙ୍ଗା ଓ ତାଙ୍କର ଭାଇ କରମ। ଦିନେ କୋଲକାତାର ନରେନ୍ଦ୍ର ସହାୟ ନାମରେ ଜଣେ ଯୁବକ ପବିତ୍ର ଗଙ୍ଗା ନଦୀର ସୂତ୍ର ଦେଖିବାକୁ ସେଠାରେ ପହଞ୍ଚିଲେ। ଘଟଣାକ୍ରମେ ଗଙ୍ଗା ଓ ନରେନ୍ଦ୍ର ଭେଟାଭେଟି ହେଲେ। ଉଭୟଙ୍କ ମଧ୍ୟରେ ସୃଷ୍ଟି ହେଲା ପ୍ରେମ। କେଇ ଦିନ ଭିତରେ ସେମାନେ ହେଲେ ପ୍ରଣୟୀ। ପରବର୍ତ୍ତୀ ପୂର୍ଣ୍ଣିମାନେ ସେମାନେ ବିବାହ କଲେ ଓ ମଧୁରାତି ବି ମନେଇଲେ। କେଇ ଦିନ ପରେ ନରେନ୍ଦ୍ର କୋଲକାତା ଫେରିଗଲେ। ପ୍ରତିଶ୍ରୁତି ଦେଇଗଲେ ଯେ ଖୁବଶୀଘ୍ର ଫେରିବେ ଓ ଗଙ୍ଗାକୁ ସାଙ୍ଗରେ ନେଇଯିବେ। ମାସ ମାସ ବିତିଗଲା। କିନ୍ତୁ ନରେନ୍ଦ୍ର ଆଉ ଫେରିଲେ ନାହିଁ। ସମୟ ଗଡ଼ିଚାଲିଲା। ଗଙ୍ଗାର ପୁଅଟିଏ ହେଲା। ପୁଅ ହେଲା ପରେ ଗଙ୍ଗା ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ କୋଲକାତାର ଅଲିପୁର ଅଭିମୁଖେ ଯାତ୍ରା ଆରମ୍ଭ କଲା। ଋଷିକେଶରେ ତା’କୁ ଶୋଷଣ କଲେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ। ସେ ସେମାନଙ୍କଠାରୁ ବଞ୍ଚିଗଲା, ଗୋଟେ ଶ୍ମଶାନରେ ଆଶ୍ରୟ ନେଲା। ତା’ପରେ ବନାରସରେ ତା’ ପ୍ରତି ଅସଦାଚରଣ କରିଛି ଜଣେ ପଣ୍ଡିତ। ପୁଲିସ ଗଙ୍ଗାକୁ ଉଦ୍ଧାର କରି କୋଲକାତା ଟ୍ରେନ୍ରେ ବସେଇ ଦେଇଛି। ସେ ତା’ ପୁଅ ପାଇଁ ପାଣି ଆଣିବାକୁ ଟ୍ରେନ୍ରୁ ଓହ୍ଲାଇଥିବାବେଳେ ଟ୍ରେନ ଛାଡ଼ି ଦେଇଛି। ସେଠି ଅନ୍ଧର ଅଭିନୟ କରି ମଣିଲାଲ ନାମକ ଜଣେ ପାଜୀ ତା’କୁ ନେଇ ବନାରସର ରାଜେଶ୍ୱରୀବାଇର ବେଶ୍ୟାଳୟରେ ଛାଡ଼ି ଦେଇଛି। ତା’ ପୁଅର ଖାଦ୍ୟ ଓ ଆଶ୍ରୟ ପାଇଁ ସେ ସେଠାରେ କିଛି ଦିନ ରହିବାକୁ ବାଧ୍ୟ ହୋଇଛି। ଏଇ ରାଜେଶ୍ୱରୀ ବାଇର କୋଠାରେ ତାକୁ ଭଗବତ ଚୌଧୁରୀ ନାମକ ଜଣେ ପ୍ରଭାବଶାଳୀ ରାଜନେତା ସହିତ ଭେଟ କରାଯାଇଛି। ଚୌଧୁରୀ ମଣିଲାଲକୁ ପ୍ରଚୁର ଟଙ୍କା ଦେଇ ଗଙ୍ଗାକୁ କୋଲକାତା ଆଣିବାକୁ କହିଛି। ଚୌଧୁରୀର ଉଦ୍ଦେଶ୍ୟ ହେଲା କୋଲକାତାରେ ସେ ଓ ତା’ର ବନ୍ଧୁ ଜୀବ ସହାୟ ଗଙ୍ଗାକୁ ରକ୍ଷିତା କରି ରଖିବେ। ଗଙ୍ଗା ଜାଣିନାହିଁ ଯେ ଭଗବତର ଝିଅ ରାଧା ଜୀବ ସହାୟର ପୁଅକୁ ବିବାହ କରିବା ପାଇଁ ସ୍ଥିର ହୋଇସାରିଛି। ଜୀବ ସହାୟର ପୁଅ ହିଁ ହେଉଛି ନରେନ୍ଦ୍ର। ଫିଲ୍ମର କ୍ଲାଇମାକ୍ସ ହେଉଛି ନରେନ୍ଦ୍ରର ବିବାହ ଉତ୍ସବରେ ଗଙ୍ଗାର ନୃତ୍ୟ ପ୍ରଦର୍ଶନ। +++ ଠିକ ଏଇପରି ଗଙ୍ଗୋତ୍ରୀରୁ ବାହାରିଥିବା ପୂଣ୍ୟତୋୟା ଗଙ୍ଗା ଋଷିକେଶ, ହରିଦ୍ୱାର, ବନାରସ, ଆହ୍ଲାବାଦ, କୋଲକାତା ଆଦି ଅନେକ ସହର ଦେଇ ବଙ୍ଗୋପସାଗରରେ ସମୁଦ୍ର ସାନ୍ନିଧ୍ୟ ଲଭିବାବେଳକୁ ଗଙ୍ଗା ହୋଇଯାଇଛି କଳଙ୍କିତ, ଅପବିତ୍ର, ନିନ୍ଦିତ। ଫିଲ୍ମରେ ଅବଶ୍ୟ ନରେନ୍ଦ୍ରର ମାମୁଁ କୁଞ୍ଜ ବିହାରୀ ଗଙ୍ଗା ଅନେକ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ଓ ଏବେ ନରେନ୍ଦ୍ରର ଅଗ୍ନି ପରୀକ୍ଷାର ବେଳ ବୋଲି କହିଛି। କିନ୍ତୁ ଭାରତର ଆତ୍ମା ଗଙ୍ଗାର ନଦୀର ସେ ସୌଭାଗ୍ୟ ଆସି ନାହିଁ। ସେ ଗତକାଲି ଥିଲା ପ୍ରଦୂଷିତ, ଆଜି ବି ପ୍ରଦୂଷିତ ବରଂ ଅଧିକ ମାତ୍ରାରେ। ଏଇ ନିକଟରେ ଭାରତର ଜାତୀୟ ସବୁଜ ନ୍ୟାୟାଳୟ ବା ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ ଏସଂପର୍କୀତ ଏକ ମାମଲାର ଶୁଣାଣି ଅବସରରେ ଗଙ୍ଗାର ପ୍ରଦୂଷଣ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏନଜିଟି ବିଚାରପତି କହିଛନ୍ତି ଯେ ଉତ୍ତର ପ୍ରଦେଶର ହରିଦ୍ୱାର ଓ ଉନ୍ନାଓ ମଧ୍ୟରେ ଗଙ୍ଗା ନଦୀର ଜଳ ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ ହୋଇସାରିଛି। ଗଙ୍ଗାନଦୀକୁ ଭାରତୀୟ ଲୋକମାନେ ମା’ ବୋଲି ମାନିଥାନ୍ତି। ଏହାକୁ ପବିତ୍ର ମନେ କରି ସେଥିରେ ଗାଧୋଇଲେ ସମସ୍ତ ପାପ ମୋକ୍ଷ ହୁଏ ବୋଲି ବିଶ୍ୱାସ କରିଥାନ୍ତି। କିନ୍ତୁ ସେମାନେ ଜାଣି ନାହାନ୍ତି ଯେ ଗଙ୍ଗାରେ ଗାଧୋଇଲେ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ। ଯଦି ସିଗାରେଟ ପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ପ୍ୟାକେଟ ଉପରେ ଲେଖାଯାଉଛି ତେବେ ଗଙ୍ଗା ନଦୀର ଜଳ ପାନ କରିବା ବି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କାହିଁକି ସୂଚୀତ କରା ନଯିବ ବୋଲି ଏନଜିଟି ପ୍ରଶ୍ନ କରିଛନ୍ତି। ଏନଜିଟି ଅଧ୍ୟକ୍ଷ ଏ. କେ. ଗୋୟେଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି, ଲୋକମାନଙ୍କର ଜୀବନ ପ୍ରତି ଅଧିକାର ଦୃଷ୍ଟିରୁ ଗଙ୍ଗା ନଦୀ କୂଳେ କୂଳେ ପ୍ରତି ୧୦୦ କିଲୋମିଟର ଦୂରତାରେ ‘ଗଙ୍ଗା ଜଳ ଗାଧୋଇବା ଓ ପିଇବା ପାଇଁ ଅନୁପଯୁକ୍ତ’ ବୋଲି ଉଲ୍ଲେଖଥିବା ନୋଟିସ ବୋର୍ଡ଼ ଲଗାଯାଉ। ସେହିପରି ଏହି ମିଶନ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର େୱବସାଇଟରେ କେଉଁ କେଉଁ ସ୍ଥାନରେ ଗଙ୍ଗାନଦୀର ଜଳ ଗାଧୋଇବା ଓ ପିଇବା ପାଇଁ ଉପଯୁକ୍ତ ସେ ସଂପର୍କୀତ ସ୍ପଷ୍ଟ ନକ୍ସା ଅପଲୋଡ଼ କରିବାକୁ ମଧ୍ୟ ଟ୍ରିବ୍ୟୁନାଲ ନିଦ୍ଦେର୍ଶ ଦେଇଛନ୍ତି। ଗଙ୍ଗା ପ୍ରଦୂଷଣ ଗଙ୍ଗାର ଶୁଦ୍ଧତା ଓ ପବିତ୍ରତାର ସୁରକ୍ଷା କରିବା ପାଇଁ ନୂଆକରି ଉଦ୍ୟମ ଆରମ୍ଭ ହୋଇନାହିଁ। ରାଜୀବ ଗାନ୍ଧୀଙ୍କ ସମୟରୁ ଆରମ୍ଭ ହେଲାଣି ଗଙ୍ଗା ନିର୍ମଳ ଯୋଜନା। ସରକାର ବଦଳିଲେ ଯୋଜନାର ନାମ ବଦଳିଛି। ବଦଳିଛି ଯୋଜନାର କାର୍ଯ୍ୟକ୍ରମ। କିନ୍ତୁ ବଦଳି ନାହିଁ ଗଙ୍ଗାର ଦୁର୍ଦ୍ଦଶା। ଏଇ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ବିଭିନ୍ନ ସମୟରେ ଗଙ୍ଗାର ନିର୍ମଳତା ପାଇଁ ଖର୍ଚ୍ଚ ହେଲାଣି ପ୍ରାୟ ୧୧ ହଜାର କୋଟି ଟଙ୍କା। ନୂଆର କରି କାର୍ଯ୍ୟକାରୀ ହେଉଥିବା ନେସନାଲ ମିଶନ ଫର କ୍ଲିନ ଗଙ୍ଗା ବା ଏନସିଜିଏମ ପାଇଁ ମଂଜୁର ହୋଇଥିବା ୨୦,୬୦୧ କୋଟି ଟଙ୍କାରୁ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଖର୍ଚ୍ଚ ହେଲାଣି ଆଉ ୪,୨୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ଗଙ୍ଗା ନିର୍ମଳ ହୋଇନାହିଁ। ସେହିପରି ୨୦୧୭ ମାର୍ଚ୍ଚ ସୁଦ୍ଧା ଅନ୍ୟ ବିଭିନ୍ନ ଯୋଜନାରେ ଗଙ୍ଗାର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହୋଇସାରିଛି ୭୩୦୪.୬୪ କୋଟି ଟଙ୍କା। ସେହିବର୍ଷ ଜୁଲାଇ ୧୩ ତାରିଖରେ ଏହି ତଥ୍ୟ ଭିତ୍ତିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ଗ୍ରୀନ ଟ୍ରିବ୍ୟୁନାଲ। ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ନଦୀ ଅତଡ଼ାରୁ ୧୦୦ ମିଟର ମଧ୍ୟରେ ସବୁ ପ୍ରକାଣ ନିର୍ମାଣ ଏବଂ ୫୦୦ ମିଟର ଭିତରେ କୌଣସି ପ୍ରକାର ବର୍ଜ୍ୟବସ୍ତୁ ପରିତ୍ୟାଗ କରିବା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ ଏନଜିଟି। କିନ୍ତୁ ଏ ଆଦେଶ ଏଯାଏଁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ। ଉତ୍ତରାଖଣ୍ଡରୁ ପଶ୍ଚିମ ବଙ୍ଗ ଯାଏଁ ଗଙ୍ଗା ବହିଥିବା ୧୧ଟି ରାଜ୍ୟରେ ପ୍ରତିଦିନ ହଜାର ହଜାର ଟନ୍ର ମଇଳା ଏହି ନଦୀରେ ଛଡ଼ା ଯାଉଛି। ତାହାର ବିଶୋଧନ କରାଯାଉ ନାହିଁ। ଦେଶର ସବୁଠୁ ବଡ଼ ନଦୀ ହେଉଛି ଗଙ୍ଗା। ଏହା ଦୈର୍ଘ୍ୟ ହେଉଛି ୨୫୦୦ କିଲୋମିଟର। ଏହାର ଅବବାହିକା ଦେଶର ମୋଟ ଜମିର ୨୬% ବା ୮,୬୧,୪୦୪ ବର୍ଗ କିଲୋମିଟର ଏବଂ ଏହା ଉପରେ ୪୩ଞ୍ଝ ଲୋକ ନିର୍ଭର କରନ୍ତି। ଗଙ୍ଗା ବହିଥିବା ମୁଖ୍ୟ ୫ଟି ରାଜ୍ୟ ହେଉଛନ୍ତି ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମ ବଙ୍ଗ। ଏହି ପାେଞ୍ଚାଟି ରାଜ୍ୟ ହିଁ ଗଙ୍ଗା ପ୍ରଦୂଷଣ ପାଇଁ ଅଧିକମାତ୍ରାରେ ଦାୟୀ। ଏହିସବୁ ରାଜ୍ୟର ଅନେକ ପରିମାଣରେ ରାସାୟନିକ ବର୍ଜ୍ୟ, ନର୍ଦ୍ଦମା, ମୃତଦେହ ଏବଂ ମଳ ଗଙ୍ଗାନଦୀରେ ଛଡ଼ାଯାଉଛି। ଗଙ୍ଗା ଅବବାହିକାରେ ପ୍ରତିଦିନ ସୃଷ୍ଟି ହେଉଛି ୧୨୦୦ କୋଟି ଲିଟରର ନର୍ଦ୍ଦମା। କିନ୍ତୁ ମାତ୍ର ୪୦୦ କୋଟି ଲିଟର ନର୍ଦ୍ଦମା ବିଶୋଧନ ପାଇଁ ଏଯାଏଁ ବ୍ୟବସ୍ଥା କରାଯାଇଛି। ବିଶେଷକରି ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ଗଙ୍ଗାନଦୀକୁ ପ୍ରତିଦିନ ୩୦୦ କୋଟି ଲିଟର ନର୍ଦ୍ଦମା ବହି ଯାଉଥିବାବେଳେ ସେଥିରୁ ମାତ୍ର ୧୦୦ କୋଟି ଲିଟର ନର୍ଦ୍ଦମାର ବିଶୋଧନ କରାଯାଉଛି। କୋଶି, ରାମଗଙ୍ଗା ଓ କାଳି ପରି ଗଙ୍ଗାର ଉପନଦୀ ଅବବାହିକାରେ ଗଢ଼ି ଉଠିଥିବା ଅନେକ କାଗଜ କଳ, ରାସାୟନିକ ଶିଳ୍ପ, ଚିନି କର, ଚମଡ଼ା କାରଖାନା ଆଦିରୁ ପ୍ରତଦିନ ନିର୍ଗତ ହେଉଛି ଲକ୍ଷଲକ୍ଷ ଲିଟରର ବିଷାକ୍ତ ଅମ୍ଳ ମିଶ୍ରିତ ବର୍ଜ୍ୟ ଜଳ। ଶତକଡ଼ା ୨୦ ଭାଗ ଗଙ୍ଗା ପ୍ରଦୂଷଣ ପାଇଁ ଦାୟୀ ଏସବୁ କାରଖାନା। ବାକି ୮୦ ପ୍ରତିଶତ ପାଇଁ ଦାୟୀ ପୌର ମଳ ଓ ନର୍ଦ୍ଦମା। ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲଙ୍କ ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗରେ ଗଙ୍ଗା ନଦୀ ଜଳରେ ଅନୁମୋଦିତ ହାରଠାରୁ ୬-୩୩୪ ଗୁଣ ଅଧିକ କୋଲିଫର୍ମ ବ୍ୟାକ୍ଟେରିଆ ମିଳୁଛନ୍ତି। ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ। ଏଇ ପାଣିରେ ଗାଧୋଇଲେ ବି ଭୟଙ୍କର ଚର୍ମ ରୋଗ ହେବାର ଆଶଙ୍କା ରହିଛି। ମୋଦି ସରକାର ଆସିବା ପୂର୍ବରୁ ଗଙ୍ଗାରେ ମିଶୁଥିବା ପୌର ଅଳିଆ ସଫା କରିବାକୁ ମଞ୍ଜୁର ହୋଇଥିଲା ୮୬ ପ୍ରକଳ୍ପ। ସେଥିରୁ ଏଯାଏଁ କାର୍ଯ୍ୟକାରୀ ହୋଇଛି ମାତ୍ର ୧୯ ପ୍ରକଳ୍ପ। ଏସବୁ ପ୍ରକଳ୍ପରେ ଦିନକୁ ୧୫ କୋଟି ଲିଟର ନର୍ଦ୍ଦମା ସଫା ହେବା କଥା। କିନ୍ତୁ ସେଥିରୁ ଗୁଡ଼ାଏ ଅଳ୍ପ ଦିନରେ ଅକାମୀ ହୋଇ ପଡ଼ିରହିଛି। ନୂଆ ନୂଆ ସହର ଓ ଶିଳ୍ପର ବର୍ଜ୍ୟ ଏବେ ବି ଗଙ୍ଗାରେ ମିଶୁଛି। କେବଳ ମଳ ଓ ବଜ୍ୟ ନୁହେଁ, ମୋକ୍ଷ ପାଇବାର ଭାକ୍ତିକ ବିଭ୍ରାନ୍ତିରେ ଅନେକ ଲୋକଙ୍କ ମୃତଦେହକୁ ଗଙ୍ଗାରେ ଭସାଇ ଦିଆଯାଉଛି। ଗଙ୍ଗାକୂଳରେ ହେଉଥିବା ଶବଦାହର ଭସ୍ମାବଶେଷ ମଧ୍ୟ ମିଶୁଛି ଏଇ ନଦୀରେ। ବର୍ଷା ଦିନେ କୃଷିଜମିର ବିଷାକ୍ତ ରାସାୟନିକ ସାର ଓ କୀଟନାଶକ ଅଂଶ ପରି ଅବବାହିକାର ଅନ୍ୟାନ୍ୟ ବିଷ ମଧ୍ୟ ବର୍ଷାଜଳ ଜରିଆରରେ ଆସି ନଦୀରେ ମିଶୁଛି। ଏସବୁ ମିଶି ଗଙ୍ଗାକୁ କରିଦେଇଛି ଭୟଙ୍କର ଭାବେ ପ୍ରଦୂଷିତ। ମହାଭାରତର କାହାଣୀ ଅନୁସାରେ ଦିନେ ସିନା ଗଙ୍ଗା ଥିଲେ ଅତ୍ୟନ୍ତ ବଦରାଗୀ। ଶାନ୍ତନୁ ତାଙ୍କୁ ବିବାହ କରିବା ସମୟରେ ସେ ସର୍ତ୍ତ ରଖିଥିଲେ ଗଙ୍ଗା କହିଲେ ଥିବି, ଗାଙ୍ଗୀ କହିଲେ ଯିବି। ସର୍ତ୍ତ ଖିଲାପ ହେବାରୁ ସେ ଶାନ୍ତନୁଙ୍କୁ ଛାଡ଼ି ଚାଲି ଯାଇଥିଲେ। ଛାଡ଼ି ଯାଇଥିଲେ ଦେବବ୍ରତ ଭୀଷ୍ମଙ୍କୁ, ଯିଏ ପରେ ଆଜୀବନ ବିବାହ ନକରିବାର ଶପଥ ନେଇଥିଲେ, ହୋଇଥିଲେ କୁରୁବଂଶର ପିତାମହ। ସେ ଯୁଗ ଆଜି ନାହିଁ। ଗଙ୍ଗା ଆଜି ମୌନ, ମୂକ। ସେ ପ୍ରତିବାଦ କରିପାରୁ ନାହିଁ। ତା’ ଦେହରେ ତା’ରି ସନ୍ତାନସନ୍ତତିମାନେ ମଳତ୍ୟାଗ କରୁଛନ୍ତି, ସେ କେବଳ ଦେଖୁଛି, ସହୁଛି, ହୁଏତ ମନେମନେ ଭାବୁଥିବ କି କୁଳାଙ୍ଗାର ସନ୍ତାନମାନେ ମୋର! ନିଜର ବିକାଶ ନାମରେ ବିନାଶ ସାଧନ କରୁଛନ୍ତି! ଏହିଭଳି ପରିସ୍ଥିତି ଦିନେ ହୁଏତ ବ୍ୟଥିତ କରିଥିଲା ବିଖ୍ୟାତ ଗୀତିକାର ଓ ଗାୟକ ଭୂପେନ ହଜାରିକାଙ୍କୁ। ସେ ଗାଇଥିଲେ ଏକ ଚମତ୍କାର ଗୀତ। ମୂଳ ଅହମିୟାରୁ ଏଇ ଗୀତଟି ବଙ୍ଗଳା ଓ ହିନ୍ଦୀ ଭାଷାରେ ମଧ୍ୟ ଅନୂଦିତ ହୋଇଛି। ବଙ୍ଗଳାରେ ଗୀତଟି ଏଇପରି: ବିସ୍ତୀର୍ଣ୍ଣୋ ଦୁ ପାରେ, ଅସଂଖ୍ୟୋ ମାନୁଷେର ହାହାକାର ଶୁନେ ନିଶୋବ୍ଦେ ନୀରବେ ଓ ଗଙ୍ଗା ତୁମି ଗଙ୍ଗା ବୋଇଛ କେନୋ? ନୈତିକତାର ସ୍ଖଳନ ଦେଖେଓ ମାନୋବତାର ପତନ ଦେଖେଓ ନିର୍ଲଜ ଅଳସ ଭାବେ ବୋଇଛ କେନୋ? ଜ୍ଞାନ ବିହୀନ ନିରକ୍ଷରେର ଖାଦ୍ୟ ବିହୀନ ନାଗରିକେର ନେତ୍ରବିହୀନତୋୟତେ ମଉନ କେନୋ? ସହସ୍ର ବରଷର, ଉନ୍ମାଦନାର ମନ୍ତ୍ର ଦିୟେ ଲକ୍ଷୋ ଜନେର ସବଳ ସଂଗ୍ରାମୀ ଆର ଅଗ୍ରଗାମୀ କୋରେ ତୋଳେନା କେନୋ? ବ୍ୟକ୍ତି ଯଦି ବ୍ୟକ୍ତିକେନ୍ଦ୍ରିତ ସମଷ୍ଟି ଯଦି ବ୍ୟକ୍ତିତ୍ୱ ରହିତ ତୋବେ ଶୀଥିଳ ସମାଜେ କେ ଥାମୋ ନା କେନୋ? ସ୍ରୋତସ୍ୱିନୀ କେନୋ ନାଇଁ ବୋଉ ତୁମି ନିଶ୍ଚୟ ଜାହ୍ନବୀ ନାଉଁ ତା’ହୋଲେ ପ୍ରେରଣା ଦାଓ ନା କେନୋ? ଉନ୍ମତ୍ତ ଧରାର କୁରୁକ୍ଷେତ୍ରେ ସରୋସିଜ କେ ଆଲିଙ୍ଗନ କରା ଲକ୍ଷୋ କୋଟି ଭାରତବାସୀକେ ଜଗାଲେ ନା କେନୋ? (ଲେଖାଟି ପ୍ରଥମେ ନିତିଦିନରେ ପ୍ରକାଶିତ।)

Share :