ଅଣଓଡ଼ିଆମାନେ ହିଁ ଓଡ଼ିଶାର ଗୌରବ!

ଅଣଓଡ଼ିଆମାନେ ହିଁ ଓଡ଼ିଶାର ଗୌରବ!

ବୈଷ୍ଣବ ଜେନା ଓଡ଼ିଶା ଭୂଖଣ୍ଡରେ ବହୁ ବରପୁତ୍ର ଜନ୍ମ ହୋଇଛନ୍ତି। ବିଭିନ୍ନ କ୍ଷେତ୍ରରେ ସେମାନେ ପ୍ରତିଷ୍ଠାଲାଭ କରିଛନ୍ତି। ବହୁ ସୁନାମ ଅର୍ଜନ କରିଛନ୍ତି। ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ଜନପ୍ରିୟ ହୋଇଛନ୍ତି। ଭାରତ ବର୍ଷରେ ଜଣାଶୁଣା ବ୍ୟକ୍ତିତ୍ୱ ହୋଇଛନ୍ତି। ତେବେ ଦୁଃଖର କଥା ହେଉଛି ଯେ, ଓଡ଼ିଆମାନେ ଶ୍ରେଷ୍ଠତ୍ୱ ଅର୍ଥାତ୍ ଏକନମ୍ୱର ହେବାଠାରୁ ବହୁ ପଛରେ ଅଛନ୍ତି। ବିଦେଶ କଥା ଦୂରେ ଥାଉ, ଦେଶରେ ଏକ ନମ୍ୱର ହେବା ଅର୍ଥାତ୍ ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାର ଭାଗ୍ୟ କିମ୍ୱା ଯୋଗ୍ୟତା ଓଡ଼ିଆମାନଙ୍କର ହୋଇପାରିନାହିଁ। ଅନ୍ୟ ଭାଷାରେ କହିବାକୁ ଗଲେ ଓଡ଼ିଆମାନେ ଓଡ଼ିଶା ପାଇଁ ଗୌରବ ଆଣିପାରନ୍ତି ନାହିଁ। ଅପର ପକ୍ଷରେ ଓଡ଼ିଶାରେ ବସବାସ କରୁଥିବା ଅଣଓଡ଼ିଆମାନେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏକ ନମ୍ୱର ସ୍ଥାନ ହାସଲ କରିଛନ୍ତି। ବିଶ୍ୱରେ ମଧ୍ୟ ପରିଚିତ ହୋଇଛନ୍ତି। ଏହାର ବହୁଳ ନଜିର ଅଛି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଡି. ପ୍ରକାଶ ରାଓ। ସେ ଜଣେ କଟକୀ ତେଲଗୁ। ଜଣେ ଚା ଦୋକାନୀ ହୋଇ ସେ ପ୍ରାୟ ପାଖାପାଖି ଶହେ ଜଣଙ୍କୁ ପାଠ ପଢ଼ାଇଛନ୍ତି। ଓଡ଼ିଶାରେ ସେ ଅଜଣା ହୋଇଥିଲେ ବି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କର ସେବା ଓ ତ୍ୟାଗର ସୂଚନା ପାଇଥିଲେ। ଗତ ମଇ ମାସ ୨୬ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ଶ୍ରୀ ଡି. ପ୍ରକାଶ ରାଓଙ୍କୁ ଭେଟି ସାଧୁବାଦ ଜଣାଇବା ସହିତ ସମ୍ମାନିତ କରିଥିଲେ। ତାହା ପରଠାରୁ ପ୍ରକାଶ ବାବୁ ଏବେ ଦେଶର ଏକ ଚର୍ଚ୍ଚିତ ନାମ। ଶିକ୍ଷା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କର ସେ ଏକ ଆଦର୍ଶ। ସମସ୍ତେ କହୁଛନ୍ତି - ଓଡ଼ିଶାର ପ୍ରକାଶ ରାଓଙ୍କର ପଟାନ୍ତର ନାହିଁ। ବାସ୍ତବରେ ଓଡ଼ିଶା ପାଇଁ ଏହା ଏକ ଗୌରବର କଥା। ଜଣେ ମାମୁଲି ଚା’ ଦୋକାନର ମହାନ୍ କାର୍ଯ୍ୟ ପାଇଁ ଓଡ଼ିଶା ଗର୍ବିତ। ଓଡ଼ିଶାରେ ଲକ୍ଷେ ଚା ଦୋକାନୀ ଅଛନ୍ତି। ମାତ୍ର ପ୍ରକାଶ ବାବୁଙ୍କ ପରି କେହି ଦୟାଳୁ, ସମାଜସେବୀ, ଶିକ୍ଷାପ୍ରେମୀ ଓ ସ୍ନେହୀ ହୋଇପାରି ନାହାଁନ୍ତି। ଏହାର ଅବତାରଣା କରିବାର ଏକ ନିର୍ଦ୍ଦିଷ୍ଟ କାରଣ ଅଛି। କେବଳ ଓଡ଼ିଶାରେ ଜନ୍ମିତ ଅଣଓଡ଼ିଆମାନେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣନ୍ତି। ଓଡ଼ିଆମାନେ ସେପରି ହାସଲ କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଦେଶର ଏକ ନମ୍ୱର ପଦବୀରେ ଅଧିଷ୍ଠିତ ହୋଇପାରନ୍ତି ନାହିଁ। ଓଡ଼ିଶାର ଅଣଓଡ଼ିଆମାନଙ୍କ ପରି ଓଡ଼ିଆମାନେ ସବୁ କ୍ଷେତ୍ରରେ ଗୌରବ ଆଣି ପାରୁନାହାଁନ୍ତି। ସ୍ୱତନ୍ତ୍ର ଜାତୀୟ ଆଖ୍ୟା ବା ସମ୍ମାନଜନକ ଉପାଧି ପାଇ ପାରନ୍ତି ନାହିଁ। କୌଣସି ଓଡ଼ିଆ ଏପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି କିମ୍ୱା ପ୍ରଧାନମନ୍ତ୍ରୀ ହୋଇନାହାନ୍ତି। ଆଗାମୀ ୩୦ ବର୍ଷ ମଧ୍ୟରେ କିଏ ହେବ ବୋଲି ଆଶା କରାଯାଉନାହିଁ। ମାତ୍ର ଓଡ଼ିଶାରେ ଜନ୍ମ ହୋଇଥିବା ଭି.ଭି. ଗିରି ଦେଶର ରାଷ୍ଟ୍ରପତି ହୋଇଥିଲେ। ବ୍ରହ୍ମପୁରରୁ ନିର୍ବାଚିତ ସାଂସଦ ପି.ଭି. ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। କୌଣସି ଓଡ଼ିଆ ଦେଶର ସେନାଧ୍ୟକ୍ଷ ହୋଇନାହାନ୍ତି। ମାତ୍ର ଓଡ଼ିଶାରେ ପାଠପଢି ଏବଂ ଓଡ଼ିଶା କୋଟାରୁ ରାଷ୍ଟ୍ରୀୟ ମିଲିଟାରୀ ଏକାଡେମୀରେ ପାଠ ପଢିବା ପରେ ଜେନେରାଲ୍ କେ. ପଦ୍ମନାଭନ ଦେଶର ସେନାଧ୍ୟକ୍ଷ ହୋଇଥିଲେ। କଟକ ସହରରେ ଜନ୍ମହୋଇ ସୁବାଷ ଚନ୍ଦ୍ର ବୋଷ ନେତାଜୀ ଆଖ୍ୟା ପାଇଛନ୍ତି। ତାଙ୍କର କୀର୍ତ୍ତି ସମଗ୍ର ବିଶ୍ୱରେ ଜଣାଶୁଣା। ଓଡ଼ିଶାରେ ଜନ୍ମ ହୋଇ ଶ୍ୟାମ ପିତ୍ରୋଡା ଏବେ ଜ୍ଞାନ କମିଶନର ଅଧ୍ୟକ୍ଷ ଏବଂ ବିଶ୍ୱର ଜଣେ ସୁପ୍ରସିଦ୍ଧ ସୂଚନା ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ। ଯାଜପୁର ଜିଲ୍ଲାର କବୀରପୁରଠାରେ ଜନ୍ମ ହୋଇ ସ୍ୱର୍ଗତଃ ଶୈଳେନ ମାନ୍ନା ଦେଶର ଫୁଟବଲ୍ ଦଳର ଅଧିନାୟକ ଥିଲେ। ମାହାଙ୍ଗାରେ ଜନ୍ମ୍ିତ ମିହିର ସେନ୍ ଜଣେ ଦୁଃସାହାସିକ ପହଁରାଳି। ମହାନଦୀରେ ପହଁରା ଶିଖିଥିବା ଏହି ବ୍ୟକ୍ତି ଜଣକ ବ୍ରିଟିଶ୍ କେନାଲ୍ ପହଁରି ଯାଇଥିଲେ। ଯାହାର ଦୈର୍ଘ୍ୟ ପ୍ରାୟ ୨୬ କିଲୋମିଟର। ସେତେବେଳେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଥିଲେ। ଜଗତସିଂହପୁରର ଜ୍ୟୋତିର୍ବିଦ ନିମାଇଁ ବାନାର୍ଜୀ ଏବେ ଜଣେ ବିଶ୍ୱ ବିଖ୍ୟାତ୍ ଜ୍ୟୋତିଷ। ସେ ବିଶ୍ୱ ଜ୍ୟୋତିଷ ପରିଷଦର ଉପସଭାପତି। ସେ ମଧ୍ୟ ଓଡ଼ିଶାର ଗର୍ବ ଓ ଗୌରବ। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଓଡ଼ିଆମାନେ ଓଡ଼ିଶାର ଅଣଓଡ଼ିଆଙ୍କ ତୁଳନାରେ ବେଶ୍ ପଛୁଆ। ରଣଜୀ ଟ୍ରଫିରେ ପ୍ରଥମ ଶତକ ଏସ୍. ଗୁରୁମୂର୍ତ୍ତି ହାସଲ କରିଥିବାବେଳ ଦ୍ୱିଶତକ ହାସଲ କରିଥିଲେ ରଣଜିତ୍ ସିକଦାର। କେ. ରବି କୁମାର ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଜଣେ ପଦକ ବିଜେତା ଏବଂ ଓଡ଼ିଶାର ଗର୍ବ ଓ ଗୌରବ। ସେହିପରି ଭାବେ କଟକକୁ ସାଂସ୍କୃତିକ ସହର କୁହାଯାଉଥିବା ବେଳେ ଉତ୍କଳକୁ ଉତ୍କର୍ଷ କଳାର ଦେଶ କୁହାଯାଏ। ମାତ୍ର କଟକରେ କଳା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେ ଜଣେ ଅଣଓଡ଼ିଆ ବାବୁଲାଲ୍ ଦୋଷୀ। କର୍ମବୀର ହେଉଛନ୍ତି ଗୌରୀ ଶଙ୍କର ରାୟ। ସ୍ୱାଧୀନୋତ୍ତୋର ଓଡ଼ିଶାରେ ରାଜକୃଷ୍ଠ ବୋଷ ହେଉଛନ୍ତି ପଥମ ରାଜବନ୍ଦୀ। ବର୍ତ୍ତମାନର ସର୍ବଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁ ହେଉଛନ୍ତି ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟ। ଓଡ଼ିଶାର ସାମରିକ କଳା ଉପରେ ଇଲିଆନାଙ୍କ ଦ୍ୱାରା ଲିଖିତ ପୁସ୍ତକ ସବୁଠାରୁ ଉପାଦେୟ ଓ ମର୍ଯ୍ୟାଦାଜନକ ପୁସ୍ତକ ବୋଲି କୁହାଯାଉଛି। ସମଗ୍ର ବିଶ୍ୱରେ ଏହା ଏକ ଗବେଷଣାତ୍ମକ ପୁସ୍ତକ। ଶାଶ୍ୱତ ଯୋଶୀ ହେଉଛନ୍ତି ବଲିଉଡର ପ୍ରଥମ ଓଡ଼ିଶୀ ନୃତ୍ୟ ନିଦ୍ଦେର୍ଶକ। ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ରର ସବୁଠାରୁ ନାମୀଦାମି ତଥା ଏକ ନମ୍ୱର ସଂଗୀତ ନିର୍ଦ୍ଦେଶକ ହେଉଛନ୍ତି ଅଭିଜିତ୍ ମଜୁମ୍ଦାର। ଓଡ଼ିଶାର ମୂଳ ପାଠ୍ୟ ପୁସ୍ତକ ହେଉଛି ବର୍ଣ୍ଣବୋଧ। ତାହାର ଲେଖକ ହେଉଛନ୍ତି ମଧୁସୂଦନ ରାଓ। ଓଡ଼ିଶାର ପ୍ରଥମ ସୁପ୍ରିମ କୋର୍ଟ ବିଚାରପତି ହେଉଛନ୍ତି ବାବୁ ଜଗନ୍ନାଥ ଦାସ। ସେ ଜଣେ ତେଲୁଗୁ ପରିବାରର ସଦସ୍ୟ। ଓଡ଼ିଶାରେ ବହୁ ସାମାଜିକ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି। ମାତ୍ର କଳାହାଣ୍ଡିର ଦାରିଦ୍ର୍ୟ ଉପରେ ଏବଂ ଚାଷୀ ଆତ୍ମହତ୍ୟା ଉପରେ ସନ୍ଦର୍ଭ ପ୍ରକାଶ କରି ପି. ସାଇନାଥ ଜାତୀୟ ପୁରସ୍କାର ପାଇଥିଲେ। ସେ ହେଉଛନ୍ତି ପୂର୍ବ ରାଷ୍ଟ୍ରପତି ଭି.ଭି. ଗିରିଙ୍କ ନାତି। ଏପରି ଭାଗ୍ୟ କୌଣସି ଓଡ଼ିଆ ସାମ୍ୱାଦିକଙ୍କ ଭାଗ୍ୟରେ ନାହିଁ। ସ୍ୱର୍ଗତ ଜନନେତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବହୁ ପୁସ୍ତକ ଲେଖା ହେଲାଣି। ମାତ୍ର ସୁନ୍ଦର ଗଣେଶନଙ୍କ ଦ୍ୱାରା ଲିଖିତ ‘ଦି ଟଲମ୍ୟାନ୍’ ହେଉଛି ସବୁଠାରୁ ପ୍ରଚାର ଓ ପ୍ରସାର ଲାଭ କରିଥିବା ପୁସ୍ତକ। ଏତଦତୀତ ଗୁଣାତ୍ମକ ଦୃଷ୍ଟିରୁ ସବୁଠାରୁ ଉତ୍କର୍ଷ କୁହାଯାଉଥିବା ପୁସ୍ତକରେ ଲେଖକ ହେଉଛନ୍ତି ଅନୀଲ ଧୀର। ଶ୍ରୀ ଗଣେଶନ ଏବଂ ଶ୍ରୀ ଧୀର ମୂଳତଃ ଓଡ଼ିଆ ନୁହଁନ୍ତି, ଶ୍ରୀ ଧୀର ଯଦିଓ ଓଡ଼ିଶାବାସୀ। ମାତ୍ର ସେମାନଙ୍କ ବହି ଅନ୍ୟ ବିଜୁ ପ୍ରେମୀ ଓଡ଼ିଆ ଲେଖକଙ୍କ ବହିଠାରୁ ବହୁ ଉପରେ। ସେହିପରି ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଓଡ଼ିଶାବାସୀଙ୍କ ପ୍ରାଣ ବୋଲି କୁହାଯାଇଥାଏ। ଶ୍ରୀ ଜଗନ୍ନାଥ ହିଁ ଆମର ପରିଚୟ। ତାଙ୍କ ଛଡ଼ା ଆମର ଅସ୍ତିତ୍ୱ ନାହିଁ। ସେ ଜଗତର ନାଥ। ତାଙ୍କର ଲୀଳା ଖେଳା ଅନନ୍ୟ। ତାଙ୍କ ମହାପ୍ରସାଦ ଟିକେ ପାଟିରେ ଦେଲେ ଜୀବନ ଧନ୍ୟ ହୋଇଯାଏ। ପାପ ମୋଚନ ହୋଇଥାଏ ବୋଲି କୁହାଯାଇଥାଏ। ଏହା ସତ୍ତ୍ୱେ ତାଙ୍କର ମହିମା ପ୍ରଚାର ପାଇଁ ଓଡ଼ିଆ ଲୋକଙ୍କର ଯେତିକି ଅବଦାନ ଅଛି ତାହାଠାରୁ ଅଣ ଓଡ଼ିଆଙ୍କର ବେଶୀ ଅବଦାନ ଅଛି। ଶ୍ରୀ ଜଗନ୍ନାଥଙ୍କର ଉପରେ ଗବେଷଣା ମୂଳକ ଲେଖା ଆଧାରିତ ଟେଲି ଧାରାବାହିକ ଶ୍ରୀଜଗନ୍ନାଥ ଏବେ ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ସବୁଠାରୁ ଆଦୃତ ଧାରାବାହିକ। ଏହା ଅଣଓଡ଼ିଆ କାଣ୍ଡୋଇ ପରିବାରର ଦ୍ୱାରା ପ୍ରସ୍ତୁତ। ଓଡ଼ିଆ ଭଜନକୁ ଲୋକପ୍ରିୟ କରିବା କ୍ଷେତ୍ରରେ ସାର୍ଥକ କମ୍ପାନୀର ଅବଦାନ ମହନୀୟ। କୌଣସି ଓଡ଼ିଆ ସଂସ୍ଥା ବା କମ୍ପାନୀ ଏମାନଙ୍କର ସମକକ୍ଷ ନୁହଁନ୍ତି। ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀରେ ବହୁ ଧର୍ମଶାଳା ଅଛି। ମାତ୍ର ତାହାର ପ୍ରତିଷ୍ଠାତା/ ସ୍ଥାପନକାରୀଙ୍କ ମଧ୍ୟରେ ଜଣେ ହେଲେ ଓଡ଼ିଆଙ୍କ ନାମ ନାହିଁ। ଓଡ଼ିଶାରେ ବହୁ ରାଜା ମହାରାଜା, ଶିଳ୍ପପତି, ଜମିଦାର ଏବଂ ସାହୁକାର ଥିଲେ, ଏବେ ମଧ୍ୟ ଅଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ କେହିହେଲେ ଧର୍ମଶାଳା ସ୍ଥାପନ କରିନାହାନ୍ତି। ଏହା ନିଶ୍ଚିତ ଭାବେ ଏକ ଦୁଃଖ ଦାୟକ ଘଟଣା। କାରଣ ଓଡ଼ିଆମାନେ ଖାଲି ପ୍ରଚାରରେ ଜଗନ୍ନାଥପ୍ରେମୀ। ଓଡ଼ିଶା ରାଜ୍ୟରେ ଦୁଇ ଜଣ ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ହାଇଛନ୍ତି, ହରେକୃଷ୍ଣ ମହତାବ ଓ ବୀରେନ୍ ମିତ୍ର ମୂଳତଃ ଓଡ଼ିଆ ନୁହନ୍ତି। ଆଉଜଣେ ବିରୋଧି ଦଳ ନେତା (ଭୂପିନ୍ଦର ସିଂହ) ହୋଇଛନ୍ତି। ପ୍ରାୟ ୧୦ ଜଣ ସାଂସଦ ହୋଇଛନ୍ତି। ଓଡ଼ିଶାର ଲୋକ ପ୍ରତିନିଧି ଭାବେ ବହୁ ଅଣଓଡ଼ିଆ କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀ ହୋଇଛନ୍ତି। ଓଡ଼ିଶା ପାଇଁ ଗୌରବ ଆଣିଥିବା ଏହି ଅଣ ଓଡ଼ିଆମାନେ ମଧ୍ୟ ଏଠାରେ ଭୂମିପୁତ୍ର- ଓଡ଼ିଶାର ସନ୍ତାନ। ମାତ୍ର ସେମାନେ ସ୍ୱାଭିମାନୀ। ନିଜର ପୂର୍ବସୂରୀଙ୍କ ପଦାଙ୍କ ଅନୁସରଣ କରି ସେମାନେ ସେମାନଙ୍କର ଖାଦ୍ୟ, ପୋଷାକ ଓ ଭାଷାର ସୁରକ୍ଷା କରିଚାଲିଛନ୍ତି। ଏ କ୍ଷେତ୍ରରେ ମଧ୍ୟ ସେମାନେ ମହନୀୟ। ଓଡ଼ିଶାରେ ଜନ୍ମ ହୋଇ, ପଢ଼ି ଓ ବଢ଼ି ସଂପ୍ରତି ଶିକ୍ଷା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ନାମ କରିଥିବା କିଟୋ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ହେଉଛନ୍ତି ମୂଳତଃ ଅଣଓଡ଼ିଆ। କିନ୍ତୁ ସେ ଓଡ଼ିଶାର ଗର୍ବ ଓ ଗୌରବର ବ୍ୟକ୍ତି ଭାବେ ସର୍ବମାନ୍ୟ। ଏବେ ସେ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ। ମୀରା ନାୟାର, ଦିପ୍ତୀ ନାଭାଲ, ୱାହିଦା ରେହମାନ ପ୍ରମୁଖ ସିନେମା ବ୍ୟକ୍ତିତ୍ବମାନେ ଏକଦା ଓଡ଼ିଶାର ମାଟିପାଣିରେ ବଢ଼ିଥିଲେ। ସେମାନେ କିନ୍ତୁ ଓଡ଼ିଶାରେ ରହିଯାଇ ନଥିଲେ। ଖାଲି ଏତିକି ନୁହେଁ। ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଆମାନେ ଅଧିଷ୍ଠିତ ହୋଇପାରିନାହାନ୍ତି। ଉପରାଷ୍ଟ୍ରପତି, ରାଜ୍ୟସଭାର ଉପାଧ୍ୟକ୍ଷ ସମେତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଅର୍ଥମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ କୌଣସି ଓଡ଼ିଆଙ୍କୁ ମିଳିପାରିନାହିଁ। କୌଣସି ଜାତୀୟ ଦଳର ଅଧ୍ୟକ୍ଷ ହେବାରେ କେହି ଓଡ଼ିଆ ରାଜନେତା ସକ୍ଷମ ହେଲେନାହିଁ। ଯୋଜନା କମିଶନ ଅଧ୍ୟକ୍ଷ / ଉପାଧ୍ୟକ୍ଷ, ଏବଂ ଅର୍ଥ କମିଶନ ଅଧ୍ୟକ୍ଷ ପଦବୀ ମଧ୍ୟ ଓଡ଼ିଆଙ୍କଠାରୁ ଦୂରରେ। ଓଡ଼ିଶାରେ ବହୁ ଅର୍ଥନୀତିଜ୍ଞ ଓ ଗବେଷକ ଅଛନ୍ତି, ମାତ୍ର ଜଣେ ହେଲେ ଅର୍ଥ କମିଶନର ସଦସ୍ୟ ହୋଇନାହାନ୍ତି। କେନ୍ଦ୍ରରେ କୌଣସି ଓଡ଼ିଆ ଅଫିସର କ୍ୟାବିନେଟ୍ ସଚିବ ହୋଇପାରି ନାହାଁନ୍ତି। ଭାରତ ରତ୍ନ ପାଇବାକୁ କୌଣସି ଓଡ଼ିଆ ଲୋକ ଯୋଗ୍ୟ ହେଲେନାହିଁ। ସାମରିକ ସମ୍ମାନ ପାଇବାରେ ଓଡ଼ିଆ ବୀରଙ୍କ ନାମ ନାହିଁ। ଦାଦା ସାହେବ ଫାଲକେ ପୁରସ୍କାର କୌଣସି ଓଡ଼ିଆ କଳାକାର ବା ସିନେମା ବ୍ୟକ୍ତିତ୍ୱଙ୍କ ଭାଗ୍ୟରେ ନାହିଁ। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କିମ୍ୱା ଫୁଟବଲ୍ ଦଳର କ୍ୟାପ୍ଟେନ ଆଗାମୀ ୫୦ ବର୍ଷ ମଧ୍ୟରେ କେଉଁ ଓଡ଼ିଆ ପୁଅ ହେବ, ତାହା ଜଣାପଡୁନାହିଁ। ଓଡ଼ିଶାରେ ବହୁ ଦଳିତ ନେତା ଅଛନ୍ତି। ମାତ୍ର ଜଣେ ହେଲେ ଦଳିତ ନେତା ଜାତୀୟ ଦଳିତ କମିଶନ (ସିଡ୍ୟୁଲକାଷ୍ଟ କମିଶନ)ର ଅଧ୍ୟକ୍ଷ ହୋଇପାରିନାହାନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆମାନେ କାହିଁକି ପ୍ରଥମ ପଦବୀ ପାଇପାରୁ ନାହାନ୍ତି, ତାହାର ତର୍ଜମା ଆବଶ୍ୟକ। ବିଶେଷକରି ଦେଶର ଏକନମ୍ୱର ସ୍ଥାନ ହାସଲ ପାଇଁ ଯେଉଁ ଆଦବକାଇଦା ଦରକାର ତାହା ଅଣଓଡ଼ିଆ ମାନଙ୍କଠାରୁ ଓଡ଼ିଆ ପିତାମାତାମାନେ ଶିଖିବା ଜରୁରୀ ହୋଇପଡ଼ିଛି। ସାମ୍ୱାଦିକ ମୋ- ୯୪୩୭୦୦୭୨୦୦

Share :