କିଏ ଖୋଲିଲା ଭଣ୍ଡାର ତାଲା?

କିଏ ଖୋଲିଲା ଭଣ୍ଡାର ତାଲା?

Share :

ରାଜନୀତିକ ପ୍ରତିନିଧି ସଂପ୍ରତି ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ରାଜ୍ୟ ରାଜନୀତିରେ ଅନେକ ପ୍ରକାର ହଟଚମଟ ଓ ହଇଚଇ ସୃଷ୍ଟି ହେବାରେ ଲାଗିଛି। ଏଇ ହଇଚଇ ଓ ହଟଚମଟ ଭିତରେ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରରୁ ରତ୍ନସବୁ ଚୋରି ହୋଇଯାଇଛି ବୋଲି ସାଧାରଣରେ ସନ୍ଦେହ ଉପୁଜିଛି। ଭଣ୍ଡାର ଚାବି ହଜିବା ଘୋଷିତ ହେବା, ତାହା ପ୍ରଥମେ ନମିଳିବା, ଚାବି ହଜିବା ନେଇ ପୁଲିସରେ ଏତଲା ଦିଆନଯାଇ ଖୋଜିବାକୁ ବିଚାର ବିଭାଗୀୟ କମିଶନ ବସିବା ଆଦି ଅନେକ ଘଟଣା ଏଭଳି ସନ୍ଦେହ ଉଦ୍ରେକ କରିବାକୁ ଯଥେଷ୍ଟ ଯୁକ୍ତି ଯୋଗାଇଛି। ସେହିପରି ବିବାଦ ଭିତରେ ଚାବି ମିଳିବା ଘଟଣା ମଧ୍ୟ ସନ୍ଦେହରୁ ଊର୍ଦ୍ଧ୍ବରେ ରହିନାହିଁ। ଚାବି ମିଳୁନି ବୋଲି କହିଥିବା ଜିଲ୍ଲାପାଳ ଚାବି ମିଳିଲା ବୋଲି କହିବା ଏବଂ ତାହା ଡୁପ୍ଲିକେଟ ଚାବି ବୋଲି ଲଫାଫା ଉପରେ ଲେଖାଥିବା ଜଣାପଡ଼ିବା ପରେ ଏହି ଚାବିକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ପୁଣି ଚାବି ମିଳିବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେଥିରେ ରତ୍ନ ଭଣ୍ଡାର ତାଲା ଖୋଲୁଛି କି ନାହିଁ ପରୀକ୍ଷା ନକରିବା ଏବଂ ଯଦି ଖୋଲୁଛି ତେବେ ଭଣ୍ଡାରରେ ଗଚ୍ଛିତ ଥିବା ରତ୍ନ ଓ ସୁବର୍ଣ୍ଣ ଅଳଙ୍କାରାଦିର ସୁମାରି ନକରିବା ଘଟଣା ସ୍ବାଭାବିକ ଭାବେ ଶ୍ରୀଜଗନ୍ନାଥଙ୍କୁ ସର୍ବସ୍ବାନ୍ତ କରି ତାଙ୍କର ସେବକ, ପ୍ରଶାସକ ଓ ନେତାମାନେ ସବୁ ଲୁଟି ନେଇଥିବା ଅଭିଯୋଗ ହେଉଛି। ଏହି କ୍ରମରେ ପ୍ରଶ୍ନ ଉଠିଛି ଯେ ଏତେ ବିବାଦ ସତ୍ତ୍ବେ କାହିଁକି ନିଜକୁ ସ୍ବଚ୍ଛ ବୋଲି ପ୍ରଚାରିତ କରୁଥିବା ବର୍ତ୍ତମାନର ସରକାର ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ସୁମାରି କରିବା ସହିତ ତାହାକୁ ପୂର୍ବ ତାଲିକା ସହିତ ମିଳାଉ ନାହାନ୍ତି? ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବୁଛନ୍ତି କି ରତ୍ନ ଭଣ୍ଡାର ଚାବି ଖୋଲି ଅଳଙ୍କାର ସୁମାରି ହେଲେ ତାଙ୍କ ଦଳର କୌଣସି ନେତାଙ୍କର ବଂଶବୁନିୟାଦି କଥା ପଦାରେ ପଡ଼ିଯିବ? ସେ ଏଭଳି ଅନେକ ପ୍ରଶ୍ନ ସଂପର୍କରେ ନୀରବ ରହିଥିବାରୁ ରାଜନୀତିକ ମହଲରେ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି ଏବଂ ତାଙ୍କରି ଦଳର କେତେକ ପ୍ରଭାବଶାଳୀ ନେତାଙ୍କ ପିତା ଓ ପିତୃବ୍ୟମାନଙ୍କ ସମୟରେ ଜଗନ୍ନାଥ ମନ୍ଦିରର ବହୁ ମୂଲ୍ୟବାନ ଆୟ ଅଳଙ୍କାର ଲୁଟ୍ ହେବା ପାଇଁ ବାଟ ବାହାର କରାଯାଇଛି ବୋଲି ସନ୍ଦେହ ହେଉଛି। ୧୮୦୩ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର କରିବା ପରଠାରୁ ଶ୍ରୀମନ୍ଦିର ପରିଚାଳନା ନେଇ ଅବ୍ୟବସ୍ଥା ଲାଗି ରହିଛି। ୧୮୦୬ ମସିହାରେ ମନ୍ଦିର ପରିଚାଳନା ଭାର ତିନି ଜଣ ପଣ୍ଡିତଙ୍କୁ ନେଇ ଗଠିତ ଏକ କମିଟିକୁ ଦିଆଯାଇଥିଲା। ୧୮୦୯ର ପୁରୀ ରାଜାଙ୍କୁ ଏହି ଭାର ଅର୍ପଣ କରାଗଲା। ବୀର କିଶୋର ଦେବ ଅପୁତ୍ରିକ ଥିବାରୁ ୧୮୫୯ରେ ତାଙ୍କର ମୃତ୍ୟୁ ପରେ ତାଙ୍କ ପୋଷ୍ୟପୁତ୍ର ନାବାଳକ ଥିବାରୁ ରାଣୀଙ୍କୁ ମନ୍ଦିର ପରିଚାଳନା ଦାୟିତ୍ବ ଦିଆଗଲା। ସେହି ସମୟରେ ମନ୍ଦିରରେ ନାନାଦି ବିଭ୍ରାଟ ଘଟିଲା। ତେଣୁ ବ୍ରିଟିଶ ସରକାର ୧୮୮୫ ମସିହାରେ ମନ୍ଦିର ପରିଚାଳନା ଭାର ହାତକୁ ନେବା ପାଇଁ କୋର୍ଟରେ ମକଦ୍ଦମା କଲେ। ରାଣୀଙ୍କ ତରଫରୁ ଏହାକୁ ବିରୋଧ କଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ମଧୁବାବୁଙ୍କ ଯୁକ୍ତି ବଳରେ ବ୍ରିଟିଶ ସରକାର ସେହି ମକଦ୍ଦମା ହାରିଲେ। କିନ୍ତୁ ବୁଝାମଣା ଅନୁଯାୟୀ ମୁକୁନ୍ଦ ଦେବ ସାବାଳକ ହେବା ଯାଏଁ ଜଣେ ପରିଚାଳକଙ୍କୁ ମନ୍ଦିର ଦାୟିତ୍ବ ଦିଆଗଲା। ମୁକୁନ୍ଦ ଦେବା ସାବାଳକ ହେବା ପରେ ମଧ୍ୟ ବିଭ୍ରାଟ ଲାଗି ରହିଲା। ତାଙ୍କ ଅନ୍ତେ ରାମଚନ୍ଦ୍ର ଦେବ ମନ୍ଦିର ଦାୟିତ୍ବ ବହନ କଲେ। ତାଙ୍କ ସମୟରେ ମଧ୍ୟ ପରିଚାଳନାଗତ ବିଭ୍ରାଟ ଲାଗି ରହିଲା। ଏହି ସମୟ କାଳ ମଧ୍ୟରେ ଭାରତ ସ୍ବାଧୀନ ହେଲା। ଓଡ଼ିଶା ସରକାର ଶ୍ରୀମନ୍ଦିର ପରିଚାଳନାରେ ଶୃଙ୍ଖଳା ଆଣିବା ପାଇଁ ମନ୍ଦିର ପରିଚାଳନା ଭାର ଗ୍ରହଣ କରିବା ପାଇଁ ୧୯୫୨ ମସିହାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ପ୍ରଣୟନ କଲେ। ଏହି ଆଇନ ଅନୁସାରେ ସେବାୟତଙ୍କର ରେକର୍ଡ ଅଫ ରାଇଟ୍ସ ବା ଅଧିକାର ସନନ୍ଦ ପ୍ରସ୍ତୁତ ହେଲା। ପରେ ୧୯୫୫ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ପ୍ରଣୀତ ହେଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ। ଆଇନରେ ବ୍ୟବସ୍ଥା ଥିଲା ଯେ ମନ୍ଦିର ଓ ମନ୍ଦିର ସଂପତ୍ତି ପରିଚାଳନା ଭାର ସରକାର ଗ୍ରହଣ କରିବେ। କିନ୍ତୁ ସେହି ଆଇନକୁ ଗଜପତି ରାମଚନ୍ଦ୍ର ଦେବ-୪ ଅଦାଲତରେ ବିରୋଧ କଲେ। ତେବେ ସୁପ୍ରିମ କୋର୍ଟ ଓଡ଼ିଶା ସରକାରଙ୍କ ଆଇନକୁ ବୈଧ ଘୋଷଣା କରିବା ପରେ ୧୯୬୦ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ ମସିହାରେ କାର୍ଯ୍ୟକାରୀ ହେଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ। ଡକ୍ଟର ମହତାବଙ୍କ ପୋଷ୍ୟପୁତ୍ର ଭର୍ତ୍ତୃହରି ମହତାବ ଏବେ ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ନେତା। ସେ ବିଜେଡି ସଂସଦୀୟ ଦଳର ନେତା ଅଛନ୍ତି। ତା’ ପୂର୍ବରୁ ୧୯୫୪ ମସିହାରେ ସେବାୟତଙ୍କର ଅଧିକାର ସନନ୍ଦ ବା ଆରଓଆର ପ୍ରସ୍ତୁତ ହୋଇଥିଲା। ସେଥିରେ ଶ୍ରୀମନ୍ଦିରର କେତେକ ଅଳଙ୍କାରର ତାଲିକା ମଧ୍ୟ ରହିଛି। ବିଜେପି ନେତା ତଥା ବିଶିଷ୍ଟ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କ ମତରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ପ୍ରତି ୬ ମାସରେ ଥରେ ମନ୍ଦିରର ରତ୍ନାଳଙ୍କାର ଆଦିର ସୁମାରି ହେବା କଥା। ତାଙ୍କରି କଥା ଅନୁସାରେ ମନ୍ଦିରର ଆୟ ଅଳଙ୍କାର ଆଦି ବିଷୟ ତଦାରଖ କରିବା ପାଇଁ ଏକ ଫାଉଣ୍ଡେସନ ଫଣ୍ଡ କମିଟି ଅଛି। ଏହାର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଏ କମିଟି ବୈଠକ କେବେ ବସେ ନାହିଁ। ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ଓ ସଂପତ୍ତି ଭାର ଅଧିଗ୍ରହଣ କରିବା ପରେ ପ୍ରଥମେ ୧୯୬୪ ମସିହାରେ ରତ୍ନ ଭଣ୍ଡାର ଖୋଲିଥିଲା ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ। ତାଙ୍କ ପୁଅ ନବୀନ ପଟ୍ଟନାୟକ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ସେତେବେଳେ ଶ୍ରୀମନ୍ଦିରର ରତ୍ନଗୁଡ଼ିକର ସୁମାରି ହୋଇଥିଲା କି ନାହିଁ, ଯଦି ହୋଇଥିଲା ତାହାର ତାଲିକା କୁଆଡ଼େ ଗଲା ସେ ତଥ୍ୟ ଏବେ ମିଳୁ ନାହିଁ। ପରେ ପୁଣି ଥରେ ୧୯୭୨ ମସିହାରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀମତୀ ନନ୍ଦିନୀ ଶତପଥୀ। ତାଙ୍କ ପୁଅ ତତାଗତ ସତପଥୀ ଏବେ ବିଜୁ ଜନତା ଦଳର ଲୋକସଭା ସଦସ୍ୟ। ସେତେବେଳେ ମଧ୍ୟ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ରତ୍ନ ଥିଲା ତାହାର ସୁମାରି ହୋଇଥିଲା କି ନାହିଁ ତାହାର କିଛି ପ୍ରମାଣ ନାହିଁ। ପୁଣି ଥରେ ୧୯୭୮ ମସିହାରେ ଭିତର ରତ୍ନ ଭଣ୍ଡାରର ତାଲା ଖୋଲିଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ନୀଳମଣି ରାଉତରାୟ। ତାଙ୍କ ପୁଅ ବିଜୟଶ୍ରୀ ରାଉତରାୟ ଏବେ ନବୀନ ପଟ୍ଟନାୟକ କ୍ୟାବିନେଟର ଜଣେ ସଦସ୍ୟ। ନୀଳମଣିଙ୍କ ସରକାରେ ମନ୍ତ୍ରୀ ଥିବା ବିଶ୍ବଭୂଷଣ ହରିଚନ୍ଦନ ଏବେ ବିଜେପି ନେତା। ସେ ସମୟରେ ଅଳଙ୍କାର ଆଦିର ଗଣନା ଓ ମୂଲ୍ୟାୟନ କରାଯାଇଥିଲା କି ନାହିଁ ସେ ବିଷୟରେ ମଧ୍ୟ ସରକାର ଏଯାଏଁ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ଶେଷରେ ୧୯୮୪ ମସିହାରେ ଭିତର ରତ୍ନ ଭଣ୍ଡାର ଖୋଲିଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ହିସାବ କରି ୩୪ ବର୍ଷ ପରେ ୨୦୧୮ରେ ପୁଣି ଥରେ ରତ୍ନ ଭଣ୍ଡାର ତାଲା ଖୋଲିବ ବୋଲି ଗଣମାଧ୍ୟମଗୁଡ଼ିକ ରିପୋର୍ଟ ପ୍ରକାଶ କରିଥିଲେ। ୧୯୮୪ ମସିହାରେ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କ ଜାମାତା ସୌମ୍ୟ ରଂଜନ ପଟ୍ଟନାୟକ ଏବେ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ। ତେବେ ୧୯୮୪ ମସିହାରେ ଭଣ୍ଡାରରେ କେତେ ରତ୍ନ ଓ ସୁବର୍ଣ୍ଣ ଥିଲା ତାହାର ତାଲିକା ସଂପର୍କରେ ସରକାର ନୀରବ ଅଛନ୍ତି ଓ ଯଦି ବି ସେପରି ତାଲିକା ଥାଏ ତେବେ ଏବେ ସେହି ତାଲିକା ଅନୁସାରେ ରତ୍ନ ଓ ସୁବର୍ଣ୍ଣ ଅଳଙ୍କାର ସବୁ ଅଛି କି ନାହିଁ ତାହା ମିଳାଇବା ନେଇ ମଧ୍ୟ ସରକାରଙ୍କ ଆଡ଼ୁ କୌଣସି ଘୋଷଣା କରାଯାଇ ନାହିଁ। ତେବେ ଲୋକେ ବୁଝିବେ କ’ଣ? ଶ୍ରୀମନ୍ଦିର ସଂପତ୍ତିର ଜଗାରଖା ଦାୟିତ୍ବ ନେଇଥିବା ସରକାରଙ୍କର ଏହି ମୁଖିଆମାନେ ସେମାନଙ୍କ ଦାୟିତ୍ବ ଖିଲାଫ କରି ନାହାନ୍ତି କି? ଯଦି ଶ୍ରୀମନ୍ଦିରର ରତ୍ନ ଓ ସୁବର୍ଣ୍ଣ ହଡ଼ପ ହୋଇଥିବ ତେବେ ତାହାର ନୈତିକ ଓ ରାଜନୈତିକ ଉତ୍ତରଦାୟିତ୍ବ କେଉଁ ନେତାମାନେ ଗ୍ରହଣ କରିବା ଉଚିତ?

Share :