ପର କରିଦେଲେ ପତି ଓ ପୁଅ!

ପର କରିଦେଲେ ପତି ଓ ପୁଅ!

Share :

ସମାଜରେ ମହିଳାଙ୍କ ଉପରେ ପାରିବାରିକ ହିଂସା ଓ ବୟସ୍କମାନଙ୍କୁ ପୁଅବୋହୂଙ୍କ ଦ୍ୱାରା ଅବହେଳାକୁ ପ୍ରତିହତ କରିବା ପାଇଁ ସରକାର ନାନା ଆଇନ କାନୁନ ପ୍ରଚଳନ କରିଛନ୍ତି। ଅନେକ କ୍ଷେତ୍ରରେ ସାମାଜିକ ସମ୍ମାନକୁ ଡ଼ରି ପାରିବାରିକ ହିଂସା ଓ ଅବହେଳାର ଶିକାର ପୀଡ଼ିତାମାନେ ଅଇନର ଆଶ୍ରୟ ନେଉନାହାଁନ୍ତି। ଅନ୍ୟପକ୍ଷରେ ଏହି ଆଇନର ଦାନ୍ତ ସେତିକି ଶକ୍ତ ନଥିବା ଯୋଗଁୁ କେବେ କେବେ ଅଭିଯୋଗ ଆସିଲେ ବି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ସେମିତି କିଛି ଦୃଷ୍ଟାନ୍ତ ମୂଳକ ଶାସ୍ତି ବିଧାନ ନହେବା ଯୋଗୁଁ ଏଭଳି ଘଟଣାକୁ ଉତ୍ସାହିତ କରୁଛି। ସେଭଳି ଏକ ପାରିବାରିକ ହିଂସାର ଶିକାର ହେଉଛନ୍ତି ଯାଜପୁର ଜିଲ୍ଲାରେ ଜଣେ ୭୮ ବର୍ଷିୟା ବୃଦ୍ଧା। ଏହାକୁ ଏକ ବିରଳ ପାରିବାରିକ ହିଂସା ଓ ନିର୍ଯ୍ୟାତନା କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷକ ଚାକିରୀରୁ ଅବସର ନେଇଥିବା ସ୍ୱାମୀ ଓ ପୋଷ୍ଟ ମାଷ୍ଟର ପୁଅଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଆସିଥିବା ମହିଳାଙ୍କ ଜୀବନର ଘଟଣାକୁ ଅନୁଧ୍ୟାନ କଲେ ଏହା କୌଣସି ଅପେରା ବା ସିନେମାର କାହାଣୀ ପରି ଲାଗିବ ନିଶ୍ଚୟ। ପୁତ୍ର ରଙ୍କା ଦମ୍ପତ୍ତିଙ୍କ ପାଇଁ ଚେତାବନୀ।   ଯାଜପୁର ସଦର ଥାନା ସିମିଳିଆ ପଞ୍ଚାୟତ ଅନ୍ତର୍ଗତ ନଖେଇ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ମିଶ୍ରଙ୍କ ପତ୍ନୀ ତଥା ନଖେଇ ଶାଖା ଡ଼ାକଘରର ପୋଷ୍ଟ ମାଷ୍ଟର ତପନ କୁମାର ମିଶ୍ରଙ୍କ ମା’ ୭୮ ବର୍ଷିୟା ବିମଳା ମିଶ୍ର ନିଜ ସ୍ୱାମୀ ଏବଂ ଏକ ମାତ୍ର ପୁଅ ଓ ବୋହୂଙ୍କ ନାମରେ ଆଣିଛନ୍ତି ଏହି ଅଭିଯୋଗ। କୋର୍ଟ କଚେରୀର ସମସ୍ତ କାଗଜପତ୍ର ଦେଖେଇ ବଖାଣୁଛନ୍ତି ତାଙ୍କ ଉପରେ ହୋଇ ଆସିଥିବା ଅକଥନୀୟ ନିର୍ଯ୍ୟାତନାର କାହାଣୀ। ସ୍ୱାମୀ ଶ୍ୟାମସୁନ୍ଦର ଯାଜପୁର ଟାଉନର ଦେବଦତ୍ତ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ୧୯୯୦ ମସିହାରୁ ଅବସର ଗ୍ରହଣ କରି ଏବେ ୧୫ ହଜାର ଟଙ୍କାର ପେନସନ ଗ୍ରହଣ କରୁଛନ୍ତି। ସେହିଭଳି ୩ ଝିଅରେ ଗୋଟିଏ ବୋଲି ପୁଅ ତପନ ପୋଷ୍ଟ ମାଷ୍ଟର ଭାବେ କାମ କରି ମାସିକ ୧୨ ହଜାର ଟଙ୍କା ଦରମା ପାଉଛନ୍ତି। ବଡ଼ ଓ ମଝିଆଁ ଝିଅକୁ ବିବାହ ଦେଲା ପରେ ପୁଅ ଓ ବୋହୂଙ୍କ କଥାରେ ପଡ଼ି ବାହାଘରରେ ବହୁ ଟଙ୍କା ଖର୍ଚ୍ଚ ହେବାର ଭୟରେ ଶ୍ୟାମସୁନ୍ଦର ସାନ ଝିଅ ସୁଜାତାଙ୍କୁ ବିବାହ କରାଇବାର ନାଁ ନେଲେ ନାହିଁ। ମାତ୍ର ମା’ ବିମଳା ବ୍ରାହ୍ମଣ ପରିବାରରେ ଝିଅକୁ ଘରେ ନରଖି ବାହା ଦେବାକୁ ଜିଦି ଧରି ବସିଲେ।   ୧୯୯୮ ମସିହାରେ ବିମଳାଙ୍କ ଝିଅ ବାହାଘର ଜିଦି ଜୋର ଧରିବାରୁ ସେବେଠୁ ତାଙ୍କ ଅଭିଆଡ଼ି ଝିଅ ସୁଜାତା ଓ ତାଙ୍କ ଉପରେ ଆରମ୍ଭ ହେଲା ପାରିବାରିକ ହିଂସା। ଖୋଦ ସ୍ୱାମୀଙ୍କ ସହିତ ପୁଅ ଓ ବୋହୂ ରୀନାରାଣୀ ସେମାନଙ୍କୁ ଦେଲେ ଅକଥନୀୟ ନିର୍ଯ୍ୟାତନା। ଖାଇବା ପିଇବା, ପିନ୍ଧିବାକୁ ଲୁଗା ଏମିତି କି ଏକା ସାଥିରେ ଗୋଟିଏ ଘରେ ରହିବାରେ ମଧ୍ୟ ସେମାନେ ଆପତ୍ତି କଲେ। ଶେଷରେ ବୋହୂ ରୀନାରାଣୀଙ୍କ ଦ୍ୱାରା କୋର୍ଟରେ ଶାଶୂ ବିମଳାଙ୍କ ସମେତ ତିନି ନଣନ୍ଦଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ କଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲା ପରେ କୋର୍ଟ ସେମାନଙ୍କୁ ନିଦ୍ଦୋର୍ଷରେ ଖଲାସ କରିଥିଲେ।   ୟା ଭିତରେ ସ୍ୱାମୀ ଓ ପୁଅ ସେମାନଙ୍କୁ ନିର୍ଯ୍ୟାତନା ଦେବାକୁ ଭିନ୍ନ ଏକ କ୍ଭୋଶଳ କରି ନଖେଇ ଗ୍ରାମରେ ରହୁଥିବା କୋଠାଘରେ ତାଲା ଝୁଲାଇ ନଦୀ ଆରପଟେ ଗୋବିନ୍ଦପୁର ଗ୍ରାମରେ ଅନ୍ୟ ଏକ ସୁନ୍ଦର କୋଠାଘର ନିର୍ମାଣ କରି ୨୦୦୨ ମସିହାରେ ବିମଳା ଓ ଅବିବାହିତ ଝିଅ ସୁଜାତାକୁ ଏଠାରେ ଛାଡ଼ି ସେମାନେ ଗୋବିନ୍ଦପୁର ଚାଲିଗଲେ। ମା’ ଓ ଝିଅ ଅନନ୍ୟୋପାୟ ହୋଇ ଭାଗ୍ୟକୁ ଆଦରି ନିଜ ଗୁହାଳ ଘରେ ପଡ଼ି ରହିଲେ। ସେମାନେ ଚଳିବା ପାଇଁ ସୁଜାତା ଯାଜପୁର ଟାଉନସ୍ଥିତ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ସ୍ୱଳ୍ପ ପାରିଶ୍ରମିକରେ ଆଚାର୍ଯ୍ୟା ଭାବେ କାମକରି ସେଥିରେ ଯେନତେନ ପ୍ରକାରେଣ ଚଳିଲେ। ଏହା ପରେ ବାଧ୍ୟହୋଇ ମା’ ଓ ଝିଅ ୨୦୦୨ ମସିହାରେ ଶ୍ୟାମସୁନ୍ଦରଙ୍କ ଠାରୁ ମାସିକ ଭରଣ ପୋଷଣ ପାଇଁ କଟକ ସ୍ଥିତ ପରିବାର ଅଦାଲତରେ ଏକ ମାମଲା ରୁଜୁ କଲେ। ଅଦାଲତ ସେମାନଙ୍କୁ ୫ ଶହ ଟଙ୍କା ମାସିକ ଭରଣ ପୋଷଣ ବାବଦରେ ମଞ୍ଜୁର କରିଥିଲେ। ମାତ୍ର ବିମଳା ଏହି ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରିବା ପରେ ହାଇକୋର୍ଟ ଏହି ଭରଣ ପୋଷଣ ରାଶିକୁ ଏକ ହଜାର ଟଙ୍କାକୁ  ବୃଦ୍ଧି କରିଥିଲେ।   ଇତି ମଧ୍ୟରେ ଝିଅର ପାରିଶ୍ରମିକ ଓ ତାଙ୍କର ଭରଣ ପୋଷଣ ଖର୍ଚ୍ଚରୁ କିଛି ଟଙ୍କା ସଞ୍ଚୟ କରି ସେମାନେ ଗୁହାଳଘର ଭାଙ୍ଗି ମୁଣ୍ଡ ଗୁଞ୍ଜିବାକୁ ସେଠାରେ ଦୁଇ ବଖରା ଆଜବେଷ୍ଟସ ଘର ନିର୍ମାଣ କରିଥିଲେ। ସମସ୍ତ ଦୁଃଖକୁ ସହି ଭାଗ୍ୟକୁ ଆଦରି ମା’ ଓ ଝିଅ ଦିନ କାଟୁଥିବା ବେଳେ  ଗତ ଜୁଲାଇ ମାସ ୨ ତାରିଖରେ ବିମଳାଙ୍କ ଦୁଃଖ ସୀମା ପାର କଲା। ଝିଅ ସୁଜାତା ସର୍ପାଘାତରେ ମୃତ୍ୟୁ ବରଣ କରିବା ଘଟଣାରେ ମାନସିକ ଆଘାତ ପ୍ରାପ୍ତ ହୋଇ ବିମଳା ସେବେଠାରୁ ସତେ ଯେମିତି ମୁକ ପାଲଟି ଯାଇଛନ୍ତି। ଏହା ପରେ ବି ସ୍ୱାମୀ ଓ ପୁଅ ତାଙ୍କୁ ଆଡ଼ ଆଖିରେ ଅନେଇଲେ ନାହିଁ। ମା’ର ଏଭଳି ଅବସ୍ଥା ଦେଖି ଜାରକାରେ ରହୁଥିବା ମଝିଆଣୀ ଝିଅ ବବିତା ତାଙ୍କୁ ସାଙ୍ଗରେ ଆଣି ନିଜ ପାଖରେ ରଖି ଡ଼ାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇଲେ। ସାମାନ୍ୟ ସୁସ୍ଥ ହେବା ପରେ ବିମଳା ନିଜ ଗ୍ରାମରେ ଥିବା ତାଙ୍କର ସେହି ଦୁଇ ବଖରା ଆଜ‌୍‍ବେଷ୍ଟସ‌୍‍ ଘରର ଦେଖାଶୁଣା କରିବାକୁ ଯାଇ ଦେଖିଲେ ଦରଜାରେ ସେ ପକାଇଥିବା ତାଲା ଉପରେ ଆଉ ଏକ ତାଲା ପଡ଼ିଛି। ଗ୍ରାମବାସୀଙ୍କ ଠାରୁ ଶୁଣିଲେ ଯେ ତାଙ୍କ ପୁଅ ତପନ ହିଁ ଏହି ତାଲା ପକାଇଛନ୍ତି।   ତେଣୁ ବାଧ୍ୟହୋଇ ସେ ପୁଣି ଜାରକାକୁ ଫେରିଆସି ସେବେଠାରୁ ଝିଅ ପାଖରେ ରହୁଛନ୍ତି ସିନା ହେଲେ ନିଜ ସ୍ୱାମୀ ଓ ପୁଅଙ୍କ ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ସେ ବୁଝି ସାରିଛନ୍ତି ସ୍ୱାମୀ ଓ ପୁଅ ଚାହୁଁ ନାହାଁନ୍ତି ସେ ଆଉ ଗାଁକୁ ଫେରି ସେଠାରେ ରହନ୍ତୁ। ସେ ଆଜି ସେମାନଙ୍କ ପାଇଁ ଅଖୋଜା ଓ ଅଲୋଡ଼ା ବସ୍ତୁଟିଏ ପାଲଟି ଯାଇଛନ୍ତି। ନିଜର ଇହକାଳ ଓ ପରକାଳର ଦେବତା ଏବଂ ୯ ମାସ ଗର୍ଭରେ ଧାରଣ କରିଥିବା ଏକୋଇର ବଳା ବିଶିକେଶନ ଠାରୁ ବିମଳା ନିଜ ପରିଣତ ବୟସରେ ଯେଉଁ ପ୍ରକାର ବ୍ୟବହାର ପାଇ ଆସିଛନ୍ତି ତାହା ପ୍ରକୃତରେ କୌଣସି ଶତ୍ରୁ ଠାରୁ ମଧ୍ୟ ଆଶା କରାଯାଇ ନପାରେ। କୌଣସି ଦରିଦ୍ର ଓ ଅଶିକ୍ଷିତ ପରିବାରରେ ଅଭାବ ଅନାଟନ ଥାଇ ମଧ୍ୟ ଏଭଳି ଘଟଣା କ୍ୱଚିତ ଦେଖିବାକୁ ମିଳେ। ମାତ୍ର ଗୋଟିଏ ଶିକ୍ଷିତ ଓ ସ୍ୱଚ୍ଛଳ ପରିବାରରେ ଏଭଳି ଘଟଣା ସମାଜ ପାଇଁ ନିଶ୍ଚିତ ଭାବେ ଆହ୍ୱାନ ସୃଷ୍ଟି କରୁଛି। ପୁତ୍ର ରଙ୍କା ଦମ୍ପତ୍ତିଙ୍କ ପାଇଁ ସୃଷ୍ଟି କରିଛି ସବୁଠୁ ବଡ଼ ଚେତାବନୀ।   ପରିଣତ ବୟସରେ ଯେତେବେଳ ଏକ ମାତ୍ର ପୁଅ ତା’ର ଜନ୍ମଦାତ୍ରୀ ପ୍ରତି ଏଭଳି ବ୍ୟବହାର କରିପାରୁଛି ଓ ଝିଅମାନେ ପାଲଟିଛନ୍ତି ସାହାରା, ସେହି ସମୟରେ ଅଧିକାଂଶ ଦମ୍ପତ୍ତି ପୁଅଟିଏ ପାଇଁ କାହିଁକି ଏତେ ଆଗ୍ରହ ଦେଖାନ୍ତି ତାହା ବୁଝିହୁଏ ନାହିଁ। ମାତ୍ର ବିମଳା ଆଶଙ୍କା ପ୍ରକାଶ କରିଛନ୍ତି ଯେଉଁ ପୁଅ-ବୋହୂ ତାଙ୍କ ପ୍ରତି ଏଭଳି ବ୍ୟବହାର ଦେଖାଇ ଆସିଛନ୍ତି ଭବିଷ୍ୟତରେ ଯଦି ସେହି ପୁଅବୋହୂଙ୍କ ଠାରୁ  ଜନ୍ମିତ ଏକ ମାତ୍ର ପୁଅ ସେମାନଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରନ୍ତି ସେମାନେ ତାହାକୁ ସହଜରେ ଗ୍ରହଣ କରିପାରିବେ ତ?                       

Share :