ପାଠ ବୋଝ ନା ଜୀବନ ବୋଝ?

ପାଠ ବୋଝ ନା ଜୀବନ ବୋଝ?

Share :

ମାନିନୀ ମିଶ୍ର   ଏଇ ଏବେ ଏବେ ସରିଛି ଦଶମ ଓ ପ୍ଲସ ଟୁ ପିଲାଙ୍କ ପରୀକ୍ଷା। ପରୀକ୍ଷାରେ କପି କରୁଥିବାବେଳେ ଧରା ପଡି ହେଉ ଅବା ପରୀକ୍ଷାରେ ଭଲ କରି ନପାରିଥିବାର ଅବସସୋସରେ ଅନେକ ପିଲା ଆତ୍ମହତ୍ୟା କଲେ। ପରୀକ୍ଷା ଫଳ ବାହାରିବା ପରେ ଆଶାଜନକ ଫଳ ପାଇ ନଥିବାରୁ ମର୍ମାହତ ହୋଇ ଆଉ କେତେ ଜଣ ଆତ୍ମହତ୍ୟା କରିବା ଖବର ବି ବାହାରିଛି।   ଫି ବର୍ଷ ଏଇ କଥା। ଏ ଯେମିତି ଗୋଟେ ଚିରାଚରିତ ପରମ୍ପରା ହୋଇଗଲାଣି।   ସେଦିନ ପଂଚମ ପଢୁଥିବା ଝିଅକୁ ମା’ ପରୀକ୍ଷା ପାଇଁ ଟିଭି ଦେଖିବାକୁ ମନା କରିଦେବାରୁ ପିଲାଟା ଆତ୍ମହତ୍ୟା କରିଦେଲା। ବାପାମା’ଙ୍କ ମୁଣ୍ଡ ଘୂରିଗଲା। ଆଉ ଯେଉଁମାନେ ଏଇ ସମ୍ୱାଦ ପଢିଲେ କି ଶୁଣିଲେ ସମସ୍ତେ ତଟସ୍ଥ।   ପରୀକ୍ଷାର ଭୟ ନିଜ ନାଁ କି ଠିକଣା ଜାଣି ନ ଥବା ଗୋଟେ ଝିଅକୁ ଏମିତି ବ୍ୟତିବ୍ୟସ୍ତ କରିଦେଲା ଯେ ସେ ନିଜର ସ୍ୱାଧୀନତା ଆଗରେ ଏଇ ପରୀକ୍ଷା ନାମକ ରାକ୍ଷସକୁ ବରଦାସ୍ତ କରି ପାରିଲାନି। ହୁଏତ ଆପଣମାନଙ୍କ ଭିତରୁ ଅନେକେ ଏହାକୁ ପିଲାଙ୍କ ଉପରେ ଟିଭିର କୁପ୍ରଭାବ ବୋଲି ଭାବି ପାରନ୍ତି। କିନ୍ତୁ ଭାବନ୍ତୁ ତ ଯଦି ପିଲାଟି ଖେଳିବାକୁ ଯିବ ବୋଲି କହିଥାନ୍ତା ତାହେଲେ ବି ପରୀକ୍ଷା ପାଇଁ ମା’ ମନା କରିଥାନ୍ତେ କି ନାହିଁ? ଆଉ ଏମିତି ଗୋଟେ ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା କି?   କେବଳ ଟିଭି କଥା ନୁହେଁ, ଆଜିକାଲି ଅନେକ କ୍ଷେତ୍ରରେ ଦେଖା ଯାଉଛି ସବୁ ପିଲା ସ୍କୁଲ କଲେଜରେ ପ୍ରଚଳିତ ଧାରାବାହିକ ଚଳଣିକୁ ଗ୍ରହଣ କରିବାକୁ ନାରାଜ। ସେମାନେ ତାଙ୍କ ନିଜ ଇଚ୍ଛାରେ ଜୀବନ ବଂଚିବାକୁ ଚାହାନ୍ତି। ସେମାନେ ୧୦ରୁ ୪ଟା ସ୍କୁଲରେ ବସି ଅ ଆ ନ ଘୋଷି ନିଜର ଇଲାକାରେ ସୂର୍ଯ୍ୟଚନ୍ଦ୍ରଙ୍କ ଦୁନିଆରେ ବୁଲିବାକୁ ଚାହାନ୍ତି। କିଏ ଚେସ ଖେଳିବାକୁ ଚାହେଁ ତ କିଏ ସନ୍ତରଣ।   ଏଇ ଯେମିତି ସାଇରା। ହଁ, ସବୁଠୁ ବଳି ଗଲା ସାଇରା ପରି ଗୋଟେ ଝିଅର ଆତ୍ମହତ୍ୟା ର ସମ୍ୱାଦ। ସାଇରା ସିରୋହି ଗାଜିଆବାଦର ଜଣେ ଝିଅ। ସେ ଥିଲେ ତାଙ୍କ ବୟସର ଅନ୍ୟ ପୁଅଝିଅଙ୍କଠୁଁ ଅଲଗା। ଯେଉଁ ବୟସରେ ପିଲା ବହି ସିଲଟ ଚକଖଡି ଧରି ପାଠ ପଢନ୍ତି ଆଉ ପାଣିକୁ ଦେଖିଲେ ଡରିକି ଡିଆଁ ମାରି ପଳାନ୍ତି ସେଇ ବୟସରେ ସେ ପାଠ ପଢାରେ ଆଗ୍ରହ ନ ଦେଖାଇ ସନ୍ତରଣ ପୋଷାକ ପିନ୍ଧି ଘଣ୍ଟାଘଣ୍ଟା ସନ୍ତରଣ କରିବାକୁ ଭଲ ପାଉଥିଲେ। ସେ ଥିଲେ ଜଣେ ଉଦୀୟମାନ ସନ୍ତରଣକାରୀ।   ତାଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ସେ ୩୮ କି.ମି. ଲମ୍ୱା ରାସ୍ତାକୁ ମାତ୍ର ୧୫ ଘଣ୍ଟାରେ ଏକା ସାଙ୍ଗରେ ସନ୍ତରଣ କରି ଲୋକଙ୍କର ଧ୍ୟାନ ଆକର୍ଷଣ କରିପାରିଥିଲେ। ତାଙ୍କୁ ହେଉଥିଲା ଏବେ ମାତ୍ର ୧୬ ବର୍ଷ। ସେ ଏ ଭିତରେ ଅନେକ ରାଜ୍ୟ ଓ ଜାତୀୟ ସ୍ତରର ସନ୍ତରଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ରାଜ୍ୟ ତଥା ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ। ସେ ଥିଲେ ଅଲଗା। ସେଥିପାଇଁ ସେ ବଡ ହୋଇ ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ନ ଦେଖି ଦେଖୁଥିଲେ ଜଣେ ଅଲମ୍ପିକ ବିଜେତା ସନ୍ତରଣକାରୀ ହେବାର ସ୍ୱପ୍ନ।   ଲାଗୁଥିଲା ସବୁ ଠିକଠାକ ଚାଲିଛି। ହେଲେ ହଠାତ ସେଦିନ ରାତିରେ ସବୁ ସ୍ୱପ୍ନଙ୍କର ଉଡାଣ ଅଦିନ ଝଡରେ ପକ୍ଷଚ୍ୟୁତ ହୋଇ ଭୂପତିତ ହେଲେ। ଅଧରାତିରେ ସାଇରାର ଭଉଣୀର କାନ୍ଦ ଶୁଣି ବାପା କବାଟ ଖୋଲି ସାଇରାର ମୃତଦେହ କବାଟ ଉପରେ ଥିବା ରେଲିଙ୍ଗରୁ ଝୁଲୁଥିବାର ଦେଖିଲେ। ସେତେବେଳକୁ ଆଉ କିଛି ବାକି ନ ଥିଲା। ଗୋଟେ ସୁନ୍ଦର କଢ ଫୁଟିବାକୁ ବସିବା ବେଳକୁ ସ୍କୁଲପାଠ ପଢାର ଅକ୍ଟୋପାସ ଫାସରେ ଛନ୍ଦି ହୋଇ ସମସ୍ତଙ୍କର ଆଲକ୍ଷରେ କେଜାଣି କେବୁଠୁ କଲବଲ ଛଟପଟ ହେଉଥିଲା, ଆଉ ସେଦିନ ସେଇ ଅକ୍ଟୋପାସ ଫାସ ସର୍ବାଙ୍ଗେ ଗ୍ରାସ କରି ଆରପାରିକୁ ଭିଡିଭିଡି ନେଇଗଲା। ଲୋକେ ଦେଖିଲେ ଆଉ କୁହାକୁହି ହେଲେ ପିଲାଟା ଆତ୍ମହତ୍ୟା କଲା।   ଏମିତି ପ୍ରତି ବର୍ଷ କେତେ ସାଇରା ନିଜକୁ ଜଣେ ଭଳ ଖେଳାଳି କିମ୍ୱା ଭଲ କଣ୍ଠଶିଳ୍ପୀ ବା ଅନ୍ୟ ଭାବରେ ଅନନ୍ୟ ବୋଲି ପ୍ରତିପାଦିତ କରୁ କରୁ ଘର ଲୋକଙ୍କର ଚାପରେ ହେଉ କି ପାଠପଢା ଚାପରେ ନିଜ ସ୍ୱପ୍ନଙ୍କର ହତ୍ୟା କରନ୍ତି ବା ନିଜେ ନିଜର ହତ୍ୟା କରନ୍ତି। ଅବିଶ୍ୱସନୀୟ ହେଲେ ବି ଏହା ସତ୍ୟ ଯେ ଭାରତରେ ଦିନକୁ ପ୍ରାୟ ୨୦ ଜଣ ଛାତ୍ର ପାଠ ଚାପରେ ଆତ୍ମହତ୍ୟା କରନ୍ତି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ପରିସଂଖ୍ୟାନରୁ ଏଇ ତଥ୍ୟ ମିଳେ। ସେମାନଙ୍କ ଭିତରୁ କେତେକ ପରୀକ୍ଷା ଚାପରେ ଆଉ କେତେ ନିଜ ଇଚ୍ଛା ଅନୁସାରେ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ନାମ ଲେଖେଇ ନ ପାରିବାର ଅବସୋସରେ ଆତ୍ମହତ୍ୟା କରନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସବୁଠୁ ଶିକ୍ଷିତ ରାଜ୍ୟ କେରଳ ହେଉଛି ଆତ୍ମହତ୍ୟା କରୁଥିବା ପିଲାଙ୍କର ରାଜଧାନୀ। ସେଠାରେ ପ୍ରତିଦିନ ପ୍ରାୟ ୩୨ ଜଣ ପିଲା ଆତ୍ମହତ୍ୟା କରିଥାନ୍ତି।   ବାଙ୍ଗାଲୋରର ମନସ୍ତତ୍ୱବିଦଙ୍କ ମତରେ ଏଭଳି ପିଲାମାନଙ୍କୁ ଖାଲି ପରୀକ୍ଷାରେ ଭଲ କରିବାକୁ ଚାପ ପ୍ରୟୋଗ କରାଯାଏ। ପରୀକ୍ଷା ବାହାରେ ଯେ ଗୋଟେ ଜୀବନ ଅଛି ତାକୁ ବୁଝିବାକୁ ସୁଯୋଗ ଦିଆ ଯାଏନା। ଏକ ଆକଳନରୁ ଜଣା ଯାଏ ଯେ ୨୦୦୬ ରେ ୫୮୫୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୦ରେ ଏହା ୭,୩୭୯ କୁ ଅର୍ଥାତ ୨୬ ପ୍ରତିଶତ ବଢିଯାଇ ବୁଦ୍ଧିଜୀବୀମାନଙ୍କୁ ଚିନ୍ତାରେ ପକେଇଥିଲା। ଉକ୍ତ ଆକଳନରୁ ଜଣା ପଡିଥିଲା ଯେ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ୱାଇ ପରି ମେଟ୍ରୋ ସିଟିରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥାନ୍ତି।   ଆମ୍ୱେଦକର ବିଶ୍ୱବିଦ୍ୟାଳୟର ତତ୍କାଳୀନ ଉପକୁଳପତି ଶ୍ୟାମ ମେନନ ମଧ୍ୟ ସେଇ ସମାନ କଥା କୁହନ୍ତି। ଆଜି କାଲିର କିଶୋର ଓ ଯୁବ ସମାଜ ଉପରେ ପାଠପଢାର ଚାପ, ପରୀକ୍ଷାର ଚାପ, ଭଲ ସ୍କୁଲ କଲେଜରେ ନାମ ଲେଖେଇବାର ଚାପ ସେମାନଙ୍କୁ ବାଧ୍ୟ କରେ ଆତ୍ମହତ୍ୟା କରିବାକୁ। ତାଙ୍କ ମତରେ ଯେହେତୁ ଭଲ ସ୍କୁଲକଲେଜରେ ନାମ ଲେଖେଇବା ସହ ଭଲ ଚାକିରୀ କ୍ଷେତ୍ରରେ ପଶି ପାରିବାର ସିଧାସଳଖ ସମ୍ପର୍କ ଅଛି ସେହେତୁ ମଧ୍ୟବିତ୍ତ ପରିବାରର ପିଲାମାନେ କିଛି ହାସଲ କରିବେ ନହେଲେ ଜୀବନ ହାରିବେ ଭଳି ଚରମ ପନ୍ଥା ଆପଣେଇ ନେଇଥାନ୍ତି। ମନୋଚିକିତ୍ସକ ଡା. ସଂଜୟ ଚୁଘଙ୍କ ମତରେ ଆମ ଭାରତୀୟ ଶିକ୍ଷା ବ୍ୟବସ୍ଥା ଏମିତି ଯେ ଏଇଠି ପିଲାଙ୍କୁ ଏମିତି ପାଠ ପଢିବାକୁ ଦିଆ ଯାଏ ଯାହା ତାଙ୍କ ପରବର୍ତ୍ତୀ ଜୀବନରେ କେବେ ବି କାମରେ ଆସେ ନାହିଁ। କେବଳ କେତେକ ଚାକିରୀ କ୍ଷେତ୍ରରେ ପଶିବାକୁ ଏପରି ଶିକ୍ଷା ସାହାଯ୍ୟ କରେ। ଯିଏ ଚାକିରୀ ପାଏ ନାହିଁ ନିଜକୁ ବହୁତ ଅସହାୟ ମନେକରେ। ସେ ଘରର ଛୋଟ ମୋଟ କାମ କରିବାକୁ ମଧ୍ୟ ଅଯୋଗ୍ୟ ହୋଇଯାଏ।   ସବୁକୁ ମିଶାଇ ଦେଖିଲେ ନିଜର ଅନ୍ୟ ରୁଚି ହେଉ କି ବେରୋଜଗାରୀ କି ପରୀକ୍ଷା- କୌଣସି ନା କୌଣସି କାରଣ ବାଧ୍ୟ କରୁଛି ଆଜିର ଯୁବକିଶୋର ପିଢିଙ୍କୁ ଆତ୍ମହତ୍ୟା କରିବାକୁ।   ଏଭଳି ଆତ୍ମହତ୍ୟାରେ ଉଦବେଗ ପ୍ରକାଶ କରୁଥିବା ସମାଜର ବଡପଣ୍ଡାୟ ଓ ଶିକ୍ଷାବିତମାନଙ୍କର ଶିକ୍ଷାନୀତି ପ୍ରଣୟନ କରୁଥିବା ସରକାରଙ୍କର ବିଭିନ୍ନ ସଂସ୍ଥା ଉପରେ କ’ଣ କିଛି ପ୍ରଭାବ  ନାହିଁ? ଅମେ ଆମ ଶିକ୍ଷା ବ୍ୟବସ୍ଥାରେ କେତୋଟି ବିଷୟ ପଢି କେତେ ମାର୍କ ଆଣିଲେ ସେତିକିରେ ପାସ୍‌ଫେଲ ସ୍ଥିର କରି ଶାନ୍ତିରେ ଶୋଇପଡିଲେ। କିନ୍ତୁ ସମସ୍ତେ ସମାନ ନ ଥାନ୍ତି। କେତେଜଣ ସାଇରା ପରି ଥାନ୍ତି। କେତେଜଣ ଚିତ୍ର ଆଙ୍କିବାକୁ ଚାହୁଥାନ୍ତି ତ କିଏ ଆଉ କେତେ ନିଜନିଜ ପସନ୍ଦର ସ୍ୱପ୍ନ ବୁଣୁଥାନ୍ତି। ଆମର ଶିକ୍ଷା ବ୍ୟବସ୍ଥା ସେଇ ସବୁ ସ୍ୱପ୍ନମୟ ଆଖିକୁ ସ୍ବୀକୃତି ପ୍ରଦାନ କରିବା ଦରକାର। କେତେଦିନ କେତେଟା ମାର୍କ, କେତେଟା ସାର୍ଟିଫିକେଟ ଆଉ କେତେଟା ଚାକିରି ପଛରେ ଗୋଡେଇ ଗୋଡେଇ ପିଲା ନୟାନ୍ତ ହେଉଥିବେ? ଆଉ ଯେଉଁଠି ଏହାର ବ୍ୟତିକ୍ରମ ସେଠି ଆତ୍ମହତ୍ୟା ପରି ଶେଷ ଦୁଃଖଦ ପନ୍ଥା ବରି ନେଇଥିବେ?

Share :