ନେତାଙ୍କ ମାଧ୍ୟମ, ନେତାଙ୍କ ଅସ୍ତ୍ର!

ନେତାଙ୍କ ମାଧ୍ୟମ, ନେତାଙ୍କ ଅସ୍ତ୍ର!

Share :

ସ୍ବତନ୍ତ୍ର ପ୍ରତିନିଧି ବିଜୁ ଜନତା ଦଳର ବାଲେଶ୍ବର ଲୋକସଭା ସଦସ୍ୟ ତଥା ଶିଳ୍ପପତି ରବୀନ୍ଦ୍ର ଜେନା ଏହି ଦଳର ପୂର୍ବତନ ଚାଣକ୍ୟ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ଖବରକୁ ଜମି ଓ କୋଠା ସହିତେ କିଣିଲେ ବୋଲି ଏବେ ହାଲ୍ଲା ହେଉଛି। ଏହା ସତ କି ଗୁଜବ ଜଣାନାହିଁ। ତେବେ ତାଙ୍କ ପରିଚାଳନାରେ ନିଉଜ ଅଫ ଦ ୱାର୍ଲଡ ନାମକ ଏକ ଟିଭି ଚାନେଲ ଚାଲିଥିବା ସମସ୍ତେ ଜାଣନ୍ତି। ଏହି ଚାନେଲଟିର ପୂର୍ବ ନାମ ଥିଲା ଫୋକସ ଓଡ଼ିଶା। ସାଂସଦ ରବୀନ୍ଦ୍ରଙ୍କ ଜାମାତାଙ୍କ ଜ୍ୟେଷ୍ଠ ଭ୍ରାତା ତଥା ଯାଜପୁର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହଯୋଗରେ ଏମବିସି ନାମକ ଚାନେଲଟି ଚାଲିଛି। ଏହାର ପୂର୍ବ ମାଲିକ ଥିଲେ ଚିଟ ଫଣ୍ଡ ଦୁର୍ନୀତି ଅଭିଯୁକ୍ତ ଦୁର୍ଗା ମିଶ୍ର। ବିଜେଡି ରାଜ୍ୟସଭା ସଦସ୍ୟ ତଥା କିଟ୍, କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ କଳିଙ୍ଗ ଟିଭି ନାମକ ଏକ ଟିଭି ଚାନେଲ ଚାଲିଛି। ତାଙ୍କ କିଟ୍‌ ଅଧ୍ୟକ୍ଷାଙ୍କ ପୁତ୍ରଙ୍କ ମାଲିକାନା ତଥା ସଂପାଦିତ ପ୍ରଗତିବାଦୀ ଖୁବଶୀଘ୍ର ବଡ଼ ଆକାରରେ ନବକଳେବର ଗ୍ରହଣ କରିବ ବୋଲି ରାଜ୍ୟର ଗଣମାଧ୍ୟମ ବଜାରରେ ଚର୍ଚ୍ଚା ଚାଲିଛି। ବିଜେଡିର ଅନ୍ୟତମ ରାଜ୍ୟସଭା ସଦସ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସଂପାଦନା ଓ ମାଲିକାନାରେ ୩୫ ବର୍ଷ ହେଲା ପ୍ରକାଶ ପାଇଆସୁଛି ସମ୍ବାଦ, ରାଜ୍ୟର ବହୁଳ ପ୍ରସାରିତ ଦୈନିକ ଖବରକାଗଜ। ସେହିପରି ତାଙ୍କ କଂପାନୀର ଟିଭି ଚାନେଲ ହେଲା କନକ ଟିଭି। ବିଜେଡିର ଢେଙ୍କାନାଳ ଲୋକସଭା ସଦସ୍ୟ ତଥାଗତ ସତପଥୀଙ୍କ ସଂପାଦନା ଓ ମାଲିକାନାରେ ପ୍ରକାଶ ପାଇ ଆସୁଛି ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ସମ୍ବାଦପତ୍ର ଧରିତ୍ରୀ। ଦଳର କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବଙ୍କ ପୌରୋହିତ୍ୟରେ ଏକଦା ରାଜ୍ୟର ଦ୍ବିତୀୟ ବୃହତ୍ତମ ଖବରକାଗଜର ମାନ୍ୟତା ଅର୍ଜନ କରିଥିବା ପ୍ରଜାତନ୍ତ୍ର ଆଜି ଅଦୃଶ୍ୟମାନ। ତେବେ ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରଜାତନ୍ତ୍ରର ମଧ୍ୟ ନବକଳେବର ହେଉଥିବା ନେଇ ମିଡିଆ ବଜାରରେ ଜୋରଦାର ଚର୍ଚ୍ଚା ଚାଲିଛି। ସେଥିପାଇଁ କୁଆଡ଼େ ୨ କୋଟି ଟଙ୍କାର ଏକ ନୂଆ ମୁଦ୍ରଣ ଯନ୍ତ୍ର ବରାଦ ଦିଆ ସରିଛି। ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ମାଲିକାନାରେ ପ୍ରକାଶ ପାଉଛି ସଂଚାର। ଚିଟ ଫଣ୍ଡ ଦୁର୍ନୀତି ଅଭିଯୋଗରେ ମନୋଜ ଦାଶ ଜେଲ୍‌ ଯିବା ପରେ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇତିବା କାମୟାବ ଟିଭି ଚାନେଲକୁ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କିଣି ନେଉଥିବା ଖବର ମଧ୍ୟ ବଜାରରେ ଉଡ଼ି ବୁଲୁଛି। ଏସବୁ ବାଦ ରାଜ୍ୟରେ ପ୍ରକାଶ ପାଉଥିବା ଆହୁରି ଅନେକ ଛୋଟବଡ଼ ଖବରକାଗଜ ଓ ଟିଭି ଚାନେଲକୁ ସହଯୋଗ ନାମରେ କବଳିତ କରିବାକୁ ବିଜେଡିର ଅନେକ ନେତା ଉଦ୍ୟମ ଚଳାଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଏପରି ଗଣମାଧ୍ୟମ ପ୍ରୀତି ପଛରେ ରହିଥିବା ଉଦ୍ଦେଶ୍ୟ ବେଶ୍‌ ସ୍ପଷ୍ଟ। ଦଳ ଓ ନେତୃତ୍ବ ସପକ୍ଷରେ ଜନମତକୁ ସଂଗଠିତ ଓ ବିଭ୍ରାନ୍ତ କରି ଭୋଟ ହାତେଇବାର ଏହା ଏକ କାଇଦା ବୋଲି କୁହାଯାଇ ପାରେ। ପୂର୍ବରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଏହି କୌଶଳ ପ୍ରୟୋଗ କରି ଅନେକ ସଫଳତା ହାସଲ କରିସାରିଛନ୍ତି। ସାଂପ୍ରତିକ ଜାତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟି ଏହି କୌଶଳ ପ୍ରୟୋଗରେ ଅଧିକ ସଫଳ ହୋଇଥିବା ବେଶ ଲକ୍ଷ୍ୟଣୀୟ। କିନ୍ତୁ ଓଡ଼ିଶାରେ ଏବେ ଗଣମାଧ୍ୟମକୁ ନିୟନ୍ତ୍ରିତ ଓ ପ୍ରଭାବିତ କରିବାରେ ଭାରତୀୟ ଜନତା ପାର୍ଟି ଅନେକ ପଛରେ ପଡ଼ିଯାଇଛି। ଓଟିଭିକୁ ବିଜେଡି ନେତାମାନେ ବିଜେପି-ସପକ୍ଷବାଦୀ ବୋଲି ସମାଲୋଚନା କରୁଥିଲେ ମଧ୍ୟ ଏହାର ଦର୍ଶକମାନଙ୍କ ପାଇଁ ଏହା ସମସ୍ତ ରାଜନୀତିକ ଦଳଠାରୁ ସମ-ଦୂରତ୍ବ ରକ୍ଷା କରେ ବୋଲି ଏହାର ମାଲିକାଣୀ ଜାଗୀ ମଙ୍ଗତ ପଣ୍ଡା ଦାବି କରନ୍ତି। କଂଗ୍ରେସର ରାଜ୍ୟସଭା ସଦସ୍ୟ ରଂଜୀବ ବିଶ୍ବାଳ ଓ ବିଧାୟକ ଚିରଂଜୀବୀ ବିଶ୍ବାଳ ଭ୍ରାତାଙ୍କ ମାଲିକାନାରେ ପ୍ରକାଶ ପାଉଥିବା ସମୟ କଂଗ୍ରେସ ସପକ୍ଷରେ ଜନମତ ସଂଗଠିତ ଓ ସଂଚାଳିତ କରିବାରେ ବିଫଳ ହୋଇଥିବା ଏହି ଦଳର ନିର୍ବାଚନୀ ପରିଣାମରୁ ଜଣାପଡ଼େ। ଏହି ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ମାଲିକାନା ଓ ସଂପାଦନାରେ ପ୍ରକାଶ ପାଉଥିବା ମନ୍ଥନ ମଧ୍ୟ ଏହି ଭୂମିକା ତୁଲାଇ ପାରିନାହିଁ। ସେହିପରି କଂଗ୍ରେସ ନେତା ଶିବାନନ୍ଦ ରାୟ ମଧ୍ୟ ଏକ ସମ୍ବାଦପତ୍ରର ମାଲିକ। ତେବେ କଂଗ୍ରେସ-ବାଦୀ ବୋଲି ଅଭିଯୁକ୍ତ ଏସବୁ କାଗଜ ଏବେ ରାଜ୍ୟ ଜନମତକୁ ବିଜେଡି ବିରୋଧରେ ସଂଗଠିତ ଓ ପ୍ରଭାବିତ କରିବାର ଶକ୍ତିସାମର୍ଥ୍ୟ ରଖି ନାହାନ୍ତି। ଏଇ କିଛି ବର୍ଷ ଭିତରେ ରାଜ୍ୟରେ ଅନେକ ୱେବ ପୋର୍ଟାଲ ମଧ୍ୟ ଆତ୍ମପ୍ରକାଶ କରିଛି। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦିଷ୍ଟ ସାମ୍ବାଦିକମାନଙ୍କର ପରିଚୟ ଓ ଅସ୍ତିତ୍ବ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ। କେତେକ ଦକ୍ଷ ଓ ସ୍ବାଧୀନଚେତା ସାମ୍ବାଦିକ ବିଭିନ୍ନ ସମୟରେ ବିଭିନ୍ନ ସଂସ୍ଥା ଦ୍ବାରା ପ୍ରତ୍ୟାଖ୍ୟାତ ହୋଇ ଏପରି ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଏହିପରି କେତେକ ଉଦ୍ୟମ ପଛରେ କେଉଁ କେଉଁ ଦଳର ପ୍ରୋତ୍ସାହନ ଥିବା ମଧ୍ୟ ଅଭିଯୋଗ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଗୋଟିଏ କଥା କୁହାଯାଇ ପାରେ, ରାଜ୍ୟର ନାଗରିକମାନେ ଆସନ୍ତା ନିର୍ବାଚନରେ ଭୋଟ ଦେବା ପୂର୍ବରୁ ଆଗ ରାଜ୍ୟର ଗଣମାଧ୍ୟମଗୁଡ଼ିକୁ ନିରପେକ୍ଷ ଭାବେ ଆକଳନ କରିବାର ଆବଶ୍ୟକତା ରହିଛି।

Share :