ସମସ୍ତଙ୍କ ଲାଗି ପ୍ରାଥମିକ ଶିକ୍ଷା, ହେଲେ ସମାନ କି ?

ସମସ୍ତଙ୍କ ଲାଗି ପ୍ରାଥମିକ ଶିକ୍ଷା, ହେଲେ ସମାନ କି ?

Share :

ଭାରତୀୟ ପରମ୍ପରାରେ ବିଦ୍ୟାଦାନକୁ ଏକ ପୂଣ୍ୟ କାର୍ଯ୍ୟ ଭାବେ ବିବେଚନା କରାଯାଇଥାଏ | ବିଦ୍ୟାୟତନଗୁଡିକରେ କୌଣସି ପ୍ରକାର ଅର୍ଥଦେଣନେଣ ବ୍ୟବସ୍ଥା ଭାରତୀୟ ପୁରାତନ ଯୁଗର ଲୋକେ ଚିନ୍ତା ବି କରିପାରୁନଥିଲେ | ଗୁରୁକୂଳ ଗୁଡିକ ସଂପୂର୍ଣ୍ଣଭାବେ ରାଜାମାନଙ୍କ ଅନୁଦାନରେ ଚାଲୁଥିଲା ବା ସ୍ବୟଂଚାଳିତ ଥିଲା | ପରାଧୀନ ଭାରତରେ ବି ଗ୍ରାମ୍ୟ ବିଦ୍ୟାଳୟଗୁଡିକ ଗ୍ରାମବାସୀଙ୍କ ଅନୁଦାନରେ ଚାଲୁଥିଲା | ପରୋକ୍ଷଭାବେ କହିଲେ ନିଜର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଶିକ୍ଷାପ୍ରଦାନ କରାଇବା ଲାଗି କାହାକୁ ବିଶେଷ ଖର୍ଚ୍ଚାନ୍ତ ହେବାକୁ ପଡୁନଥିଲା | ହେଲେ ଏବେ ସେ ସମୟ ଆଉ ନାହିଁ | ସହର ଓ ଗ୍ରାମାଞ୍ଚଳରେ କାୟାବିସ୍ତାର କରିଚାଲିଥିବା ପବ୍ଲିକ ସ୍କୁଲ ଗୁଡିକରେ ନିଜର ପିଲାମାନଙ୍କୁ ପ୍ରବେଶ କରାଇବା ଲାଗି ଅଭିଭାବକମାନଙ୍କୁ ପ୍ରତି ବର୍ଷ ବେଶ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି | ପ୍ରାଥମିକ ଶିକ୍ଷା ମଧ୍ୟ ଏମିତି ବ୍ବ୍ୟୟବହୁଳ ହୋଇଗଲାଣି ଯେ ଘରୋଇ କ୍ଷେତ୍ରରେ କାମକରୁଥିବା ନିମ୍ନ ମଧ୍ୟବିତ୍ତ ଲୋକଟିଏ ନିଜର ପିଲାକୁ ଯଦି ଇଂରାଜୀ ମାଧ୍ୟମ ନର୍ସରୀ ସ୍କୁଲରେ ଆଡମିଶନ୍ କରିବାକୁ ଚାହୁଁଛି ତେବେ ତାକୁ ଋଣ କରିବାକୁ ପଡୁଛି | ସରକାରୀସ୍ତରରେ ସମସ୍ତ ପ୍ରକାରର ପ୍ରୟାସ ସତ୍ତ୍ବେ ପ୍ରାଥମିକ ଶିକ୍ଷା ସଜାଡି ହେଉନି | ସରକାରୀ ବିଦ୍ୟାଳୟଗୁଡିକରେ ଉପସ୍ଥାନ ଦିନକୁ ଦିନ କମି ଚାଲୁଥିବା ବେଳେ ପବ୍ଲିକ ସ୍କୁଲ, ବିଭିନ୍ନ ଘରୋଇ ବିଦ୍ୟାଳୟଗୁଡିକରେ ପିଲାସଂଖ୍ୟା ବଢୁଛି | ଅନ୍ୟ ଭାବରେ କହିଲେ ଶିକ୍ଷା ବ୍ୟବସାୟ ଉଚ୍ଚଶିକ୍ଷାରୁ ଆସି ବର୍ତ୍ତମାନ ପ୍ରାଥମିକ ଶିକ୍ଷାରେ ବି ବେଶ ଆସର ଜମାଇ ବସିଗଲାଣି | ନିଜର ପିଲାମାନଙ୍କୁ ସବୁଠାରୁ ଉତ୍ତମ ଶିକ୍ଷାପ୍ରଦାନ କରିବା ବର୍ତ୍ତମାନ ଯୁଗର ସଚେତନଶୀଳ ନାଗରିକମାନଙ୍କର ସର୍ବପ୍ରଧାନ ଚିନ୍ତନ ହୋଇଥିବା ଦୃଷ୍ଟିରୁ ସରକାରୀ ବିଦ୍ୟାଳୟ ଉପରେ କେହି ଭରସା କରିପାରୁନାହାନ୍ତି | ଫଳରେ ଏବେ ସରକାରୀ ବିଦ୍ୟାଳୟଗୁଡିକ କେବଳ ଭୋଜନ କେନ୍ଦ୍ରରେ ପରିଣତ ହୋଇଗଲାଣି | ସରକାର ଉତ୍ତମ ଘର, ମଧ୍ୟାହ୍ନ ଭୋଜନ, ସ୍ବାସ୍ଥ୍ୟକର ପରିବେଶ, ଶୌଚାଳୟ, ସବୁକିଛି ସରକାରୀ ବିଦ୍ୟାଳୟଗୁଡିକୁ ଯୋଗାଇବାରେ ହେଳା କରୁନାହାନ୍ତି | ହେଲେ ଉପସ୍ଥାନ ବଢୁନି | ଆମ ରାଜ୍ୟରେ ଏବେ ଏମିତି ଅନେକ ବିଦ୍ୟାଳୟ ଅଛି ଯେଉଁଠି ଆଦୌ ଛାତ୍ରଛାତ୍ରୀ ନାହାନ୍ତି | ଅଥଚ ସେସବୁ ସ୍କୁଲ ଚାଲିଛି |  କୋରାପୁଟ ଜିଲ୍ଲାରେ ପ୍ରାୟ 15ଟିରୁ ଅଧିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କେବଳ କାଗଜକଲମରେ ପ୍ରସ୍ତୁତ ହେଉଥିବାର ଖବର କିଛଦିନ ତଳେ ଆସିଥିଲା | କେବଳ କୋରାପୁଟ ନୁହେଁ, ବିଭିନ୍ନ ଜିଲ୍ଲାରେ ଏମିତି ଶତାଧିକ ସ୍କୁଲ ଅଛି ଯେଉଁଠାରେ କେବଳ କାଗଜକଲମରେ ପିଲାଙ୍କୁ ପାଠପଢ଼ା ଯାଉଛି, ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ଖର୍ଚ୍ଚ ଦେଖାଇ ହଡପ କରାଯାଉଛି, କାଗଜପତ୍ରରେ ମଧାହ୍ନ ଭୋଜନ ମଧ୍ୟ ସବୁଦିନ ପ୍ରସ୍ତୁତ ହେଉଛି | ଏମିତିକି ଏହିସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାସଫେଲର ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ହେଉଛି | ଏହିସବୁ ବିଦ୍ୟାଳୟ ଥିବା ଅଂଚଳରେ ଯେ ପିଲା ନାହାନ୍ତି ତାହା ନୁହେଁ, ପିଲାମାନଙ୍କୁ ସରକାରୀ ସ୍କୁଲର ପାଖରେ ଥିବା ପବ୍ଲିକ ସ୍କୁଲ ବା ଶିଶୁମନ୍ଦିରମାନଙ୍କରେ ଭର୍ତ୍ତି କରାଯାଇଛି | ହେଲେ ସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ କାଗଜ କଲମରେ ଠିକ ଥାଏ | ଶିକ୍ଷକମାନେ ତାଙ୍କର ଉପସ୍ଥାନ ନିୟମିତ ଦେଖାନ୍ତି ଯାହା ସମ୍ପର୍କରେ ଜିଲ୍ଲା ଶିକ୍ଷାନିରୀକ୍ଷକ ମଧ୍ୟ ଅବଗତ ଥାଆନ୍ତି | ଯେମିତି ହେଉ ତ ସ୍କୁଲକୁ ବଞ୍ଚାଇ ରଖିବାକୁ ହେବ ସେଇ ନ୍ୟୟରେ ଏସବୁ ସ୍କୁଲ ଚାଲେ | ଶିକ୍ଷା ଆଇନ ଅନୁଯାୟୀ 30 ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିବା କଥା | ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଗଣଶିକ୍ଷା ବିଭାଗକୁ ନାକେଦମ ହେବାକୁ ପଡୁଛି | କାରଣ ହେଉଛି ପିଲା ଆସୁନାହାନ୍ତି | କାହିଁକି ? ଆମର ଶିକ୍ଷା ପଦ୍ଧତିରେ ନିଶ୍ଚିତ କେଉଁଠି ତ୍ରୁଟି ରହୁଛି ଯାହାପାଇଁ ସାଧାରଣ ଲୋକେ ସରକାରୀ ସ୍କୁଲ ଉପରେ ଭରସା କରିବା ଛାଡିଦେଲେଣି | ଏବେ ସରକାରୀ ସ୍କୁଲ କେବଳ ଅତିଗରିବ ଲୋକଙ୍କ ପିଲାମାନଙ୍କ ପାଇଁ ପଢିବାର ଜାଗା ପାଲଟିଛି | ଏହି ପରିପ୍ରେକ୍ଷୀରେ ଆମେ ସମସ୍ତଙ୍କ ପାଇଁ ପାଇଁ ଶିକ୍ଷା କଥା କହିପାରୁ ହେଲେ ସମସ୍ତଙ୍କ ପାଇଁ ସମାନ ଶିକ୍ଷା କଥା କହିପାରିବା କି ? ଶିକ୍ଷା ବ୍ୟବସ୍ଥା ସମାଜର ଏକ ଅଙ୍ଗ | ତେଣୁ ଏହା ସମାଜକୁ ଛାଡି କାର୍ଯ୍ୟ କରିପାରିବ ନାହିଁ | ସମାଜରେ ବର୍ତ୍ତମାନର ପରିଦୃଷ୍ଟ ଅର୍ଥନୈତିକ ବୈଷମ୍ୟ ଆମର ଶିକ୍ଷା ବ୍ୟବସ୍ଥା ଭିତରେ ପାଚେରୀ ତିଆରି କରିସାରିଲାଣି | ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ସ୍ବଚ୍ଛଳ ଲୋକମାନେ ଅତି ଦାମିକା ପବ୍ଲିକ ସ୍କୁଲରେ ନିଜ ନିଜର ପିଲମାନଙ୍କୁ ଛାଡୁଥିବା ବେଳେ ମଧ୍ୟବିତ୍ତ ବର୍ଗର ଲୋକମାନେ ସଚେତନଶୀଳ ହୋଇ ଟିକେ କମ୍ ଖର୍ଚ୍ଚଯୁକ୍ତ ଶିଶୁ ମନ୍ଦିରମାନଙ୍କୁ ନିଜର ପିଲାମାନଙ୍କୁ ପଠାଉଛନ୍ତି | ବାକି ଗରୀବ ଶ୍ରେଣୀର ପିଲାମାନେ ସରକାରୀ ସ୍କୁଲରେ ପଢୁଛନ୍ତି | ବର୍ତ୍ତମାନ ଏକାବୟସର ଦୁଇଟି ପିଲା ଏକାଶ୍ରେଣୀରେ ପାଠ ପଢୁଥିଲେ ବି ଏକାପାଠ ପଢୁଛନ୍ତି ବୋଲି ଆମେ କହିପାରିବା ନାହିଁ |  ଏକ ସ୍ବାଧୀନ ଗଣତନ୍ତ୍ର ରାଷ୍ଟ୍ରରେ ଏହାଠାରୁ ବଡ ବିଡମ୍ବନା ଆଉ କଣ ହୋଇପାରେ ?  ଶିକ୍ଷା ବ୍ୟବସାୟ ଓ ଅଭିଭାବକମାନଙ୍କର ଉଚ୍ଚକାଂକ୍ଷା ଭିତରେ କିନ୍ତୁ ପେଶି ହୋଇଯାଉଛି ଶୈଶବ | ଶିକ୍ଷା ବିଶାରଦ, ଶିକ୍ଷାନୀତି ପ୍ରଣେତାମାନେ ବୋଝ ବିହୀନ ଶିକ୍ଷା କଥା କହୁଛନ୍ତି | ହେଲେ ଆଧୁନିକ ପବ୍ଲିକ ସ୍କୁଲମାନଙ୍କରେ ପିଲାଟି ଉପରେ କେବଳ ବୋଝ ହିଁ ଲଦି ଦିଆଯାଉଛି | ଯଦିଓ ଏହିସବୁ ବିଦ୍ୟାଳୟଗୁଡିକ ସିବିଏସ୍ଇ, ଆଇସିଏସ୍ଇ ବା ସେହିପରି ବୋର୍ଡର ପାଠ୍ୟକ୍ରମ ଚଳାଉଛନ୍ତି ବୋଲି ସାଧାରଣରେ ଜଣାଉଛନ୍ତି | ସେସବୁ ବିଦ୍ୟାଳୟର ପାଠ୍ୟକ୍ରମ ବହିଭାରରେ ଭାରାକ୍ରାନ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି | ଫଳରେ ସାଧାରଣ ଅଭିଭାବକଟିଏ ଉକ୍ତ ପାଠ୍ୟକ୍ରମକୁ ସରକାରୀ ସ୍କୁଲରେ ପ୍ରଚଳିତ ପାଠ୍ୟକ୍ରମ ତୁଳନାରେ ସର୍ବଶ୍ରେଷ୍ଠମାନି ସେ ଦିଗରେ ଆକୃଷ୍ଟ ହେଉଛି | ତେବେ ଆମର ଶିକ୍ଷାନୀତି ଅଛି କେଉଁଥି ପାଇଁ ? କ’ଣ କେବଳ ସରକାରୀ ସ୍କୁଲ ପାଇଁ ? ସରକାର ପବ୍ଲିକ ସ୍କୁଲଗୁଡିକୁ କେଉଁ ଆଧାରରେ ସ୍ବୀକୃତି ଦେଉଛନ୍ତି ? କ’ଣ ନିଜମନ ଅନୁଯାୟୀ ପାଠ୍ୟକ୍ରମ ଚଳାଇବା ଲାଗି ? ଯାହା ପବ୍ଲିକ ସ୍କୁଲରେ ପଢାଯିବ ତାହା ସରକାରୀ ସ୍କୁଲରେ ପଢାଯିବାରେ ବା ଶିକ୍ଷାନୀତି ଅନୁସାରେ ଉଭୟ ବିଦ୍ୟାଳୟରେ ଏକାପ୍ରକାର ପାଠ ପଢାଯିବାରେ ଅସୁବିଧା କେଉଁଠି ? ଶିଶୁକୁ ଦେଶର ଭବିଷ୍ୟତର ନାଗରିକ କୁହାଯାଉଥିବା ଭାରତରେ ଏକାଶ୍ରେଣୀରେ ଅଧ୍ୟୟନ କରୁଥିବା ଦୁଇଟି ପିଲାଙ୍କୁ ଅଲଗା ଅଲଗା ଶିକ୍ଷାପ୍ରଦାନ ପରି ବ୍ୟବସ୍ଥାକୁ ସରକାର କେମିତି ଅଣଦେଖା କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ ନୁହେଁ କି ? ଏହାଦ୍ବାରା ଶିକ୍ଷାକ୍ଷେତ୍ରରେ ସମ୍ବିଧାନ ସ୍ବୀକୃତ ସମାନତା ଓ ସାମାଜିକ ନ୍ୟାୟ ରୂପକ ମୂଲ୍ୟବୋଧର ସିଧାସଳଖ ଅବମାନନା ହେଉ ନାହିଁ କି? ପବ୍ଲିକ ସ୍କୁଲଗୁଡିକୁ ବିଭିନ୍ନ ସମୟରେ ସମୀକ୍ଷା କରାଯାଇ ଜାତୀୟ ଶିକ୍ଷାନୀତି ଅଧାରରେ ସେମାନେ ନିଜର ପାଠ୍ୟକ୍ରମ ଚଳାଉଛନ୍ତି କି ନାହିଁ, ତାହା ଦେଖିବା କଣ ସରକାରଙ୍କ କର୍ତ୍ତବ୍ୟ ନୁହେଁ ?

Share :